ମହିଳାଙ୍କ ସୁବିଧା ଓ ସୁରକ୍ଷା ପାଇଁ ଅନେକ ଯୋଜନା ପ୍ରଣୟନ ହୋଇଛି। ଏହା ବିଷୟରେ ଊଣା ଅଧିକେ ସମସ୍ତେ ଅବଗତ ଅଛନ୍ତି। କିନ୍ତୁ ଅଧିକାଂଶ ମହିଳା ବିଶେଷ କରି ଗ୍ରାମାଞ୍ଚଳ ତଥା କିଛି ଶିକ୍ଷିତ ମହିଳା ବି ଏ ବିଷୟରେ ସଚେତନ ନୁହନ୍ତି। ଏଣୁ ସେମାନଙ୍କ ଅବଗତି ନିମନ୍ତେ ଆମର ଏଥରର ସ୍ବତନ୍ତ୍ର ଆଲେଖ୍ୟ…

 ହୋଟେଲ୍‌ରେ ଟଏଲେଟ୍‌ ବ୍ୟବହାର: ଭାରତୀୟ ସରାୟ ଆକ୍ଟ ୧୮୬୭ ଅନୁସାରେ ଜଣେ ମହିଳା ପ୍ରାକୃତିକ କ୍ରିୟା ସମ୍ପାଦନ କରିବାପାଇଁ ଯେକୌଣସି ହୋଟେଲ୍‌ ଏପରିକି ତାହା ପଞ୍ଚତାରକା ହୋଇଥିଲେ ବି ୱାସ୍‌ରୁମ୍‌ ବ୍ୟବହାର କରିବା ସହ ମାଗଣାରେ ପାଣି ମାଗି ପିଇପାରିବେ। ଏଥିରେ କୌଣସି ହୋଟେଲ୍‌ ମନାକଲେ ଆପଣ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିବେ।
 ପିଲାଙ୍କୁ ସୁରକ୍ଷିତ ସ୍ତନ୍ୟପାନ: ଏହା ସମ୍ବିଧାନ‌ର ଧାରା ୨୧‌ ଅର୍ଥାତ୍‌ ମୌଳିକ ଅଧିକାର ସହିତ ‌ଯୋଡ଼ିହୋଇଛି। ଏହା ଅଧୀନରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସର୍ବସାଧାରଣ ସ୍ଥାନରେ ଏକ ସ୍ବତନ୍ତ୍ର କୋଠରି ନିର୍ମାଣ କରିବାକୁ ଆଦେଶ ଦେଇଛନ୍ତି, ‌େଯଉଁଠାରେ ଜଣେ ମହିଳା ନବଜାତ ଶିଶୁକୁ ସ୍ତନ୍ୟପାନ କରାଇପାରିବେ। ଅନେକ ସ୍ଥାନରେ ତଥା କାର୍ଯ୍ୟାଳୟରେ ଏହି ସୁବିଧାର ଅଭାବ ପରିଲକ୍ଷିତ ହେଉଛି।
 ଋତୁସ୍ରାବ ଛୁଟି: ଭାରତରେ ଏଯାଏ ମହିଳାମାନଙ୍କ ଋତୁସ୍ରାବ ଲାଗି ‌ସବୈତନିକ ଛୁଟି ପାଇଁ କୌଣସି ବିଧିବଦ୍ଧ ଆଇନ ପ୍ରଣୟନ ହୋଇନାହିଁ। ସୁପ୍ରିମ୍‌କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଏ ସଂକ୍ରାନ୍ତରେ ବିଚାରବିମର୍ଶ କରି ନିଷ୍ପତ୍ତି ନେବାକୁ ସଂପୂର୍ଣ୍ଣ ଅଧିକାର ଦେଇଛନ୍ତି। ମହିଳାମାନେ ଋତୁସ୍ରାବର ପ୍ରଥମ କିମ୍ବା ଦ୍ବିତୀୟ ଦିନ ଛୁଟି ନେଇପା‌ରିବେ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି। ଏହାପୂର୍ବରୁ ବିହାରରେ ୧୯୯୨ ମସିହାରେ ମହିଳା କର୍ମଚାରୀଙ୍କୁ ପ୍ରତିମାସରେ ଦୁଇଦିନ ସବୈତନିକ ଛୁଟି ଦିଆଯାଉଛି। ସେହିପରି କେରଳରେ ୨୦୦୩ରୁ ସମସ୍ତ ବିଶ୍ବବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନରେ ମହିଳାମାନଙ୍କୁ ମାସିକ ଋତୁସ୍ରାବ ଅବକାଶ ଦିଆଯାଉଛି।
