Breaking News

ମାୟାକର୍ଷଣ

ସେମାନେ ଏଭଳି ଏକ ଆଭାସ ମଧ୍ୟ ପାଇଥିବେ ଯେ ‘ନାସା’ର ସହକର୍ମୀ ବା ସେମାନଙ୍କ ପରିଚିତ ବା ସଂପର୍କୀୟମାନଙ୍କୁ ନେଇ ରହିଥିବା କ୍ଷୁଦ୍ର ପରିସରକୁ ଅତିକ୍ରମ କରି ସମଗ୍ର ପୃଥିବୀ ସେମାନଙ୍କ ସୁସ୍ବାସ୍ଥ୍ୟ...

ସେମାନେ ଏଭଳି ଏକ ଆଭାସ ମଧ୍ୟ ପାଇଥିବେ ଯେ ‘ନାସା’ର ସହକର୍ମୀ ବା ସେମାନଙ୍କ ପରିଚିତ ବା ସଂପର୍କୀୟମାନଙ୍କୁ ନେଇ ରହିଥିବା କ୍ଷୁଦ୍ର ପରିସରକୁ ଅତିକ୍ରମ କରି ସମଗ୍ର ପୃଥିବୀ ସେମାନଙ୍କ ସୁସ୍ବାସ୍ଥ୍ୟ ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଲାଗି ଉଦ୍‌ବିଗ୍ନ ହୋଇ ଉଠିଥିଲା ଏବଂ ମାର୍ଚ୍ଚ ୧୮ ତାରିଖରେ ନିରବରେ ପ୍ରାର୍ଥନା କରିବାରେ ଲାଗିଥିଲା। ସତ କଥା ହେଲା, ଭୂପୃଷ୍ଠରୁ ଚାରିଶହ କିଲୋମିଟର ଉଚ୍ଚତାରେ ମାଧ୍ୟାକର୍ଷଣର ଡୋର ଛିନ୍ନ ହୋଇ ଯାଇଥିଲେ ହେଁ ଯାହା ଛିନ୍ନ ହୋଇ ନ ଥାଏ ତାହା ହେଲା ପୃଥିବୀର ଅଧିବାସୀ ହୋଇଥିବା ହେତୁ ସ୍ବାଭାବିକ ଭାବେ ସୃଷ୍ଟି ହୋଇ ଯାଇଥିବା ଏକ ସଂପର୍କର ସୂତ୍ର। ଏ କଥା ସେମାନେ ସୁନିଶ୍ଚିତ ଭାବେ ଉପଲବ୍‌ଧି କରିଥିବେ।

ଗଲା ଅଗଷ୍ଟ ୧୨ ତାରିଖରେ ‘ତ୍ରିଶଙ୍କୁ’ ଶୀର୍ଷକ ସହିତ ଏହି ସ୍ତମ୍ଭରେ ଯେଉଁ ଲେଖାଟି ପ୍ରକାଶିତ ହୋଇଥିଲା, ତହିଁରେ ‘ଇଣ୍ଟର୍‌ନେସ୍‌ନାଲ୍‌ ସ୍ପେସ୍‌ ଷ୍ଟେସନ୍‌’ (ଆଇ.ଏସ୍‌.ଏସ୍‌.) ବା ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ରେ ଅଗତ୍ୟା ଓ ଅପ୍ରତ୍ୟାଶିତ ଭାବେ ଅଟକି ଯାଇଥିବା ଦୁଇ ମହାକାଶଚାରୀ ସୁନୀତା ୱିଲିଅମ୍‌ସ ଓ ବ୍ୟାରି ୱିଲମର ସମ୍ମୁଖୀନ ହୋଇଥିବା ପରିସ୍ଥିତି ନେଇ ଉଦ୍‌ବେଗ ପ୍ରକାଶିତ ହୋଇଥିଲା। ପ୍ରକାଶ ଥାଉ କି ମାତ୍ର ଆ‌ଠ ଦିନ ସକାଶେ ଅନ୍ତରୀକ୍ଷକୁ ଯାଇଥିବା ଏହି ମହାକାଶଚାରୀ ଦ୍ବୟ ସେତେବେଳକୁ ଅଶୀ ଦିନ ଧରି ‘ଆଇ.ଏସ୍‌.ଏସ୍‌.’