Breaking News

ମୃତ୍ୟୁ ଅପେକ୍ଷାରେ ‘ଅଳକା’: ବ୍ରିଟିସ୍‌ ଅମଳରେ ଚାଲୁଥିଲା ବୋଟ୍, ଖର୍ଚ୍ଚ ହୋଇଥିଲା ୧୩ କୋଟି

ଯେଉଁ ନଈରେ ଦିନେ ବ୍ରିଟିସ୍‌ ଶାସକଙ୍କ ବୋଟ୍ ଚାଲୁଥିଲା, ନଈ କୂଳରେ ୧୦୩ ବର୍ଷ ତଳେ ଦେଶର ଦ୍ବିତୀୟ ସାବରମତୀ ଆଶ୍ରମ କୁହାଯାଉଥିବା ‘ଅଳକାଶ୍ରମ’ ଗଢ଼ି ଉଠିଥିଲା, ସେହି ଐତିହାସିକ ଅଳକା ନଦୀ ଏବେ ମୃତ୍ୟୁକୁ ଅପେକ୍ଷା କରିଛି।

ଜଗତସିଂହପୁର: ଯେଉଁ ନଈରେ ଦିନେ ବ୍ରିଟିସ୍‌ ଶାସକଙ୍କ ବୋଟ୍ ଚାଲୁଥିଲା, ନଈ କୂଳରେ ୧୦୩ ବର୍ଷ ତଳେ ଦେଶର ଦ୍ବିତୀୟ ସାବରମତୀ ଆଶ୍ରମ କୁହାଯାଉଥିବା ‘ଅଳକାଶ୍ରମ’ ଗଢ଼ି ଉଠିଥିଲା, ସେହି ଐତିହାସିକ ଅଳକା ନଦୀ ଏବେ ମୃତ୍ୟୁକୁ ଅପେକ୍ଷା କରିଛି। ମୁହାଣ ବନ୍ଦ ହୋଇଯିବା ପରେ ମୃତ ଅବସ୍ଥାକୁ ଚାଲି ଆସିଥିବା ଅଳକା ଏବେ ଅନେକ ସ୍ଥାନରେ ଖୋଜିଲେ ବି ମିଳୁନି। ଏହି ଐତିହାସିକ ନଦୀର ପୁନରୁଦ୍ଧାର କାର୍ଯ୍ୟରେ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି ପୂର୍ବାପେକ୍ଷା ଆହୁରି ଦୟନୀୟ ଅବସ୍ଥାକୁ ଚାଲି ଆସିଛି। ଏକ ନିର୍ଦ୍ଦିଷ୍ଟ ବନ୍ଧ କରାଯାଇଥିବା ବେଳେ ୫୦ରୁ ଅଧିକ ସ୍ଥାନରେ ଜବରଦଖଲ କରାଯାଇ ନିର୍ମାଣ ମଧ୍ୟ ହେଲାଣି। ପୁନରୁଦ୍ଧାର ମହାଦୁର୍ନୀତିକୁ ନେଇ ବିଧାୟକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଅଭିଯୋଗ ଉଠିଥିଲେ ବି ଏଯାଏଁ ତାହାର ତଦନ୍ତ ବି ଆରମ୍ଭ ହେଉନାହିଁ। ତଥ୍ୟ ଅନୁଯାୟୀ ୧୬୩୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଜଗତସିଂହପୁରକୁ ଆସିଥିଲେ। ମରିଚିକୋଟ ଦେଇ ବାଲିକୁଦାରେ ପହଞ୍ଚିବା ପରେ ଅଳକା ନଦୀ ବାଟେ ଜଗତସିଂହପୁର ସହରରେ ପହଞ୍ଚିଥିଲେ। ଏଠାରେ ସୂତାକଳ ବସାଇ ୭ ବର୍ଷ ପର୍ଯ୍ୟନ୍ତ ବ୍ୟବସାୟ କରିଥିଲେ। ଅଳକା ନଦୀ ଦେଇ କଞ୍ଚାମାଲ,ସୂତା, ପୋଷାକ ବୋଟ୍‌ ମାଧ୍ୟମରେ ସମୁଦ୍ର ପର୍ଯ୍ୟନ୍ତ ଯାଉଥିଲା ବୋଲି ବ୍ରିଟିସ୍‌ ନାବିକ ବ୍ରୁଟନ୍‌ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ୧୦୩ ବର୍ଷ ପୂର୍ବେ ଓଡ଼ିଶାରେ ସ୍ବାଧୀନତା ସଂଗ୍ରାମର ଅନ୍ତୁଡ଼ିଶାଳ କୁହାଯାଉଥିବା ଅଳକାଶ୍ରମ ଏହି ନଦୀ କୂଳରେ ଗଢ଼ା ଯାଇଥିଲା। ବିଶ୍ବ ଇତିହାସରେ ଅଳକା ନଦୀର ସ୍ବତନ୍ତ୍ର ପରିଚୟ ରହିଛି। ଜିଲ୍ଲାର ସର୍ବ ପୁରାତନ ଏସ୍‌ଭିଏମ୍ କଲେଜ ଓ ଅଳକା କଲେଜ ଏହି ନଦୀ କୂଳରେ ଗଢ଼ି ଉଠିଥିଲା। ଏହି ନଈକୂଳରେ ଜଗତସିଂହପୁର ସହର ଗଢ଼ି ଉଠିଥିଲା। ଜଗତସିଂହପୁର ବ୍ଲକର ଅର୍ଦ୍ଧାଧିକ ଅଞ୍ଚଳ, ନାଉଗାଁ, ବାଲିକୁଦାର ଜୀବନରେଖା ପାଲଟିଥିଲା ଅଳକା ନଈ। ଚାଷ ସହ ମତ୍ସ୍ୟଜୀବୀମାନେ ଏହା ଉପରେ ନିର୍ଭର କରି ଗୁଜରାଣ ମେଣ୍ଟାଉଥିଲେ। କିନ୍ତୁ ନଅଙ୍କ ଦୁର୍ଭିକ୍ଷ ପରେ ପରେ ଯେତେବେଳେ ତାଳଦଣ୍ଡା ଓ ଏହାର ଶାଖା ମାଛଗାଁ କେନାଲ ଖୋଳା ଯାଇଥିଲା ସେତେବେଳେ ଅଳକା ନଦୀର ଉତ୍ପତ୍ତିସ୍ଥଳ ମୁହଁ ବନ୍ଦ ହୋଇ ଯାଇଥିଲା। ଜଳପ୍ରବାହ କମିବା ପରେ ଜବରଦଖଲ ଆରମ୍ଭ ହୋଇଥିଲା। ଏପରକି ନଈର ବିଭିନ୍ନ ସ୍ଥାନରେ ଲୋକ ଜବରଦଖଲ କରି ନିଜ ନାଁରେ ପଟ୍ଟା କରାଇ ନେଇଥିଲେ। ଏବେ ଅଳକା ନଦୀଗର୍ଭରେ ଗାଲୁପଡ଼ା ପୋଲ ଠାରୁ କଣ୍ଟାପଡ଼ା ପର୍ଯ୍ୟନ୍ତ ଶହ ଶହ କୋଠା ତିଆରି ହୋଇ ସାରିଲାଣି। ଅଳକା ପୁନରୁଦ୍ଧାର ପାଇଁ ଖନନ ବେଳେ ଏହା ସ୍ପଷ୍ଟ ହୋଇଥିଲେ ବି ତହସିଲ ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଇପାରି ନଥିଲେ।

