Breaking News

ମାସକ ଧରମ ମୋର: ଡଙ୍ଗା ଭସାଇବାକୁ ରାତି ଅନିଦ୍ରା

ଆଖିକୁ ନିଦ ନଥିଲା। ବିଭିନ୍ନ ‌ଦେବାଳୟରୁ ଭାସି ଆସୁଥିବା ବେଦମନ୍ତ୍ରର ପବିତ୍ର ଧ୍ବନି ଘରର ଲାଇଟ୍‌ ବନ୍ଦ କରିବାକୁ ଅନୁମତି ଦେଉ ନଥିଲା। କେତେ ବେଳେ ଭୋର୍‌ ହେବ? ଏହା ପୂର୍ବରୁ ଧର୍ମ ଡଙ୍ଗା ଭସାଇବାକୁ ମନ ଯେମିତି ବ୍ୟାକୁଳ ହେଉଥିଲା।

0

ଭୁବନେଶ୍ବର: ଆଖିକୁ ନିଦ ନଥିଲା। ବିଭିନ୍ନ ‌ଦେବାଳୟରୁ ଭାସି ଆସୁଥିବା ବେଦମନ୍ତ୍ରର ପବିତ୍ର ଧ୍ବନି ଘରର ଲାଇଟ୍‌ ବନ୍ଦ କରିବାକୁ ଅନୁମତି ଦେଉ ନଥିଲା। କେତେ ବେଳେ ଭୋର୍‌ ହେବ? ଏହା ପୂର୍ବରୁ ଧର୍ମ ଡଙ୍ଗା ଭସାଇବାକୁ ମନ ଯେମିତି ବ୍ୟାକୁଳ ହେଉଥିଲା। ଖାସ୍‌ ସେଇଥିପାଇଁ ରାତି ଅଧରୁ ପାନ, ଗୁଆ, ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର, ଖୁଚୁରା ପଇସା, ଝୁଣୁକା କାଠିରେ ବଳିତା ସହ ସିନ୍ଦୂର ଓ ହଳଦୀରେ ଅତି ଜତନରେ ସଜା ଯାଇଥିଲା ଫଳନ୍ତି ଗଛର କଦଳୀ ବାହୁଙ୍ଗାରେ ନିର୍ମିତ ଧର୍ମ ଡଙ୍ଗା। ଆଉ ରାତି ୨ଟା ପରେ ଘରୁ ଗୋଡ଼ କାଢ଼ି ନଦୀ/ପୁଷ୍କରିଣୀ ମୁହାଁ ହୋଇଥିଲେ ଅଧିକାଂଶ ଭୁବନେଶ୍ବରିଆ। ମୁଖ୍ୟତଃ ଦୟାନଦୀ, କୁଆଖାଇ, ପୁରୁଣା ଭୁବନେଶ୍ବରର ବିନ୍ଦୁସାଗର ସମେତ ସମସ୍ତ ଐତିହ୍ୟ ପୁଷ୍କରିଣୀରେ ଡଙ୍ଗା ଦେବା ପାଇଁ ଲାଗିଥିଲା ଭିଡ଼। ‘‘ଆ କା ମା ବୈ… ପାନ ଗୁଆ ଥୋଇ…ପାନ ଗୁଆ ତୋର… ମାସକ ଧରମ ମୋର’’ ଉଚ୍ଚାରଣରେ ଧର୍ମ ଡଙ୍ଗା ଆଗକୁ ଆଗକୁ ଭାସି ଯାଇଥିଲା। ଆଉ କିଛି ସକାଳ ହେବା ପରେ ଘର ଅଗଣା, ଛାତ ଉପରେ କୃତ୍ରିମ ଜଳ ଉତ୍ସରେ ଡଙ୍ଗା ଭସାଇ ପରମ୍ପରା ରକ୍ଷା କରିଥିଲେ। ଖାଲି ସେତିକି ନୁହେଁ, ଡଙ୍ଗା ଭସାଇବା ପରେ ଦିଅଁଙ୍କ ଦର୍ଶନ ଓ ପ୍ରସାଦ ସେବନ ପାଇଁ ମନ୍ଦିରମାନଙ୍କରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା।

କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବାକୁ ପୁରୁଣା ଭୁବନେଶ୍ବରକୁ ଧାଇଁ ଆସିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ଫଳରେ ବିନ୍ଦୁସାଗରରେ ରାତି ଅଧରୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। କିଛି ଘରୁ ଡଙ୍ଗା ତିଆରି କରି ଆଣିଥିଲେ ଏବଂ ଆଉ କିଛି ‌ବିନ୍ଦୁସାଗର ଚାରି ପାଖରେ ବସିଥିବା ଶତାଧିକ ବ୍ୟବସାୟୀଙ୍କ ନିକଟରୁ ସୋଲ/କଦଳୀ ବାହୁଙ୍ଗା ଡଙ୍ଗା କିଣି ବିନ୍ଦୁସାଗରରେ ଭସାଇଥିଲେ। ରାତି ସାଢ଼େ ୨ରୁ ସକାଳ ଯାଏ ଡଙ୍ଗା ଭସାଣ ଚାଲିଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ‌ବିନ୍ଦୁସାଗରରେ ଚାରି ଦିଗରେ ଥିବା ଘାଟରେ ବାଉଁଶ ବାଡ଼ ଦିଆଯାଇଥିଲା। ତେଣୁ ଶ୍ରଦ୍ଧାଳୁମାନେ ବାଡ଼ ଭିତରେ ରହି ଡଙ୍ଗା ଭସାଇଥିଲେ। ସେହିପରି ଅଘଟଣ ଆଶଙ୍କାରେ ଦମକଳ ଓ ପୁଲିସ ବାହିନୀ ସଜାଗ ରହିଥିଲେ। ହେଲେ ସୌଭାଗ୍ୟବଶତଃ ଆଜି ସେଭଳି କୌଣସି ଅଘଟଣ ଘଟି ନଥିଲା। ଡଙ୍ଗା ଭସାଇବା ପରେ ଅନେକ ବ୍ୟକ୍ତି ବାଣ ଫୁଟାଇ ଉତ୍ସବ ମନାଇଥିଲେ। ଅନ୍ୟପଟେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁସାଗର ଉତ୍ତର ପାଖ କୂଳରେ ରାତିରୁ ଭଜନ ପରିବେଷଣ କରାଯାଇଥିଲା। ‌ଏଥିସହ ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ମନ୍ଦିରମାନଙ୍କରୁ ଭାସିଆସୁଥିବା ଭକ୍ତି ସଙ୍ଗୀତ ସମ୍ପୂର୍ଣ୍ଣ ଏକାମ୍ର କ୍ଷେତ୍ରକୁ ଭକ୍ତି ଓ ଭାବରେ ନିମଗ୍ନ କରିଥିଲା। ସେହିପରି କେଦାରଗୌରୀ, କପିଳେଶ୍ୱର, ରାମେଶ୍ୱର ମନ୍ଦିର, ସୂକ୍ଷ୍ମେଶ୍ୱର, ବ୍ରହ୍ମେଶ୍ୱର, ମେଘେଶ୍ୱର, ପାପନାଶିନୀ ପୁଷ୍କରିଣୀରେ ମଧ୍ୟ ଲୋକେ ଡଙ୍ଗା ଭସାଇଥିଲେ। ଏଥିସହ ମନ୍ଦିର ଓ ଘର ଆଗରେ ମୁରୁଜ, ଝୋଟି ଶୋଭାପାଇଥିଲା। ସେପହିପରି ବଡ଼ଓଷା କରିଥିବା ମହିଳାମାନେ ମନ୍ଦିରରେ ଗଜ ହାଣ୍ଡି ଭୋଗ କରି ବାଣ୍ଟିଥିଲେ।

