Breaking News

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଅଷ୍ଟମ ପାଳି: ଅଭିଯୋଗ ଶୁଣିଲେ, ରୋଗୀଙ୍କୁ ଚିକିତ୍ସା ପାଇଁ ପଠାଇଲେ

ବୌଦ୍ଧ ଜିଲ୍ଲାର ହେରମ୍ବ ଗିରିଙ୍କ ୭ ବର୍ଷର ଝିଅ ପ୍ରତ୍ୟୁଷା ଗିରି ଜେରୋଡର୍ମା ନାମକ ଏକ ଜଟିଳ ରୋଗରେ ପୀଡ଼ିତ। ଏହି ରୋଗର ଚିକିତ୍ସା ବ୍ୟୟସାପେକ୍ଷ। ଗତ ଡିସେମ୍ୱର ୩୦ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ଭୁବନେଶ୍ବର: ବୌଦ୍ଧ ଜିଲ୍ଲାର ହେରମ୍ବ ଗିରିଙ୍କ ୭ ବର୍ଷର ଝିଅ ପ୍ରତ୍ୟୁଷା ଗିରି ଜେରୋଡର୍ମା ନାମକ ଏକ ଜଟିଳ ରୋଗରେ ପୀଡ଼ିତ। ଏହି ରୋଗର ଚିକିତ୍ସା ବ୍ୟୟସାପେକ୍ଷ। ଗତ ଡିସେମ୍ୱର ୩୦ ତାରିଖରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ପିଲାଟିର ଅବସ୍ଥା ଦେଖି ମୁଖ୍ୟମନ୍ତ୍ରୀ ତାକୁ ତୁରନ୍ତ କ୍ୟାପିଟାଲ ହସ୍‌ପିଟାଲ ଓ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା କରିଥିଲେ। ୧ମାସ ଚିକିତ୍ସା ହୋଇ ଫେରିବା ପରେ ସେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଆସି ସହାୟତା ଲୋଡ଼ିଥିଲେ। ମୁଖ୍ୟମନ୍ତ୍ରୀ ପିଲାର କଷ୍ଟ ଓ ତାଙ୍କ ବାପା ମା’ଙ୍କ ଅସହାୟତାକୁ ହୃଦୟଙ୍ଗମ କରି ଅଭିଯୋଗ ପ୍ରକୋଷ୍ଠରେ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥାରେ ଚିକିତ୍ସା ବାବଦକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ତ୍ୱରିତ ସହାୟତା ଯୋଗାଇ ଦେଇଛନ୍ତି। ଏହାସହ ହେରମ୍ବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୋଟିଏ ଘର ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବଲାଙ୍ଗୀରର ରତନ କାଲଶେ। ତାଙ୍କ ୧୬ ବର୍ଷର ଭିନ୍ନକ୍ଷମ ପୁଅ ଆଲୋକ ବସି ପାରୁନି କି ଚାଲିବୁଲି ପାରୁନି। ପିଲାର କଷ୍ଟକୁ ଦେଖି ତାକୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଇ ତା’ର ଚିକିତ୍ସା ବ୍ୟବସ୍ଥା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆଶା ନେଇ ଆସିଥିବା ଲୋକଙ୍କୁ ଆଜି ଏଭଳି ଢଙ୍ଗରେ ଶୁଣି ସହାୟତା କରିଥିଲେ ମୁଖ୍ୟମନ୍ତ୍ରୀ।

୭ ପାଳିରେ ୮୧% ମାମଲାର ସମାଧାନ
ବଲାଙ୍ଗୀରର ଆଲୋକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଗଲା
ବୌଦ୍ଧର ପ୍ରତ୍ୟୁଷା ଗିରିଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫ ଲକ୍ଷ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଅଷ୍ଟମ ପାଳି। ଏକ ହଜାର ଅଭିଯୋଗର ଶୁଣାଣି ପାଇଁ ପଞ୍ଜୀକରଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ପ୍ରଥମେ ବାହାରେ ଚେୟାରରେ ବସିଥିବା ପ୍ରାୟ ୩୦ ଜଣ ଭିନ୍ନକ୍ଷମଙ୍କୁ ଭେଟିଥିଲେ। ସେମାନଙ୍କ ଅଭିଯୋଗକୁ ଶୁଣିବା ପରେ ପାଖରେ ଥିବା ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଅଭିଯୋଗର ସମାଧାନ କିପରି ହେବ ସେଥିପ୍ରତି ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରୁ ସପ୍ତମ ପାଳି ସୁଦ୍ଧା  ୮୧% ମାମଲାର ସମାଧାନ ହୋଇଛି। ଗତ ୭ଟି ପାଳି ସୁଦ୍ଧା ସମୁଦାୟ ୮୦୩୧ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା, ତହିଁରୁ ୬୫୪୫ଟି ଅଭିଯୋଗର ସମାଧାନ କରାଯାଇଛି। ପ୍ରଥମ ପାଳିରେ ୯୦ %, ଦ୍ବିତୀୟ ପାଳିରେ ୮୮%, ତୃତୀୟ ପାଳିରେ ୮୬%, ଚତୁର୍ଥ ପାଳିରେ ୮୪%, ପଞ୍ଚମ ପାଳିରେ ୮୩%, ଷଷ୍ଠ ପାଳିରେ ୫୪% ଓ ସପ୍ତମ ପାଳିରେ ୪୭% ଅଭିଯୋଗର ସମାଧାନ କରାଯାଇଛି। ବକେୟା ଅଭିଯୋଗଗୁଡ଼ିକର ପଦକ୍ଷେପ ନିଆଯାଉଛି। ଲୋକମାନେ ହଇରାଣ ଓ ଖର୍ଚ୍ଚାନ୍ତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନ ଆସି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମେ ଅଭିଯୋଗ ଜଣାନ୍ତୁ। ଜଟିଳ ସମସ୍ୟା ହେଲେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜିର ଶୁଣାଣି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଓ ଅନ୍ୟ ବିଭାଗଗୁଡ଼ିକର ସଚିବସ୍ତରୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.