Breaking News

ମେଦ ଯୁଦ୍ଧ

ଆୟର ବିଷମ ବଣ୍ଟନ ଯୋଗୁଁ ନିମ୍ନ ଆୟବର୍ଗର ସଦସ୍ୟମାନେ ମୁଖ୍ୟତଃ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ ଭଳି ଖାଦ୍ୟଶସ୍ୟ ଉପରେ ନିର୍ଭର କରିଥାନ୍ତି। ଭାରତ ତେଣୁ ଏକ ଦ୍ବି-ମୁଖୀ ସମସ୍ୟାର ସମ୍ମୁଖୀନ ହୋଇଥାଏ।

ଆୟର ବିଷମ ବଣ୍ଟନ ଯୋଗୁଁ ନିମ୍ନ ଆୟବର୍ଗର ସଦସ୍ୟମାନେ ମୁଖ୍ୟତଃ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ ଭଳି ଖାଦ୍ୟଶସ୍ୟ ଉପରେ ନିର୍ଭର କରିଥାନ୍ତି। ଭାରତ ତେଣୁ ଏକ ଦ୍ବି-ମୁଖୀ ସମସ୍ୟାର ସମ୍ମୁଖୀନ ହୋଇଥାଏ। ସହରାଞ୍ଚଳର ସ୍ବଚ୍ଛଳ ବର୍ଗ ଅଳିଆ ଖାଦ୍ୟ ଭକ୍ଷଣ କରି ‌ଟୁଲେକେନ୍‌ଙ୍କ ଭାଷାରେ ‘ଅଲ୍‌ଟ୍ରା-ପ୍ରସେସ୍‌ଡ ପିପୁଲ୍’ରେ ପରିଣତ ହେବାରେ ଲାଗିଥିବାବେଳେ, ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଅସ୍ବଚ୍ଛଳ ବର୍ଗ କେବଳ ସରକାର ଦେଉଥିବା ଶ୍ବେତ ସାର ଆହାର ଉପରେ ନିର୍ଭର କରି ଅସୁସ୍ଥତାର ଶିକାର ହୋଇଥାନ୍ତି।

ଇଉରୋପର ସର୍ବାଧିକ ମୂଲ୍ୟବାନ କଂପାନି କିଏ? ପୃଥିବୀର ବୃହତ୍ତମ ମଟରଗାଡ଼ି ନିର୍ମାତା ଜର୍ମାନିର ‘ଫୋକ୍‌ସଵାଗେନ୍ ଗ୍ରୁପ୍’ କିମ୍ବା ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ପୃଥିବୀର ବୃହତ୍ତମ ଉଡ଼ାଜାହାଜ ନିର୍ମାଣକାରୀ କଂପାନି ‘ଏଆରବସ୍ ଇଣ୍ଡଷ୍ଟ୍ରି’ ନୁହେଁ କିମ୍ବା ପୃଥିବୀର ବୃହତ୍ତମ ଇସ୍ପାତ ଉତ୍ପାଦନକାରୀ କଂପାନି ‘ଆର୍ସେଲର ମି‌ଟ୍ଟଲ୍’ ମଧ୍ୟ ନୁହେଁ। ଏହି ମର୍ଯ୍ୟାଦାର ହକ୍‌ଦାର ହୋଇଥିବା କଂପାନିର ନାମ ହେଉଛି ‘ନୋଭୋ ନର୍ଡିସ୍କ’, ଯିଏ ହେଉଛି ଡେନ୍‌ମାର୍କର ଏକ ଔଷଧ ନିର୍ମାତା କଂପାନି। ୨୦୨୩ରୁ ବର୍ତ୍ତମାନ ମଧ୍ୟରେ ଏହି କଂପାନିର ସେଆର୍ ମୂଲ୍ୟରେ ୮୭ ଶତାଂଶ ବୃଦ୍ଧି ଘଟି ଏହାର ବଜାର ମୂଲ୍ୟ ୫୬୦ ବିଲିଅନ୍ ଡଲାର୍ ସ୍ପର୍ଶ କରି ଏହାକୁ ଇଉରୋପର ସର୍ବାଧିକ ମୂଲ୍ୟବାନ କଂପାନିରେ ପରିଣତ କରିଛି।
