Breaking News

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି କିଛି କାର୍ଯ୍ୟ ଓ ଆବଶ୍ୟକତାର ସମଷ୍ଟି। ଯେଉଁ କର୍ତ୍ତବ୍ୟ ଏବଂ ଦାୟିତ୍ୱ ସମ୍ପାଦନରେ ଅନ୍ୟ ଜଣେ ବ୍ୟକ୍ତିର ସହଭାଗିତା ନିହାତି ଆବଶ୍ୟକ, ଯେଉଁଥିପାଇଁ ଜଣେ ପୁରୁଷ ଅବା ନାରୀ ଗୋଟିଏ ଜୀବନସାଥୀ ଆବଶ୍ୟକ କରିଥାଏ। ବ୍ୟବହାରିକ ଭାବରେ ଏକାକୀ ଜୀବନ ନିଃସ୍ବ, ସ୍ଥାଣୁ ଓ ଅର୍ଥହୀନ । ତେଣୁ ଉଭୟ ମାନସିକ ଏବଂ ଶାରୀରିକ ଆବଶ୍ୟକତାକୁ ପୂରଣ କରିବାକୁ ଦୁଇ ବିପରୀତ ଲିଙ୍ଗର ବ୍ୟକ୍ତି ବିବାହ ପ୍ରକ୍ରିୟା ମାଧ୍ୟମରେ ଏକାଠି ହେବା ଜରୁରୀ। ଏତଦ୍‌ବ୍ୟତୀତ ସାଧାରଣ ସାମାଜିକ ରୀତି ଓ ନୀତି ହିସାବରେ ବିବାହ ମାଧ୍ୟମରେ ନିଜର କୁଳରକ୍ଷା ତଥା ସଂସାର ଆଗକୁ ବଢ଼ିବା ସହ ଗୋଟିଏ ନୂଆ ପରିବାର ମଧ୍ୟ ଜନ୍ମ ନେଇଥାଏ।
କିନ୍ତୁ ଆଜିର ସମୟରେ ଏହା ଦୃଶ୍ୟମାନ ହୁଏ ଯେ, ପ୍ରାୟ ଅଧିକାଂଶ ବୈବାହିକ ଜୀବନ ବିଶୃଙ୍ଖଳା ମଧ୍ୟରେ ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛି। ସେଥିମଧ୍ୟରୁ କିଛି ଭଗ୍ନ ଅବସ୍ଥାରେ ଜର୍ଜରିତ ସମୟ ଅତିବାହିତ କରୁଥିବା ବେଳେ ଆଉ କିଛି ଅର୍ଦ୍ଧ ଭଗ୍ନ ଅବସ୍ଥାରେ କୋର୍ଟ ଓ କଚେରିରେ ମକଦ୍ଦମାର ବୋଝକୁ ମୁଣ୍ଡେଇ ଚାଲିଛି। ଛୋଟ ଛୋଟ ବିଷୟବସ୍ତୁ, ଘଟଣା ଏହାକୁ ଭାଙ୍ଗିବା ନିମନ୍ତେ ବଡ଼ କାରକ ସାଜିଛନ୍ତି। ଏମିତିକି ଗୋଟିଏ ଛାତ ତଳେ ଦମ୍ପତିମାନେ ବାସ କରି ମଧ୍ୟ ମାନସିକ ସ୍ତରରେ ଏକାକୀ ଜୀବନଯାପନ କରୁଛନ୍ତି, ଯାହାକି ବଡ଼ କଷ୍ଟ ଏବଂ ଯନ୍ତ୍ରଣାଦାୟକ। ଅନେକ ସମୟରେ ଉକ୍ତ ବିଶୃଙ୍ଖଳିତ ପରିସ୍ଥିତିକୁ ନେଇ ଦମ୍ପତିିମାନଙ୍କ ମଧ୍ୟରେ ସନ୍ଦେହ, ଝଗଡ଼ା, ପାଟିତୁଣ୍ଡ, ବିବାହ ବିଚ୍ଛେଦ, ମାର୍‌ପିଟ, ଏପରିକି ସ୍ବାମୀ ସ୍ତ୍ରୀକୁ ହତ୍ୟା କରିବା, ସ୍ତ୍ରୀ ନିଜ ସ୍ବାମୀକୁ ହତ୍ୟା