Breaking News

ମା’ ମଙ୍ଗଳାଙ୍କ ପାଳି ଯାତ୍ରା

ଚୈତ୍ରମାସର ମଙ୍ଗଳବାର ମା’ ମଙ୍ଗଳାଙ୍କ ପୂଜାର ପ୍ରକୃଷ୍ଟ ବାର। ଏମିତି‌େର ଓଡ଼ିଶାର ପ୍ରାୟ ପ୍ରତି ଘରେ, ପ୍ରତିଦିନ ମା’ ମଙ୍ଗଳାଙ୍କର ପୂଜା ହୋଇଥାଏ। କିନ୍ତୁ ଚୈତ୍ରମାସର ମଙ୍ଗଳବାର ଗୁଡ଼ିକରେ ଗୃହିଣୀମାନେ ଘର ସାମ୍ନାରେ ବା ଗ୍ରାମର...

ଚୈତ୍ରମାସର ମଙ୍ଗଳବାର ମା’ ମଙ୍ଗଳାଙ୍କ ପୂଜାର ପ୍ରକୃଷ୍ଟ ବାର। ଏମିତି‌େର ଓଡ଼ିଶାର ପ୍ରାୟ ପ୍ରତି ଘରେ, ପ୍ରତିଦିନ ମା’ ମଙ୍ଗଳାଙ୍କର ପୂଜା ହୋଇଥାଏ। କିନ୍ତୁ ଚୈତ୍ରମାସର ମଙ୍ଗଳବାର ଗୁଡ଼ିକରେ ଗୃହିଣୀମାନେ ଘର ସାମ୍ନାରେ ବା ଗ୍ରାମର ଦୋ’ଛକି ଦାଣ୍ଡରେ ସ୍ବତନ୍ତ୍ର ଧରଣର ଗାତ (ପନ୍ଥେଇ) ଖୋଳି, ପଣା ଆଦି ଭୋଗଦେଇ ମାଆଙ୍କୁ ପୂଜା କରିଥାନ୍ତି। ଏଥିରେ ଦେବୀ ବାଟମଙ୍ଗଳା ରୂପେ ପୂଜିତା। ଏବେ ବିଶେଷ ଭାବରେ ଅନୁସୃତ ହେଉ ନ ଥିଲେ ମଧ୍ୟ, ପୂର୍ବେ  ଚୈତ୍ର ମଙ୍ଗଳବାରଗୁଡ଼ିକରେ, ରାତିରେ ଘରେ ଗୋଟିଏ ଶିଳପୁଆକୁ ପନ୍ଥେଇଠାକୁରାଣୀ ବା ମାଆ ମଙ୍ଗଳା ରୂପେ କଳ୍ପନା କରି ତାଙ୍କ ନିକଟରେ ଗଇଣ୍ଠା, ଅଟକାଳି ଆଦି ଭୋଗ କରିବାର ପ୍ରଥା ଥିଲା।

ଚୈତ୍ର ମାସର ପ୍ରଥମ ଚାରି ମଙ୍ଗଳବାର ‌ପୂଜା କରାଯିବା ପରେ, ସେହି ମାସର ପଞ୍ଚମ ମଙ୍ଗଳବାର ବା ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ମାଆଙ୍କୁ ସ୍ବତନ୍ତ୍ର ଭାବେ ପୂଜା କରିବାରେ ପ୍ରଥା ଏବେ ପ୍ରଚଳିତ ଅଛି। ପ୍ରଥମ ଚାରି ମଙ୍ଗଳବାରକୁ ‘ପାଳିଯାତ୍ରା’ ଏବଂ ପଞ୍ଚମ ତଥା ଶେଷ ମଙ୍ଗଳବାରକୁ ‘ଝାମୁଯାତ୍ରା’ କୁହାଯାଉଛି।
ଚୈତ୍ରମାସର ପ୍ରଥମ ଚାରି ମଙ୍ଗଳବାରରେ ମା’ ମଙ୍ଗଳାଙ୍କର କାହିଁକି ଏହି ବିଶେଷ ପୂଜା କରାଯାଏ, ତା’ ପଛରେ ନିର୍ଦ୍ଦିଷ୍ଟ କିଂବଦନ୍ତି ଅଛି। କଥିତ ଅଛି, ଯେ ବହୁ ପୂର୍ବ କାଳରେ ଶ୍ରୀଜଗନ୍ନାଥଙ୍କ ନବକଳେବର ନିମନ୍ତେ ମା’ ମଙ୍ଗଳାଙ୍କର କରୁଣା ପ୍ରାର୍ଥନା କରି, କଳିଙ୍ଗର ତତ୍‌କାଳୀନ ରାଜା ହଟ ଓ ବଟ ନାମକ ଦୁଇଜଣ ବ୍ରାହ୍ମଣଙ୍କୁ କାକଟପୁର ପଠାଇଥିଲେ। ସେହି ଦୁଇ ବ୍ରାହ୍ମଣ ତନ୍ତ୍ର, ମନ୍ତ୍ର ଓ ଯୋଗବିଦ୍ୟାରେ ପ୍ରବୀଣ। ଦୁହେଁ କାକଟପୁର ଆସି ମା’ ମଙ୍ଗଳାଙ୍କର ଦର୍ଶନ ପାଇ ନ ଥିଲେ।

ସେମାନେ ଅନୁଧ୍ୟାନ କରି ଜାଣିଲେ ଯେ ନିକଟରେ ପ୍ରବାହିତ ପ୍ରାଚୀ ନଦୀର ଗଭୀର ଗଣ୍ଡରେ ମାଆ ନିମଜ୍ଜିତା ହୋଇ ରହିଛନ୍ତି। ତେଣୁ ମା’ ମଙ୍ଗଳାଙ୍କୁ ପାଇବାପାଇଁ ଦୁହେଁ ପ୍ରାଚୀତଟରେ ତାଙ୍କୁ ଧ୍ୟାନ କରିବା ଆରମ୍ଭ କଲେ। ସେହି ଦିନଟି ଥିଲା ଚୈତ୍ରମାସର ପ୍ରଥମ ମଙ୍ଗଳବାର। ଏହିପରି ଭାବରେ ଚାରିଟି ମଙ୍ଗଳବାର ବିତିଯିବା ପରେ ବି ମାଆଙ୍କର ସନ୍ଧାନ ବା ସୂଚନା ନ ପାଇ, ସେମାନେ ଅଗ୍ନି ପ୍ରଜ୍ଜ୍ବଳିତ କରି ସେଥିରେ ଆତ୍ମାହୁତି ଦେବାକୁ ଉଦ୍ୟମ କଲେ। ଫଳରେ ମାଆ ତାଙ୍କ ଆଗରେ ଆବିର୍ଭୂତ ହୋଇ, ନିଜ ସଂପର୍କରେ ନିର୍ଦ୍ଦିଷ୍ଟ ସୂଚନା ଦେଇଥିଲେ। ତାହା ଅନୁସାରେ, ପ୍ରାଚୀନଦୀର ଗଭୀର ଗଣ୍ଡରୁ ତାଙ୍କର ବିଗ୍ରହଙ୍କୁ ଉଦ୍ଧାର କରାଯାଇ ଥିଲା। ସେହିଦିନଠାରୁ ଚୈତ୍ର ମଙ୍ଗଳବାରଗୁଡ଼ିକରେ ମାଆଙ୍କର ପାଳିଯାତ୍ରା ଅନୁଷ୍ଠିତ ହୋଇ ଆସୁଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.