ରେ ଝୁଲି ରହିଥିଲେ ଏବଂ ସେମାନଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନକୁ ଘୋର ଅନିଶ୍ଚିତତା ଘୋଟି ରହିଥିଲା। ତେବେ, ସେହି ଲେଖାରେ ଏକ ଆଶା ମଧ୍ୟ ପ୍ରକାଶିତ ହେଇଥିଲା ଯେ ଯଦି ନିର୍ଦ୍ଧାରିତ ଯୋଜନାନୁସାରେ ‘କ୍ରିଉ ନାଇନ୍‌’ ମହାକାଶ ଯାନଟି ଡିସେମ୍ବର ମାସରେ ସେଠାରେ ପହଞ୍ଚେ ତେବେ ଫେବ୍ରୁଆରି ମାସରେ ସେମାନଙ୍କ ଘର ବାହୁଡ଼ା ହୁଏତ ସମ୍ଭବ ହୋଇପାରେ। ଯାହା ହେଉ, ବର୍ତ୍ତମାନ ସେହି ଆଶାଟି ଅନ୍ତତଃ ପୂରଣ ହୋଇଛି; ଯଦିଓ ତାହା ଫେବ୍ରୁଆରି ମାସ ପରିବର୍ତ୍ତେ ମାର୍ଚ୍ଚ ମାସ ୧୮ ତାରିଖରେ ସମ୍ଭବ ହେଲା ଏବଂ ମୋଟ ୨୮୬ ଦିନ ସେମାନେ ଅନ୍ତରୀକ୍ଷରେ କାଳାତିପାତ କରିବା ପରେ ଧରାବତରଣ କରିଛନ୍ତି।
ବର୍ତ୍ତମାନ ଏହା ସର୍ବଜନବିଦିତ ଯେ କିଭଳି ‘ଷ୍ଟାର ଲାଇନର’ ନାମକ ଯେଉଁ ମହାକାଶ ଯାନରେ ମାତ୍ର ଆଠ ଦିନ ସକାଶେ ଏହି ମହାକାଶଚାରୀ ଦ୍ବୟ ଅନ୍ତରୀକ୍ଷ ଗମନ କରିଥିଲେ, ତହିଁରେ କେତେକ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ତହିଁରେ ଭୂପୃଷ୍ଠକୁ ଫେରିବାର ସମସ୍ତ ସମ୍ଭାବନା ଲୋପ ପାଇଥିଲା। ତେବେ, ସେ ଯାହା ହେଉ ଏହି ସଂଦର୍ଭରେ ପ୍ରଶ୍ନ ଉଠିଥାଏ ଯେ ଏହି ଦୁଇ ମହାକାଶଚାରୀଙ୍କ ପରିସ୍ଥିତି, ସ୍ବାସ୍ଥ୍ୟାବସ୍ଥା ଏବଂ ସୁରକ୍ଷିତ ଘର ବାହୁଡ଼ା ଲାଗି ପୃଥିବୀ ଏଭଳି ଉତ୍‌କୀର୍ଣ୍ଣ ହୋଇ ଉଠିଥିଲା କାହିଁକି? ଏହା ଅବଶ୍ୟ ଏକ ବାସ୍ତବତା ଯେ ମହାକାଶର ମାଧ୍ୟାକର୍ଷଣ ଶୂନ୍ୟ ବାତାବରଣରେ ଦୀର୍ଘ କାଳ ଧରି ଓଜନ ବିହୀନ ଜୀବନଯାପନ କରିବା ସ୍ବାସ୍ଥ୍ୟ ସକାଶେ ଅହିତକର। ତା’ ସହିତ ମହାକାଶୀୟ ବିକିରଣ ମଧ୍ୟ ଶରୀରରେ କ୍ୟାନସର ସୃଷ୍ଟି କରିବାର ଆଶଙ୍କା ଥାଏ। କିନ୍ତୁ, ସତ କହିଲେ ଏହି ଦୁଇ ମହାକାଶଚାରୀ ଏକାଦିକ୍ରମେ ସର୍ବାଧିକ କାଳ ଅତିବାହିତ କରିଥିବାର ରେକର୍ଡଧାରୀ ନୁହନ୍ତି, ଯାହା ସୃଷ୍ଟି କରିଥିଲେ ରୁଷ ମହାକାଶଚାରୀ ଭାଲେରୀ ପୋଲ୍ୟାକୋଭ, ଯିଏ ୧୯୯୪ ଜାନୁଆରିରୁ ୧୯୯୫ ମାର୍ଚ୍ଚ ମାସ ମଧ୍ୟରେ ରୁଷୀୟ ମହାକାଶ ଗବେଷଣା କେନ୍ଦ୍ର ‘ମିର’ରେ ନିରବଚ୍ଛିନ୍ନ ଭାବେ ୪୩୭ ଦିନ ଅତିବାହିତ କରିଥିଲେ। ସେମିତି ଅନେକ ଅନ୍ତରୀକ୍ଷ ଯାତ୍ରାରେ ଯାଇ ୬୬୫ ଦିନର ରହଣି ସହିତ ଦୀର୍ଘତମ ସମୟ ମହାକାଶରେ ଅତିବାହିତ କରିଥିବା ମହାକାଶଚାରୀ ହେଉଛନ୍ତି ଜଣେ ମହିଳା, ଯାହାଙ୍କ ନାମ ପେଗି ହ୍ବିଟସନ। ପ୍ରକାଶ ଥାଉ କି ଦୀର୍ଘ ସତେଇଶ ବର୍ଷ ଧରି ଅନ୍ତରୀକ୍ଷରେ ପୃଥିବୀକୁ ପ୍ରଦକ୍ଷିଣ କରି ଚାଲିଥିବା ମହାକାଶ କେନ୍ଦ୍ର ‘ଆଇ.