Breaking News

ମେଟା ସିଇଓଙ୍କ ମନ୍ତବ୍ୟକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ

ମେଟା ସିଇଓ ମାର୍କ ଜକରବର୍ଗ ଭାରତ ସଂପର୍କରେ ଦେଇଥିବା ମନ୍ତବ୍ୟକୁ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଖଣ୍ଡନ କରିଛନ୍ତି। ଏକ ସାକ୍ଷାତକାରରେ ଜକରବର୍ଗ କହିଥିଲେ ଯେ କୋଭିଡ୍‌-୧୯ ପରେ ବିଶ୍ବରେ ଭାରତ ସମେତ ଅନ୍ୟ...

ନୂଆଦିଲ୍ଲୀ: ମେଟା ସିଇଓ ମାର୍କ ଜକରବର୍ଗ ଭାରତ ସଂପର୍କରେ ଦେଇଥିବା ମନ୍ତବ୍ୟକୁ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଖଣ୍ଡନ କରିଛନ୍ତି। ଏକ ସାକ୍ଷାତକାରରେ ଜକରବର୍ଗ କହିଥିଲେ ଯେ କୋଭିଡ୍‌-୧୯ ପରେ ବିଶ୍ବରେ ଭାରତ ସମେତ ଅନ୍ୟ ସବୁ ସ୍ଥାନରେ ହୋଇଥିବା ନିର୍ବାଚନରେ ଶାସନ କ୍ଷମତାରେ ଥିବା ଦଳଗୁଡ଼ିକ ପରାଜିତ ହୋଇଛନ୍ତି। ଜୋ ରୋଗାନଙ୍କ ସହିତ ଏକ ପଡକାଷ୍ଟ୍‌ରେ ସେ ଦାବି କରିଥିଲେ ୨୦୨୪ ମସିହା ବିଶ୍ବ ପାଇଁ ଏକ ନିର୍ବାଚନ ବର୍ଷ ଥିଲା। ଭାରତ ସମେତ ବହୁ ଦେଶରେ ନିର୍ବାଚନ ହୋଇଥିଲା। ମୁଖ୍ୟତଃ ଶାସନ କ୍ଷମତାରେ ଥିବା ଦଳଗୁଡ଼ିକ ନିର୍ବାଚନରେ ହାରିଯାଇଥିଲେ। ଉଚ୍ଚ ମୁଦ୍ରାସ୍ଫୀତି ହେଉ କିମ୍ବା କୋଭିଡ୍‌ ମହାମାରୀର ମୁକାବିଲା ପାଇଁ ନିଆଯାଇଥିବା ଅର୍ଥନୈତିକ ନୀତି ପାଇଁ ହେଉ ଅବା ସରକାର ଯେଭଳି ଭାବେ କୋଭିଡ୍‌ର ମୁକାବିଲା କଲେ ତାହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିଛି। ଏଥିଯୋଗୁ କ୍ଷମତାରେ ଥିବା ସରକାର ଏବଂ ମୋଟାମୋଟିଭାବେ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଆସ୍ଥା ହ୍ରାସ ପାଇବାରୁ ଏହା ହୋଇଛି ବୋଲି ମେଟା ସିଇଓ କହିଛନ୍ତି। କିନ୍ତୁ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଭାରତ ସରକାର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଚାଲିଥିବା ସରକାର ୨୦୨୪ ନିର୍ବାଚନରେ ପରାଜିତ ହୋଇଛି ବୋଲି ଜକରବର୍ଗ କରିଥିବା ଦାବିକୁ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଭୁଲ୍‌ ବୋଲି କହିଛନ୍ତି। ବୈଷ୍ଣବ କହିଛନ୍ତି ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ୨୦୨୪ରେ ହୋଇଥିବା ନିର୍ବାଚନରେ ୬୪ କୋଟିରୁ ଅଧିକ ଭୋଟର ସାମିଲ ଥିଲେ। ଭାରତର ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଉପରେ ପୁନର୍ବାର ଆସ୍ଥା ସ୍ଥାପନ କରିଛନ୍ତି। ତେଣୁ ଜକରବର୍ଗଙ୍କ ମନ୍ତବ୍ୟ ତଥ୍ୟ ଦୃଷ୍ଟିରୁ ଠିକ୍‌ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ୨୦୨୪ ନିର୍ବାଚନରେ ଏନଡିଏ ବିଜୟୀ ହୋଇ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି। ମହାମାରୀ ସମୟରେ ସରକାର ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟ ବଣ୍ଟନ କରିବା ସହିତ ୨୨୦ କୋଟି ମାଗଣା ଟିକା ପ୍ରଦାନ କରିଛନ୍ତି ଏବଂ ଅନ୍ତର୍ଜାତୀୟ ସମୁଦାୟକୁ ସହାୟତା ଯୋଗାଇଛନ୍ତି। ମେଟା ସିଇଓଙ୍କ ଦ୍ବାରା ଭୁଲ୍‌ ସୂଚନା ପ୍ରସାର କରାଯାଇଥିବାରୁ ଏହା ନିରାଶ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.