 ଯୌନ ଉତ୍ପୀଡ଼ନ ପାଇଁ ସୁରକ୍ଷା ବ୍ୟବସ୍ଥା: ଭାରତୀୟ ସମ୍ବିଧାନର ଧାରା ୧୪ ଓ ୧୫ ଅଧୀନରେ ସମତା ତଥା ଧାରା ୨୧ ଅଧୀନରେ ସ୍ବାଭିମାନର ସହିତ ଜିଇବା, ନିଜ ମନପସନ୍ଦର ବ୍ୟବସାୟ କରିବାର ଅଧିକାର ରହିଛି। ଏହା ଅଧୀନରେ ମହିଳାମାନେ ଲୈଙ୍ଗିକ ଉତ୍ପୀଡ଼ନ ମୁକ୍ତ ସୁରକ୍ଷିତ ବାତାବରଣରେ ରହିବ‌ାର ଅଧିକାର ବି ରହିଛି। କାର୍ଯ୍ୟସ୍ଥଳରେ ମହିଳାମାନେ ସାମ୍ନା କରୁଥିବା ଯୌନ ହିଂସା ବା ଉତ୍ପୀଡ଼ନକୁ ରୋକିବା ପାଇଁ ୨୦୨୩ରେ ପୋସ୍‌ ଆକ୍ଟ ଜାରି କରାଯାଇଥିଲା। ଏହି ଅଧିନିୟମ ଅନୁସାରେ ମହିଳାମାନେ ସାମ୍ନା କରୁଥିବା ଯୌନ ହିଂସାକୁ ରୋକିବା ସହ କେସ୍‌ ଦେଇପାରିବେ ଏବଂ ଅପରାଧୀଙ୍କୁ ନିୟନ୍ତ୍ରଣ ପାଇଁ ଆଇନଗତ ପ୍ରାବଧାନ କରିପାରିବେ।
 ସାଧାରଣ ଓ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଭ୍ରମଣ ସୁବିଧା: ମହିଳାମାନଙ୍କ ଭ୍ରମଣ ଓ ଯାତ୍ରା ପାଇଁ ଅନେକ ସୁବିଧା ରହିଛି। କର୍ଣ୍ଣାଟକ, ତାମିଲନାଡୁ ଓ ପଞ୍ଜାବ ପରି ରାଜ୍ୟ ମହିଳାମାନଙ୍କ ସୁରକ୍ଷିତ ତଥା ସୁବିଧା ଯାତ୍ରା ପାଇଁ ଫ୍ରି ବସ୍‌ ପାସ୍‌ର ବ୍ୟବସ୍ଥା କରିଛନ୍ତି। ସେହିପରି ଦିବ୍ୟାଙ୍ଗ ମହିଳାଙ୍କ ସୁରକ୍ଷିତ ଯାତ୍ରା, ରହଣି, ଦର୍ଶନ, ଲଗେଜ୍‌ ପରିବହନ ଆଦି ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଏପରିକି ଓଡ଼ିଶା ସମେତ ଅନେକ ରାଜ୍ୟରେ ଦିବ୍ୟାଙ୍ଗଙ୍କ ପାଇଁ ଫ୍ରି ବସ୍‌ ଓ ଟ୍ରେନ୍‌ ଟିକେଟ୍‌ର ସୁବିଧା ରହିଛି। କିଛି ‌ହୋଟେଲ୍‌ ଦିବ୍ୟାଙ୍ଗ ମହିଳା ଓ ସାଧାରଣ ମହିଳାଙ୍କ ପାଇଁ ସ୍ବତନ୍ତ୍ର ମହିଳା ରୁମ୍‌ ସେଲ୍‌ ବ୍ୟବସ୍ଥା ମଧ୍ୟ କରିଥାନ୍ତି।
 ସ୍ବାବଲମ୍ବୀ ଯୋଜନା: ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ଓ ରୋଜଗାରକ୍ଷମ କରାଇବା ପାଇଁ ସରକାର ମିଶନଶକ୍ତି, ବେଟି ବଚାଓ ବେଟି ପଢାଓ, ସ୍ବଧାର ଗୃହ ଯୋଜନା, ମହିଳା ସମୃଦ୍ଧି ଯୋଜନା ପରି ଅନେକ ଯୋଜନା‌ ହାତକୁ ନେଇଛନ୍ତି। ଏହାଦ୍ବାରା ସେମାନେ ନିଜେ ସକ୍ଷମ ହୋଇପାରିବେ। ମହିଳାମାନେ ଆଉ ଘରେ ନରହି, ପୁରୁଷମାନଙ୍କ ଉପରେ ନିର୍ଭର ନହୋଇ ନିଜେ ରୋଜଗାର କରି ଘର ଚଳାଇବା ସହିତ ପିଲାଙ୍କ ଖର୍ଚ୍ଚ ଉଠାଇ ପାରୁଛନ୍ତି।
 ଋତୁସ୍ରାବ ପାଇଁ ସଚେତନତା ଓ ସୁବିଧା: କିଶୋରୀମାନଙ୍କୁ ଋତୁସ୍ରାବ ବିଷୟରେ ସଚେତନତା ପାଇଁ ସରକାରଙ୍କ ପକ୍ଷରୁ ‘ଖୁସି’ ଯୋଜନା କରାଯାଇଛି। ଏହା ଅଧୀନରେ ପ୍ରତି ସ୍କୁଲ୍‌ରେ ମାଗଣା ସାନିଟାରି ନ୍ୟାପ୍‌କିନ୍‌ ବଣ୍ଟନ ବ୍ୟବସ୍ଥା ରହିଛି। ଖାଲି ସେତିକି ନୁହେଁ, ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଯେପରିକି ଏୟାର୍‌ପୋର୍ଟ, ରେଳ ଷ୍ଟେସନ୍‌, ସିନେମା ହଲ୍‌ମାନଙ୍କରେ ସାନିଟାରି ନ୍ୟାପ୍‌କିନ୍‌ ଭେଣ୍ଡିଂ ମେସିନ୍‌ ରହିଛି, ଯେଉଁଠି ଅଳ୍ପ ଟଙ୍କା ବ୍ୟୟରେ ଆପଣ ନ୍ୟାପ୍‌କିନ୍‌ ପାଇପାରିବେ।

ମହିଳାମାନଙ୍କ ଲାଗି ଅନେକ ସୁବିଧା‌ ରହିଛି। ଖାଲି ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳର ଶିକ୍ଷିତ ମହିଳା ବି ଏ ବାବଦରେ ସବୁକଥା ଜାଣିନଥିବେ। ଯଦି ସାନିଟେସନ୍‌, ଟଏଲେଟ୍‌ ଓ ଯୌନ ଉତ୍ପୀଡ଼ନ ନେଇ ଲଗାତାର ଟିଭି, ପେ‌ପର୍‌ରେ ବିଜ୍ଞାପନ ବା ହୋର୍ଡିଂ ମାଧ୍ୟମରେ ସଚେତନତା ପ୍ରସାର କରାଯାଆନ୍ତା ତେବେ ଲୋକମ‌ାନେ ଆହୁରି ଅଧିକ ସଚେତନ ହୋଇପାରନ୍ତେ। ପୋଲିଓ ଟିକା, ମ୍ୟାଲେରିଆ ଭଳି ରୋଗର ପ୍ରଚାର ପାଇଁ ଯେପରି ଆଞ୍ଚଳିକ ରେଡିଓ, ଟିଭିରେ ସଚେତନ କରାଯାଏ, ସେହିପରି ଏହି ଜରୁରୀ ପ୍ରସଙ୍ଗ ଉପରେ କମ୍ୟୁନିଟି ରେଡିଓ, ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ବାରା ସଚେତନ କରାଗଲେ ଗାଁ ଗହଳିର ମହିଳାମାନେ ଏ ବାବଦରେ ଜାଣିପାରିବେ। କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନର ଶିକାର ହେଲେ ପ୍ରତି କାର୍ଯ୍ୟାଳୟରେ ମଧ୍ୟ ଗେ‌ାଟେ ଆଭ୍ୟନ୍ତରୀଣ କମିଟି ରହିଛି, ଯାହାଦ୍ବାରା ଜଣେ ମହିଳା ଲିଖିତ ଭାବେ ଅଭିଯୋଗ କରିପାରିବେ ଏବଂ ସଂପୃକ୍ତ ଦୋଷୀଙ୍କୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ କରାଇପାରିବେ। ଏଣୁ ସରକାରୀ ସ୍ତରରେ ଖାଲି ଯୋଜନା ପ୍ରସ୍ତୁତ କରିଦେଲେ ହେବନି, ତାକୁ ବ୍ୟବସ୍ଥିତ ଶୈଳୀରେ ପ୍ରଚାରପ୍ରସାର କରି ସଚେତନ କରାଗଲେ ଏ ବିଷୟରେ ଅନେକ ମହିଳା ଜାଣିପାରିବା ସହିତ ଏହାର ଲାଭ ଉଠାଇ ପାରିବେ’’ ବୋଲି କହନ୍ତି ସମାଜସେବୀ ଶୁଭଶ୍ରୀ ଦାସ।