Breaking News

ମହିଳା ମାଟ୍ରୋନ୍‌ଙ୍କ ବ‌ହିଷ୍କାର ପ୍ରତ୍ୟାହାର ଦାବି

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ମହିଳା ମାଟ୍ରୋନ୍‌ଙ୍କୁ ଚାକିରିରୁ ବହିଷ୍କାର ପ୍ରତ୍ୟାହାର ଦାବିରେ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ମହିଳା....

ଭୁବନେଶ୍ବର: ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ମହିଳା ମାଟ୍ରୋନ୍‌ଙ୍କୁ ଚାକିରିରୁ ବହିଷ୍କାର ପ୍ରତ୍ୟାହାର ଦାବିରେ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ମହିଳା ମାଟ୍ରୋନ୍‌ ମହାସଂଘ ପକ୍ଷରୁ କୁହାଯାଇଛି ଯେ ମାଟ୍ରୋନ୍‌ମାନେ ଦଶ ବର୍ଷ ହେଲା ସେବାଶ୍ରମଗୁଡ଼ିକରେ ୨୪ ଘଣ୍ଟା ଧରି କାର୍ଯ୍ୟ କରିଆସୁଛନ୍ତି। ମାସକୁ ଦରମା ବାବଦରେ ୧୫ ହଜାର ଟଙ୍କା ମିଳୁଛି। ହଷ୍ଟେଲ୍‌ ପିଲାମାନଙ୍କର ହଠାତ୍ ଦେହ ଖରାପ ହେଲେ ତାଙ୍କୁ ମେଡିକାଲ୍ ନେବା ଏବଂ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥିଲେ ମଧ୍ୟ କୌଣସି ପିଲା ମୃତ୍ୟୁବରଣ କଲେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରି ମାଟ୍ରୋନ୍‌ମାନଙ୍କୁ ଚାକିରିରୁ ବହିଷ୍କାର କରୁଛନ୍ତି।

ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଗତ ୧ ତାରିଖରେ ମାଲକାନଗିରି ଚିତ୍ରକୋଣ୍ଡା ସେବାଶ୍ରମରେ ଜଣେ ଛାତ୍ରୀ ଶିଶୁ ଜନ୍ମ ଦେଇଥିଲା। ସେଠାରେ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ପରିଦର୍ଶିକା (ଏଏନ୍ଏମ୍) ଓ ହଷ୍ଟେଲ୍‌ ଅଧୀକ୍ଷକ ଏବଂ ଦାୟିତ୍ୱରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଗଲା। କିନ୍ତୁ ମାଟ୍ରୋନ୍‌ଙ୍କୁ ବହିଷ୍କାର କରାଗଲା। କାଲିମେଳା ସେବାଶ୍ରମରେ ମଧ୍ୟ ୧୦ ମାସ ତଳେ ଜଣଙ୍କୁ ଏଭଳି ବ‌ହିଷ୍କାର କରାଯାଇଥିଲା। ଦୁଇ ବର୍ଷରେ ବାଲେଶ୍ୱର, ଝାରସୁଗୁଡ଼ା, ନୂଆପଡ଼ାକୋରାପୁଟ, ମାଲକାନଗିରି, କନ୍ଧମାଳ ଜିଲ୍ଲାରେ ୧୨ଜଣଙ୍କୁ ବ‌ହିଷ୍କାର କରାଯାଇଛି। ମାଲକାନଗିରିରେ ତଦନ୍ତ କରିବା ପାଇଁ ଆର୍‌ଡିସିଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତ ପୂର୍ବରୁ ଜିଲ୍ଲା ମଙ୍ଗଳ ଅଧିକାରୀ ମାଟ୍ରୋନ୍‌ଙ୍କୁ ବହିଷ୍କାର କରିଥିଲେ। ଏହି ବ୍ୟବସ୍ଥାକୁ ବନ୍ଦ କରାଯାଉ ବୋଲି ମାଟ୍ରୋନ୍‌ମାନେ ଦାବି କରିଛନ୍ତି। ଆଜି ବିକ୍ଷୋଭରେ ରାଜ୍ୟ ସଭାନେତ୍ରୀ ମମତା ସାହୁ, ଦିଗମ୍ବର ଜେନା, ଚନ୍ଦ୍ରାବତୀ ମହାନ୍ତି, ପ୍ରଭାତି ପାତ୍ର, ସୁଷମା ନାଏକ ପ୍ରମୁଖ ନେତୃତ୍ବ ନେଇଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.