Breaking News

ମହାରାଷ୍ଟ୍ର ଭୋଟର୍‌ ତାଲିକାରେ ବଡ଼ ତ୍ରୁଟି: ରାହୁଲ

ମହାରାଷ୍ଟ୍ର ଭୋଟର ତାଲିକାରେ ବଡ଼ ଧରଣର ତ୍ରୁଟି ଥିବା ଦାବି କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ରାଜ୍ୟର ବୟସ୍କ ଜନସଂଖ୍ୟା ତୁଳନାରେ ଭୋଟରଙ୍କ ସଂଖ୍ୟା ଅଧିକ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ...

ନୂଆଦିଲ୍ଲୀ: ମହାରାଷ୍ଟ୍ର ଭୋଟର ତାଲିକାରେ ବଡ଼ ଧରଣର ତ୍ରୁଟି ଥିବା ଦାବି କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ରାଜ୍ୟର ବୟସ୍କ ଜନସଂଖ୍ୟା ତୁଳନାରେ ଭୋଟରଙ୍କ ସଂଖ୍ୟା ଅଧିକ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଓ ଏନ୍‌ସିପି-ଏସ୍‌ପି ସାଂସଦ ସୁପ୍ରିୟା ସୁଲେଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାହୁଲ ଦାବି କରିଛନ୍ତି ଯେ ଲୋକସଭା ନିର୍ବାଚନ ପରେ ପାଞ୍ଚ ମାସ ମଧ୍ୟରେ ମହାରାଷ୍ଟ୍ରରେ ୩୯ ଲକ୍ଷ ନୂଆ ଭୋଟର ଯୋଡ଼ି ହୋଇଛନ୍ତି। ରାଏବରେଲି ସାଂସଦ ଏହି ଅନିୟମିତତାକୁ ଆଲୋକପାତ କରି ଅଳ୍ପ ସମୟ ମଧ୍ୟରେ ଭୋଟରଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଥିବା ଦର୍ଶାଇଛନ୍ତି। ଭୋଟର ତାଲିକାକୁ ବିସ୍ତୃତ ଭାବେ ଅଧ୍ୟୟନ କରିବା ପରେ ବିରୋଧୀମାନେ ଅନେକ ଅନିୟମିତତାର ପର୍ଦ୍ଦାଫାସ କରିଛନ୍ତି ବୋଲି ସେ କହିଛନ୍ତି। ସରକାରୀ ତଥ୍ୟକୁ ଆଧାର କରି କଂଗ୍ରେସ ସାଂସଦ କହିଛନ୍ତି ଯେ ମହାରାଷ୍ଟ୍ରରେ ୯.୫୪ କୋଟି ଲୋକ ଭୋଟ୍ ଦେବା ପାଇଁ ଯୋଗ୍ୟ ଥିଲେ ମଧ୍ୟ ବିଧାନସଭା ନିର୍ବାଚନରେ ୯.୭ କୋଟି ଲୋକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ୨୦୧୯ରେ ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ୫ ବର୍ଷରେ ୩୨ ଲକ୍ଷ ଭୋଟର ଯୋଡ଼ି ହୋଇଥିଲେ। ତେବେ ଲୋକସଭା ନିର୍ବାଚନ ୨୦୨୪ରୁ ବିଧାନସଭା ନିର୍ବାଚନ ମଧ୍ୟରେ ୫ ମାସ ଭିତରେ ୩୯ ଲକ୍ଷ ଭୋଟର ଯୋଡ଼ି ହୋଇଛନ୍ତି। ପ୍ରଶ୍ନ ଉଠୁଛି କିଏ ଏହି ୩୯ ଲକ୍ଷ ଭୋଟର୍‌, ଯାହା କି ହିମାଚଳ ପ୍ରଦେଶର ମୋଟ ଭୋଟର ସଂଖ୍ୟା ସହ ସମାନ। ଦ୍ବିତୀୟ କଥା ହେଉଛି, ମହାରାଷ୍ଟ୍ରରେ ସମଗ୍ର ମତଦାନକାରୀ ଜନସଂଖ୍ୟାଠାରୁ ଅଧିକ ଭୋଟର କାହିଁକି ଅଛନ୍ତି ବୋଲି ଗାନ୍ଧୀ ପ୍ରଶ୍ନ କରିଛନ୍ତି।

