Breaking News

ମହୋତ୍ସବ ବିବାଦ ଥମୁନି: ବିଜେପି-ବିଜେଡି ଛକାପଞ୍ଝା

ଖଣ୍ଡଗିରି ମେଳା ଅବସରରେ ମହୋତ୍ସବକୁ ନେଇ ବିବାଦ ତୁଟୁନି। ପାନ୍ଥିକାରେ ଅନୁମତି ନ ମିଳିବ‌ା ପରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଖଣ୍ଡଗିରି- ଉଦୟଗିରି ମହୋତ୍ସବ’ ଶୁକ୍ରବାର କୋଳଥିଆରେ ହେବାକୁ ଯାଉଛି। ଅନ୍ୟପଟେ ପାନ୍ଥିକାରେ ଏକାମ୍ର ବିଧାୟକଙ୍କ...

ଖଣ୍ଡଗିରି: ଖଣ୍ଡଗିରି ମେଳା ଅବସରରେ ମହୋତ୍ସବକୁ ନେଇ ବିବାଦ ତୁଟୁନି। ପାନ୍ଥିକାରେ ଅନୁମତି ନ ମିଳିବ‌ା ପରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଖଣ୍ଡଗିରି- ଉଦୟଗିରି ମହୋତ୍ସବ’ ଶୁକ୍ରବାର କୋଳଥିଆରେ ହେବାକୁ ଯାଉଛି। ଅନ୍ୟପଟେ ପାନ୍ଥିକାରେ ଏକାମ୍ର ବିଧାୟକଙ୍କ ତତ୍ତ୍ବାବଧାନରେ ଐର ଖାରବେଳ ମହୋତ୍ସବ ବୁଧବାରରୁ ଆରମ୍ଭ ହୋଇଛି। ଏହାକୁ ନେଇ ବିଜେପି ଓ ବି‌ଜେଡି ମଧ୍ୟରେ ଛକାପଞ୍ଝା ଓ ବୟାନବାଜି ଜୋର୍‌ ଧରିଛି।

ଗତ କିଛି ବର୍ଷ ‌ହେଲା ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ‘ଭୁବନେଶ୍ୱର ସାଂସ୍କୃତିକ ପରିଷଦ’ ପକ୍ଷରୁ ପାନ୍ଥିକାରେ ‘ଖଣ୍ଡଗିରି- ଉଦୟଗିରି ମହୋତ୍ସବ’ ଆୟୋଜନ କରାଯାଉଛି। ଏଥର ମଧ୍ୟ ଏହି ମହୋତ୍ସବ ଆୟୋଜନ ପାଇଁ ପରିଷଦ ପକ୍ଷରୁ ଓଟିଡିସିକୁ ଅନୁମତି ମଗାଯାଇଥିଲା। କିନ୍ତୁ ଶେଷ ମୂହୁର୍ତ୍ତରେ ଓଟିଡିସି ଅନୁମତି ଦେବାକୁ ମନା କରିଦେଇଥିଲା। ଫଳରେ ନିର୍ଦ୍ଧାରିତ ୫ ତାରିଖରେ ମହୋତ୍ସବ ଆରମ୍ଭ ହୋଇପାରି ନଥିଲା। ତେବେ ମହୋତ୍ସବର ଜାଗା ବଦଳାଇ ଏହାକୁ ଆୟୋଜନ କରିବାକୁ ପରିଷଦ ପ୍ରସ୍ତୁତି ‌ଶେଷକରିଛି। ତେବେ ସମୟ ଅଭାବରୁ ଏହା ତିନି ଦିନ ବଦଳରେ ଗୋଟିଏ ଦିନରେ ସୀମିତ ରହିବ। ଶୁକ୍ରବାର ଦିନ କୋଳଥିଆ ବିଜୁ ପଟ୍ଟନାୟକ ଏନର୍ଜି ପାର୍କ ନିକଟସ୍ଥ ଶ୍ରୀସାଇ ଗାର୍ଡେନରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସଂସ୍କୃତିପ୍ରେମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥି‌ରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ କଳାକାର ସେମାନଙ୍କର କଳା ପରିବେଷଣ କରିବେ।