ଏସ୍‌.ଏସ୍‌.’ ଏ ପର୍ଯ୍ୟନ୍ତ ଦିନଟିଏ ହେଲେ ସୁଦ୍ଧା ଖାଲି ହୋଇନାହିଁ ଏବଂ ବିଭିନ୍ନ ଦେଶର ମହାକାଶଚାରୀମାନେ ସେଠାରେ ଦୀର୍ଘ କାଳ ଅବସ୍ଥାନ କରି ବିଭିନ୍ନ ଗବେଷଣା କରି ଚାଲିଛନ୍ତି। କିନ୍ତୁ, ପୂର୍ବରୁ ତ ଏ ସଂଦର୍ଭରେ କୌଣସି ଆଲୋଚନା ଓ ଉଦ୍‌ବେଗ ସୃଷ୍ଟି ହୋଇ ନ ଥିଲା!
ସମ୍ଭବତଃ ଏହାର ଏକ କାରଣ ହୋଇପାରେ ଯେ ମାତ୍ର ଆଠ ଦିନ ସକାଶେ ଅନ୍ତରୀକ୍ଷକୁ ଯାଇ ସେଠାରେ ଅଟକି ଯିବାକୁ ବାଧ୍ୟ ହୋଇଥିବା କାରଣରୁ ଭୂପୃଷ୍ଠରେ ଏକ ଧାରଣା ସୃଷ୍ଟି ହେଲା ଯେ ମହାକାଶଚାରୀ ଦ୍ବୟ ଏଭଳି ସ୍ଥିତିରେ କିଂକର୍ତ୍ତବ୍ୟବିମୂଢ଼ ଓ ଅସହାୟ ‌େହାଇ ପଡ଼ିଥିବେ, ଠିକ୍‌ ଯେମିତି ବିଦେଶ ଭୂମିରେ ଜଣେ ପର୍ଯ୍ୟଟକ ତା’ର ପାସପୋର୍ଟ ହଜାଇ ଦେଇ ହୋଇଥାଏ। ପୁଣି ଅନ୍ତରୀକ୍ଷ ଯାତ୍ରା ଏକ ସରଳ ବ୍ୟାପାର ହୋଇ ନ ଥିବାରୁ ସେଠାରେ ଦୈବାତ୍‌ ଅଟକି ଯାଇଥିବା ଯାତ୍ରୀଙ୍କୁ ଫେରାଇ ଆଣିବା ସହଜସାଧ୍ୟ ହୋଇ ନ ଥାଏ। ପୃଥିବୀର ସର୍ବତ୍ର ମହାକାଶ ଯାତ୍ରା ଅତ୍ୟନ୍ତ ସୁନିର୍ଦ୍ଦିଷ୍ଟ ଯୋଜନା, ଶୃୃଙ୍ଖଳା ଓ ପ୍ରାକ୍‌ ପ୍ରସ୍ତୁତି ସହିତ ହୋଇଥାଏ। ସେହି କାରଣରୁ ଏହି ମହାକାଶଚାରୀ ଦ୍ବୟ ସେଠାରେ ଅଟକି ଥିବା ବେଳେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ମହାକାଶଚାରୀଗଣ ସେମାନଙ୍କ ମହାକାଶଯାନ ‘କ୍ରିଉ ଏଇଟ୍‌’ରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ତାହାର ସୁଯୋଗ ନେବା ପ୍ରଶ୍ନାତୀତ ଥିଲା। ବୋଧହୁଏ ଏଭଳି କିଛି କାରଣରୁ ଅଗଷ୍ଟ ମାସ ୧୨ ତାରିଖରେ ପ୍ରକାଶିତ ସଂପାଦକୀୟଟି ଏକ ଦୀର୍ଘଶ୍ବାସ ବହନକାରୀ ଏବଂ ଈଷତ୍‌ ସାନ୍ତ୍ବନା ପ୍ରଦାୟୀ ବାକ୍ୟରେ ଅନ୍ତ ହୋଇଥିଲା ଯେ ‘ଭୂପୃଷ୍ଠରେ ରହିଥିବା ଆମ ଭଳି କେହି ନିଜ କଳ୍ପନାକୁ ରୂପ ଦେଇ ଏକ ନାଟକୀୟ କ୍ଷଣ ସୃଷ୍ଟି କରିପାରନ୍ତି, ଯହିଁରେ ୨୦୨୫ ମସିହାର ଗୋଟିଏ ଫେବ୍ରୁଆରି ମୁହୂର୍ତ୍ତ ହଠାତ୍‌ ସେମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିବ, ‘ତ୍ରିଶଙ୍କୁରୁ ମୁକ୍ତ ହେଲ, ଏବେ ଘରକୁ ଚାଲ!’
