Breaking News

ମାଆ ମାଉସୀଙ୍କୁ ରହିଲା ରାଣ… ଦିଲ୍ଲୀ ଦଖଲ ପାଇଁ ଚାଲିଛି ହାଇଭୋଲଟେଜ୍ ପ୍ରଚାର

ହାତରେ ଆଉ ମାତ୍ର କେଇ ଘଣ୍ଟାର ସମୟ... ତାପରେ ସରିଯିବ ସବୁ ନିବେଦନ, ସବୁ ଆବେଦନ । ସବୁ ପ୍ରକାର ବ୍ୟବହାର ଓ ଅଙ୍ଗଭଙ୍ଗୀରେ ବି ବିରାମ ଲାଗିବ । ନେତା ଫେରିଯିବେ ଜନତାଙ୍କ ପାଖରୁ, ଦେଇଯିବେ ପୁଳାପୁଳା ପ୍ରତିଶ୍ରୁତି...

ନୂଆଦିଲ୍ଲୀ: ହାତରେ ଆଉ ମାତ୍ର କେଇ ଘଣ୍ଟାର ସମୟ… ତାପରେ ସରିଯିବ ସବୁ ନିବେଦନ, ସବୁ ଆବେଦନ । ସବୁ ପ୍ରକାର ବ୍ୟବହାର ଓ ଅଙ୍ଗଭଙ୍ଗୀରେ ବି ବିରାମ ଲାଗିବ । ନେତା ଫେରିଯିବେ ଜନତାଙ୍କ ପାଖରୁ, ଦେଇଯିବେ ପୁଳାପୁଳା ପ୍ରତିଶ୍ରୁତି… ଆମକୁ ମନେରଖିଥିବେ, ଆମ ଚିହ୍ନକୁ ଭୁଲିବେନି, ଆମକୁ ଭୋଟ୍ ଦେବେ, ଯଦି ଆମେ ଜିତୁ ତାହାଲେ ଆପଣଙ୍କର ସବୁ ସୁବିଧା କରିଦେବୁ, ପୁଅ ପରି ଆପଣଙ୍କ ସେବା କରିବୁ … ଏମିତି କେତେ କଣ କଥା ଦେଇ ଆଜିଠୁ ଚାଲିଯିବେ ନେତା ।

ଭୋଟ୍ ଖଣ୍ଡେ ପାଇଁ ଆଜି ହିଁ ନେତାଙ୍କ ପାଇଁ ଶେଷ ସୁଯୋଗ । ଯେଉଁଠି ଜନତାଙ୍କ ପାଖରେ ଗୁହାରୀ କରି ଗାଦି ପାଇବାକୁ ଶେଷ ପ୍ରସ୍ତୁତି । ଦିନକ ପରେ ଭୋଟ୍, ଆଜି ଶେଷ ଦିନରେ ଯିଏ ଯେତେ ପ୍ରଚାର କଲା, ଜନତାଙ୍କୁ ଖୁସି କରିଦେଲା ଫଳାଫଳ ଦିନ ସିଏ ହିଁ ବାଜିମାରିବ । ତେଣୁ ସନ୍ଧ୍ୟା ୫ଟା ପୂର୍ବରୁ ପ୍ରଚାର ସାରିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଦିଲ୍ଲୀର ସବୁ ଦଳ ।

ପ୍ରଚାରର ଶେଷ ଦିନରେ ଆଜି ଦିଲ୍ଲୀ ଛାତିରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ପ୍ରଚାର । ବିଜେପି ଆଜି ଦିନବ୍ୟାପୀ ମୋଟ୍ ୨୨ଟି ରୋଡ୍ ସୋ ଏବଂ ରାଲି କରିବାର ଯୋଜନା ରଖିଛି ଯାହାକି ଗତ ୨୫ ବର୍ଷ ଭିତରେ ପ୍ରଥମ ଥର । ବିଜେପିର ସବୁ ହେଭିୱେଟମାନେ ଆଜି ଦିଲ୍ଲୀରେ ଡେରା ପକାଇଛନ୍ତି ।

ସେହିପରି ଆପ୍ ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାରରେ ମାତିଛନ୍ତି । ସକାଳୁ ଠାରୁ ଯାଏଁ ଜନସଭା, ରାଲି, ରୋଡ ସୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିଛି ।  ଜନତାଙ୍କ ମନ ଜିଣିବାକୁ ବିଜେପି, କଂଗ୍ରେସ, ଆମ ଆଦାମୀ ପାର୍ଟି ସମେତ ସବୁ ରାଜନୈତିକ ଦଳ ନିଜର ସମସ୍ତ ଶକ୍ତି ଖଟାଉଛନ୍ତି ।

ତେବେ ଦିଲ୍ଲୀର ୭୦ ବିଧାନସଭା ଆସନରେ ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୬୯୯ ଜଣ ପ୍ରାର୍ଥୀ । ୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆରମ୍ଭ ହୋଇଯାଇଛି ପୋଷ୍ଟାଲ ଭୋଟ୍ । ସେପଟେ ଭୋଟ ପାଇଁ ଦିଲ୍ଲୀରେ ମୋଟ ୧୩ ହଜାର ୭୬୬ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୭୦ଟି ପୋଲିଂ ସେଣ୍ଟର କେବଳ ମହିଳାଙ୍କ ପାଇଁ, ୭୦ଟି ମତଦାନ କେନ୍ଦ୍ର ଦିବ୍ୟାଙ୍ଗଙ୍କ ପାଇଁ ରହିବ । ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାକୁ ୩୫ ହଜାର ଯବାନ, ୧୯ ହଜାର ହୋମଗାର୍ଡ ଓ ୨୨୦ କେନ୍ଦ୍ରୀୟ ସୁରକ୍ଷା ବଳ କମ୍ପାନୀ ନିୟୋଜିତ ହେବେ ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.