Breaking News

ମହାୟୁତି ସରକାର ଗଠନ ଆଜି: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡ଼ନାବିସ

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ଆଜି ପରିସମାପ୍ତି ଘଟିଛି ଏବଂ ଆସନ୍ତାକାଲି (ଗୁରୁବାର) ମହାୟୁତି ମେଣ୍ଟର ସରକାର ଗଠନ ହେବାକୁ ଯାଉଛି। ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ଆଜି ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ୍‌ଙ୍କୁ...

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ଆଜି ପରିସମାପ୍ତି ଘଟିଛି ଏବଂ ଆସନ୍ତାକାଲି (ଗୁରୁବାର) ମହାୟୁତି ମେଣ୍ଟର ସରକାର ଗଠନ ହେବାକୁ ଯାଉଛି। ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ଆଜି ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ୍‌ଙ୍କୁ ମୁମ୍ବାଇ ସ୍ଥିତ ରାଜଭବନରେ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ତାଙ୍କ ସହ ଏନ୍‌ସିପି ନେତା ଅଜିତ ପାୱାର ଏବଂ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କୁ ଭେଟିବାପରେ ଆଜି ଫଡ଼ନାବିସ, ସିନ୍ଦେ ଏବଂ ପାୱାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଣମାଧ୍ୟମରେ ଟିପ୍ପଣୀ ରଖି ଫଡ଼ନାବିସ ଆଜି ସିନ୍ଦେଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, ଗତକାଲି ମୁଁ ଏକନାଥ ସିନ୍ଦେଙ୍କୁ ଭେଟିଥିଲି ଏବଂ ତାଙ୍କୁ ମହାୟୁତି କ୍ୟାବିନେଟ୍‌ରେ ରହିବାପାଇଁ ଅନୁରୋଧ କରିଥିଲି। ଶିବସେନା ବିଧାୟକଙ୍କ ସମେତ ଆମେ ସମସ୍ତେ ଚାହୁଛୁ ଯେ ସିନ୍ଦେ ରାଜ୍ୟ କ୍ୟାବିନେଟ୍‌ର ଏକ ଅଂଶ ହୁଅନ୍ତୁ । ଫଡ଼ନାବିସ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦ ହେଉଛି କେବଳ ଟେକ୍‌ନିକାଲ ପଦବି। ଆମେମାନେ ସମସ୍ତେ ଏକାଠି ମିଳିମିଶି ମହାରାଷ୍ଟ୍ର ପାଇଁ କାମ କରିବୁ। ଅନ୍ୟପକ୍ଷେ ଏକନାଥ ସିନ୍ଦେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମହାୟୁତିରେ କେହି ବଡ଼ ନୁହନ୍ତି କି ଛୋଟ ନୁହନ୍ତି। ଆମେ ଏକ ଟିମ୍‌ ଭଳି କାମ କରୁଛୁ। ଅଢ଼େଇ ବର୍ଷ ପୂର୍ବେ ଫଡ଼ନାବିସ ମୋ ନାଁ ମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତାବ ଦେଇଥିଲେ ଏବଂ ଆଜି ମୁଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଫଡ଼ନାବିସଙ୍କ ନାଁ ପ୍ରସ୍ତାବ ଦେଲି। ନୂଆ ସରକାରରେ ନିଜ ଭୂମିକା ନେଇ ସିନ୍ଦେ ସ୍ପଷ୍ଟ ଘୋଷଣା କରିନଥିଲେ ମଧ୍ୟ ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ରାଜି ହୋଇଛନ୍ତି ବୋଲି ଶିବସେନାର ବରିଷ୍ଠ ନେତାମାନେ ଗଣମାଧ୍ୟମକୁ କହିଛନ୍ତି। ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଗୃହ ମନ୍ତ୍ରାଳୟକୁ ନେଇ ଟଣାଓଟରା ଚାଲିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଏନ୍‌ସିପି ମୁଖ୍ୟ ଅଜିତ ପାୱାର କହିଛନ୍ତି, ରାଜ୍ୟରେ ଏକ ସୁଦୃଢ଼ ଓ ଦକ୍ଷ ସରକାର ପରିଚାଳନା କରିବାପାଇଁ ଆମେ ଆମର ସମସ୍ତ ଉଦ୍ୟମ ଲଗାଇ ଦେବୁ।

