Breaking News

ମହାରାଷ୍ଟ୍ରରେ ୫୮%, ଝାଡ଼ଖଣ୍ଡରେ ୬୭% ମତଦାନ: ଶନିବାର ଭୋଟ୍‌ ଗଣତି

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଏହି ନିର୍ବାଚନ ଦୁଇ ରାଜ୍ୟର ଶାସକ ଏବଂ ବିରୋଧୀ ରାଜନୈତିକ ମେଣ୍ଟର ଭାଗ୍ୟ ନିର୍ଦ୍ଧାରଣ କରିବ।

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଏହି ନିର୍ବାଚନ ଦୁଇ ରାଜ୍ୟର ଶାସକ ଏବଂ ବିରୋଧୀ ରାଜନୈତିକ ମେଣ୍ଟର ଭାଗ୍ୟ ନିର୍ଦ୍ଧାରଣ କରିବ। ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୫୮.୨୨% ପ୍ରତିଶତ ମତଦାନ ହୋଇଥିବା ବେଳେ ଝାଡ଼ଖଣ୍ଡରେ ୬୭.୫୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଶନିବାର (୨୩ ତାରିଖ) ଉଭୟ ରାଜ୍ୟରେ ଭୋଟ୍ ଗଣତି ହେବ। ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବ୍ୟତୀତ ଉତ୍ତରପ୍ରଦେଶ, ପଞ୍ଜାବ, କେରଳ ଓ ଉତ୍ତରାଖଣ୍ଡର ୧୫ଟି ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ସଂପନ୍ନ ହୋଇଛି।

ଆଜି ଭୋଟ୍‌ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ରାଜ୍ୟର ଭୋଟର, ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଥିଲେ। ମହାରାଷ୍ଟ୍ରର ୨୮୮ଟି ନିର୍ବାଚନ ମଣ୍ଡଳୀରେ ମୋଟ ୪୧୩୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ହୋଇଯାଇଛି। ଶାସକ ମହାୟୁତି ମେଣ୍ଟରେ ବିଜେପି ୧୪୯ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ୮୧ ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ୫୯ ଆସନରେ ପ୍ରାର୍ଥୀ ଦେଇଛି। ଅନ୍ୟପକ୍ଷରେ ବିରୋଧୀ ମହାବିକାଶ ଆଘାଡି ମେଣ୍ଟର କଂଗ୍ରେସର ୧୦୧ ପ୍ରାର୍ଥୀ ମଇଦାନରେ ଥିବା ବେଳେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୯୫ ଏବଂ ଏନସିପି (ଶରଦ ପାୱାର)ର ୮୬ ଜଣ ପ୍ରାର୍ଥୀ ଅଛନ୍ତି।

ଶନିବାର ଭୋଟ୍‌ ଗଣତି
୪ ରାଜ୍ୟର ୧୫ ବିଧାନସଭା ଆସନରେ ଉପନିର୍ବାଚନ
ଏନ୍‌ଡିଏ ବନାମ ଇଣ୍ଡିଆ ଲଢ଼େଇ

ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)-କଂଗ୍ରେସ-ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମେଣ୍ଟ କ୍ଷମତା ବଜାୟ ରଖିବାକୁ ଶବୁ ଶକ୍ତି ଖଟାଇଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୁଣି ଥରେ ରାଜ୍ୟରେ କ୍ଷମତା ନିଜ ଦଖଲ ପାଇଁ କୌଣସି ସୁଯୋଗ ହାତଛଡ଼ା କରିନାହିଁ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କ ସମେତ ୫୨୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ଝାଡ଼ଖଣ୍ଡରେ ବିଜେପି ମୋଟ୍‌ ୬୮ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ସହଯୋଗୀ ଏଜେଏସ୍ୟୁ ପାର୍ଟି ୧୦ଟି, ଜେଡିୟୁ ୨ଟି ଓ ଲୋକ ଜନଶକ୍ତି (ରାମ ବିଳାସ) ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛି। ବିରୋଧୀ ଦଳ ଗୁଡ଼ିକ ମଧ୍ୟରୁ ଜେଏମଏମ ୪୩, କଂଗ୍ରେସ ୩୦, ଆରଜେଡି ୬ ଏବଂ ସିପିଆଇ (ଏମ୍‌ଏଲ) ୪ଟି ଆସନରେ ପ୍ରାର୍ଥୀ ଦେଇଛି।

ଝାଡ଼ଖଣ୍ଡରେ ୧୪,୨୧୮ଟି ମତଦାନ କେନ୍ଦ୍ରରେ ଆଜି ଭୋଟ୍‌ ଗ୍ରହଣ ସୁରୁଖରୁରେ ଶେଷ ହୋଇଛି ଏଠାରେ ୨୦୧୯ ବିଧାନସଭା ନିର୍ବାଚନରେ ଜେଏମଏମ ୩୦ଟି ଆସନ ଜିତିଥିବା ବେଳେ ବିଜେପି ୨୫ଟି ଆସନ ରେ ବିଜୟୀ ହୋଇଥିଲା। ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ ୪୭ ଟି ଆସନ ସହ ବହୁମତ ହାସଲ କରିଥିଲା। ମହାରାଷ୍ଟ୍ରରେ ୨୦୧୯ ବିଧାନସଭା ନିର୍ବାଚନ ତୁଳନାରେ ଏଥର ପ୍ରାର୍ଥୀଙ୍କ ସଂଖ୍ୟା ୨୮% ବୃଦ୍ଧି ପାଇଛି। ରାଜ୍ୟରେ ୧,୦୦,୧୮୬ଟି ମତଦାନ କେନ୍ଦ୍ରରେ ଭୋଟର୍‌ମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି।

ସୌଜନ୍ୟ – ସମ୍ୱାଦ

Comments are closed.