Breaking News

ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼: ଦିଲ୍ଲୀରୁ ନାଇଜେରିଆ ସାଇବର୍‌ ଠକ ଗିରଫ

କଟକ ଦରଘାବଜାର ଅଞ୍ଚଳରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼ ସାମ୍‌ନାକୁ ଆସିଛି। ଡାକ୍ତର ପରିଚୟ ଦେଇ ତାଙ୍କୁ ଜଣେ ସାଇବର୍‌ ଠକ୍‌ ବ୍ଲାକ୍‌ମେଲ୍‌ କରୁଥିଲା। ଅଶ୍ଳୀଳ ଭିଡିଓ ଓ ଫଟୋ ଦେଖାଇ ଭାଇରାଲ୍ କରିବାକୁ ଧମକ ଦେଉଥିଲା।

କଟକ: କଟକ ଦରଘାବଜାର ଅଞ୍ଚଳରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼ ସାମ୍‌ନାକୁ ଆସିଛି। ଡାକ୍ତର ପରିଚୟ ଦେଇ ତାଙ୍କୁ ଜଣେ ସାଇବର୍‌ ଠକ୍‌ ବ୍ଲାକ୍‌ମେଲ୍‌ କରୁଥିଲା। ଅଶ୍ଳୀଳ ଭିଡିଓ ଓ ଫଟୋ ଦେଖାଇ ଭାଇରାଲ୍ କରିବାକୁ ଧମକ ଦେଉଥିଲା। ଏଥିରେ ମାନସିକ ସ୍ତରରେ ଭାଙ୍ଗି ପଡ଼ି ମହିଳାଜଣକ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଦରଘାବଜାର ଥାନା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଏହି ମାମଲାରେ ପୁଲିସ ନାଇଜେରିଆର ଆବିଦଜାନର୍‌ ଡିଜେଡଜେ ରେମଣ୍ଡ ଓରଫ ଚିଜିଓକେ ଜନ୍‌ ଓକୋଏ(୩୧)କୁ ଗିରଫ କରିଛି। ପୁଲିସ ତା’ ନିକଟରୁ ଗୋଟିଏ ଲାପ୍‌ଟପ୍‌, ୫ ମୋବାଇଲ୍‌ ଫୋନ୍, ୮ ସିମ୍‌ କାର୍ଡ, ଗୋଟିଏ ପାସ୍‌ପୋର୍ଟ ଜବତ କରିଛି।

ଅଶ୍ଳୀଳ ଭିଡିଓ ରେକର୍ଡ କରି ବ୍ଲାକ୍‌ମେଲ୍‌ କରୁଥିଲା

ସୂଚନା ଥାଉ କି, ଦରଘାବଜାର ଅଞ୍ଚଳରେ ଜଣେ ମହିଳା କିଛିଦିନ ତଳେ ଆତ୍ମହତ୍ୟା କରିଥିଲେ। ଦରଘାବଜାର ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଘର ଭିତରୁ ଏକ ଡାଏରି ଜବତ କରି ପୁଲିସ ଏହାକୁ ଅନୁଧ୍ୟାନ କରିଥିଲା। ତଦନ୍ତ ସମୟରେ ପୁଲିସ ହାତରେ ଚାଞ୍ଚଲ୍ୟକର ତଥ୍ୟ ଲାଗିଥିଲା। ସେ ଜଣେ ଅଜଣା ବ୍ୟକ୍ତିଙ୍କ ସହ ହ୍ୱାଟ୍‌ସଆପ୍‌ ଜରିଆରେ କଥା ହେଉଥିଲେ। ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ବ୍ଲାକ୍‌ମେଲ ସହିତ ଧମକ ମଧ୍ୟ ଦେଉଥିବା ପୁଲିସ ଜାଣିବାକୁ ପାଇଥିଲା। କଟକ ସାଇବର ଥାନା ପୁଲିସ ଏ ନେଇ ତଦନ୍ତ ସମୟରେ ଅଭିଯୁକ୍ତକୁ ଠାବ କରିଥିଲା। ଯେଉଁ ଇଣ୍ଟର୍‌ନେଟ୍‌ ସେବା ପ୍ରଦାନକାରୀ ସଂସ୍ଥା ଦ୍ୱାରା ହ୍ୱାଟସ୍‌ଆପ୍‌ ପରିଚାଳିତ ହେଉଥିଲା ଉକ୍ତ ସଂସ୍ଥା ସହ ଯୋଗାଯୋଗ କରି ଅପରାଧୀ ବିଦେଶୀ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଦରଘାବଜାର ଥାନା ଆଇଆଇସି ରାକେଶ କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ଦିଲ୍ଲୀ ଯାଇଥିଲା। ସେଠାରେ ଚଢ଼ଉ ସମୟରେ ଅଭିଯୁକ୍ତ ଚିଜିଓକେ ନାଇଜେରିଆ ବାସିନ୍ଦା ବୋଲି ଜଣାପଡ଼ିଥିଲା। ସେ ଆଇଭୋରି କୋଷ୍ଟର ପାସ୍‌ପୋର୍ଟ ମଧ୍ୟ ବ୍ୟବହାର କରୁଥିଲା। ସେ ଦିଲ୍ଲୀରେ ୨୦୨୦ରୁ ନିଜକୁ ଡାକ୍ତର କହି ରହି ଆସୁଥିଲା। ଫେସ୍‌ବୁକ୍‌ରେ ନକଲି ପ୍ରୋଫାଇଲ୍‌ ଖୋଲି ଡାକ୍ତର ପରିଚୟରେ ମହିଳାଙ୍କ ସହ ବନ୍ଧୁତା ପାଇଁ ଅନୁରୋଧ ପଠାଉଥିଲା।  ପରେ ହ୍ୱାଟସ୍‌ଆପ୍‌ରେ କଥାବାର୍ତ୍ତା ଆରମ୍ଭ କରୁଥିଲା। ନିଜର ନକଲି ଫଟୋ ଓ ଭିଡିଓ ପଠାଇ ମହିଳାଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ କୌଶଳକ୍ରମେ ସଂଗ୍ରହ କରୁଥିଲା। ପରବର୍ତ୍ତୀ ସମୟରେ ଏହାକୁ ସେ ବ୍ୟବହାର କରି ସୋସିଆଲ୍‌ ମିଡିଆରେ ଭାଇରାଲ୍ କରିଦେବାକୁ ଧମକ ଦେଇ ବ୍ଲାକ୍‌ମେଲ୍‌ କରୁଥିଲା। ଏଭଳି କାର୍‌ନାମାରେ ଦରଘାବଜାରର ମହିଳାଜଣକ ଫସିଯାଇଥିଲେ। ତାଙ୍କର ମଧ୍ୟ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ୍ କରିଦେବାକୁ ଧମକ ଦେବାରୁ ସେ ଆତ୍ମହତ୍ୟା କରିଥିଲେ। ନାଇଜେରିଆ ସାଇବର ଠକ ନାଁରେ ତିନି ହଜାର ପ୍ରୋଫାଇଲ୍‌ ଖୋଲିଥିବାର ସ୍କ୍ରିନ୍‌ସଟ୍‌ ପୁଲିସ ଜବତ କରିଥିବା ଡିସିପି ଖିଲାରୀ ଋଷିକେଶ ଜ୍ଞାନଦେଓ ସୂଚନା ଦେଇଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.