Breaking News

ମୁଖଗହ୍ବର କର୍କଟର ଆଦ୍ୟ ଲକ୍ଷଣ

ପାନ, ପୁଡ଼ିଆ, ଖଇନି, ଗୁଟଖା ଆଦି ତମାଖୁଜାତୀୟ ଦ୍ରବ୍ୟ ସେବନରେ ଭାରତୀୟମାନେ ବେଶ୍‌ ଆଗରେ। ଫଳରେ ଭାରତରେ ଦିନକୁ ଦିନ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ପାନ, ପୁଡ଼ିଆ, ଖଇନି, ଗୁଟଖା ଆଦି ତମାଖୁଜାତୀୟ ଦ୍ରବ୍ୟ ସେବନରେ ଭାରତୀୟମାନେ ବେଶ୍‌ ଆଗରେ। ଫଳରେ ଭାରତରେ ଦିନକୁ ଦିନ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରିପୋର୍ଟ ମୁତାବକ ଦେଶରେ ପ୍ରତି ଏକଲକ୍ଷ ଲୋକଙ୍କ ମଧ୍ୟରୁ ୨୦ଜଣ ମୁଖଗହ୍ୱର କର୍କଟରେ ଆକ୍ରାନ୍ତ। ଏଥିଯୋଗୁଁ ପ୍ରତି ଘଣ୍ଟାରେ ୫ ଜଣଙ୍କର ମୃତ୍ୟୁ ଘଟୁଛି। ସହର ଅପେକ୍ଷା ଗ୍ରାମାଞ୍ଚଳରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ। ପ୍ରକୃଷ୍ଟ ସଚେତନତା ଅଭାବରୁ ଠିକ୍‌ ସମୟରେ କର୍କଟ ବାବଦରେ ରୋଗୀ ଜାଣିପାରି ନଥାଏ। ମୁଖଗହ୍ବର କର୍କଟ ପାଟିର ଯେକୌଣସି ସ୍ଥାନ ଯଥା, ଜିଭ, ମାଢ଼ି, ଓଠ ଓ ଗାଲର ଭିତର ପାଖରେ ହୋଇପାରେ। ଉଚିତ ସମୟରେ ଏହାର ଚିହ୍ନଟ ଓ ଆବଶ୍ୟକ ଚିକିତ୍ସା ଉପଶମରେ ସହାୟକ ହୋଇଥାଏ। ଏ ସଂକ୍ରାନ୍ତରେ ଅଧିକ ସଚେତନତାର ଆବଶ୍ୟକତା ରହିଥିବା ବେଳେ ଆସନ୍ତୁ ମୁଖଗହ୍ବର କର୍କଟର କିଛି ଲକ୍ଷଣକୁ ସଂପର୍କରେ ଅବଗତ ହେବା।

ତମାଖୁ ସେବନ ଯୋଗୁଁ ଭାରତୀୟମାନଙ୍କଠାରେ ମୁଖଗହ୍ବର କର୍କଟ ହେବାର ଆଶଙ୍କା ଅଧିକ। ସଚେତନତା ଅଭାବରୁ ଠିକ୍ ସମୟରେ କର୍କଟ ରୋଗର ନିରୂପଣ ହୋଇନପାରି ଅନେକ ରୋଗୀ ମୃତ୍ୟୁମୁଖରେ ପଡ଼ନ୍ତି। ଏଣୁ ଏହାର ଆଦ୍ୟ ଲକ୍ଷଣମାନ ବାବଦରେ ଜାଣିବା ଗୁରୁତ୍ବପୂର୍ଣ୍ଣ