ଏଭଳି ସ୍ଥିତିରେ ଅଳକା ନଦୀ ଜୀବନ ପାଇବ କଣ ମୂଳରୁ ମରିଗଲା। ମାଟି ତଳେ ପୋତି ହୋଇଗଲା କୋଟି କୋଟି ଟଙ୍କା। ବିଧାୟକ ଅମରେନ୍ଦ୍ର ଦାସ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଥିଲେ। ନକ୍ସା ଅନୁସାରେ ଖନନ ହୋଇ ନ ଥିବା ମୁଖ୍ୟମନ୍ତ୍ରୀ  ମୋହନଚରଣ ମାଝୀ ମାନିଥିଲେ। କିନ୍ତୁ ଜିଲ୍ଲା ପ୍ରଶାସନ ଏଯାଏଁ ନିରବ ରହିବା ସାଧାରଣରେ ଅନେକ ସନ୍ଦେହ ସୃଷ୍ଟି କରିଛି। ୨୦୨୧ରୁ ଅଳକା ଖନନ ଆରମ୍ଭ ହୋଇଥିଲା। ଅଶିଲୋରୁ ବାଲିକୁଦା ମେଡିକାଲ ପର୍ଯ୍ୟନ୍ତ, ବାଲିକୁଦା ମେଡିକାଲ ପାଖରୁ ଓଡ଼ିଶୋ ଓ ତୃତୀୟ ପର୍ଯ୍ୟାୟ ଓଡ଼ିଶୋରୁ ଉତ୍ପତ୍ତିସ୍ଥଳ ବୀରବରପାଟଣା ପର୍ଯ୍ୟନ୍ତ ଖୋଳାଯାଇଥିଲା। ନଦୀର ପ୍ରସ୍ଥକୁ ଅତି କମରେ ୩୨ ଫୁଟ ପର୍ଯ୍ୟନ୍ତ ଖୋଳିବାକୁ ଯୋଜନା ଥିଲା। କିନ୍ତୁ କେତେକ ସ୍ଥାନରେ ଆଦୌ ଖୋଳାଯାଇ ନାହିଁ। କେବଳ ନଦୀଗର୍ଭରେ ଥିବା ବାଲିକୁ ପକାଇ ବନ୍ଧ କରାଯାଇଛି । ଯେଉଁଠି ଜବରଦଖଲ ହୋଇଛି ସେଠାରେ ନଦୀ ଗତିପଥକୁ ବଦଳାଇ ଦିଆଯାଇଛି। କିନ୍ତୁ ଅଳକା ମହାଦୁର୍ନୀତିକୁ ମିଳିମିଶି ଚାପି ଦିଆଯାଇଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.