Breaking News

ମାଟିରେ ମିଶିଲା ଶ୍ରୀବୈକୁଣ୍ଠଧାମ: ଆଶ୍ରମ ପାଲଟିଥିଲା ହୋଟେଲ

ଦୁଇମାସର ବାଦବିବାଦ ପରେ ମାଟିରେ ମିଶିଛି ଶ୍ରୀବୈକୁଣ୍ଠଧାମ ଆଶ୍ରମ। ଉଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ସୁରକ୍ଷା ହଟିବା ପରେ ଆଜି ବିଡିଏ ପକ୍ଷରୁ ସରକାରୀ ଜମିରେ ଗଢ଼ି ଉଠିଥିବା ଏହି ବିବାଦୀୟ ଆଶ୍ରମକୁ ଉଚ୍ଛେଦ କରାଯାଇଛି।

ଖଣ୍ଡଗିରି: ଦୁଇମାସର ବାଦବିବାଦ ପରେ ମାଟିରେ ମିଶିଛି ଶ୍ରୀବୈକୁଣ୍ଠଧାମ ଆଶ୍ରମ। ଉଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ସୁରକ୍ଷା ହଟିବା ପରେ ଆଜି ବିଡିଏ ପକ୍ଷରୁ ସରକାରୀ ଜମିରେ ଗଢ଼ି ଉଠିଥିବା ଏହି ବିବାଦୀୟ ଆଶ୍ରମକୁ ଉଚ୍ଛେଦ କରାଯାଇଛି। ଘାଟିକିଆ ମୌଜା ଖାତା ନଂ. ୨୩୩୯(ଜିଏଡି), ପ୍ଲଟ୍‌ ନଂ. ୯୦୩୭ ଓ ପ୍ଲଟ୍‌ ନଂ.୯୦୩୮(ଆଂଶିକ ପ୍ଲଟ୍‌)ର ୧୪୦ ଡିସିମିଲ୍‌ ଜମିରେ ରହିଥିବା ଜବରଦଖଲର ପାଖାପାଖି ୯୦ ପ୍ରତିଶତ ଭଙ୍ଗାଯାଇଛି। ଆସନ୍ତାକାଲି ଏହାକୁ ସମ୍ପୂର୍ଣ୍ଣ କରାଯିବ। ଆଜି ବିଡିଏର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଓ ୨ସେକ୍ସନ୍‌ ପୁଲିସ କର୍ମୀଙ୍କ ଉପସ୍ଥିତିରେ ଉଚ୍ଛେଦ କରାଯିବା ପରେ ଜିଏ ବିଭାଗ ପକ୍ଷରୁ ‘ଅନୁପ୍ରବେଶ ଦଣ୍ଡନୀୟ’ ବୋଲି ସୂଚନା ଫଳକ ଲଗାଯାଇଛି। ଖୁବ୍‌ଶୀଘ୍ର ଏହାକୁ ପାଚେରି କରାଯାଇ ସୁରକ୍ଷିତ କରାଯିବ ବୋଲି କୁହାଯାଇଛି। ତେବେ ଉଚ୍ଛେଦ ସମୟରେ ଯେଉଁ ବିରୋଧର ଆଶଙ୍କା କରାଯାଉଥିଲା ତାହା ଦେଖିବାକୁ ମିଳିନାହିଁ। ବରଂ ସରକାରୀ ଜମିରେ ଗଢ଼ିଉଠିଥିବା ଏହି କଳା ସାମ୍ରାଜ୍ୟର ପତନ ସମୟରେ ସ୍ଥାନୀୟ ଲୋକଙ୍କ ମନରେ ଅହେତୁକ ଉତ୍କଣ୍ଠା ଦେଖିବାକୁ ମିଳି‌ଥିଲା। ପ୍ରତ୍ୟେକ କାନ୍ଥ ଧରାଶାୟୀ ହେବା ମାତ୍ରେ ଏହି ଅଞ୍ଚଳଟି ‘ହରିବୋଲ’ ଡାକରେ ପ୍ରକମ୍ପିତ ହେଉଥିଲା। ଆଜି ମଧ୍ୟାହ୍ନରେ ଉଚ୍ଛେଦ ଆରମ୍ଭ ହେବା ପୂର୍ବରୁ ଜିଏ ପକ୍ଷରୁ ପୁନର୍ବାର ଡାକବାଜି ଯୋଗେ ପ୍ରଚାର କରାଯାଇଥିଲା। ଏହାର ଯଥେଷ୍ଟ ପୂର୍ବରୁ ଆଶ୍ରମ କର୍ତ୍ତୃପକ୍ଷ ଭିତରେ ଥିବା ସାମଗ୍ରୀ ଯଥା: ଡିଜି ମେସିନ୍‌, ଏସି, ଫ୍ୟାନ୍‌, କୁଲର୍‌ ଭଳି ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଏକ ‌ଟ୍ରକ୍‌ ଯୋଗେ ବୋହି ନେଇଥିଲେ। ପୂର୍ବରୁ ଏଠାରେ ଥିବା ଫର୍ଣ୍ଣିଚର୍‌କୁ ବି ସ୍ଥାନାନ୍ତର କରାଯାଇଥିଲା। ଆଶ୍ରମ ଭାଙ୍ଗିବା ସମୟରେ ଆତ୍ମଘୋଷିତ କଳ୍‌କୀ ବାବାଙ୍କର କିମ୍ବା କୌଣସି ଭକ୍ତଙ୍କର ଦେଖା ମିଳିନଥିଲା। ଆଶ୍ରମର କୌଣସି ଅନ୍ତେବାସୀଙ୍କୁ ମଧ୍ୟ ଦେଖିବାକୁ ମିଳି ନଥିଲା। ତେବେ ଉଚ୍ଛେଦ ଦେଖିବାକୁ ପାଖାପାଖି ୫୦୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ଲୋକ ଜମା ହୋଇଥିଲେ।

ଆଶ୍ରମ ପାଲଟିଥିଲା ହୋଟେଲ 
ଆଜି ଉଚ୍ଛେଦ ବେଳେ ଏହି ବିଶାଳ ସାମ୍ରାଜ୍ୟ ସର୍ବସମ୍ମୁଖକୁ ଆସିଥିଲା। ଆଶ୍ରମରେ ପ୍ରାୟ ୧୨ଟି କୋଠରୀ ରହିଥିଲା। ଏହି ଦୁଇ ମହଲା ବିଶିଷ୍ଟ ବେଆଇନ ନିର୍ମାଣ ମଧ୍ୟକୁ ପଶିବା ମାତ୍ରେ ବାମ ପାର୍ଶ୍ବରେ ରହିଥିଲା ୩ଟି ବଖରା। ଏଠାରେ ବାବାଙ୍କର ବହୁ ବିଳାସପୂର୍ଣ୍ଣ ସାମଗ୍ରୀ ରହିଥିଲା। ଆଶ୍ରମର ମଧ୍ୟ ଭାଗରେ ବାବାଙ୍କ ସିଂହାସନ ରହିଥିଲା ବେଳେ ବାବାଙ୍କ ସ୍ନାନ ପାଇଁ ଏକ ଖୋଲା ମଣ୍ଡପ ରହିଥିଲା। ସିଂହାସନ ପଛ ଭାଗରେ ରହିଥିଲା ୩ଟି ବଖରା। ଏଠାରେ ଆଶ୍ରମର ରୋଷଶାଳା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରଖାଯାଉଥିଲା। ସେହିପରି ସିଂହାସନର ବାମ ପଟେ ଏକ ନିବୁଜ କୋଠରି ରହିଥିଲା ବେଳେ ଉପରକୁ ଯିବା ପାଇଁ ସିଡ଼ି ମଧ୍ୟ ରହିଥିଲା। ଏହି ନିବୁଜ କୋଠରିରେ ବାବାଙ୍କ ପଲଙ୍କ ଓ ଜିମ୍‌ ଉପକରଣ ସବୁ ରହିଥିଲା। ଅନୁରୂପ ଭାବେ ଆଶ୍ରମର ପ୍ରଥମ ମହଲାରେ ୪ଟି କୋଠରୀ ଆଶ୍ରମ ଅନ୍ତେବାସୀଙ୍କ ପାଇଁ ନିର୍ମାଣ କରାଯାଇଥିଲା। ଏଠାରେ ଏସି, କୁଲର, ଦାମୀ ଫ୍ରିଜ୍‌ଠାରୁ ଆରମ୍ଭ କରି ହୋଟେଲ୍‌ ଭଳି ବହୁ ସାମଗ୍ରୀ ରହିଥିଲା। ଏହାକୁ ପୂର୍ବରୁ ସ୍ଥାନାନ୍ତର ସାରି ଦେଇଥିଲେ।

ହେ ପ୍ରଭୁ… ପ୍ରମାଣ ଦିଅ

hfhfhfh

ଖଣ୍ଡଗିରି: ଆଜି ଶ୍ରୀବୈକୁଣ୍ଠଧାମ ଆଶ୍ରମ ମାଟିରେ ମିଶିବା ପୂର୍ବରୁ ଜଣେ ଭକ୍ତ ମାଟିରେ ଲୋଟି ଦଣ୍ଡବତ ହୋଇ କଇଁକଇଁ କାନ୍ଦୁଥିବା ଦେଖିବାକୁ ମିଳିଥିଲା। କଳ୍‌କୀ ବାବାଙ୍କ ଏହି ଭକ୍ତ ଜଣକ କହୁଥିଲେ ‘‘ହେ ପ୍ରଭୁ ତୁମେ ତୁମ ଅସ୍ତିତ୍ବର ପ୍ରମାଣ ଦିଅ। ତୁମେ ଆମକୁ ଯେଉଁ ପ୍ରମାଣ ଦେଇଛ, ସେହି ପ୍ରମାଣ ସମସ୍ତଙ୍କୁ ଦେଖାଇଦିଅ। ଆପଣ ଦିନେ ନା ଦିନେ ପ୍ରମାଣ ଦେବେ। ମୁଁ ଯଦି କିଛି ଭୁଲ୍‌ କରିଛି ମୋତେ କ୍ଷମା କରିଦିଅ।’’ ତେବେ ଆଶ୍ରମ ଉଚ୍ଛେଦ ଆରମ୍ଭ ହେବା ପରଠାରୁ ଆଉ ତାଙ୍କର ଦେଖା ମିଳି ନଥିଲା। ଆଶ୍ରମ ଖାଲି କରିବା ସମୟରେ ଅନ୍ୟଜଣେ ବ୍ୟକ୍ତି ଆଶ୍ରମ ଭିତରୁ ପରିବା ବସ୍ତା ସହ କିଛି କାଗଜପତ୍ର ଥିବା ବ୍ୟାଗ୍‌ ଦୁଇହାତରେ ଧରି ‌ଯାଉଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ପଚାରିବାରେ ସେ କହିଲେ ଯେ ଏହା ଆଶ୍ରମର କାଗଜପତ୍ର ନୁହେଁ, ପିଲାଙ୍କର ବୀମା କାଗଜ। ଏଠାରେ କିଛି ଜିନିଷ ରହିଯାଇଥିବାରୁ ଏହାକୁ ନେବା ପାଇଁ ସେ ଆସିଥିବା କହିଥିଲେ। ବର୍ତ୍ତମାନ ବାବା କେଉଁଠି ଅଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ କିଛି କହିନଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.