Breaking News

ମୁରବିଶୂନ୍ୟ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ: ଓଡ଼ିଆ ଫିଲ୍ମ ତଣ୍ଟିରେ ଖୋଜ

କଟକରେ ଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି)ରେ ୨୪ ବର୍ଷ ହେଲା ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ନାହାନ୍ତି। ୨୦୦୦ ମସିହା ପରଠାରୁ ଏହି ପଦବିରେ ଅତିରିକ୍ତ ଭାବେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି।

0

ଚିରଂଜୀବୀ କର
କଟକ: କଟକରେ ଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି)ରେ ୨୪ ବର୍ଷ ହେଲା ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ନାହାନ୍ତି। ୨୦୦୦ ମସିହା ପରଠାରୁ ଏହି ପଦବିରେ ଅତିରିକ୍ତ ଭାବେ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଉଛି। ସ୍ଥାୟୀ ନିଯୁକ୍ତି ମିଳୁ ନ ଥିବାରୁ ଓଏଫ୍‌ଡିସି ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବରେ ରହୁଥିବା ଅଫିସର ଭୁବନେଶ୍ବରରେ ବସି ଏହାକୁ ପରିଚାଳନା କରୁଛନ୍ତି। ଏପଟେ ଗଲା ୫ ମାସ ହେବ ଅଧ୍ୟକ୍ଷ ପଦ ବି ଖାଲି ପଡ଼ିଛି। ତତ୍କାଳୀନ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀଙ୍କୁ ଅପସାରଣ କରିବା ପରେ ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଯାଇ ନାହିଁ। ଫଳରେ ଅଚଳାବସ୍ଥା ସୃଷ୍ଟି ହେବା ସହିତ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଅବହେଳିତ ହୋଇଆସୁଛି।

ସୂଚନା ଅନୁଯାୟୀ, କଟକ ବକ୍ସିବଜାରସ୍ଥିତ ଓଏଫ୍‌ଡିସିରେ ଶେଷ ଥର ସ୍ଥାୟୀ ଏମ୍‌ଡି ଭାବେ ଏମ୍‌. ନାଗେଶ୍ବର ରାଓ(ଆଇପିଏସ୍) ୧୯୯୯ ମେ ୨୯ରେ ନିଯୁକ୍ତ ହୋଇଥିଲେ। ୨୦୦୦ ଜାନୁଆରି ୨୪ରେ ଶ୍ରୀ ରାଓଙ୍କ ବଦଳି ହୋଇଥିଲା। ତାଙ୍କ ପରେ ଆଜି ପର୍ଯ୍ୟନ୍ତ ଯେଉଁମାନଙ୍କୁ ଓଏଫ୍‌ଡିସି ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି, ସମସ୍ତେ ଅତିରିକ୍ତ ଭାବେ ଦାୟିତ୍ବ ତୁଲାଇଛନ୍ତି। ଗୋଟିଏ ନିଗମର ପରିଚାଳନା ପାଇଁ ଏମ୍‌ଡିଙ୍କ ଯେତିକି ଦାୟିତ୍ବ ରହୁଛି ଅଧ୍ୟକ୍ଷଙ୍କ ମଧ୍ୟ ସମାନ ପରିମାଣର ଦାୟିତ୍ବ ରହୁଛି। ସ୍ଥାୟୀ ଏମ୍‌ଡି ଓ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଏହାର ପରିଚାଳନା କଷ୍ଟକର ହୋଇପଡ଼ୁଥିବା ବରିଷ୍ଠ ସିନେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ମତ ରଖିଛନ୍ତି। ଏବେ ବରିଷ୍ଠ ଆଇଏଏସ ଅଫିସର ସମର୍ଥ ବର୍ମା ଓଏଫ୍‌ଡିସି ଏମ୍‌ଡି ସମେତ ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ଓଟିଡିସିର ପରିଚାଳନା ନିର୍ଦ୍ଦେଶକ, ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ(ଡିଟିଇଟି)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ୨୪ ବର୍ଷ ଧରି ଓଏଫଡିସି ଏମ୍‌ଡି ଭାବେ ନିଯୁକ୍ତ ଅଧିକାରୀମାନେ ଅତିରିକ୍ତ ଭାବେ ଦାୟିତ୍ବ ତୁଲାଇ ଆସୁଥିବାରୁ ଚଳଚ୍ଚିତ୍ର ନିଗମର କାର୍ଯ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇପାରୁ ନାହାନ୍ତି।

