ବ୍ୟବସାୟ ବୁଦ୍ଧିସଂପନ୍ନ ଚତୁର ଟ୍ରମ୍ପ ହୁଏତ ହୃଦୟଙ୍ଗମ କରିଥିବେ ଯେ ଆମେରିକାର ଟେକ୍‌ନୋଲୋଜି କଂପାନିମାନଙ୍କରେ ମେଧାବୀ ଜ୍ଞାନ-କର୍ମୀମାନଙ୍କର ପ୍ରବେଶ ଦ୍ବାରା ହିଁ ଆମେରିକା ଏକ ମହାନ ରାଷ୍ଟ୍ରରେ ପରିଣତ ହେବ, ସେଠାରେ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନ ଶୂନ୍ୟ ପଡ଼ିରହିବା ଦ୍ବାରା ନୁହେଁ। ଏହାଛଡ଼ା, ଯେହେତୁ ନିର୍ବାଚନ ସମୟରେ ଅଧିକାଂଶ ସିଲିକନ୍ ଭ୍ୟାଲିର ପ୍ରଭାବଶାଳୀ ଉଦ୍ୟୋଗପତିମାନେ ଟ୍ରମ୍ପଙ୍କୁ ସମର୍ଥନ ପ୍ରଦାନ କରିଥିଲେ, ଟ୍ରମ୍ପ ହୁଏତ ବର୍ତ୍ତମାନ କୃତଜ୍ଞତାର ଚିହ୍ନ ସ୍ବରୂପ ସେମାନଙ୍କ କାର୍ଯ୍ୟରେ ସହାୟକ ହେବା ନିମନ୍ତେ, ‘ଏଚ୍-୧ବି’ ବ୍ୟବସ୍ଥ‌ା ସପକ୍ଷରେ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଡୋନାଲ୍‌ଡ ଟ୍ରମ୍ପ ଆଉ ମାତ୍ର ତିନି ସପ୍ତାହ ପରେ ଦ୍ବିତୀୟ ପାଳି ପାଇଁ ଆମେରିକାର ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଯେଉଁ ଏକ ଦେଶ ବର୍ତ୍ତମାନ ତାଙ୍କୁ ଏକ ଅଡୁଆ ପରିସ୍ଥିତିରେ ପକାଇ ଦେଇଛି, ସେ ଦେଶ ଚୀନ୍ ନୁହେଁ କି ରୁଷିଆ ନୁହେଁ କି ଅନ୍ୟ କୌଣସି ଶତ୍ରୁଭାବାପନ୍ନ ଦେଶ ନୁହେଁ‌; ସେ ଦେଶ ହେଉଛି ଭାରତ। ଅଡୁଆର ଯାହା ହେଉଛି ତାତ୍‌କାଳିକ କାରଣ, ତାହା ହେଲା ଜଣେ ଭାରତୀୟ ବ‌ଂଶୋଦ୍ଭବଙ୍କୁ ଟ୍ରମ୍ପ ପ୍ରଦାନ କରିଥିବା ଏକ ଦୃଷ୍ଟି ଆକର୍ଷଣକାରୀ ପଦରେ ନିଯୁକ୍ତି। ବର୍ତ୍ତମାନ କୃତ୍ରିମ ମେଧା (‘ଏଆଇ’) ଟେକ୍‌ନୋଲୋଜି ଜଗତରେ ବିପ୍ଳବର ସୂତ୍ରପାତ କରିଥିବାବେଳେ ଓ ତାହା କ୍ରମେ ସଂପୃକ୍ତ ଦେଶର ଅର୍ଥନୈତିକ ଶକ୍ତି ଠାରୁ ସାମରିକ ଶକ୍ତି ପର୍ଯ୍ୟନ୍ତକୁ ଏକ ନିର୍ଣ୍ଣାୟକ ଢଙ୍ଗରେ ପ୍ରଭାବିତ କରିବାକୁ ଯାଉଥିବା ବେଳେ, ଡୋନାଲ୍‌ଡ ଟ୍ରମ୍ପ ତାଙ୍କର ଆଗାମୀ ପ୍ରଶାସନର ‘ଏଆଇ’ ନୀତିନିର୍ଦ୍ଧାରଣ ଦାୟିତ୍ବ ଯାହାଙ୍କ ଉପରେ ନ୍ୟସ୍ତ କରିବାକୁ ଯାଉଛନ୍ତି ବୋଲି ଘୋଷଣା କରି ଏହି ହୈ ଚୈ ସୃଷ୍ଟି କରିଛନ୍ତି, ସେ ହେଉଛନ୍ତି ଭାରତୀୟ ମୂଳର ଭେଞ୍ଚର୍ କ୍ୟାପିଟାଲିଷ୍ଟ ଶ୍ରୀରାମ କୃଷ୍ଣନ୍।
ରିପବ୍ଲିକାନ୍ ପାର୍ଟିରେ ଟ୍ରମ୍ପଙ୍କର ଦୃଢ଼ ସମର୍ଥକ ଚରମ ଜାତୀୟତାବାଦୀ ମହଲରେ କୁହୁଳୁଥିବା ପୁଞ୍ଜିଭୂତ ଆକ୍ରୋଶରେ ଏହା ଅଗ୍ନି ସଂଯୋଗ କରିଛି। ଟ୍ରମ୍ପଙ୍କର ନିର୍ବାଚନ ଅଭିଯାନର ସୁପରିଚିତ ସ୍ଲୋଗାନ ଥିଲା- ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ ବା ସଂକ୍ଷେପରେ ‘ମାଗା’। ସେ ନିର୍ବାଚିତ ହୋଇ ଆମେରିକାର ନେତୃତ୍ବ ଗ୍ରହଣ କଲେ ଆମେରିକାକୁ ଆଉ ଥରେ ଏକ ମହାନ ରାଷ୍ଟ୍ରରେ ପରିଣତ କରିବା ହେଉଛି ଏହି ସ୍ଲୋଗାନ ଅନୁସାରେ ଟ୍ରମ୍ପଙ୍କର ଘୋଷିତ ଲକ୍ଷ୍ୟ। ଟ୍ରମ୍ପ କିନ୍ତୁ ନିର୍ବାଚନରେ ବିଜୟ ହାସଲ କରିବା ପରଠାରୁ ତାଙ୍କ ପ୍ରଶାସନର ବିଭିନ୍ନ ବିଭାଗରେ ନିଯୁକ୍ତ ହୋଇ ଦାୟିତ୍ବ ନିର୍ବାହ କରିବା ପାଇଁ ପ୍ରାର୍ଥୀ ମନୋନୀତ କରିବା ବେଳେ କେତେକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଁ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିମାନଙ୍କୁ ପସନ୍ଦ କରିବା ଦେଖାଯାଇଛି: ବିବେକ ରାମସ୍ବାମୀ ସରକାର ଦକ୍ଷତା ବୃଦ୍ଧି ବିଭାଗ ‘ଡଗେ’ର ସହନିର୍ଦ୍ଦେଶକ ଭାବରେ; କାଶ୍ୟପ ପଟେଲ ‘ଏଫ୍‌ବିଆଇ’ର ନିର୍ଦ୍ଦେଶକ ଭାବରେ; ଭାରତୀୟ ମୂଳର ହୋଇ ନ ଥିଲେ ହେଁ ନେସ୍‌ନାଲ୍ ଇଣ୍ଟେଲିଜେନ୍‌ସ ନିର୍ଦ୍ଦେଶିକା ଭାବରେ ହିନ୍ଦୁ ଧର୍ମାବଲମ୍ବିନୀ ତୁଳସୀ ଗାବାର୍ଡ।
ଏମାନଙ୍କ ପରେ ଶ୍ରୀରାମ କୃଷ୍ଣନ୍‌ଙ୍କ ନିଯୁକ୍ତି ଚରମପନ୍ଥୀ ‘ମାଗା’ ସମର୍ଥକଙ୍କ ପାଇଁ ସହିବାର ସମସ୍ତ ସୀମା ଲଂଘନ କରିଯାଇଛି। ସେମାନେ ଟ୍ରମ୍ପଙ୍କୁ ଏଥିପାଇଁ ବିଦ୍ରୂପ କରି କହିବାକୁ ଆରମ୍ଭ କଲେଣି ଯେ ସେ ତାଙ୍କର ପୂର୍ବ ଘୋଷିତ ଲକ୍ଷ୍ୟରେ ପରିବର୍ତ୍ତନ ଘଟାଇ ବର୍ତ୍ତମାନ ‘ମେକ୍ ଇଣ୍ଡିଆ ଗ୍ରେଟ୍ ଏଗେନ୍’ (‘ମିଗା’) ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟ କରୁଛନ୍ତି। ସେମାନେ ଏବେ ସୋସିଆଲ୍ ମିଡିଆରେ ବ୍ୟାପକ ଭାବରେ ସକ୍ରିୟ ହୋଇ ଟ୍ରମ୍ପଙ୍କୁ ତାଙ୍କର ଅପ୍ରବାସନ-ବିରୋଧୀ (ଇମିଗ୍ରେସନ୍-ବିରୋଧୀ) ନିର୍ବାଚନୀ ପ୍ରତିଶ୍ରୁତି ମନେ ପକାଇଦେଇ ‘ଏଚ୍-୧ବି’ ଭିସା ପ୍ରଦାନ ବନ୍ଦ କରିଦେବାକୁ ଆହ୍ବାନ ଦେବାରେ ଲାଗିଛନ୍ତି। ଟ୍ରମ୍ପ କିନ୍ତୁ ତଥାପି ‘ଏଚ୍-୧ବି’ ବ୍ୟବସ୍ଥା ସପକ୍ଷରେ ମତ ପ୍ରକାଶ କରିଥିବା ବେଳେ ତାଙ୍କର ଘନିଷ୍ଠ ସହଯୋଗୀ ଏଲନ୍ ମସ୍କ ଓ ବିବେକ ରାମସ୍ବାମୀ ମଧ୍ୟ ଅନୁରୂପ ମତ ପ୍ରକାଶ କରିବା ପରେ ସାମାନ୍ୟ ପଛଘୁଞ୍ଚା ଦେବା ଦେଖାଯାଇଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ରାମସ୍ବାମୀ ଭାରତୀୟ ମୂଳର ହୋଇଥିବା ବେଳେ ମସ୍କ ହେଉଛନ୍ତି ଦକ୍ଷିଣ ଆଫ୍ରିକୀୟ ମୂଳର।
‘ଏଚ୍-୧ବି’ ଭିସା ମାଧ୍ୟମରେ ଆମେରିକାସ୍ଥିତ କଂପାନିମାନେ ସେମାନଙ୍କର ଆବଶ୍ୟକତା ପୂରଣ ନିମିତ୍ତ ବିଦେଶୀ ଉଚ୍ଚ ଜ୍ଞାନକୌଶଳସଂପନ୍ନ ବ୍ୟକ୍ତିମାନଙ୍କୁ ନିଯୁକ୍ତି ପ୍ରଦାନ କରିପାରିଥାନ୍ତି। ଆମେରିକାର ବିଖ୍ୟାତ ଟେକ୍‌ନୋଲୋଜି ଶିଳ୍ପ ବିଶେଷ ଭାବରେ ଉଚ୍ଚ ଦକ୍ଷତାସଂପନ୍ନ ଇଞ୍ଜିନିଅର୍ ଓ ବୈଜ୍ଞାନିକମାନଙ୍କୁ ପାଇବା ପାଇଁ ‘ଏଚ୍-୧ବି’ ଭିସା ବ୍ୟବସ୍ଥା ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଏହି ବ୍ୟବସ୍ଥାର ବିରୋଧୀମାନେ ଭାରତକୁ ନିଶାଣ କରିବାର କାରଣ ହେଲା, ଆମେରିକାରେ ଯେତେ ସଂଖ୍ୟକ ‘ଏଚ୍-୧ବି’ ଭିସାଧାରୀ ରହିଛନ୍ତି, ତାହାର ୭୦ ଶତାଂଶରୁ ଅଧିକ ହେଉଛନ୍ତି ଭାରତୀୟ। ଏଥିରେ ଚୀନାମାନଙ୍କର ଅଂଶ ହେଉଛି ମାତ୍ର ୧୨ ଶତାଂଶ। ଏଇ ଭିସା ମାଧ୍ୟମରେ ବର୍ଷକୁ ସର୍ବାଧିକ ୬୫,୦୦୦ ବହିରାଗତ ଆମେରିକାରେ ନିଯୁକ୍ତି ଗ୍ରହଣ କରିପାରିବା ପାଇଁ ନିୟମ ଥିବାବେଳେ ଆମେରିକୀୟ ଶିକ୍ଷାନୁଷ୍ଠାନରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଆଉ ସର୍ବାଧିକ ୨୦,୦୦୦ ବିଦେଶୀ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଏହି ସୁବିଧା ଉପଲବ୍‌ଧ ହୋଇଥାଏ।
‘ମାଗା’ ସମର୍ଥକମାନେ ଅଭିଯୋଗ କରୁଛନ୍ତି ଯେ ‘ଏଚ୍-୧ବି’ ବ୍ୟବସ୍ଥା ଯୋଗୁଁ ଆମେରିକୀୟ ନାଗରିକମାନେ ନିଯୁକ୍ତି ସୁଯୋଗ ହରାଉଛନ୍ତି ଏବଂ ଏହା ମାଧ୍ୟମରେ ନିଯୁକ୍ତି ଲାଭ କରୁଥିବା ବିଦେଶୀ ନାଗରିକମାନେ ଅପେକ୍ଷାକୃତ ନୀଚା ପାରିଶ୍ରମିକ ଗ୍ରହଣ କରିବାକୁ ରାଜି ହେଉଥିବାରୁ, ସେଥିଯୋଗୁଁ ଅାମେରିକାରେ ମଜୁରି ହାର କୃତ୍ରିମ ଭାବରେ ନୀଚା ହୋଇ ଆମେରିକୀୟ ଶ୍ରମିକମାନଙ୍କର ସ୍ବାର୍ଥହାନି ଘଟୁଛି। ‘ମାଗା’ବାଦୀମାନଙ୍କର ଏଭଳି ଅଭିଯୋଗ ଅବଶ୍ୟ ତଥ୍ୟ ଉପରେ ପ୍ରତିଷ୍ଠିତ ନ ହୋଇ ଏକ ଅନ୍ଧ ଜାତୀୟତାବାଦ ଦ୍ବାରା ପରିପୁଷ୍ଟ ହୋଇଥାଏ। କାରଣ, ‘ଏଚ୍-୧ବି’ ଭିସା ବ୍ୟବସ୍ଥା ବଳବତ୍ତର ଥିବା ସତ୍ତ୍ବେ ଆମେରିକାର ଟେକ୍‌ନୋଲୋଜି କଂପାନିମାନଙ୍କରେ ସାଇନ୍‌ସ, ଟେକ୍‌ନୋଲୋଜି, ଇଞ୍ଜିନିଅରିଙ୍ଗ୍, ମାଥେମାଟିକ୍‌ସ (ଷ୍ଟେମ୍)ରେ ଡିଗ୍ରି ଆବଶ୍ୟକ କରୁଥିବା ବହୁସଂଖ୍ୟକ ପଦ ଉପଯୁକ୍ତ ପ୍ରାର୍ଥୀ ଅଭାବରୁ ଖାଲି ପଡ଼ିଛି।
ଅସ୍ଥିର-ଚିତ୍ତ ରୂପେ ଜଣାଶୁଣା ଡୋନାଲ୍‌ଡ ଟ୍ରମ୍ପ ଅବଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ‘ମାଗା’ ପ୍ରତିବାଦକୁ ଭ୍ରୂକ୍ଷେପ ନ କରି ନିଜର ପୂର୍ବ ଆଭିମୁଖ୍ୟର ବିପରୀତ ଆଚରଣ ପ୍ରଦର୍ଶନ କରି ‌‘ଷ୍ଟେମ୍’ ସ୍ନାତକମାନଙ୍କୁ ଗ୍ରୀନ୍‌କାର୍ଡ ପ୍ରଦାନ କରାଯିବା ପାଇଁ ମଧ୍ୟ ପ୍ରସ୍ତାବ ଦେଲେଣି। ବ୍ୟବସାୟ ବୁଦ୍ଧିସଂପନ୍ନ ଚତୁର ଟ୍ରମ୍ପ ହୁଏତ ହୃଦୟଙ୍ଗମ କରିଥିବେ ଯେ ଆମେରିକାର ଟେକ୍‌ନୋଲୋଜି କଂପାନିମାନଙ୍କରେ ମେଧାବୀ ଜ୍ଞାନ-କର୍ମୀମାନଙ୍କର