ଆଜି କୋଳଥିଆରେ ହେବ ‘ଖଣ୍ଡଗିରି-ଉଦୟଗିରି ମହୋତ୍ସବ’
ଐର ଖାରବେଳ ମହୋତ୍ସବର ‌‌ଉଦ୍‌ଯାପନୀ ଉତ୍ସବ

ଏହି ପ୍ରସଙ୍ଗରେ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି, ଚଳିତ ବର୍ଷ ମହୋତ୍ସବ ଆୟୋଜନ ପାଇଁ ଭୁବନେଶ୍ୱର ସାଂସ୍କୃତିକ ପରିଷଦର ଆବେଦନ ସତ୍ତ୍ୱେ ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁମତି ଦେଲେ ନାହିଁ। ସେଠାରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ପ‌ାଇଁ ସ୍ଥାନଟି ବିଏମ୍‌ସିକୁ ହସ୍ତାନ୍ତର କରାଯାଇଛି ଏବଂ ଅନ୍ୟ କୌଣସି ଅନୁଷ୍ଠାନକୁ ଅନୁମତି ଦିଆଯିବ ନାହିଁ ବୋଲି ପର୍ଯ୍ୟଟନ ବିଭାଗ ଭୁବନେଶ୍ବର ସାଂସ୍କୃତିକ ପରିଷଦକୁ ସ୍ପଷ୍ଟ ଭାବେ ଜଣାଇଥିଲେ। ତେବେ ସରକାରୀ ନିର୍ଦ୍ଦେଶ ସତ୍ତ୍ବେ ପାନ୍ଥିକାରେ ଆଉ ଗୋଟିଏ ଅନୁଷ୍ଠାନ ଗତକାଲିଠାରୁ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗର ଏତାଦୃଶ ମନୋଭାବ ନିଶ୍ଚିତ ଭାବେ ପକ୍ଷପାତିତା ଛଡ଼ା ଅନ୍ୟ କିଛି ଦୁହେଁ। ଏ ନେଇ ଶ୍ରୀ ପଣ୍ଡାଙ୍କ ସହ ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ ପର୍ଯ୍ୟଟନ ବିଭାଗ ନି‌ର୍ଦ୍ଦେଶକ ତଥା ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ସମର୍ଥ ବର୍ମାଙ୍କୁ ଭେଟିଥିଲେ ବି କିଛି ସୁଫଳ ମିଳି ନାହିଁ।

ଅନ୍ୟ ପକ୍ଷେ ବିଧାୟକ ବାବୁ ସିଂହଙ୍କ ପୃଷ୍ଠପୋଷକତାରେ ପାନ୍ଥିକାରେ ଗତକାଲିଠାରୁ ଐର ଖାରବେଳ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଆଜି ତା’ର ଦ୍ବିତୀୟ ସଂଧ୍ୟା ଅନୁଷ୍ଠିତ ହୋଇଛି। ଏ ନେଇ ଶ୍ରୀ ସିଂ କହିଛନ୍ତି, ଓଡ଼ିଶାର ପରମ୍ପରାର ପ୍ରଚାର ପାଇଁ ଦଳ ମତ ରଖିବା ଉଚିତ ନୁହେଁ। ଆମର ‌କୌଣସି ଭୁଲ୍‌ ରହିଛି ବୋଲି ମୋତେ ଲାଗୁ ନାହିଁ। ପ୍ରଥମ ଥର ପାଇଁ ଐର ଖାରବେଳ ମହୋତ୍ସବ ପାଳିତ ହେଉଛି। ‌ତେଣୁ ଆମର ଯଦି କିଛି ଅସୁବିଧା ଅଛି ବୋଲି ପୂର୍ବତନ ମନ୍ତ୍ରୀ ଭାବୁଛନ୍ତି ତେବେ ସେ ଆମ ମଞ୍ଚକୁ ଆସନ୍ତୁ। ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରିବି। ମୋତେ ଲେଖିକି ଦେଲେ ମହୋତ୍ସବ ତାରିଖ ବଦଳାଇ କାର୍ଯ୍ୟକ୍ରମ କରିଲେ ଅସୁବିଧା ନାହିଁ। ତାଙ୍କ କାର୍ଯ୍ୟକ୍ରମକୁ  ମୋତେ କାହା ହାତରେ କହି ପଠାଇଲେ ମଧ୍ୟ ମୁଁ ଯିବି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.