ଆଜି ସକାଳେ ବିଜେପି ବିଧାୟକ ଦଳ ବୈଠକରେ ଫଡ଼ନାବିସଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଥିଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ବିଧାୟକଦଳ ନେତା ନିର୍ବାଚିତ ହେବାପରେ ଫଡ଼ନାବିସଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆସନ୍ତାକାଲି ସନ୍ଧ୍ୟା ୫.୩୦ ସମୟରେ ଫଡ଼ନାବିସଙ୍କ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ରହିଛି। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବେ।

ଏକନାଥ ସିନ୍ଦେ, ଅଜିତ ପାୱାର ହେବେ ଉପମୁଖ୍ୟମନ୍ତ୍ରୀ, କଡ଼ା ସୁରକ୍ଷା, ୪ ହଜାର ପୁଲିସ ମୁତୟନ

ମୁମ୍ବାଇ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଶପଥ ଗ୍ରହଣ ଉତ୍ସବ ହେବ। ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ୪ ହଜାରରୁ ଅଧିକ ପୁଲିସ ମୁତୟନ ପାଇଁ ବନ୍ଦୋବସ୍ତ ହୋଇଛି। ବିଜେପି ୪୦ ହଜାର ଦଳୀୟ ସମର୍ଥକଙ୍କ ପାଇଁ ବସିବା ବ୍ୟବସ୍ଥା କରିଛି। ପାଖାପାଖି ୨୦୦୦ ଭିଭିଆଇପିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଆସନ୍ତାକାଲି ଫଡ଼ନାବିସଙ୍କ ସହ ଅନ୍ୟ ୨ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଦାଦାଙ୍କର ଉଭୟ ସକାଳ ଓ ସନ୍ଧ୍ୟାରେ ଶପଥ ନେବା ଅଭିଜ୍ଞତା ରହିଛି: ସିନ୍ଦେ

ମୁମ୍ବାଇ: ସରକାର ଗଠନ ସଂକ୍ରାନ୍ତ ଘୋଷଣା ପାଇଁ ଆଜି ମହାୟୁତିର ସାମ୍ବାଦିକ ସମ୍ମିଳନୀରେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ପରସ୍ପର ସହ ଥଟ୍ଟା ମଜା କରୁଥିବା ଦେଖିବାକୁ ମିଳିଥିଲା। ସିନ୍ଦେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କି ବୋଲି ପ୍ରଶ୍ନ କଲା‌ବେଳେ ସିନ୍ଦେ ସିଧାସଳଖ ଉତ୍ତର ଦେଇନଥିଲେ। ସିନ୍ଦେ କହିଥିଲେ, ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଅନ୍ୟପକ୍ଷେ ଅଜିତ ପାୱାର ତୁରନ୍ତ କହିଥିଲେ ଯେ ଶପଥ ନେବାପାଇଁ ମୁଁ ଅପେକ୍ଷା କରିପାରିବିନି। ଏହି ସମୟରେ ସେଠାରେ ପ୍ରବଳ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ସିନ୍ଦେ କହିଥିଲେ ଦାଦାଙ୍କର ଉଭୟ ସକାଳେ ଓ ସନ୍ଧ୍ୟାରେ ଶପଥ ନେବା ଅଭିଜ୍ଞତା ରହିଛି। ଉଲ୍ଲେଖଯୋଗ୍ୟ, ୨୦୧୯ରେ ପାୱାର ଫଡ଼ନାବିସଙ୍କ ଉପମୁଖ୍ୟମନ୍ତ୍ରୀ ଭାବେ ଭୋର୍‌ ସମୟରେ ଶପଥ ନେବାକୁ ଇଙ୍ଗିତ କରି ସିନ୍ଦେ ଏହି ଟିପ୍ପଣୀ ଦେଇଛନ୍ତି। ସୂଚନାଯୋଗ୍ୟ, ସପ୍ତାହେ ହେଲା ସରକାରରେ ନିଜ ଭୂମିକା ନେଇ ସିନ୍ଦେ ଯେତେବେଳେ ସ୍ଥିତି ସ୍ପଷ୍ଟ କରୁନଥିଲେ, ସେତେବେଳେ ପାୱାର କହିଥିଲେ ଯେ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ ହକଦାର ଏବଂ ଏହାକୁ ସେ ସମର୍ଥନ କରୁଛନ୍ତି ।
ସୌଜନ୍ୟ-ସମ୍ୱାଦ

Comments are closed.