Breaking News

ମାମୁଘର ଅଗଣା

ଏବେ ‘‌ୱାର୍ଲଡ୍ ମନୁମେଣ୍ଟସ୍ ଫଣ୍ଡ’ ପୃଥିବୀର ୨୯ଟି ଦେଶରେ ବିକ୍ଷିପ୍ତ ବିଭିନ୍ନ ବିପଦଗ୍ରସ୍ତ ସାଂସ୍କୃତିକ ଐତିହ୍ୟମାନଙ୍କର ଯେଉଁ ସଦ୍ୟ ତାଲିକା ପ୍ରକାଶ କରିଛି, ସେଥିରେ ଅନ୍ତର୍ଭୁକ୍ତ ଅନ୍ୟ ଗୋଟିଏ ଐତିହ୍ୟସ୍ଥଳୀ କେତେକଙ୍କୁ ଉଦ୍ଭଟ ମନେ ହେଉଥିଲେ ହେଁ...

ଏବେ ‘‌ୱାର୍ଲଡ୍ ମନୁମେଣ୍ଟସ୍ ଫଣ୍ଡ’ ପୃଥିବୀର ୨୯ଟି ଦେଶରେ ବିକ୍ଷିପ୍ତ ବିଭିନ୍ନ ବିପଦଗ୍ରସ୍ତ ସାଂସ୍କୃତିକ ଐତିହ୍ୟମାନଙ୍କର ଯେଉଁ ସଦ୍ୟ ତାଲିକା ପ୍ରକାଶ କରିଛି, ସେଥିରେ ଅନ୍ତର୍ଭୁକ୍ତ ଅନ୍ୟ ଗୋଟିଏ ଐତିହ୍ୟସ୍ଥଳୀ କେତେକଙ୍କୁ ଉଦ୍ଭଟ ମନେ ହେଉଥିଲେ ହେଁ, ତାହା ଯେ ଆମମାନଙ୍କ ପାଇଁ ମାତୁଳାଳୟରେ ଖୁସି ଓ ଆଶ୍ବସ୍ତି ସୃଷ୍ଟି କରୁଥିବ, ଏଥିରେ କୌଣସି ସନ୍ଦେହ ନାହିଁ: କାରଣ ସେଇ ଐତିହସ୍ଥଳୀର ନାମ ହେଉଛି- ଚନ୍ଦ୍ର। ଅନ୍ତତଃ ତାଙ୍କର କେତେକ ଭଣଜାଭାଣିଜୀମାନେ ଯେ ତାଙ୍କର ସାଂସ୍କୃତିକ ସଂରକ୍ଷଣ ପାଇଁ ଚିନ୍ତିତ ଅଛନ୍ତି, ତାହା ଜହ୍ନମାମୁଙ୍କୁ ଆଶ୍ବସ୍ତ କରୁଥିବ।

ପ୍ରାୟ ସାଢ଼େ ଚାରିଶହ କୋଟି ବର୍ଷ ତଳେ ଆମର ବାସସ୍ଥଳୀ ପୃଥିବୀ ଗ୍ରହ ଜନ୍ମଲାଭ କଲା। ପ୍ରାୟ ଚାରିଶହ କୋଟି ବର୍ଷ ତଳେ, ଅର୍ଥାତ୍ ପୃଥିବୀର ଶୈଶବାବସ୍ଥାରେ ‌ମଙ୍ଗଳ ଗ୍ରହ ଆକୃତିର ଅନ୍ୟ ଏକ ଗ୍ରହ ‘ଥେଇଆ’ ତା’ର କକ୍ଷପଥରେ ଗତି କରୁଥିବାବେଳେ ପ୍ରଚଣ୍ଡ ବେଗରେ ପୃଥିବୀ ସହିତ ଧକ୍‌କା ଖାଇଲା। ଏହି ମହାକାଶୀୟ ସଂଘାତର ପରିଣତି ସ୍ବରୂପ ‘ଥେଇଆ’ର ବିଲୟ ଘଟିଲା ଓ ଏଥି ସହିତ ପୃଥିବୀର ବାହ୍ୟ ଆସ୍ତରଣ ଚୂର୍ଣ୍ଣୀଭୂତ ହୋଇଗଲା। ଏହି ଉଭୟ ଧ୍ବଂସାବଶେଷ ଦ୍ବାରା ସୃଷ୍ଟି ହୋଇଥିବା ଧୂଳି