ଭାରତର ମୋଟ ଆମଦାନିର ପ୍ରାୟ ଅର୍ଦ୍ଧେକ ହେଉଛି ପ୍ରାକୃତିକ ସମ୍ବଳଶ୍ରେଣୀୟ: ପେଟ୍ରୋଲିଅମ୍, ସୁନା, ହୀରା, ଖଣିଜ ପଦାର୍ଥ ଓ ଧାତବ ଦ୍ରବ୍ୟ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏଥିମଧ୍ୟରୁ ଅଧିକାଂଶ ପ୍ରାକୃତିକ ସମ୍ବଳ ଭାରତରେ ମହଜୁଦ ଥିଲେ ହେଁ ତାହାର ଉତ୍ତୋଳନକୁ ଏ ପର୍ଯ୍ୟନ୍ତ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଇନାହିଁ। ବର୍ତ୍ତମାନର ସରକାର ଅନ୍ୟ ଶିଳ୍ପ ପାଇଁ ଯେଉଁଭଳି ପ୍ରୋତ୍ସାହନ ପ୍ରଦାନର ବ୍ୟବସ୍ଥା କରୁଛନ୍ତି, ଏ କ୍ଷେତ୍ର ପ୍ରତି ମଧ୍ୟ ଯଦି ସେଇଭଳି ପ୍ରୋତ୍ସାହନ ପ୍ରଦାନ କରନ୍ତେ, ତେବେ ନିକଟ ଭବିଷ୍ୟତରେ ଆମର ଆମଦାନି ଆବଶ୍ୟକତାରେ ସଂକୋଚନ ଘଟନ୍ତା।

୧୮୯୫ରେ ଲଣ୍ଡନ୍‌ରେ ପ୍ରଥମେ ମଞ୍ଚସ୍ଥ ହୋଇ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିବା ଅସ୍କାର୍ ୱାଇଲ୍‌ଡଙ୍କର ପ୍ରସିଦ୍ଧ ନାଟକ ‘ଦି ଇମ୍ପୋଟାନ୍‌ସ ଅଫ୍ ବିଙ୍ଗ୍ ଅର୍ନେଷ୍ଟ’ର ଏକ ଦୃଶ୍ୟରେ କିଶୋରୀ ସେସିଲିର ଗୃହ ଶିକ୍ଷୟିତ୍ରୀ ମିସ୍ ପ୍ରିଜ୍‌ମ ସେସିଲିକୁ ଅର୍ଥଶାସ୍ତ୍ର ଅଧ୍ୟୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କିନ୍ତୁ ସେସିଲିକୁ କହିଛନ୍ତି, ‘‘ତୁମେ ଟଙ୍କାର ପତନ ସମ୍ବନ୍ଧିତ ଅଧ୍ୟାୟଟିକୁ ବାଦ୍ ଦେଇ ଦେଇପାର। ତାହା ମାତ୍ରାଧିକ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ।’’ ବର୍ତ୍ତମାନ ଟଙ୍କାର ବିନିମୟ ମୂଲ୍ୟରେ ଘଟିଥିବା ପତନକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଚାଞ୍ଚଲ୍ୟକୁ ଦେଖି ମନେ ହୁଏ ସତେ ଯେମିତି ଅସାଧାରଣ ପ୍ରତିଭାର ଅଧିକାରୀ ଅସ୍କାର୍ ୱାଇଲ୍‌ଡ ମଧ୍ୟ ଅଲୌକିକ ଭବିଷ୍ୟ ଦୃଷ୍ଟିସଂପନ୍ନ ଥିଲେ; କାରଣ ୧୩୦ ବର୍ଷ ତଳେ ମିସ୍ ପ୍ରିଜ୍‌ମ ଟଙ୍କାର ପତନ ପ୍ରତି ପ୍ରଦାନ କରିଥିବା ସେଇ ମନ୍ତବ୍ୟ ବର୍ତ୍ତମାନ ମଧ୍ୟ ସଂପୂର୍ଣ୍ଣ ରୂପେ ପ୍ରଯୁଜ୍ୟ ହୋଇଥାଏ କହିଲେ ଭୁଲ୍ ହେବନାହିଁ।
