Breaking News

ମୁଇଜୁଙ୍କ ବିରୋଧରେ ଷଡ୍‌ଯନ୍ତ୍ର ଖବର ମିଥ୍ୟା: ୱାସିଂଟନ ପୋଷ୍ଟ୍‌ରେ ପ୍ରକାଶିତ ରିପୋର୍ଟକୁ ଭାରତର ପ୍ରତ୍ୟାଖ୍ୟାନ

ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀଦଳଙ୍କ ସହ ଷଡ଼୍‌ଯନ୍ତ୍ରରେ ଭାରତ ସାମିଲ ଥିଲା ବୋଲି ‘ୱାସିଂଟନ ପୋଷ୍ଟ୍‌’ରେ ପ୍ରକାଶ ପାଇଥିବା ରିପୋର୍ଟକୁ ଭାରତ ଆଜି ପ୍ରତ୍ୟାଖ୍ୟାନ କରିଛି।

ନୂଆଦିଲ୍ଲୀ: ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀଦଳଙ୍କ ସହ ଷଡ଼୍‌ଯନ୍ତ୍ରରେ ଭାରତ ସାମିଲ ଥିଲା ବୋଲି ‘ୱାସିଂଟନ ପୋଷ୍ଟ୍‌’ରେ ପ୍ରକାଶ ପାଇଥିବା ରିପୋର୍ଟକୁ ଭାରତ ଆଜି ପ୍ରତ୍ୟାଖ୍ୟାନ କରିଛି। ଆମେରିକାର ଏହି  ଖବରକାଗଜ  ଦାବି କରିଥିଲା ଯେ ମାଳଦ୍ୱୀପର ବିରୋଧୀ ଦଳ ରାଷ୍ଟ୍ରପତି ମୁଇଜୁଙ୍କୁ ପଦରୁ ହଟାଇବା ପାଇଁ ଭାରତଠାରୁ ୬ ନିୟୁତ ଡଲାର ମାଗିଥିଲା। ଅନ୍ୟ ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଭାରତର ଗୁଇନ୍ଦା ସଂସ୍ଥା ‘ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ୍) ପାକିସ୍ତାନରେ ଆତଙ୍କବାଦୀମାନଙ୍କୁ ହତ୍ୟା କରୁଛି। ତେବେ ଭାରତ ଏହି ସବୁ ଖବରକୁ ପ୍ରତ୍ୟାଖ୍ୟାନ କରିବା ସହ ଉକ୍ତ ଖବରକାଗଜର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏହି ଖବରକାଗଜ ଏବଂ ସଂପୃକ୍ତ ସାମ୍ବାଦିକମାନଙ୍କର ଭାରତ ପ୍ରତି   ଶତ୍ରୁତା ମନୋଭାବ ଏବଂ  ଘୋର ଅସହିଷ୍ଣୁତା ରହିଛି। ସେମାନଙ୍କ କାର୍ଯ୍ୟରେ ଏକ ଭାରତ ବିରୋଧୀ ଢାଞ୍ଚା ସର୍ବଦା ଦେଖିବାକୁ ମିଳୁଛି। ଏହି ରିପୋର୍ଟର ବିଶ୍ୱସନୀୟତା ଆକଳନ କରିବା ଦାୟିତ୍ବ ଆମେ ଆପଣଙ୍କ ଉପରେ ଛାଡ଼ିଦେଉଛୁ। ଆମ ପାଇଁ ଏହାର କୌଣସି ବିଶ୍ୱସନୀୟତା ନାହିଁ ବୋଲି ଜୟସ୍ବାଲ କହିଛନ୍ତି।

ମାଳଦ୍ୱୀପର ସର୍ବବୃହତ ବିରୋଧୀ ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମଡିପି)ର ମୁଖ୍ୟ ତଥା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦ୍‌  ମଧ୍ୟ ୱାସିଂଟନ୍‌ ପୋଷ୍ଟ୍‌ର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ଖବରକାଗଜ କେବଳ ବିଭ୍ରାନ୍ତି ଓ ମିଥ୍ୟା ପ୍ରସାର କରୁଛି। ମାଳଦ୍ୱୀପରେ ଭାରତ ସର୍ବଦା ଗଣତନ୍ତ୍ରକୁ ସମର୍ଥନ କରୁଥିବାରୁ  କେବେ ବି ଏଭଳି ପଦକ୍ଷେପ ନେବ ନାହିଁ। ଭାରତ କେବେ ବି ଆମ ଉପରେ କୌଣସି ସର୍ତ୍ତ ଜାରି କରିବାକୁ ଚେଷ୍ଟା କରିନାହିଁ ବୋଲି ନାସିଦ୍‌ ସ୍ପଷ୍ଟ କରିଛନ୍ତି।  ପାକିସ୍ତାନ ପରିପ୍ରେକ୍ଷୀରେ ମନ୍ତବ୍ୟ ଦେଇ ରଣଧୀର ଜୟସ୍ୱାଲ ହିଲାରୀ କ୍ଲିଣ୍ଟନଙ୍କ ଏକ ପୁରୁଣା ବୟାନକୁ ଉଲ୍ଲେଖ କରିଛନ୍ତି। ଆମେରିକାର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ୍ ଥରେ ପାକ୍‌ ପରିପ୍ରେକ୍ଷୀରେ କହିଥିଲେ, ‘ଆପଣ ସାପକୁ ନିଜ ଘର ଅଗଣାରେ ପାଳି ଏହା ଆଶା ରଖିପାରିବେ ନାହିଁ ଯେ ଏହା କେବଳ  ଆପଣଙ୍କ ପଡ଼ୋଶୀଙ୍କୁ ହିଁ କାମୁଡ଼ିବ।’

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.