ଓ ବାଷ୍ପର ପଟଳ ମହାକାଶରେ ହଜାର ହଜାର କିଲୋମିଟର ବ୍ୟାପି ବିସ୍ତାର ଲାଭ କଲା। ଏହାପରେ ସହସ୍ର ସହସ୍ର ବର୍ଷ ଧରି ମାଧ୍ୟାକର୍ଷଣର ଚାପରେ ଏହି ଧୂଳି ପଟଳ କ୍ରମେ ବାନ୍ଧି ହେବାକୁ ଆରମ୍ଭ କରି ଶେଷରେ ଏକ ଗୋଲାକାର ସଘନ ପିଣ୍ଡରେ ପରିଣତ ହୋଇ ଆମ ପୃଥିବୀର ଚତୁର୍ଦ୍ଦିଗରେ ଘୂରିବାରେ ଲାଗିଲା। ସେଇ ଗୋଲାକାର ପିଣ୍ଡଟିର ନାମ ହେଉଛି- ଚନ୍ଦ୍ର, ଯାହାକୁ ଆମେ ଶ୍ରଦ୍ଧାରେ ଜହ୍ନ ମାମୁ ବୋଲି ସଂବୋଧନ କରିଥାଉ କିମ୍ବା କବିତ୍ବର ଆବେଶରେ କେବେ କେବେ ଶଶୀ ବୋଲି ମଧ୍ୟ ନଁା ଦେଇଥାଉ (‘‘ଭସା ମେଘ କୋଳେ/ଶଶୀ ହସି ଖେଳେ/ଖେଳି ମୁଁ ନ ପ‌ାରେ ଏକା, କାନ୍ତ ପାଇଁ/ପଥ ଚାହିଁ ଚାହିଁ।’’)।
ଏହି ଚାରିଶହ କୋଟି ବର୍ଷ ମଧ୍ୟରେ ପୃଥିବୀର ଚେହେରା ଓ ଚରିତ୍ରରେ ବ୍ୟାପକ ପରିବର୍ତ୍ତନମାନ ଘଟି ସାରିଲାଣି ଓ ଘଟିବାରେ ଲାଗିଛି। ଏଠାରେ ଜୀବନର ଆବିର୍ଭାବ ଘଟି ବିବର୍ତ୍ତନ ପ୍ରକ୍ରିୟା ଦେଇ ଶ୍ରେଷ୍ଠତମ ପ୍ରାଣୀ ରୂପେ ବିବେଚିତ ମନୁଷ୍ୟ ଆବିର୍ଭୂତ ହୋଇ ବର୍ତ୍ତମାନ ପୃଥିବୀକୁ ଦଖଲ କରିଛି। ଚନ୍ଦ୍ର କିନ୍ତୁ ଏ ପର୍ଯ୍ୟନ୍ତ ତା’ର ଆନୁଗତ୍ୟରେ ସାମାନ୍ୟତମ ଶିଥିଳତା ନ ଦେଖାଇ ତା’ର ସେଇ ପୂର୍ବାବସ୍ଥାରେ ସେଇ ପୂର୍ବଭଳି ପୃଥିବୀକୁ ପରିକ୍ରମା କରିଚାଲିଛି, ସମୁଦ୍ରରେ ଜୁଆର ଓ ଭଟ୍ଟା ସୃଷ୍ଟି କରିଚାଲିଛି, ଆମ ଉପରେ ଜ୍ୟୋତ୍ସ୍ନା ଅଜାଡ଼ି ଚାଲିଛି।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ତାହାର ଏହି ଅାନୁଗତ୍ୟ ପାଇଁ ଚନ୍ଦ୍ରକୁ ଇତିହାସରେ ଏକ ସମୟରେ ଦୀର୍ଘ କାଳ ଧରି ଏକ ଅପାଂକ୍ତେୟ ଅବସ୍ଥାରେ ରହିବାକୁ ହୋଇଥିଲା ମଧ୍ୟ। ଷୋଡ଼ଶ ଶତାବ୍ଦୀରେ ପୋଲାଣ୍ଡର ଗଣିତଜ୍ଞ-ଜ୍ୟୋତିର୍ବିଦ ନିକୋଲାସ୍ କୋପର୍‌ନିକସ୍ ବ୍ରହ୍ମାଣ୍ଡ ସମ୍ବନ୍ଧରେ ଆମର ଧାରଣାକୁ ଓଲଟାଇ ଦେବା ପୂର୍ବରୁ ଆମ ପାଇଁ ଏ ବ୍ରହ୍ମାଣ୍ଡ ଥିଲା ଦୁଇ ଭାଗରେ ବିଭକ୍ତ: ପାର୍ଥିବ (ପୃଥିବୀ ସଂପର୍କିତ) ଓ ସ୍ବର୍ଗୀୟ (ସ୍ବର୍ଗ ବା ଆକାଶ ସଂପର୍କିତ)। ଗଛଲତା, ପାହାଡ଼ ପର୍ବତ, ଗାଈଛେଳି, ମନୁଷ୍ୟ, ବର୍ଷାବୁନ୍ଦା…- ଏ ସମସ୍ତ ହେଉଛନ୍ତି ପାର୍ଥିବ। ସୂର୍ଯ୍ୟ, ଚନ୍ଦ୍ର, ତାରା ଆଦି ହେଉଛନ୍ତି ସ୍ବର୍ଗୀୟ। ପାର୍ଥିବ ବସ୍ତୁମାନେ ହେଉଛନ୍ତି ପତନଶୀଳ; ସ୍ବର୍ଗୀୟ ବସ୍ତୁମାନେ ହେଉଛନ୍ତି କକ୍ଷପଥରେ ଘୂର୍ଣ୍ଣନଶୀଳ। ପାର୍ଥିବ ବସ୍ତୁମାନେ ହେଉଛନ୍ତି କ୍ଷୟଶୀଳ, ସ୍ବର୍ଗୀୟ ବସ୍ତୁମାନେ ହେଉଛନ୍ତି ଚିରନ୍ତନ।
କୋପର୍‌ନିକସ୍ କିନ୍ତୁ ବ୍ରହ୍ମାଣ୍ଡକୁ ଏକ ଭିନ୍ନ ଭାବରେ ବିଭକ୍ତ କରିଦେଲେ। ଏହାର କେନ୍ଦ୍ରରେ ରହିଲେ ସୂର୍ଯ୍ୟ, ଯାହାଙ୍କର ଶ୍ରେଣୀ ହେଉଛନ୍ତି ସେ ନିଜେ। ତାଙ୍କୁ କେନ୍ଦ୍ରକରି ଘୂରୁଥିବା ଗ୍ରହମାନେ ହେଉଛନ୍ତି ଅନ୍ୟ ଏକ ଶ୍ରେଣୀର ଅଂଶ। ସେ ପର୍ଯ୍ୟନ୍ତ ଯେଉଁ ପୃଥିବୀକୁ ବ୍ରହ୍ମାଣ୍ଡର କେନ୍ଦ୍ର ବୋଲି ବିଚାର କରାହୋଇ ଆସୁଥିଲା (ସୂର୍ଯ୍ୟ ପୃଥିବୀକୁ ପରିକ୍ରମା କରେ ବୋଲି ବିଶ୍ବାସ କରାଯାଉ ନ ଥିଲା କି?), ଏଥର ସେଇ ପୃଥିବୀ ସେ ଗ୍ରହମାନଙ୍କ ମଧ୍ୟରୁ ମାତ୍ର ଗୋଟିଏ ଗ୍ରହରେ ପରିଣତ ହୋଇଗଲା! ସେ ବହନ କରୁଥିବା ନଭଶ୍ଚୁମ୍ବୀ ପର୍ବତମାଳା, ବିଶାଳ ସାଗର, ଅସଂଖ୍ୟ ଜୀବଜନ୍ତୁ… ସତ୍ତ୍ବେ ପୃଥିବୀ ବର୍ତ୍ତମାନ ହୋଇଗଲା ଶୁକ୍ର ବା ମଙ୍ଗଳ ପରି ଗ୍ରହମାନଙ୍କର ଶ୍ରେଣୀର ଏକ ସଦସ୍ୟ ଯେଉଁମାନେ ହେଉଛନ୍ତି ଆକାଶରେ କେତୋଟି ଆଲୋକ ବିନ୍ଦୁ ମାତ୍ର!
ଚନ୍ଦ୍ର କିନ୍ତୁ ଏ ଉଭୟ ଶ୍ରେଣୀରୁ ବହିଷ୍କୃତ ହୋଇଗଲା- ସେ ସୂର୍ଯ୍ୟ ଶ୍ରେଣୀର ନୁହେଁ କିମ୍ବା ସୂର୍ଯ୍ୟଙ୍କୁ ପରିକ୍ରମା କରୁଥିବା ଗ୍ରହମାନଙ୍କ ଶ୍ରେଣୀର ନୁହେଁ। ‌ସମସ୍ତ ଗ୍ରହମା‌େନ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିଥାନ୍ତି, କିନ୍ତୁ ବିଚରା ଚନ୍ଦ୍ର ହେଉଛି ଏକୁଟିଆ ଏକ ମହାକାଶୀୟ ପିଣ୍ଡ ଯିଏ ସେ ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ ଗ୍ରହ- ପୃଥିବୀକୁ ପ୍ରଦକ୍ଷିଣ କରିଥାଏ। ପୃଥିବୀର ଆକର୍ଷଣ ଏଡ଼ାଇ ନ ପାରି ସେ ଜ୍ୟୋତିଷ୍କ ସମାଜର ଶୃଙ୍ଖଳା ଭଙ୍ଗ କରି ସୂର୍ଯ୍ୟକୁ ଉପେକ୍ଷା କରି ଗୋଠଖଣ୍ଡିଆ ହୋଇ ପୃଥିବୀ ଚତୁର୍ଦ୍ଦିଗରେ ଘୂରିବାରେ ଲାଗିଥାଏ। କୋପର୍‌ନିକସ୍ ଚନ୍ଦ୍ରକୁ ଏପରି ଏକଲା କରିଦେବାର ପ୍ରାୟ ଶହେ ବର୍ଷ ପରେ ଗାଲିଲିଓ ତାଙ୍କର ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଆବିଷ୍କାର କଲେ ଯେ ଚନ୍ଦ୍ର ସଂପୂର୍ଣ୍ଣ ଏକଲା ନୁହେଁ, ତା’ର ମଧ୍ୟ ସୌରଜଗତରେ ସାଥୀ ଅଛନ୍ତି- ବୃହସ୍ପତିଙ୍କର ଉପଗ୍ରହମାନ (ଗାଲିଲିଓ ବୃହସ୍ପତିଙ୍କର ଚାରିଟି ଉପଗ୍ରହ ଆବିଷ୍କାର କରିଥିବାବେଳେ ସଦ୍ୟତମ ଆବିଷ୍କାର ଅନୁସାରେ ଛୋଟବଡ଼ ମିଶି ମୋଟ ୯୫ଟି ଉପଗ୍ରହ ବୃହସ୍ପତିଙ୍କୁ ପରିକ୍ରମା କରିଥାନ୍ତି)।
ସେଇ ଚନ୍ଦ୍ରର ପୃଷ୍ଠଦେଶ ତା’ର ଜୀବନସାରା ମହାକାଶରେ ଭାସି ବୁଲୁଥିବା ଅସଂଖ୍ୟ ପର୍ବତାକାର ପଥର ଖଣ୍ଡମାନଙ୍କର ଆଘାତ ସହି ଆସିଛି, ଯାହାର ଚିହ୍ନ ହେଉଛି ସେଠାରେ ସୃ‌ଷ୍ଟି ହୋଇଥିବା ଖାତମାନ। ପୃଥିବୀ ମଧ୍ୟ ଏହି ପଥର ମାଡ଼ରୁ ବର୍ତ୍ତି ନ ଥିବ; କିନ୍ତୁ ଜୀବନ୍ତ ପୃଥିବୀର ପରିବର୍ତ୍ତନଶୀଳ ଶରୀର ତା’ର ସେ କ୍ଷତ ଚିହ୍ନ ସବୁକୁ ଭରଣା କରିବାରେ କିମ୍ବା ଭୂଗର୍ଭରେ ଲୁଚାଇ ରଖିବାରେ ସଫଳ ହୋଇଛି। ଜହ୍ନର କ୍ଷତ ଚିହ୍ନମାନ କିନ୍ତୁ ସେଇଭଳି ଜଳ ଜଳ ହୋଇ ଚାହିଁ ରହିଛନ୍ତି, ଯେଉଁଭଳି ସେମାନେ ଆରମ୍ଭରୁ ଥିଲେ। ଏହାର କାରଣ ହେଲା, ପୃଥିବୀର ଥିବାଭଳି ଚନ୍ଦ୍ରର ଏକ ବାୟୁମଣ୍ଡଳ ନାହିଁ। ସେଠାରେ ତେଣୁ ଆକାଶ ନୀଳ ଦିଶି ନ ଥାଏ, ପବନ ବହି ନ ଥାଏ, ଚନ୍ଦ୍ରର ଆକାଶରେ ବହୁ ଅଧିକ ସଂଖ୍ୟାରେ ତାରାମାନ ଦେଖିବାକୁ ମିଳିଥାନ୍ତି ଓ ସେମାନେ ପୃଥିବୀର ଆକାଶରେ କରୁଥିବା ଭଳି ଦୁଷ୍ଟାମିଭରା ଟିପି ଟିପି ନ ହସି (‘‘ଟିପି ଟିପି ହସୁରେ କିଅଁା‌, ମତେ ଚାହିଁ ସରଗ ତାରା?/ଜାଣୁ ତ ମୁଁ ଜନମ ଦୁଃଖୀ, ହତାଶ ମୋ ଜୀବନସାରା’’) ସେଠାରେ ସ୍ଥିର ଆଲୋକ ପ୍ରଦାନ କରିଥାନ୍ତି। ପୃଥିବୀ ପୃଷ୍ଠରୁ ଏକଶହ କି.ମି. ଉଚ୍ଚତା ଠାରୁ ମହାକାଶ ଆରମ୍ଭ ହେଉଥିବାବେଳେ ଚନ୍ଦ୍ର ପୃଷ୍ଠରୁ ହିଁ ସାଙ୍ଗେ ସାଙ୍ଗେ ମହାକାଶ ଆରମ୍ଭ ହୋଇଯାଇଥାଏ। କ୍ଷତ ଚିହ୍ନମାନ ଭରିବା ପାଇଁ ବର୍ଷା ପବନ ନ ଥିବାରୁ, ଅର୍ଥାତ୍ ସେଠାରେ ପାଣିପାଗ ସଂପୂର୍ଣ୍ଣ ରୂପେ ଅନୁପସ୍ଥିତ ଥିବାରୁ ଚନ୍ଦ୍ରପୃଷ୍ଠର ଅସଂଖ୍ୟ ଖାତଗୁଡ଼ିକ ଅତୀତର ଆଘାତର ଜମାଟ ବାନ୍ଧି ଯାଇଥିବା ଚିରନ୍ତନ ସାଂସ୍କୃତିକ ଚିହ୍ନ ଭଳି ସେଠାରେ ସାଇତା ହୋଇ ରହିଛନ୍ତି। ‘ଚକାଚକା ଭଉଁରି’ର ମାମୁଘର ଅଗଣାରେ ନାଲିନେଳି ପଥର ଖଞ୍ଜା ଯାଇଥିବାବେଳେ ଜହ୍ନମାମୁଙ୍କ ଘରର ଅଗଣାରେ ଖଞ୍ଜା ହୋଇ ରହିଛନ୍ତି ଏହି ଚିରନ୍ତନ ଖାତମାନ।