ପ୍ରବେଶ ଦ୍ବାରା ହିଁ ଆମେରିକା ଏକ ମହାନ ରାଷ୍ଟ୍ରରେ ପରିଣତ ହେବ, ସେଠାରେ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନ ଶୂନ୍ୟ ପଡ଼ିରହିବା ଦ୍ବାରା ନୁହେଁ। ଏହାଛଡ଼ା, ଯେହେତୁ ନିର୍ବାଚନ ସମୟରେ ଅଧିକାଂଶ ସିଲିକନ୍ ଭ୍ୟାଲିର ପ୍ରଭାବଶାଳୀ ଉଦ୍ୟୋଗପତିମାନେ ଟ୍ରମ୍ପଙ୍କୁ ସମର୍ଥନ ପ୍ରଦାନ କରିଥିଲେ, ଟ୍ରମ୍ପ ହୁଏତ ବର୍ତ୍ତମାନ କୃତଜ୍ଞତାର ଚିହ୍ନ ସ୍ବରୂପ ସେମାନଙ୍କ କାର୍ଯ୍ୟରେ ସହାୟକ ହେବା ନିମନ୍ତେ, ‘ଏଚ୍-୧ବି’ ବ୍ୟବସ୍ଥ‌ା ସପକ୍ଷରେ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
‘ମାଗା’ ସମର୍ଥକମାନଙ୍କୁ ଆଂଶିକ ଭାବରେ ସନ୍ତୁଷ୍ଟ କରିବା ପାଇଁ ଏଲନ୍ ମସ୍କ ଏବେ ଏହି କାର୍ଯ୍ୟକ୍ରମ ପ୍ରତି ପ୍ରଯୁଜ୍ୟ ହେଉଥିବା ସର୍ବନିମ୍ନ ପାରିଶ୍ରମିକ ହାରରେ ଏକ ତୀକ୍ଷ୍‌ଣ ବୃଦ୍ଧି ଘଟାଇବା ପାଇଁ ଏବଂ ଭିସା ପ୍ରତି ଏକ ବାର୍ଷିକ ଦେୟ ଲାଗୁ କରିବା ପାଇଁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ବାସ୍ତବବାଦୀ ଓ ଯୁକ୍ତିସଂଗତ ପରି ମନେ ହୋଇଥାଏ। ଏହା କାର୍ଯ୍ୟକାରୀ ହେଲେ ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଉନ୍ମୁକ୍ତ ରହିବା ସଙ୍ଗେ ସଙ୍ଗେ ଅତି ଉଚ୍ଚ ଜ୍ଞାନକୌଶଳ ଆବଶ୍ୟକ କରୁଥିବା ପଦଗୁଡ଼ିକ ମେଧାବୀ ବିଦେଶୀ ପ୍ରାର୍ଥୀମାନଙ୍କ ଦ୍ବାରା ପୂରଣ କରାଯାଇପାରିବ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଅବଶ୍ୟ ଭାରତୀୟ ହୋଇଥିବା ନିଶ୍ଚିତ। ସେମାନେ ଟ୍ରମ୍ପଙ୍କର ‘ମାଗା’ ଲକ୍ଷ୍ୟ ପୂରଣରେ ସହାୟକ ହେବା ସହିତ ଏକ ପାର୍ଶ୍ବପ୍ରଭାବ ସ୍ବରୂପ ସେମାନଙ୍କର ମାତୃଦେଶ ଭାରତ ମଧ୍ୟ ଉପକୃତ ହୋଇ ଯଦି ‘ମିଗା’ ଲକ୍ଷ୍ୟ ମଧ୍ୟ ସାଧିତ ହୁଏ, ତେବେ ଏକ ବୃହତ୍ତର ଦୃଷ୍ଟିକୋଣରୁ ତାହା ଆହୁରି ଅଧିକ ସ୍ବାଗତଯୋଗ୍ୟ ହେବା ଉଚିତ।