ଲିଖିତ ଜବାବ ଦିଆଯିବ: ନିର୍ବାଚନ କମିସନ
ବିଫଳତା ଲୁଚାଇବାକୁ ବିଭ୍ରାନ୍ତ କରୁଛି କଂଗ୍ରେସ: ଫଡ଼ନାବିସ

ନିର୍ବାଚନ ଆୟୋଗ ତୁରନ୍ତ ଜବାବ ଦେଇ କହିଛନ୍ତି ଯେ, ରାହୁଲଙ୍କ ଅଭିଯୋଗର ଲିଖିତ ଜବାବ ଦିଆଯିବ। ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡ଼ିକୁ ପ୍ରାଥମିକତା ଦେଉଛନ୍ତି।   ରାଜନୈତିକ ଦଳଗୁଡ଼ିକର ମତାମତ, ପରାମର୍ଶ ଓ ପ୍ରଶ୍ନକୁ ନିର୍ବାଚନ କମିସନ ସର୍ବଦା ଗମ୍ଭୀରତାର ସହ ନେଉଛନ୍ତି। ସମଗ୍ର ଦେଶରେ ସମାନ ଭାବରେ ଗ୍ରହଣ କରାଯାଇଥିବା ସମ୍ପୂର୍ଣ୍ଣ ତଥ୍ୟଗତ ଓ ପ୍ରକ୍ରିୟାଗତ ମ୍ୟାଟ୍ରିକ୍ସ ସହିତ ଆୟୋଗ ଲିଖିତ ଭାବେ ଜବାବ ଦେବେ ବୋଲି ନିର୍ବାଚନ ପର୍ଯ୍ୟବେକ୍ଷକ ଏକ ବିବୃତିରେ କହିଛନ୍ତି। ମହା ବିକାଶ ଆଘାଡି (ଏମ୍‌ଭିଏ) ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଆସନରୁ ୩୦ଟିରେ ବିଜୟୀ ହୋଇଥିବା ବେଳେ ବିଧାନସଭା ନିର୍ବାଚନରେ ଏହା ୨୮୮ଟି ଆସନରୁ ମାତ୍ର ୪୯ଟିରେ ସୀମିତ ରହିଥିଲା। ଗତବର୍ଷ ନିର୍ବାଚନ ଫଳାଫଳ ଘୋଷଣା ହେବାର କିଛି ଦିନ ପରେ କଂଗ୍ରେସ ସମାନ ଅଭିଯୋଗ ଆଣିଥିଲା। କଂଗ୍ରେସର ଏକ ପ୍ରତିନିଧିଦଳ ନିର୍ବାଚନ କମିସନଙ୍କ ଅଧିକାରୀଙ୍କୁ ଭେଟି ତାଲିକାରେ ସାମିଲ ହୋଇଥିବା ୩୯ ଲକ୍ଷ ଭୋଟରଙ୍କ ତଥ୍ୟ ମାଗିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ରାହୁଲ ଗାନ୍ଧୀଙ୍କ ଦାବିକୁ ସମାଲୋଚନା କରିବା ସହ   ଦିଲ୍ଲୀ ନିର୍ବାଚନରେ ସମ୍ଭାବ୍ୟ ପରାଜୟକୁ ଲୁଚାଇବା ଲାଗି କଂଗ୍ରେସ ଏହାକୁ ବିଭ୍ରାନ୍ତି ସୃଷ୍ଟି ପାଇଁ ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.