Breaking News

ମାତିଛନ୍ତି ମାଫିଆ ଲୁଟୁଛନ୍ତି ଲଘୁ ଖଣିଜ: କେନ୍ଦୁଝରରେ ସୁରକ୍ଷା ଭିତ୍ତିଭୂମି ଶୂନ, ୧୯୨ କନିଷ୍ଠ ଖଣି ଅଧିକାରୀଙ୍କୁ ମିଳୁନି ନିଯୁକ୍ତି

ଲଘୁ ଖଣିଜରୁ ପର୍ଯ୍ୟାପ୍ତ ରାଜସ୍ବ ଆଦାୟ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ଏହାର ପରିଚାଳନା ଦାୟିତ୍ବ ରାଜସ୍ବ ବିଭାଗ ହାତରୁ ନେଇ ଖଣି ବିଭାଗକୁ ଦେଇଥିଲେ। ହେଲେ ଖଣି ବିଭାଗରେ କର୍ମଚାରୀ ସଂକଟ ଯୋଗୁଁ ରାଜସ୍ବ ବଢ଼ିବା ପରିବର୍ତ୍ତେ କମି ଚାଲିଛି।

କେନ୍ଦୁଝର: ଲଘୁ ଖଣିଜରୁ ପର୍ଯ୍ୟାପ୍ତ ରାଜସ୍ବ ଆଦାୟ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ଏହାର ପରିଚାଳନା ଦାୟିତ୍ବ ରାଜସ୍ବ ବିଭାଗ ହାତରୁ ନେଇ ଖଣି ବିଭାଗକୁ ଦେଇଥିଲେ। ହେଲେ ଖଣି ବିଭାଗରେ କର୍ମଚାରୀ ସଂକଟ ଯୋଗୁଁ ରାଜସ୍ବ ବଢ଼ିବା ପରିବର୍ତ୍ତେ କମି ଚାଲିଛି। କେନ୍ଦୁଝର ଜିଲ୍ଲାରେ ଲଘୁ ଖଣିଜ ଉତ୍ସରୁ ୭୮ କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିବା ବେଳେ ଏ ବର୍ଷ ଡିସେମ୍ବର ସୁଦ୍ଧା ମାତ୍ର ୯ କୋଟି ଟଙ୍କା ଆଦାୟ କରାଯାଇଛି। ଲଘୁ ଖଣିଜ ସମ୍ପଦର ସିଂହଭାଗ ଚୋରାରେ ଚାଲିଯାଉଛି। ଯିଏ ଯେଉଁଠୁ ପାରୁଛି ବାଲି, ଗୋଡ଼ି, ପଥର, ମୋରମ୍‌ ପ୍ରଭୃତି କୋରି ନେଉଛନ୍ତି। ନଦୀକୂଳିଆ ଗାଁରେ ବାଲିଘାଟ ଚାଲୁଛି। ମାଫିଆଙ୍କ ଆକ୍ରମଣ ଭୟରେ ଚଢ଼ଉ କରିବାକୁ ସ୍କ୍ବାଡ୍‌ ଡରୁଛନ୍ତି। ଖଣି ବିଭାଗରେ ଭିତ୍ତିଭୂମିର ଅଭାବ ଓ କର୍ମଚାରୀ ସଙ୍କଟ ଯୋଗୁଁ ଏହା ଏବେ ଅଣାୟତ୍ତ ହୋଇଛି। ଅନ୍ୟପକ୍ଷରେ ମନୋନୀତ ହୋଇଥିବା ୧୯୨ଜଣ କନିଷ୍ଠ ଖଣି ଅଧିକାରୀଙ୍କୁ ନିଯୁକ୍ତି ମିଳୁନି। ବିନା ଅଧିକାରୀରେ କା‌ର୍ଯ୍ୟାଳୟ ଚଳାଇ ସରକାର ଲଘୁ ଖଣିଜ ସୁରକ୍ଷା କଥା ଚିନ୍ତା କରୁଛନ୍ତି।

କେନ୍ଦୁଝରରେ ସୁରକ୍ଷା ଭିତ୍ତିଭୂମି ଶୂନ
୧୯୨ କନିଷ୍ଠ ଖଣି ଅଧିକାରୀଙ୍କୁ ମିଳୁନି ନିଯୁକ୍ତି
ଜିଲ୍ଲାରେ କମୁଛି ଲଘୁ ଖଣିଜ ରାଜସ୍ବ ଆଦାୟ