କିନ୍ତୁ ସତ କଥାଟି ହେଲା ଉଭୟ ମହାକାଶଚାରୀ ସେମାନଙ୍କ ଏଭଳି ସ୍ଥିତି ‌େନଇ ଆଦୌ ଉଦ୍‌ବିଗ୍ନ ବା ବିଚଳିତ ନ ଥିଲେ ବା ‘ଘର ବାହୁଡ଼ା’ ଲାଗି ଉଦ୍‌ଗ୍ରୀବ ନ ଥିଲେ। ମାର୍ଚ୍ଚ ୧୮ ତାରିଖରେ ‘ଆଇ.ଏସ୍‌.ଏସ୍‌.’ରୁ ବିଦାୟ ନେବା ପୂର୍ବରୁ ସେମାନଙ୍କ ଦ୍ବାରା ପ୍ରଦତ୍ତ ସାକ୍ଷାତ୍‌କାରରେ ସେମାନେ ଦୃଢ଼ ଭାବରେ କହିଛନ୍ତି ଯେ ସେମାନଙ୍କର ଏହି ଅପ୍ରତ୍ୟାଶିତ ଅତିରିକ୍ତ ରହଣିକୁ କୌଣସି ଦୃଷ୍ଟିରୁ ‘ଅଟକ’ ବା ‘ନିର୍ବାସନ’ ଅଥବା ‘ପରିତ୍ୟକ୍ତ ହୋଇଛନ୍ତି’ ବୋଲି ବିଚାର କରାଯାଇ ନ ପାରେ; ବରଂ ତାହା ଥିଲା ସେମାନଙ୍କ ଲାଗି ଅଧିକ ଗବେଷଣା ଓ ପରୀକ୍ଷାନିରୀକ୍ଷା କରିବାର ପରିବର୍ଦ୍ଧିତ ସୁଯୋଗ, ଯାହା ସେମାନେ ଏକ ଆଶୀର୍ବାଦ ଭଳି ଲାଭ କରିଥିଲେ। ପ୍ରକାଶ ଥାଉ କି ଏହି ଅଧିକ ରହଣି କାଳରେ ଉଭୟ ମହାକାଶଚାରୀ ଶତାଧିକ ମହତ୍ତ୍ବପୂର୍ଣ୍ଣ ମହାକାଶୀୟ ଗବେଷଣା ସଂପନ୍ନ କରିଛନ୍ତି। ଏହା ଫଳରେ ସୁନୀତା ୱିଲିଅମ୍‌ସ ମହାକାଶରେ ଦୀର୍ଘ ସମୟ ବିଚରଣ କରି ଅନିର୍ବଚନୀୟ ଅନୁଭୂତିର ଅଧିକାରିଣୀ ହେବା ସହିତ ସର୍ବାଧିକ ସମୟ ଧରି ମହାକାଶରେ ବୁଲିଥିବା ମହିଳା ଭାବେ ଏକ ନୂତନ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ଦୁଇ ମହାକାଶଚାରୀ ସାମରିକ ପୃଷ୍ଠଭୂମିରୁ ଆସିଥାଆନ୍ତି ଏବଂ ଯେ କୌଣସି କଠିନ ପରିସ୍ଥିତିର ସମ୍ମୁଖୀନ ହେବା ସକାଶେ ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ଥାଆନ୍ତି। କେବଳ ସେତିକି ନୁହେଁ, ମହାକାଶ ଯାତ୍ରାର ପ୍ରସ୍ତୁତି ପ୍ରଶିକ୍ଷଣ କାଳରେ ଏକାଗ୍ରତା ଓ ଧୈର୍ଯ୍ୟ ରକ୍ଷା ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଇଥାଏ। ଉଭୟ ମହାକାଶଚାରୀ କହିଛନ୍ତି ଯେ ନିୟମିତ ପରୀକ୍ଷାନିରୀକ୍ଷା, ଆଳାପ ଆଲୋଚନା, ଧ୍ୟାନ ଓ ବ୍ୟାୟାମ ଆଦି ସେମାନଙ୍କୁ ଏଭଳି ନିମଜ୍ଜିତ କରି ରଖିଥିଲା ଯେ ସେମାନେ ବିରକ୍ତି ବା ଅବସାଦର ଗୋଟିଏ ହେଲେ କ୍ଷଣର ସମ୍ମୁଖୀନ ହୋଇ ନାହାନ୍ତି। କେବଳ ସେତିକି ନୁହେଁ, ଉଭୟ ଏକ ସ୍ବରରେ ସ୍ବୀକାର କରନ୍ତି ଯେ ଭୂପୃଷ୍ଠରେ ଅବସ୍ଥିତ ‘ନାସା’ର ସହକର୍ମୀ ଏବଂ ପରିଚିତ ସଂପର୍କୀୟମାନଙ୍କ ଅକୁଣ୍ଠ ସହଯୋଗ ଓ ସଦିଚ୍ଛା ହେତୁ ‘ଅସହାୟ’ ବା ‘ପରିତ୍ୟକ୍ତ’ ବୋଲି ବୋଧ କରିବାର କୌଣସି କାରଣ ହିଁ ନ ଥିଲା।
ତେବେ, କେବଳ ସେତିକି ନୁହେଁ, ସେମାନେ ଏଭଳି ଏକ ଆଭାସ ମଧ୍ୟ ପାଇଥିବେ ଯେ ‘ନାସା’ର ସହକର୍ମୀ ବା ସେମାନଙ୍କ ପରିଚିତ ବା ସଂପର୍କୀୟମାନଙ୍କୁ ନେଇ ରହିଥିବା କ୍ଷୁଦ୍ର ପରିସରକୁ ଅତିକ୍ରମ କରି ସମଗ୍ର ପୃଥିବୀ ସେମାନଙ୍କ ସୁସ୍ବାସ୍ଥ୍ୟ ଓ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଲାଗି ଉଦ୍‌ବିଗ୍ନ ହୋଇ ଉଠିଥିଲା ଏବଂ ମାର୍ଚ୍ଚ ୧୮ ତାରିଖରେ ନିରବରେ ପ୍ରାର୍ଥନା କରିବାରେ ଲାଗିଥିଲା। ସତ କଥା ହେଲା, ଭୂପୃଷ୍ଠରୁ ଚାରିଶହ କିଲୋମିଟର ଉଚ୍ଚତାରେ ମାଧ୍ୟାକର୍ଷଣର ଡୋର ଛିନ୍ନ ହୋଇ ଯାଇଥିଲେ ହେଁ ଯାହା ଛିନ୍ନ ହୋଇ ନ ଥାଏ ତାହା ହେଲା ପୃଥିବୀର ଅଧିବାସୀ ହୋଇଥିବା ହେତୁ ସ୍ବାଭାବିକ ଭାବେ ସୃଷ୍ଟି ହୋଇ ଯାଇଥିବା ଏକ ସଂପର୍କର ସୂତ୍ର। ଏ କଥା ସେମାନେ ସୁନିଶ୍ଚିତ ଭାବେ ଉପଲବ୍‌ଧି କରିଥିବେ। ପ୍ରକୃତରେ ପୃଥିବୀର ଏହି ଲୋଡ଼ିବାର ପଣ କାରଣରୁ ସେମାନେ ହୁଅନ୍ତୁ ବା ସେମାନଙ୍କ ଭଳି ଅନ୍ୟ ମହାକାଶଚାରୀମାନେ ହୁଅନ୍ତୁ; ଅନ୍ତରୀକ୍ଷରେ ଅସହାୟ ବୋଧ କରନ୍ତି ନାହିଁ। ଏହା ହେଉଛି ମାୟାର ଆକର୍ଷଣ। ଅନ୍ତରୀକ୍ଷରେ ମାଧ୍ୟାକର୍ଷଣ ସଂପୂର୍ଣ୍ଣ ନିଷ୍ପ୍ରଭ ହୋଇ ଯାଉଥିଲେ ହେଁ ମାୟାକର୍ଷଣ ତା’ର ଗୁରୁତ୍ବ ହରାଇ ନ ଥାଏ, ଯାହା ସେଠାକାର ରହଣିକୁ ପ୍ରାଣବନ୍ତ କରି ରଖେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.