ଅସ୍ଥାୟୀ ଏମ୍‌ଡିରେ ଚାଲିଲାଣି ୨୪ ବର୍ଷ
୫ ମାସ ହେବ ଅଧ୍ୟକ୍ଷ ପଦ ବି ଖାଲି

୨୦୧୮ ମେ ୧୮ରୁ ତିନିଟି ପର୍ଯ୍ୟାୟରେ ରହିଥିବା ଶେଷ ଓଏଫ୍‌ଡିସି ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଶେଷ ପର୍ଯ୍ୟାୟରେ ୨୦୨୨ ଅକ୍ଟୋବର ୧୦ରୁ ୨୦୨୪ ଜୁନ ୧୦ ତାରିଖ ଯାଏ କାର୍ଯ୍ୟ କରିଥିଲେ। ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଶ୍ରୀ ତ୍ରିପାଠୀଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ଭାବେ କାହାରିକୁ ନିଯୁକ୍ତି ମିଳିନାହିଁ। ଯାହାଫଳରେ ଏବେ ଓଏଫଡିସିରେ ନିଷ୍ପତ୍ତି ନେବା ପ୍ରକ୍ରିୟା ମନ୍ଥର ହୋଇଯାଇଛି। ଓଏଫ୍‌ଡିସିର ବ୍ୟବସ୍ଥା ଅନୁଯାୟୀ, ନିଗମରେ ବର୍ଷକୁ ୪ ଥର ଅର୍ଥାତ୍‌ ପ୍ରତି ୩ ମାସରେ ଥରେ ବୈଠକ ବସିଥାଏ। ବୋର୍ଡ ବୈଠକରେ ୧୫ ଜଣ ବୋର୍ଡ ଅଫ୍ ଡିରେକ୍ଟର ଉପସ୍ଥିତ ରହିଥାନ୍ତି। ଏହା ସହିତ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ, ଦୁଇ ଜଣ ସ୍ବାଧୀନ ନିର୍ଦ୍ଦେଶକ ରହିଥାନ୍ତି। ଏଥିରେ ଚଳଚ୍ଚିତ୍ର ଶିଳ୍ପର ଉନ୍ନତି, ଚଳଚ୍ଚିତ୍ରର ବିତରଣ, ପ୍ରଯୋଜକଙ୍କ ପାଇଁ ଋଣ, ସବସିଡି ବାବଦ ଅର୍ଥ ଇତ୍ୟାଦି ପ୍ରସ୍ତାବ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ ହୋଇଥାଏ। ତତ୍କାଳୀନ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀଙ୍କୁ ଅପସାରଣ କରାଯିବା ପରେ ଏବେ ବୋର୍ଡ ବୈଠକ ବସିବାରେ ସମସ୍ୟା ସୃଷ୍ଟି ହେଉଛି।

ଏ ପ୍ରସଂଗରେ ଓଡ଼ିଶା ସିନେମା ପ୍ରଯୋଜକ ଏବଂ ବିତରକ ଗିଲ୍‌ଡର ସମ୍ପାଦକ ଅରୁଣ ମହାନ୍ତି କହିଛନ୍ତି ଯେ ସିନେମା ଶିଳ୍ପର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବ ଏମ୍‌ଡି ଓ ବୋର୍ଡ ସଦସ୍ୟଙ୍କ ସାମନାରେ ଉପସ୍ଥାପନ କରିଥାନ୍ତି। ଏହାପରେ ଏହି ପ୍ରସ୍ତାବକୁ ବୋର୍ଡରୁ ପାସ୍ କରି ରାଜ୍ୟ ସରକାରଙ୍କ ନିକଟକୁ ଏମ୍‌ଡିଙ୍କ ମାଧ୍ୟମରେ ପଠାଇବାର ଦାୟିତ୍ବ ଅଧ୍ୟକ୍ଷ ତୁଲାଇ ଥାନ୍ତି। ତେଣୁ ଓଡ଼ିଶା ଚଳଚ୍ଚିତ୍ର ନିଗମକୁ ଜଣେ ଏମ୍‌ଡି ନିୟମିତ ଆସିବା ଦରକାର। ବହୁ ବର୍ଷ ହେବ ଏମ୍‌ଡି କଟକରେ ଥିବା ନିଗମ କାର୍ଯ୍ୟାଳୟରେ ବସୁ ନାହାନ୍ତି। ଯାହାଦ୍ବାରା ଗୁରୁତର ସମସ୍ୟା ସୃଷ୍ଟି ହେଉଛି। କଟକରୁ ନିୟମିତ ଫାଇଲ୍ ଭୁବନେଶ୍ବରକୁ ଯାଉଛି। ଏମ୍‌ଡିଙ୍କୁ କୌଣସି ପ୍ରସ୍ତାବ ଦେବାକୁ ଚାହିଁଲେ କାହାକୁ ଅବଗତ କରାଯିବ, ତାହା ବି ଜଣାପଡ଼ୁନି। କଟକ କାର୍ଯ୍ୟାଳୟରେ କିରାଣି ଓ ସବ୍‌ଷ୍ଟାଫଙ୍କୁ ନେଇ କି କାମ ହେବ? ସ୍ଥାୟୀ ଅଫିସରଙ୍କୁ ଏମ୍‌ଡି ଭାବେ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଏହାସହିତ ନିଗମ ଅଧ୍ୟକ୍ଷ ନ ଥିବାରୁ ବୋର୍ଡ ବୈଠକ ବସିପାରୁନାହିଁ। ତେଣୁ ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି।
ସୌଜନ୍ୟ ସମ୍ୱାଦ

Leave A Reply

Your email address will not be published.