୨୦୨୪ ଡିସେମ୍ବର ୧ରେ କେନ୍ଦୁଝର ଜିଲ୍ଲାର ଜଣେ କନିଷ୍ଠ ଖଣି ଅଧିକାରୀ ଓ କର୍ମଚାରୀଙ୍କୁ ବାଲି ମାଫିଆ ସଂଘବଦ୍ଧ ଆକ୍ରମଣ କରିଥିଲେ। ସରକାର ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିଲେ। ଲଘୁ ଖଣିଜ ସମ୍ପଦ ଚୋରି ରୋକିବା ପାଇଁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ଉପଖଣ୍ଡ ଓ ତହସିଲସ୍ତରରେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍‌ ଗଠନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସ୍କ୍ବାଡ୍‌ ଗଠନ କରାଯିବା ସହ ଏଥିରେ ୮ଜଣ ପୁଲିସ କନେଷ୍ଟବଳଙ୍କୁ ସାମିଲ କରାଯାଇଥିଲା। ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ଯୋଗୁଁ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ହଠାତ୍ ପୁଲିସ କନେଷ୍ଟବଳଙ୍କୁ ଅପସାରଣ କରାଯିବା ପରେ ସ୍କ୍ବାଡ୍‌ରେ ଥିବା କର୍ମଚାରୀ ଭୟଭୀତ ହୋଇପଡ଼ିଛନ୍ତି। ସେମାନେ ଚଢ଼ଉ କରିବାକୁ ଡରୁଥିବାରୁ ମାଫିଆମାନେ ଭୟଶୂନ୍ୟ ହୋଇଯାଇଛନ୍ତି। ବେଧଡ଼କ ବାଲି, ମୋରମ, ମାଟି ଓ ପଥର ଚୋରି କରୁଛନ୍ତି। ଦିନକୁ ୨୦ ଲକ୍ଷରୁ ଅଧିକ ଟଙ୍କାର ଲଘୁ ଖଣିଜ ସମ୍ପଦ ଚୋରି ହେଉଛି। ଚୋରି ବଢୁଥିବାରୁ ଏହାର ସିଧାସଳଖ ପ୍ରଭାବ ରାଜସ୍ବ ଆଦାୟ ଉପରେ ପଡ଼ୁଛି। ଲଘୁ ଖଣିଜରୁ ରାଜସ୍ବ ଆଦାୟ କ୍ରମାଗତ ଭାବେ ହ୍ରାସ ପାଉଛି।

ରାଜସ୍ୱ ବିଭାଗ ଅଧୀନରେ ଲଘୁ ଖଣିଜ ପରିଚାଳନା ଦାୟିତ୍ବ ଥିବା ସମୟରେ କେନ୍ଦୁଝର ଜିଲ୍ଲାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୩୧ କୋଟି ୩୮ ଲକ୍ଷ ୮୪ ହଜାର ୨୧୧ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ୨୦୨୦-୨୧ରେ ଏହା ବୃଦ୍ଧି ପାଇ ୪୧ କୋଟି ୪୪ ଲକ୍ଷ ୬୧ ହଜାର ୮୩୯ ଟଙ୍କା, ୨୦୨୧-୨୨ରେ ୬୭ କୋଟି ୪ ଲକ୍ଷ ୯୧ ହଜାର ୬୭୧ ଟଙ୍କା ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ୭୭ କୋଟି ୭୨ ଲକ୍ଷ ୨୦ ହଜାର ୯୮୪ ଟଙ୍କା ଆଦାୟ ହୋଇଥିଲା। ୨୦୨୩-୨୪ରେ ରାଜସ୍ୱ ବିଭାଗ ହାତରୁ ଲଘୁ ଖଣିଜ ପରିଚାଳନା ଦାୟିତ୍ୱ ଖଣି ଓ ଇସ୍ପାତ ବିଭାଗକୁ ଯାଇଥିଲା। ଏହାପରଠାରୁ କ୍ରମାଗତ ଭାବେ ରାଜସ୍ୱ ଆଦାୟ ହ୍ରାସ ପାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୩୪ କୋଟି ୩୯ ଲକ୍ଷ ୨ ହଜାର ୯୬୯ ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ମାତ୍ର ୯ କୋଟି ୧୨ ଲକ୍ଷ ୪୯ ହଜାର ୯୪୯ଟଙ୍କା ଆଦାୟ ହୋଇଛି। ସୂଚନାଯୋଗ୍ୟ, ଲଘୁ ଖଣିଜ ବିଭାଗରେ କର୍ମଚାରୀ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ନୂଆ ନିଯୁକ୍ତି ପାଇଁ ବ୍ୟବସ୍ଥା କରିଥିଲେ। ୧୯୨ଜଣ କନିଷ୍ଠ ଖଣି ଅଧିକାରୀଙ୍କୁ ମନୋନୀତ କଲେ। ହେଲେ ୮ ମାସରୁ ଅଧିକ ହେବ ସେମାନଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଲଘୁ ଖଣିଜ ବିଭାଗ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ଅଭାବ ଥିବା ବେଳେ ଲଘୁ ଖଣିଜ ବିଭାଗ ଖଣି ବିଭାଗ ଅଧୀନରେ ରହିବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଫଳରେ ଲଘୁ ଖଣିଜ ରାଜସ୍ବ ସଂଗ୍ରହ ଠିକଣା ଢଙ୍ଗରେ ହୋଇପାରୁନି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.