ଲିଙ୍ଗରାଜଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ
କାର୍ତ୍ତିକ ପୂର୍ଣ୍ଣମୀକୁ ଆଖିରେ ରଖି ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ବାର ସଅଳ ଖୋଲିଥିଲା। ପ୍ରାୟ ରାତି ୪ଟା ବେଳକୁ ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ସାହାଣମେଲା ଦର୍ଶନ କରିଥିଲେ ଭକ୍ତ। ସିଂହଦ୍ବାରରେ ପୁଲିସ ଉପସ୍ଥିତ ଥାଇ ମଧ୍ୟ ଶ୍ରଦ୍ଧାଳୁଙ୍କୁ ପ୍ରଥମେ ଅଟକାଇ ପାରିନଥିଲେ। ପରେ ଧାଡ଼ି ବ୍ୟବସ୍ଥାରେ ଦର୍ଶନ ଆରମ୍ଭ ହୋଇଥିଲା। ହେଲେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ଥିବାରୁ ମନ୍ଦିର ଗର୍ଭଗୃହରୁ ଧାଡ଼ି ମନ୍ଦିର ପରିସର, ସିଂହଦ୍ବାର, ଚାହାଣିମଣ୍ଡପ ଦେଇ ପ୍ରାୟ ଅଧକି‌ଲୋମିଟରୁ ଅଧିକ ବାଟ ପର୍ଯ୍ୟନ୍ତ ଲମ୍ବିଥିଲା। ଦର୍ଶନ ପାଇଁ ବିଳମ୍ବ ହେଲେ ମଧ୍ୟ ହାତରେ ନଡ଼ିଆ, ବେଲପତ୍ର, କ୍ଷୀର ଧରି ଅତି ଶ୍ରଦ୍ଧାର ସହ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇଥିଲେ। ଏମିତିକି ହଜାର ହଜାର ଶ୍ରଦ୍ଧାଳୁ ଲମ୍ବା ଧାଡ଼ି ଦେଖି ମନ୍ଦିର ସିଂହଦ୍ବାର ସମ୍ମୁଖରେ ଦୀପ ଦାନ ଓ ମୁଣ୍ଡିଆ ମାରି ଫେରି ଯାଇଥିଲେ। ଭୋର୍‌ରୁ ରାତି ଯାଏ ମନ୍ଦିରରେ ପ୍ରବଳ ସମାଗମ ଲାଗି ରହିଥିଲା। କେବଳ ଲିଙ୍ଗରାଜ ମନ୍ଦିର ନୁହେଁ, ଭୁବନେଶ୍ବରରେ ଥିବା ସବୁ ଛୋଟ ବଡ଼ ମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା।

ତ୍ରୟୋଦଶ ବୋଇତବନ୍ଦାଣ ଉତ୍ସବ
ଧଉଳି,୧୫/୧୧(ଇମିସ): କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଆନୁକୂଲ୍ୟରେ ଦୟାନଦୀରେ ତ୍ରୟୋଦଶ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଶିକ୍ଷାବିତ, ଗାଳ୍ପିକ ତଥା ସଂଳାପକାର ଡ. ରଜନୀ ରଞ୍ଜନ ଦାଶଙ୍କୁ ଦୟାନଦୀ ସମ୍ମାନ-୨୦୨୪ରେ ସମ୍ମାନିତ କରାଯାଇଥିଲା। ସେହିପରି କବି ଅକ୍ଷୟ ସ୍ବାଇଁ, ଯୋଗଗୁରୁ ନବ କିଶୋର ବାରିକ, ସିନେ କଳାକାର ରବି କୁମାର ଓ ଲିଙ୍ଗିପୁର ରାଧାକାନ୍ତ ଦେବ ଗଣେଶ ପୂଜା କ୍ଲବ୍‌କୁ କାପୋକ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭୋର ୪ଟାରୁ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ପାମେଲା ଜୈନ, ଶ୍ରୀଚରଣ ମହାନ୍ତି, ଯୁଧିଷ୍ଠିର ଖୁଣ୍ଟିଆ, ଶିବାଶିଷ ସାମଲ ଏବଂ ରଶ୍ମିତା ଦାଶଙ୍କ ଭକ୍ତିସଙ୍ଗୀତ ଓ ଭଜନ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା। କାପୋକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଏଥିରେ ଏକାମ୍ର ବିଧାୟକ ବାବୁ ସିଂହ, ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଭୁବନେଶ୍ବର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ସ୍ତମ୍ଭକାର ଡ. ଅରୁନ୍ଧତୀ ଦେବୀ, ସୁବାର୍ତ୍ତାର ସଂପାଦକ ଡ. ପ୍ରଦ୍ୟୁମ୍ନ ଶତପଥୀ, ବିରଞ୍ଚି ନାରାୟଣ ମହାସୁପକାର, ସରପଞ୍ଚ କ୍ଷୀରୋଦ ପ୍ରଧାନ, ସମିତି ସଭ୍ୟ ପ୍ରକାଶ ସାହୁ, ପୂର୍ବତନ କର୍ପୋରେଟର ମଳୟ ମହାପାତ୍ର, ରାଜେନ୍ଦ୍ର ସାମର୍ଥା, ଦେବୀ ପ୍ରସାଦ ନନ୍ଦ, ପ୍ରତାପ ସାହୁ, ବିଭୂତି ପ୍ରଧାନ, ରଶ୍ମି ମହାପାତ୍ର, ରଶ୍ମିପ୍ରଭା ସାମନ୍ତରାୟ, ସୁବାସିନୀ ପୃଷ୍ଟି, ଆଲୋକ ସାହୁ, ସୂର୍ଯ୍ୟକାନ୍ତ ସାହୁ, ବଳରାମ ସ୍ବାଇଁ, ସନ୍ତୋଷ ବେହେରା, ଚିନ୍ମୟ ପ୍ରଧାନ, ବିଜୟ ସାମନ୍ତରାୟ, ବାମଦେବ ଗଜେନ୍ଦ୍ର, ପ୍ରମୋଦ ସ୍ବାଇଁ, ରବୀନ୍ଦ୍ର ପାତ୍ର, ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁରୂପ ଭାବେ ଧଉଳି ପାଦଦେଶ ଦୟାନଦୀ ବହିରଙ୍ଗେଶ୍ବର ଘାଟରେ ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ବାବୁ ସିଂ ଯୋଗ ଦେଇଥିଲେ। ଉପସଭାପତି ବିନ୍ଦୁସାଗର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାବୃନ୍ଦ ସହଯୋଗ କରିଥିଲେ।

ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ
ଭୁବନେଶ୍ବର,୧୫/୧୧(ଇମିସ): ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବିନ୍ଦୁସାଗରରେ ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଜେଡି ନେତା ମନ୍ମଥ ରାଉତରାୟ, ଶ୍ରୀମୟୀ ମିଶ୍ର, ସ୍ଥାନୀୟ କର୍ପୋରେଟର ଚନ୍ଦ୍ରଶେଖର ମଲ୍ଲିଆ, ଶିବପ୍ରସାଦ ରାୟ, ଶିବ ନାରାୟଣ ରାୟ, ନୃପେଶ ନାୟକ ପ୍ରମୁଖ ଉପସ୍ଥିତ ରହି ସାଧବ ପୁଅର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ବୋଇ ବନ୍ଦାଣ କରିଥିଲେ। ଏହି ଅବସରରେ ଓଡ଼ିଶା ପ୍ରାଶାସନିକ ସେବାରେ ସଫଳ ହେଇଥିବା ଅନ୍ୟାନ୍ୟ ଗରାବଡ଼ୁ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଜଗନ୍ନାଥ ଖୁଣ୍ଟିଆ, ସଫଳ ପର୍ବତାରୋହୀ ଚିନ୍ମୟ ମହାରଣା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଇଂରାଜୀ ସ୍ନାତକୋତ୍ତର ବିଭାଗର ସ୍ବର୍ଣ୍ଣପଦକ ବିଜୟିନୀ ପ୍ଲାବନି ମିଶ୍ର, ଟାଟ୍ଟୁ ଶିଳ୍ପୀ ଓମ୍ ଆଚାର୍ଯ୍ୟ ପ୍ରମୁଖଙ୍କୁ ଏକାମ୍ର ସାଂସ୍କୃତିକ ସମ୍ମାନରେ ଅତିଥିମାନେ ସମ୍ମାନିତ କରିଥିଲେ। ଶେଷରେ ଶିଳ୍ପୀ ହୃଷୀକେଶ ବେହେରା ଓ ସୌଦାମିନୀ ସାମଲଙ୍କ ଦ୍ୱାରା ପ୍ରସ୍ତୁତ ଏକ ସୁସଜ୍ଜିତ ବୋଇତକୁ ଅତିଥିମାନେ ବିନ୍ଦୁସାଗରରେ ବନ୍ଦାପନା କରି ଭସେଇଥିଲେ। ଏହି ଅବସରରେ ଭୋର୍ ୪ଟାରୁ ଆରାଧନା ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା।

ସଫେଇ କଲେ ସ୍ବେଚ୍ଛାସେବୀ
ପୁରୁଣା ଭୁବନେଶ୍ୱର: କପିଳେଶ୍ବରରେ ଶ୍ରଦ୍ଧାଳୁମାନଙ୍କ ବୋଇତ ବନ୍ଦାଣ ପରେ କପିଳେଶ୍ବରର ଯୁବକମାନଙ୍କ ଦ୍ବରା ମଣିକର୍ଣ୍ଣିକା ପୁଷ୍କରିଣୀକୁ ସଫା କରାଯାଇଥିଲା। ଜୟକୃଷ୍ଣ ମଲିଆଙ୍କ ସଂଯୋଜନାରେ ଗାନ୍ଧୀ ମଲିଆ, ରମେଶ ଚନ୍ଦ୍ର ମଲିଆ, ହେମନ୍ତ କୁମାର ମଲିଆ, ଜିତେନ୍ଦ୍ର ମଲିଆ, ସୁଶାନ୍ତ ମଲିଆ, ମଣ୍ଟୁ ମଲିଆ, ଅଗା ମକଦ୍ଦମ, ମନୋରଞ୍ଜନ ମଲିଆ, ମୁନୁ ମଲିଆ, ରଥ ମଲିଆ, ସରୋଜ କୁମାର ମହାନ୍ତି, ହରିହର ମଲିଆ, ଗୋପ ଦାଶ, ମାସୁମ ମଲିଆ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ସେହିପରି ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ବିନ୍ଦୁସାଗର ସମେତ ବିଭିନ୍ନ ମନ୍ଦିରରେ ସଫେଇ କରାଯାଇଥିଲା। ମନ୍ଦିରରେ ଭକ୍ତଙ୍କୁ ପାଣି ସିଞ୍ଚନ ସହ ଜଳ ଯୋଗାଣ କରିଥିଲେ ସଂସ୍ଥାର ସଭ୍ୟସଭ୍ୟା। ଏହାକୁ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ପୃଷ୍ଟି ପରିଚାଳନା କରିଥିଲେ। ସେବା ପ୍ରତିନିଧି ପକ୍ଷରୁ ମଧ୍ୟ ବିନ୍ଦୁସାଗର କୂଳରେ କଦଳୀବାହୁଙ୍ଗା, ସୋଲ ଓ କାଗଜ ଡଙ୍ଗାକୁ ସଫେଇ କରାଯାଇଥିଲା। ଅନୁଷ୍ଠାନର ସଂଯୋଜକ ନୀଳମଣି ମିଶ୍ରଙ୍କ ସଂଯୋଜନାରେ ସେଚ୍ଛାସେବୀମାନେ ସାମିଲ ହୋଇଥିଲେ।

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.