ଆମେରିକୀୟ ଡଲାର୍ ସହିତ ଟଙ୍କାର ବିନିମୟ ହାରରେ ଦେଖାଯାଇଥିବା ତୀକ୍ଷ୍‌ଣ ସ୍ଖଳନକୁ ଭାରତୀୟ ଜାତୀୟ ଗର୍ବବୋଧ ପ୍ରତି ଏକ ଅପମାନଜନକ ଆଘାତ ରୂପେ କରାଯାଉଥିବା ବିଚାର ହେଉଛି ଏହି ଚାଞ୍ଚଲ୍ୟର କାରଣ। ଏହା ଲେଖା ହେବା ସମୟରେ ଡଲାର୍-ଟଙ୍କାର ବିନିମୟ ହାର ହେଉଛି ୧ ଡଲାର୍= ୮୬.୫୬ ଟଙ୍କା, ଯାହା ଟଙ୍କାର ଦୁର୍ବଳତାର ସ୍ବାକ୍ଷର ବହନ କରିଥାଏ। ଦେଶାତ୍ମବୋଧ ଦୃଷ୍ଟିରୁ ଏହା ଆମ ପାଇଁ ଲଜ୍ଜାଜନକ ମନେ ହୋଇପାରେ। କିନ୍ତୁ ଯଦି ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାର କରାଯାଏ, ତେବେ ବର୍ତ୍ତମାନ ସମୟରେ ଏକ ଦୁର୍ବଳ ଟଙ୍କା ଆମ ପାଇଁ ଦୁଃଖର କାରଣ ନ ହୋଇ ଆମ ପାଇଁ ବରଂ ଆଶ୍ବସ୍ତିର କାରଣ ହୋଇପାରେ।
ଟଙ୍କା ଯେତେବେଳେ ଡଲାର୍ କିମ୍ବା ଅନ୍ୟ କୌଣସି ପ୍ରମୁଖ ବୈଦେଶିକ ମୁଦ୍ରା ତୁଳନାରେ ଦୁର୍ବଳ ହୋଇଯାଏ, ସେତେବେଳେ ଏହାର ମୁଖ୍ୟତଃ ଦୁଇଟି ପ୍ରଭାବ ଅନୁଭୂତ ହୋଇଥାଏ: ବିଦେଶ ବଜାରରେ ଭାରତୀୟ ରପ୍ତାନି ଦ୍ରବ୍ୟ ଶସ୍ତା ହୋଇ ଅଧିକ ପ୍ରତିଯୋଗିତାକ୍ଷମ ହୋଇଯାଇଥାନ୍ତି; ଭାରତୀୟ ବଜାରେ ପ୍ରବେଶ କରୁଥିବା ବିଦେଶୀ ଆମଦାନି ଦ୍ରବ୍ୟ ମହଙ୍ଗା ହୋଇ ଏଠାରେ ସେମାନଙ୍କର ପ୍ରତିଯୋଗିତା କ୍ଷମତା ହରାଇଥାନ୍ତି। ଭାରତ ବର୍ତ୍ତମାନ ନିଜ ସମ୍ମୁଖରେ ସ୍ଥାପନ କରିଥିବା ଦୁଇଟି ମୁଖ୍ୟ ଅର୍ଥନୈତିକ ଲକ୍ଷ୍ୟ ହେଲା: ‘ଆତ୍ମନିର୍ଭରତା’ ଓ ‘ମେକ୍ ଇନ୍ ଇଣ୍ଡିଆ’। ପ୍ରଥମ ଲକ୍ଷ୍ୟ ହାସଲ ସହିତ ତାଳ ଦେଇ ଆମଦାନିରେ ହ୍ରାସ ଘଟିଥାଏ; ଦ୍ବିତୀୟ ଲକ୍ଷ୍ୟ ହାସଲ ସହିତ ତାଳ ଦେଇ ବିଭିନ୍ନ ଦ୍ରବ୍ୟମାନ ଭାରତରେ ନିର୍ମିତ ହୋଇ ବିଦେଶକୁ ସେଗୁଡ଼ିକର ରପ୍ତାନିରେ ବୃଦ୍ଧି ଘଟିଥାଏ (ଯେମିତି ‘ଆପ୍‌ଲ ଆଇଫୋନ୍’)। ଏ ଉଭୟ ଲକ୍ଷ୍ୟ ହାସଲ ପାଇଁ ଏକ ବଳିଷ୍ଠ ଟଙ୍କା ବାଧକ ସାଜିଥାଏ ଓ ଦୁର୍ବଳ ଟଙ୍କା ସହାୟକ ହୋଇଥାଏ।
ଏଠାରେ ଗୋଟିଏ କଥା ସ୍ପଷ୍ଟ କରିଦେବା ଉଚିତ ହେବ ଯେ ଭାରତ ଜାଣିଶୁଣି ତା’ର ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟରେ ହ୍ରା‌ସ ଘଟାଇ ଚାଲିନାହିଁ, ବଜାରରେ ଯୋଗାଣ ଓ ଚାହିଦାର ଟଣାଭିଡ଼ା ଦ୍ବାରା ତାହା ନିରୂପିତ ହୋଇଥାଏ (ବରଂ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସକୁ ଅଟକାଇବାକୁ ରିଜର୍ଭ ବ୍ୟାଙ୍କ୍ ସମୟ ସମୟରେ ବଜାରରେ ହସ୍ତ‌େକ୍ଷପ କରିବା ଦେଖାଯାଇଥାଏ)। ଅପରପକ୍ଷେ ଚୀନ୍ ଭଳି ଦେଶମାନେ ଉପରୋକ୍ତ ଲକ୍ଷ୍ୟମାନ ହାସଲ କରିବା ଉଦ୍ଦେଶ୍ୟରେ ନିଜ ମୁଦ୍ରାର ବିନିମୟ ମୂଲ୍ୟକୁ କୃତ୍ରିମ ଭାବରେ ନୀଚା ରଖିବା ଦେଖାଯାଇଛି, ଯେଉଁଥି ପାଇଁ ଡୋନାଲ୍‌ଡ ଟ୍ରମ୍ପ ଚୀନ୍ ବିରୁଦ୍ଧରେ ବିଷୋଦ୍‌ଗାର କରିଆସିଛନ୍ତି। ଅତୀତରେ ରପ୍ତାନି-ନିର୍ଭରଶୀଳ ଜାପାନ୍ ମଧ୍ୟ ବିଦେଶୀ ବଜାରରେ ଓ ମୁଖ୍ୟତଃ ଆମେରିକା ବଜାରରେ ଜାପାନୀ ରପ୍ତାନି ଦ୍ରବ୍ୟକୁ ପ୍ରତିଯୋଗିତାକ୍ଷମ କରିବା ଉଦ୍ଦେଶ୍ୟରେ ଯୋଜନାବଦ୍ଧ ଭାବରେ ହସ୍ତକ୍ଷେପ କରି ନିଜ ମୁଦ୍ରା ‘ୟେନ୍’ର ଡଲାର୍ ସହିତ ବିନିମୟ ମୂଲ୍ୟକୁ କୃତ୍ରିମ ଭାବରେ ନୀଚା ରଖି ଚାଲିଥିଲା। ଜାପାନ୍‌ର ଏହି ମୁଦ୍ରା ମୂଲ୍ୟ କାରସାଦିକୁ ଆମେରିକା ବିରୋଧ କରିବାରେ ଲାଗିଥି‌ଲେ ହେଁ ଜାପାନ ତାହାକୁ ଦୀର୍ଘ କାଳ ଧରି ଏଡ଼ାଇ ଚାଲିବା ପରେ ଶେଷ‌େର ବାଧ୍ୟ ହୋଇ ୧୯୯୦ ଦଶକରେ ଆମେରିକାର ଚାପ ଆଉ ସମ୍ଭାଳି ନ ପାରି ‘ୟେନ୍’ର ବିନିମୟ ହାର ନିର୍ଦ୍ଧାରଣ ସଂପୂର୍ଣ୍ଣ ରୂପେ ମୁଦ୍ରା ବଜାର ଉପରେ ଛାଡ଼ିଦେଲା। ଫଳସ୍ବରୂପ ‘ୟେନ୍’ର ଆନ୍ତର୍ଜାତିକ ବିନିମୟ ମୂଲ୍ୟରେ ସ୍ବାଭାବିକ ଭାବରେ ବୃଦ୍ଧି ଘଟି ଜାପାନୀ ରପ୍ତାନିକୁ ବିଦେଶ ବଜାରରେ ଅପେକ୍ଷାକୃତ ମହଙ୍ଗା କରିବାରେ ଲାଗିଲା। ୧୯୯୦ ଦଶକ ପରଠାରୁ ଜାପାନ୍‌ର ଅର୍ଥନୀତିରେ ଦୀର୍ଘ କାଳ ଧରି ଯେଉଁ ସ୍ଥାଣୁତା ଦେଖାଦେଲା, ତାହାର ଏକାଧିକ କାରଣମାନ ରହିଥିଲେ ହେଁ ‘ୟେନ୍’ର ବିନିମୟ ହାରରେ ଘଟିଥିବା ଏହି ସଂଶୋଧନ ହେଉଛି ସେଥିମଧ୍ୟରୁ ଏକ ମୁଖ୍ୟ କାରଣ।
ଭାରତ ସରକାର ବର୍ତ୍ତମାନ ପ୍ରଥମଥର ପାଇଁ ଭାରତକୁ ଏକ ପ୍ରତିଯୋଗିତାକ୍ଷମ ଶିଳ୍ପ ଉତ୍ପାଦନକାରୀ ଶକ୍ତିରେ ପରିଣତ କରିବା ପାଇଁ ଆଗଭର ‌େହାଇଛନ୍ତି, ଯେମିତି ଅତୀତରେ ଜାପାନ ଓ ଅନ୍ୟ ତଥାକଥିତ ପୂର୍ବଏସୀୟ ‘ବ୍ୟାଘ୍ର ଅର୍ଥନୀତି’ମାନ କରିଥିଲେ। ଏହି ଲକ୍ଷ୍ୟ ସାଧନ ନିମିତ୍ତ ସରକାର ଘରୋଇ ଶିଳ୍ପୋଦ୍ୟୋଗମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ କିଛି ମାତ୍ରାରେ ଆମଦାନି ଶୁଳ୍‌କ ଲାଗୁ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ପ୍ରଦାନ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି (ଯେମିତି ‘ପିଏଲ୍ଆଇ’)। ଟଙ୍କାର ନୀଚା ବିନିମୟ ହାରକୁ ଏହି ଲକ୍ଷ୍ୟ ହାସଲର ଆଉ ଏକ ସହାୟକ ଉପାଦାନ ରୂପେ ବିଚାର କରିବା ଯୁକ୍ତିଯୁକ୍ତ ମନେ ହୋଇଥାଏ।
ତେବେ ଆମଦାନି ଦୃଷ୍ଟିରୁ ବିଚାର କଲେ ଟଙ୍କାର ବିନିମୟ ମୂଲ୍ୟରେ ସ୍ଖଳନ ଆମ ପାଇଁ ସମସ୍ୟାମୁକ୍ତ ହୋଇ ନ ଥାଏ। ଭାରତ ମୁଖ୍ୟତଃ ଅଶୋଧିତ ‌େ‌ପଟ୍ରୋଲିଅମ୍ ତୈଳ ଆମଦାନି ମାଧ୍ୟମରେ ତା’ର ତୈଳ ଚାହିଦା ପୂରଣ କରିଥାଏ। ଦେଶର ମୋଟ ଆମଦାନିରେ ତୈଳର ଅଂଶ ପ୍ରାୟ ଏକ-ପଞ୍ଚମାଂଶ ହୋଇଥାଏ। ତୈଳ ଏକ ଅତ୍ୟାବଶ୍ୟକ ଶ୍ରେଣୀର ଦ୍ରବ୍ୟ ହୋଇଥିବାରୁ ଅର୍ଥଶାସ୍ତ୍ରର ଭାଷାରେ ଏହାର ଚାହିଦା ପ୍ରାୟ ସଂପୂର୍ଣ୍ଣ ରୂପେ ସ୍ଥିତିସ୍ଥାପକତା ଶୂନ୍ୟ ହୋଇଥାଏ- ଅର୍ଥାତ୍ ତୈଳ ଦରରେ ବୃଦ୍ଧି ଘଟିଲେ ମଧ୍ୟ ଏହାର ଚାହିଦାରେ ହ୍ରାସ ଘଟି ନ ଥାଏ। ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଯୋଗୁଁ ତୈଳ ଆମଦାନି ମହଙ୍ଗା ହେଲେ ମଧ୍ୟ ତୈଳ ଚାହିଦା ଅପରିବର୍ତ୍ତିତ ରହି ଦେଶର ବୈଦେଶିକ ମୁଦ୍ରାପାଣ୍ଠି ପାଇଁ ବୋଝ ସୃଷ୍ଟି କରିବା ସହିତ ଖାଉଟିମାନଙ୍କ ପାଇଁ ଦୁର୍ବିଷହ ହୋଇଥାଏ। ତୈଳ ଅଧିକାଂଶ ଉତ୍ପାଦନରେ ଏକ ସାଧାରଣ ଉପାଦାନ ହୋଇଥିବାରୁ ତୈଳ ଦରରେ ବୃଦ୍ଧି ମୁଦ୍ରାସ୍ଫୀତିକୁ ମଧ୍ୟ ଇନ୍ଧନ ଯୋଗାଇଥାଏ। ତୈଳ ପଛକୁ ଭାରତର ଦ୍ବିତୀୟ ବୃହତ୍ତମ ଆମଦାନି ଦ୍ରବ୍ୟ ହେଉଛି ସୁନା। ଏହି ପୀତ ଧାତୁ ପ୍ରତି ଭାରତୀୟମାନଙ୍କର ଜଣାଶୁଣା ଦୁର୍ବଳତା ଯୋଗୁଁ ଏଥିପ୍ରତି ଚାହିଦା ମଧ୍ୟ ସ୍ଥିତିସ୍ଥାପକତା ଶୂନ୍ୟ ହୋଇଥାଏ। ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଘଟିବା ଯୋଗୁଁ ସୁନା ଦରରେ ବୃଦ୍ଧି ସତ୍ତ୍ବେ ଆମଦାନିରେ ହ୍ରାସ ନ ଘଟିବା କାରଣରୁ ଭାରତର ଆମଦାନି ବୋଝରେ ବୃଦ୍ଧି ଘଟିଥାଏ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର ମୋଟ ଆମଦାନିର ପ୍ରାୟ ଅର୍ଦ୍ଧେକ ହେଉଛି ପ୍ରାକୃତିକ ସମ୍ବଳଶ୍ରେଣୀୟ: ପେଟ୍ରୋଲିଅମ୍, ସୁନା, ହୀରା, ଖଣିଜ ପଦାର୍ଥ ଓ ଧାତବ ଦ୍ରବ୍ୟ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏଥିମଧ୍ୟରୁ ଅଧିକାଂଶ ପ୍ରାକୃତିକ ସମ୍ବଳ ଭାରତରେ ମହଜୁଦ ଥିଲେ ହେଁ ତାହାର ଉତ୍ତୋଳନକୁ ଏ ପର୍ଯ୍ୟନ୍ତ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରାଯାଇନାହିଁ। ବର୍ତ୍ତମାନର ସରକାର ଅନ୍ୟ ଶିଳ୍ପ ପାଇଁ ଯେଉଁଭଳି ପ୍ରୋତ୍ସାହନ ପ୍ରଦାନର ବ୍ୟବସ୍ଥା କରୁଛନ୍ତି, ଏ କ୍ଷେତ୍ର ପ୍ରତି ମଧ୍ୟ ଯଦି ସେଇଭଳି ପ୍ରୋତ୍ସାହନ ପ୍ରଦାନ କରନ୍ତେ, ତେବେ ନିକଟ ଭବିଷ୍ୟତରେ ଆମର ଆମଦାନି ଆବଶ୍ୟକତାରେ ସଂକୋଚନ ଘଟନ୍ତା। ଅବଶ୍ୟ ବର୍ତ୍ତମାନ ଅକ୍ଷୟ ଶକ୍ତି ଉତ୍ପାଦନ ଓ ବିଦ୍ୟୁତ୍ ଚାଳିତ ଯାନବାହନର ଉତ୍ପାଦନ ଓ ପ୍ରସାରକୁ ଯେଉଁଭଳି ଗୁରୁତ୍ବ ପ୍ରଦାନ କରାଯିବା ଦେଖାଗଲାଣି, ସେଥିଯୋଗୁଁ ଅନତିବିଳମ୍ବେ ଆମର ତୈଳ-ନିର୍ଭରଶୀଳତାରେ ହ୍ରାସ ଘଟିବାକୁ ଯାଉଛି। ତାହା ଘଟିଲେ, ମିସ୍ ପ୍ରିଜ୍‌ମଙ୍କ ମନ୍ତବ୍ୟ ସତ୍ୟ ସାବ୍ୟସ୍ତ ହୋଇ ଟଙ୍କାର ପତନ ଆମ ପାଇଁ ଆଉ ଏକ ସମସ୍ୟା ରୂପେ ବିବେଚିତ ହେବ ନାହିଁ- ଏକ ମାତ୍ରାଧିକ ଚାଞ୍ଚଲ୍ୟ ମାତ୍ର!