ମନୁଷ୍ୟ ବର୍ତ୍ତମାନ ତା’ର ବାସସ୍ଥଳୀ ପୃଥିବୀର ଚେହେରାକୁ ତା’ର ବିଭିନ୍ନ କାର୍ଯ୍ୟକଳାପମାନ ମାଧ୍ୟମରେ ପ୍ରାୟ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇ ଏକ ‘ଆନ୍ଥ୍ରୋପୋସିନ୍’ ଯୁଗର ଆରମ୍ଭ କଲାପରେ ତା’ର ବିଷଦୃଷ୍ଟି ତା’ର ଏଇ ଦୀର୍ଘ କାଳର ଅନୁଗତ ସାଥୀଟି ଉପରେ ପଡ଼ିବାକୁ ଆରମ୍ଭ କଲାଣି। ଚୀନ୍‌ରୁ ଆମେରିକା ପର୍ଯ୍ୟନ୍ତ, ଭାରତରୁ ରୁଷିଆ ପର୍ଯ୍ୟନ୍ତ ଅଧିକରୁ ଅଧିକ ସଂଖ୍ୟକ ଦେଶମାନେ ସେଠାକୁ ମନୁଷ୍ୟ ଓ ଯାନ ପ୍ରେରଣ ଯୋଜନାମାନ କାର୍ଯ୍ୟକାରୀ କରି ଚନ୍ଦ୍ରର ସେଇ ସୁରକ୍ଷିତ ସାଂସ୍କୃତିକ ସଂପଦକୁ ନଷ୍ଟ କରିବାର ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା, ହ୍ବାଇଟ୍ ହାଉସ୍‌ରେ ‘ସ୍ପେସ୍ ଏକ୍ସ’ ରକେଟ୍ କଂପାନିର ମାଲିକ, ମହାକାଶ ନିଶାଗ୍ରସ୍ତ ଏଲନ୍ ମସ୍କଙ୍କର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କର ଘନିଷ୍ଠତମ ସହଯୋଗୀ ରୂପେ ଅନୁପ୍ରବେଶ ତାହାକୁ ଏବେ ବହୁଗୁଣିତ କରିଦେଇଛି।
ଏହି ପରିପ୍ରେକ୍ଷୀରେ ଏବେ ‘‌ୱାର୍ଲଡ୍ ମନୁମେଣ୍ଟସ୍ ଫଣ୍ଡ’ ପୃଥିବୀର ୨୯ଟି ଦେଶରେ ବିକ୍ଷିପ୍ତ ବିଭିନ୍ନ ବିପଦଗ୍ରସ୍ତ ସାଂସ୍କୃତିକ ଐତିହ୍ୟମାନଙ୍କର ଯେଉଁ ସଦ୍ୟ ତାଲିକା ପ୍ରକାଶ କରିଛି, ସେଥିରେ ଅନ୍ତର୍ଭୁକ୍ତ ଅନ୍ୟ ଗୋଟିଏ ଐତିହ୍ୟସ୍ଥଳୀ କେତେକଙ୍କୁ ଉଦ୍ଭଟ ମନେ ହେଉଥିଲେ ହେଁ, ତାହା ଯେ ଆମମାନଙ୍କ ପାଇଁ ମାତୁଳାଳୟରେ ଖୁସି ଓ ଆଶ୍ବସ୍ତି ସୃଷ୍ଟି କରୁଥିବ, ଏଥିରେ କୌଣସି ସନ୍ଦେହ ନାହିଁ: କାରଣ ସେଇ ଐତିହସ୍ଥଳୀର ନାମ ହେଉଛି- ଚନ୍ଦ୍ର। ଅନ୍ତତଃ ତାଙ୍କର କେତେକ ଭଣଜାଭାଣିଜୀମାନେ ଯେ ତାଙ୍କର ସାଂସ୍କୃତିକ ସଂରକ୍ଷଣ ପାଇଁ ଚିନ୍ତିତ ଅଛନ୍ତି, ତାହା ଜହ୍ନମାମୁଙ୍କୁ ଆଶ୍ବସ୍ତ କରୁଥିବ। ‘ମାମୁଘର ଅଗଣା’କୁ ସୁରକ୍ଷିତ ରଖିବା ଦିଗରେ ଏହା ହେଉଛି ଏକ ପ୍ରଥମ ପଦକ୍ଷେପ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.