କରିବା ଏବଂ ଉଭୟ ଆତ୍ମହତ୍ୟା କରି ଜୀବନ ହାରିବାର ଅନେକ ଘଟଣା ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି! ଯେଉଁଥିରେ ସମାଜରୁ ଦୁଇ ମୂଲ୍ୟବାନ୍‌ ମଣିଷ ଜୀବନର ଅକାଳ ବିୟୋଗ ଘଟିବା ସହ ତାହା ସେମାନଙ୍କର ସନ୍ତାନ ଓ ସେମାନେ ଯୋଡ଼ି ହୋଇଥିବା ସମସ୍ତ ପାରିବାରିକ ସଦସ୍ୟ ତଥା ସମ୍ପର୍କୀୟମାନଙ୍କ ଜୀବନକୁ ମଧ୍ୟ ଅନେକ ଦୁଃଖ ଓ ଯନ୍ତ୍ରଣା ମଧ୍ୟକୁ ଠେଲି ଦେଇଥାଏ।
ତେବେ ଜଣେ ବ୍ୟକ୍ତିଙ୍କ ଜୀବନ ଓ ପରିସ୍ଥିତିରେ ଉପୁଜୁଥିବା ଜଟିଳତା ମଧ୍ୟରେ ଗୋଟିଏ ବିବାହ ତଥା ବୈବାହିକ ସମ୍ପର୍କକୁ ସୁଚାରୁ ରୂପେ ଚାଲୁରଖିବା ସମସ୍ତଙ୍କ ପାଇଁ ସ୍ବାଭାବିକ ଭାବରେ ଘଟି ନ’ପାରେ। ଯାହାର କାରଣ ହେଉଛି, ବର୍ତ୍ତମାନ ଦାମ୍ପତ୍ୟରେ ସୃଷ୍ଟି ହେଉଥିବା ଅବିଶ୍ବସନୀୟତା, ସନ୍ଦେହ, ସମୟର ଅଭାବ ଯୋଗୁ ଯୋଗାଯୋଗ ପ୍ରକ୍ରିୟାରେ ହାନି, ଭୁଲ୍‌ ବୁଝାମଣା ଏବଂ ନିଜର ସ୍ବାର୍ଥକୁ ଗୁରୁତ୍ୱ ତଥା ପ୍ରାଥମିକତା ପ୍ରଦାନ କରିବା। ଏହାଛଡ଼ା ସ୍ବାମୀ ଓ ସ୍ତ୍ରୀ ତାଙ୍କର ମାତାପିତାଙ୍କଠାରୁ ଅଲଗା ହୋଇ ଏକୁଟିଆ ବାସ କରିବା ଦ୍ୱାରା ସେମାନଙ୍କୁ ଗୁରୁଜନଙ୍କର ଜୀବନ ପଥ ପ୍ରଦର୍ଶନ ଠିକ୍‌ ଢଙ୍ଗରେ ମିଳିପାରି ନ ଥାଏ, ଯାହାକି ଉକ୍ତ ପରିସ୍ଥିତିର ଅନ୍ୟତମ କାରଣ। କିଛି ଦିନ ତଳେ ଜଣେ ବନ୍ଧୁଙ୍କ ସହ ବାର୍ତ୍ତାଳାପ ସମୟରେ ମୁଁ ତାଙ୍କୁ ଥଟ୍ଟାରେ ପଚାରିଲି, ‘ବନ୍ଧୁ କେବେ ବିବାହ ଭୋଜି ଦେଉଛ?’ ପ୍ରତ୍ୟୁତ୍ତରରେ ସେ ମୋତେ କହିଲେ, ‘ମୁଁ କାହିଁକି ବାହା ହେବି?’ ତୁମକୁ ଏମିତି ଥରେ ନୁହେଁ, ଦଶଥର ଭୋଜି ଖାଇବାକୁ ଦେବି, କିନ୍ତୁ ଦୟାକରି ମୋତେ ବିବାହ କରିବା କଥା କୁହ ନାହିଁ। ମୁଁ ନିଷ୍ପତ୍ତି ନେଇଛି, ବିବାହ କରିବି ନାହିଁ। ମୁଁ କହିଲି, ତୁମେ ସମାଜରେ ପ୍ରତିଷ୍ଠିତ। ତା’ସହ ଆର୍ଥିକ ଏବଂ ସାମାଜିକ ସ୍ତରରେ ମଧ୍ୟ ସବଳ ଓ ଦେଖିବାକୁ ସୁନ୍ଦର। ତଥାପି କେଉଁ କ୍ଷେତ୍ରରେ ଅଭାବ ରହିଗଲା ଯେ, ପୁଣି ବିବାହ କରିବାକୁ ମନା କରୁଛ? ସେ ମୋତେ କହିଲେ, ଦୁଇ କିମ୍ବା ଚାରି ବର୍ଷ ଅବଧି ପାଇଁ ମୁଁ କାହିଁକି ବିବାହ କରିବି? ନିଜର ସ୍ବାଧୀନତା ଓ ବାସ୍ତବ ଖୁସିକୁ କାହିଁକି ଆତ୍ମଦାହ ଦେବି? ବର୍ତ୍ତମାନର ପରିସ୍ଥିତି ହିସାବରେ ପ୍ରାୟ ଅଧିକାଂଶ ବିବାହ ଆଜି ବିଫଳ ଏବଂ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ବିଶୃଙ୍ଖଳ ଓ ଯନ୍ତ୍ରଣାପୂର୍ଣ୍ଣ। ମୁଁ ଏମିତି ଅବିବାହିତ ଅବସ୍ଥାରେ, ସ୍ବାଧୀନ ହୋଇ ଖୁସିରେ ଜୀବନ ନିର୍ବାହ କରୁଛି। ପିତା, ମାତା ଓ ସମ୍ପର୍କୀୟମାନଙ୍କୁ ସମୟ ଦେଇପାରୁଛି। ମୋଟାମୋଟି କହିବାକୁ ଗଲେ ବାସ୍ତବରେ ମୁଁ ଖୁସିରେ ଅଛି।
ତେବେ ପ୍ରକୃତି ଏବଂ ସ୍ରଷ୍ଟା ହିଁ ଜଣେ ପୁରୁଷ ଓ ଜଣେ ନାରୀ ଭାବରେ ଗୋଟିଏ ଜୀବକୁ ଦୁଇ ଭାଗରେ ବିଭକ୍ତ କରି ସୃଷ୍ଟିର ସଂରଚନା କରିଛନ୍ତି। ଉଭୟ ଉଭୟଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ର ଏବଂ ଦରକାରିତା ନିମନ୍ତେ ପରିପୂରକ ଓ ନିର୍ଭରଶୀଳ। ଜଣେ ଅନ୍ୟ ଜଣଙ୍କ ବିନା ଅସମ୍ପୂର୍ଣ୍ଣ। ଜୀବନସାଥୀ ବିନା ନିଃସଙ୍ଗ ଜୀବନର ବାସ୍ତବିକତା ବ୍ୟବହାରିକ ଭାବରେ କଷ୍ଟଦାୟକ। ସେଥିପାଇଁ ଜୀବନର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିବାରେ ଏବଂ ଏଥିରେ ଏକ ସନ୍ତୁଳନ ଓ ସମନ୍ବୟ ରଖିବା ଉଦ୍ଦେଶ୍ୟରେ ଜଣେ ଜୀବନସାଥୀକୁ ଏକ ଅଭିନ୍ନ ଓ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଭାବରେ ବିବେଚନା ଓ ଅଭିହିତ କରାଯାଇଥାଏ। ଏହାଛଡ଼ା ପ୍ରତ୍ୟହ, ପ୍ରତିଟି ସମୟରେ ପିତା, ମାତା, ଭାଇ, ଭଉଣୀ କିମ୍ବା ଅନ୍ୟ ସମ୍ପର୍କୀୟମାନେ ଶାରୀରିକ ଏବଂ ମାନସିକ ସ୍ତରରେ ନିକଟରେ ନ ଥାଇପାରନ୍ତି କିମ୍ବା ସେମାନଙ୍କ ଉପସ୍ଥିତି ସର୍ବଦା ଉପଲବ୍ଧ ହେବା ଅସମ୍ଭବ ଏବଂ ଆଶାହୀନ। କିନ୍ତୁ ଜଣେ ଜୀବନସାଥୀ ଜୀବନର ତେଲ, ଲୁଣ ଦୁନିଆର ପ୍ରତିଟି ଆବଶ୍ୟକତା ପୂରଣ ଏବଂ ଜୀବନ ନିର୍ବାହର ପ୍ରତିଟି ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିବାରେ ଏକ ଅଭିନ୍ନ ଅଙ୍ଗ।
ଅପରପକ୍ଷରେ ଆଜିର ବାସ୍ତବତାକୁ ଆଧାର କରି ମୋର ବନ୍ଧୁ ବିବାହକୁ ନେଇ ଦେଇଥିବା ବ୍ୟକ୍ତିଗତ ମନ୍ତବ୍ୟ ଏବଂ ଉକ୍ତ ବନ୍ଧନରେ ବାନ୍ଧି ନ ହେବାର ନିଷ୍ପତ୍ତି ମଧ୍ୟ ବିଚାରର କାଠଗଡ଼ା ମଧ୍ୟରେ ଏକ ଓଜନିଆ ଯୁକ୍ତି ଓ ବିଧିମାନ୍ୟ ବିଚାରକୁ ଉପସ୍ଥାପିତ କରୁଛି। ଯଦି ସମାଜରେ ଦାମ୍ପତ୍ୟ ଜୀବନର ସ୍ଥିତି ଆଗକୁ ଏମିତି ନକାରାତ୍ମକ ରହେ ତଥା ଦାମ୍ପତ୍ୟ କଳହ, ବିଶୃଙ୍ଖଳା, ଜୀବନହାନି ଆଦି ଆଗାମୀ ଦିନରେ ଏହିପରି ବଢ଼ି ବଢ଼ି ଚାଲେ ଏବଂ ଆଜିର ଅଧିକାଂଶ ଯୁବବର୍ଗ ମୋର ବନ୍ଧୁଙ୍କ ପରି ମାନସିକତା ରଖନ୍ତି, ତେବେ ପ୍ରକୃତି ଓ ସ୍ରଷ୍ଟାଙ୍କର ସୃଷ୍ଟି, ସର୍ଜନା ଓ ସଂରଚନା ନିଶ୍ଚିତ ବାଧାପ୍ରାପ୍ତ ହେବ ଏବଂ ଆଗାମୀ ସମୟରେ ମାନବ ସମାଜର ଅସ୍ତିତ୍ୱ ତଥା ବିଦ୍ୟମାନତାରେ ଏକ ବଡ଼ ଅସନ୍ତୁଳନ ଦେଖାଦେବା ସହ ଧୀରେ ଧୀରେ ମାନବ ସଭ୍ୟତା ଲୋପ ହେବା ଆଡ଼କୁ ଗତିକରିବ! ଏହାଛଡ଼ା ଲିଭ୍‌ ଇନ୍‌ ରିଲେଶନ, ଆତ୍ମ-ବିବାହ, ସମଲିଙ୍ଗୀ ବିବାହ ତଥା ଦୁଇଜଣ ବ୍ୟକ୍ତି ଉଭୟ ଉଭୟଙ୍କ ସହ ସ୍ବଳ୍ପ ଅବଧିଯୁକ୍ତ ସମ୍ପର୍କକୁ ନେଇ ଅସ୍ଥାୟୀ ଭାବରେ ଯୋଡ଼ିହେବାର ଏହିପରି ଅନେକ ନୂତନ ପ୍ରଥା ଓ ନିରର୍ଥକ ପ୍ରକ୍ରିୟା ତଥା ପ୍ରୟାସ ମାନ ମୁଣ୍ଡ ଟେକିବା ସହ ବିବାହ ରୂପକ ପବିତ୍ର ବନ୍ଧନ ସମାଜରୁ ନିଜର ଅସ୍ତିତ୍ୱ ହରାଇ ବସିବ।
ବନ୍ଦାଳୋ, ଟାଙ୍ଗୀ, କଟକ
ମୋ: ୯୩୩୭୮୯୭୬୫୦

 

 

 

 

ସୌଜନ୍ୟ-ଧରିତ୍ରୀ

 

Comments are closed.