 ପାଟିରେ ଘା’ ଲାଗିରହିବା: ମୁଖଗହ୍ବର କର୍କଟ ରୋଗର ପ୍ରାରମ୍ଭିକ ପର୍ଯ୍ୟାୟରେ ପାଟିରେ ଘା’ ହୁଏ। ଯଦି ଏହି ଘା’ଗୁଡ଼ିକ ୨ ସପ୍ତାହ ଧରି ଭଲ ନହୁଏ, ତେବେ ଡାକ୍ତରଙ୍କ ପରାମର୍ଶ ଜରୁରି। ଏହି ଘା’ଗୁଡ଼ିକ ଧୀରେ ଧୀରେ ଅଧିକ ଯନ୍ତ୍ରଣାଦାୟକ ହୋଇପାରେ।
 ଲାଲ୍‌ ବା ଧଳା ଦାଗ: ପାଟି ଭିତରେ ଅସ୍ବାଭାବିକ ଧଳା (ଲ୍ୟୁକୋପ୍ଲାକିଆ) ବା ଲାଲ୍‌ (ଏରିଥ୍ରୋପ୍ଲାକିଆ) ଦାଗଗୁଡ଼ିକ କର୍କଟ ପୂର୍ବବର୍ତ୍ତୀ ଲକ୍ଷଣ।
 ପାଟି ଭିତରେ ମାଂସ ଗୁଳା ହେବା: ଓଠର ଭିତର ପାଖରେ ବା ପାଟିର ଯେକୌଣସି ସ୍ଥାନରେ ମାଂସ ବଢ଼ିଲା ଭଳି ବା ଟେଳାଳିଆ ଲାଗିବା କର୍କଟର ଲକ୍ଷଣ ହୋଇପାରେ।
 ଗିଳିବାରେ ସମସ୍ୟା: ଖାଦ୍ୟ ଗିଳିବାରେ ଯନ୍ତ୍ରଣା ହେବା ବା ତଣ୍ଟିରେ ସବୁବେଳେ କିଛି ଲାଗି ରହିଥିବା ଭଳି ଅନୁଭବ ହେବା ଅଥବା ଖାଦ୍ୟ ଚୋବାଇବା ସମୟରେ ଜଳାପୋଡ଼ା ହେବା ବି କର୍କଟର ଲକ୍ଷଣ ହୋଇପାରେ।
 କଥା କହିବାରେ ସମସ୍ୟା: ମୁଖଗହ୍ବର କର୍କଟ ହେଲେ କଥା କହିବାରେ ସମସ୍ୟା ସୃଷ୍ଟି ହୁଏ। ଭଲରେ ପାଟି ଖୋଲିହୁଏ ନାହିଁ। ଖାଇବାରେ କଷ୍ଟ, ଶବ୍ଦ ଉଚ୍ଚାରଣରେ ପରିବର୍ତ୍ତନ ଏବଂ ଏକାସାଙ୍ଗରେ ଚାରିଟି ଆଙ୍ଗୁଳି ପାଟିରେ ପଶିପାରେ ନାହିଁ।
 ଗଳା ଫୁଲିବା: ଗଳାର ଲସିକା ଗ୍ରନ୍ଥି ଫୁଲିବା ମୁଖଗହ୍ବର କର୍କଟ ମାଡୁଥିବାର ଏକ ଅତି ସାଧାରଣ ଲକ୍ଷଣ।
 ମୁଖ ଦୁର୍ଗନ୍ଧ: ମୁଖ ଦୁର୍ଗନ୍ଧ ସାଧାରଣ ଲୋକଙ୍କ କ୍ଷେତ୍ରରେ ଘଟିପାରେ। କିନ୍ତୁ ଲଗାତାର ଅତି ଖରାପ ଦୁର୍ଗନ୍ଧ ପାଟିରୁ ବାହାରିବା କର୍କଟର ଲକ୍ଷଣ ହୋଇପାରେ।
 ଦାନ୍ତ ହଲିବା: ଅକାରଣରେ ଦାନ୍ତ ହଲିବା, ଦନ୍ତ ସ୍ବାସ୍ଥ୍ୟରେ ପରିବର୍ତ୍ତନକୁ ବି କର୍କଟ ଲକ୍ଷଣ ଭାବେ ଗ୍ରହଣ କରାଯାଇପାରେ। ପାଟି ଭିତର କୌଣସି ସ୍ଥାନ କାଲୁଆ ପଡ଼ିଯିବା ବା ରକ୍ତସ୍ରାବ ହେବା କର୍କଟ ପାଇଁ ସତର୍କ ଘଣ୍ଟି ହୋଇପାରେ।
କର୍କଟର ଉପଚାର ଲାଗି ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ପୁଣି ଉପରୋକ୍ତ କୌଣସି ଲକ୍ଷଣ ନଥିବା ଲୋକଙ୍କଠାରେ ବି କର୍କଟ ହୋଇପାରେ। କିନ୍ତୁ ଲଗ‌ାତାର ଏସବୁ ଲକ୍ଷଣ ପ୍ରକାଶ ପାଇବା ନିଶ୍ଚିତ ଭାବେ ସତର୍କ ଘଣ୍ଟି। ଏଣୁ ଉପରୋକ୍ତ କୌଣସି ଲକ୍ଷଣ ପ୍ରକାଶ ପାଇବା ସପ୍ତାହରୁ ଅଧିକ ହେଲେ ଡାକ୍ତରଙ୍କ ପରାମର୍ଶ ସହ ବାୟୋସ୍ପି ଆବଶ୍ୟକ ପଡ଼ିଥାଏ।

ସୌଜନ୍ୟ-ସମ୍ୱାଦ

Comments are closed.