ନୂଆଦିଲ୍ଲୀ: ମହିଳାଙ୍କ କଲ୍ୟାଣ ପାଇଁ ପ୍ରଣୟନ କରାଯାଇଥିବା ଆଇନକୁ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା, ଧମକ କିମ୍ବା ଜବରଦସ୍ତ ଟଙ୍କା ଆଦାୟ ପାଇଁ ଅପବ୍ୟବହାର କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଜୋର ଦେଇ କହିଛନ୍ତି ଯେ ଭରଣପୋଷଣର ଉଦ୍ଦେଶ୍ୟ ପୂର୍ବ ପତି-ପତ୍ନୀଙ୍କ ଆର୍ଥିକ ସ୍ଥିତିକୁ ସମାନ କରିବା ନୁହେଁ ବରଂ ନିର୍ଭରଶୀଳ ମହିଳାଙ୍କୁ ଏକ ଯୁକ୍ତିଯୁକ୍ତ ଜୀବନଧାରଣର ମାନ ପ୍ରଦାନ କରିବା। ଅତୁଲ ସୁଭାଷ ନାମକ ଜଣେ ଏଆଇ ଇଂଜିନିୟରଙ୍କ ପତ୍ନୀ ଓ ତାଙ୍କ ପରିବାର ମାସିକ ଭରଣପୋଷଣ ବାବଦରେ ୨ ଲକ୍ଷ ଟଙ୍କା ଦାବି କରିବା ପରେ ଏହାକୁ ବାର୍ଷିକ ୩ କୋଟି ଟଙ୍କାକୁ ବୃଦ୍ଧି କରିଥିବା ଅଭିଯୋଗ ହେବା ପରେ ସୁପ୍ରିମ୍‌କୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଅଦାଲତ ରାୟ ଦେଇଛନ୍ତି ଯେ ଜଣେ ପୂର୍ବତନ ସ୍ୱାମୀ ତାଙ୍କ ପୂର୍ବତନ ପତ୍ନୀଙ୍କ ବର୍ତ୍ତମାନର ଆର୍ଥିକ ସ୍ଥିତିକୁ ଆଧାର କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଙ୍କୁ ସହାୟତା କରିବାକୁ ବାଧ୍ୟ ହୋଇପାରିବେ ନାହିଁ। ହିନ୍ଦୁ ବିବାହକୁ ଏକ ପବିତ୍ର ଅନୁଷ୍ଠାନ ଏବଂ ଏକ ପରିବାରର ଭିତ୍ତିଭୂମି ଭାବରେ ବିବେଚନା କରାଯାଏ, ‘ବାଣିଜ୍ୟିକ ଉଦ୍ୟୋଗ’ ଭାବରେ ନୁହେଁ। ଜଷ୍ଟିସ୍ ବିଭି ନାଗରତ୍ନା ଓ ପଙ୍କଜ ମିଥାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ମହିଳାମାନେ ଜାଣି ରଖିବା ଉଚିତ ଯେ ସେମାନଙ୍କ ହାତରେ ଥିବା ଆଇନର ଏହି କଠୋର ବ୍ୟବସ୍ଥା ସେମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ; ସେମାନଙ୍କ ସ୍ୱାମୀମାନଙ୍କୁ ଦଣ୍ଡ ଦେବା, ଧମକ ଦେବା, ଦମନ କରିବା କିମ୍ବା ତାଙ୍କଠାରୁ ଜବରଦସ୍ତ ଟଙ୍କା ଆଦାୟ କରିବାର ମାଧ୍ୟମ ନୁହେଁ।

ଭରଣପୋଷଣର ଉଦ୍ଦେଶ୍ୟ ପୂର୍ବ ପତି-ପତ୍ନୀଙ୍କ ଆର୍ଥିକ ସ୍ଥିତିକୁ ସମାନ କରିବା ନୁହେଁ

ଖଣ୍ଡପୀଠ ଏକ ବିବାହ ବିଚ୍ଛେଦ ମାମଲାରେ ରାୟ ଦେବା ଅବସରରେ ଏହି ମନ୍ତବ୍ୟ ଦେଇଥିଲେ। ସ୍ବାମୀଙ୍କୁ ଏକ ମାସ ମଧ୍ୟରେ ସ୍ତ୍ରୀଙ୍କର ସମସ୍ତ ଦାବିର ପୂର୍ଣ୍ଣ ଓ ଚୂଡ଼ାନ୍ତ ସମାଧାନ ଭାବରେ ସ୍ଥାୟୀ ଭରଣପୋଷଣ ବାବଦରେ ୧୨ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପତ୍ନୀ ଦାବି କରିଥିଲେ ଯେ ଆମେରିକା ଓ ଭାରତରେ ଏକାଧିକ ବ୍ୟବସାୟ ଓ ସମ୍ପତ୍ତି ସହିତ ସ୍ୱାମୀଙ୍କର ୫,୦୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି ଏବଂ ସେ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ସମୟରେ ଭର୍ଜିନିଆର ଏକ ଘରକୁ ବାଦ୍ ଦେଇ ଅତି କମ୍‌ରେ ୫୦୦ କୋଟି ଟଙ୍କା ପ୍ରଦାନ କରିଥିଲେ। ଅଦାଲତ କହିଛନ୍ତି ଯେ ଏଠାରେ କେବଳ ସ୍ୱାମୀଙ୍କ ଆୟକୁ ବିଚାର କରିବାକୁ ପଡିବ ନାହିଁ, ବରଂ ଆବେଦନକାରୀ-ପତ୍ନୀଙ୍କ ଆୟ, ତାଙ୍କର ଯୁକ୍ତିଯୁକ୍ତ ଆବଶ୍ୟକତା, ତାଙ୍କ ଆବାସିକ ଅଧିକାର ଓ ଅନ୍ୟାନ୍ୟ ସମାନ କାରଣକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ। କୋର୍ଟ କହିଛନ୍ତି, ଅନ୍ୟ ପକ୍ଷ ସହିତ ସମ୍ପତ୍ତିର ସମାନତା ଭାବରେ ଭରଣପୋଷଣ ଚାହୁଥିବା ଲୋକଙ୍କର ପ୍ରବୃତ୍ତିକୁ ନେଇ ଆମର ଗଭୀର ଆପତ୍ତି ରହିଛି। ଅଧିକାଂଶ ସମୟରେ ଦେଖିବାକୁ ମିଳେ ଯେ ଭରଣପୋଷଣ ପାଇଁ ଆବେଦନ କରୁଥିବା ପକ୍ଷମାନେ ସେମାନଙ୍କ ଜୀବନସାଥୀଙ୍କ ସମ୍ପତ୍ତି, ସ୍ଥିତି ଓ ଆୟ ଉପରେ ଆଲୋକପାତ କରନ୍ତି ଏବଂ ନିଜ ସମ୍ପତ୍ତିକୁ ଜୀବନସାଥୀଙ୍କ ସହ ସମାନ କରିପାରିବା ଭଳି ରାଶି ମାଗିଥାନ୍ତି। ଅଦାଲତ ପ୍ରଶ୍ନ କରିଛନ୍ତି, ଯଦି ଅଲଗା ହେବା ପରେ କିଛି ଦୁର୍ଭାଗ୍ୟଜନକ ଘଟଣା ଯୋଗୁଁ ସ୍ବାମୀ ଦରିଦ୍ର ହୋଇଯାଆନ୍ତି, ତେବେ ପତ୍ନୀ ସ୍ୱାମୀଙ୍କ ସହିତ ସମ୍ପତ୍ତିର ସମାନତା ପାଇଁ ଇଚ୍ଛୁକ ହେବେ କି?