ଆଶ୍ଚର୍ଯ୍ୟଜନକ ଭାବରେ ‘ନୋଭୋ ନର୍ଡିସ୍କ’ର ମୂଲ୍ୟାୟନରେ ଘଟିଥିବା ଏହି ନଭଶ୍ଚୁମ୍ବୀ ବୃଦ୍ଧି ଯାହା ଯୋଗୁଁ ସମ୍ଭବ ହୋଇଛି, ତାହା ହେଉଛି ଏହି କଂପାନି ଉତ୍ପାଦନ କରୁଥିବା ଏକ ଔଷଧ, ଯାହାର ବିକ୍ରୟ ନାମ ହେଉଛି- ‘ୱିଗଭି’ ଓ ତାହାର ଭଗିନୀ- ‘ଓଜେମ୍ପିକ୍’। ଏହି ଔଷଧ ସଂପର୍କରେ ରହସ୍ୟରେ ଏତିକି କୁହାଯାଇପାରେ ଯେ, ଯେଉଁ ଔଷଧ ଯୋଗୁଁ ସେ କଂପାନିର ଏଭଳି ଚମକପ୍ରଦ ମେଦ ବୃଦ୍ଧି ଘଟିଛି, ସେ ଔଷଧର କାର୍ଯ୍ୟ ହେଉଛି ଏହାର ସେବନକାରୀଙ୍କ ଠାରେ ଚମକପ୍ରଦ ମେଦ ହ୍ରାସ ଘଟାଇବା। ଏଠାରେ ମଧ୍ୟ ଉଲ୍ଲେଖ ପ୍ରୟୋଜନ ଯେ ବର୍ତ୍ତମାନ କେବଳ ଇଞ୍ଜେକ୍‌ସନ୍ ଆକାରରେ ଉପଲବ୍‌ଧ ହେଉଥିବା ଏହି ଔଷଧର ମୂଲ୍ୟ ମଧ୍ୟ ହେଉଛି ତାହାର ଉତ୍ପାଦନକାରୀ କଂପାନିର ବଜାର ମୂଲ୍ୟ ଭଳି ନଭଶ୍ଚୁମ୍ବୀ: ଜଣେ ବ୍ୟକ୍ତିକୁ ବର୍ତ୍ତମାନ ଏଥିପାଇଁ ବର୍ଷକୁ ପ୍ରାୟ ୧୬,୦୦୦ ଡଲାର୍ (ପ୍ରାୟ ୧୪ ଲକ୍ଷ ଟଙ୍କା) ଖର୍ଚ୍ଚ କରିବାକୁ ପଡ଼ିଥାଏ।
ଏଠାରେ ଏ ସବୁର ଅବତାରଣା କରିବାର ଉଦ୍ଦେଶ୍ୟ ହେଲା ବିକଶିତ ଦେଶମାନଙ୍କରେ ବର୍ତ୍ତମାନ ମେଦ ବୃଦ୍ଧିକୁ କିଭଳି ଗୁରୁତ୍ବ ପ୍ରଦାନ କରାଯାଉଛି, ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିବା। ମେଦ ବୃଦ୍ଧି ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ସେମାନେ ଏପରି ମାତ୍ରାଧିକ ସମ୍ବଳ ବିନିଯୋଗ କରିବାକୁ ଆଗେଇ ଆସିବାର କାରଣ ହେଲା, ଏକ ସମୟରେ ଏହାକୁ ମଧୁମେହ, ହୃଦ୍‌ରୋଗ, କ୍ୟାନ୍‌ସର ଆଦି ଗୁରୁତର ବ୍ୟାଧିମାନଙ୍କର ଅନ୍ୟତମ କାରଣ ରୂପେ ବିଚାର କରାଯାଉଥିବାବେଳେ, ବର୍ତ୍ତମାନ ମେଦବହୁଳତାକୁ ଖୋଦ୍ ଏକ ବ୍ୟାଧି ରୂପେ ବିଚାର କରାଗଲାଣି। ତେବେ ଉପରୋକ୍ତ ବର୍ଣ୍ଣନାରୁ ଯଦି ମେଦବହୁଳତା ହେଉଛି ଏକ ପ୍ରାଚୁର୍ଯ୍ୟର ବ୍ୟାଧି ଓ ତେଣୁ କେବଳ ବିକଶିତ ଦେଶମାନଙ୍କର ସମସ୍ୟା ବୋଲି ଏକ ଧାରଣା ସୃଷ୍ଟି ହେଉଥାଏ, ଆମକୁ ତୁରନ୍ତ ସେଭଳି ଭ୍ରମାତ୍ମକ ଧାରଣା ପରିହାର କରିବାର ସମୟ ଉପସ୍ଥିତ ହେଲାଣି ବୋଲି ସତର୍କ ଘଣ୍ଟି ଶୁଣିବାକୁ ମିଳିଲାଣି।
ମାର୍ଚ୍ଚ ୪ ତାରିଖ ଦିନ ‘ବିଶ୍ବ ମେଦବହୁଳତା ଦିବସ’ (‘ୱର୍ଲଡ୍ ଓବେସିଟି ଡେ’) ପାଳନ ଅବସରରେ ଲଣ୍ଡନ୍‌ରୁ ପ୍ରକାଶିତ ପ୍ରସିଦ୍ଧ ଚିକିତ୍ସାବିଜ୍ଞାନ ପତ୍ରିକା ‘ଦି ଲାନ୍‌ସେଟ୍’ ପ୍ରକାଶ କରିଥିବା ସୂଚନା ଅନୁସାରେ ବର୍ତ୍ତମାନ ଭାରତର ଜନସଂଖ୍ୟାରେ ଅନ୍ତର୍ଭୁକ୍ତ ମେଦବହୁଳ ଅର୍ଥାତ୍ ମୋଟା ଲୋକମାନଙ୍କର ସଂଖ୍ୟା ହେଉଛି ପ୍ରାୟ ଆଠ କୋଟି ଏବଂ ଯାହା ହେଉଛି ବିଶେଷ ଭାବରେ ଚିନ୍ତାଜନକ, ତାହା ହେଲା, ଏମାନଙ୍କ ମଧ୍ୟରୁ ଏକ କୋଟି ହେଉଛନ୍ତି ୫-୧୯ ବର୍ଷ ବୟସ ସୀମା ଅନ୍ତର୍ଗତ ଶିଶୁ ଓ ବାଳକବାଳିକା। ଏହି ପତ୍ରିକା କରିଥିବା ଏକ ଗବେଷଣା ଭିତ୍ତିରେ ୨୦୫୦ ସୁଦ୍ଧା ଭାରତରେ ମେଦବହୁଳଙ୍କ ସଂଖ୍ୟା ୪୪ କୋଟି ଛୁଇଁଥିବ ବୋଲି ପୂର୍ବାନୁମାନ ପ୍ରକାଶ କରିଛି। ‘ଲାନ୍‌ସେଟ୍’ର ଏହି ସତର୍କବାଣୀକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଏହି ବିପଦ ସମ୍ବନ୍ଧରେ ସାବଧାନ କରିଦେଇ ଏହା ବିରୁଦ୍ଧରେ ଲଢ଼ିବା ପାଇଁ ଜୀବନଶୈଳୀରେ ଆବଶ୍ୟକ ପରିବର୍ତ୍ତନ କରିବା ନିମିତ୍ତ ଆହ୍ବାନ ଦେଇଛନ୍ତି। ଏହାର ଅଂଶସ୍ବରୂପ ସେ ଦେଶବାସୀଙ୍କୁ ସେମାନଙ୍କର ଖାଇବା ତେଲ ଭକ୍ଷଣରେ ୧୦ ଶତାଂଶ ହ୍ରାସ ଘଟାଇବାକୁ ଏବଂ ନିୟମିତ ବ୍ୟାୟାମ କରିବାକୁ ଆହ୍ବାନ ଦେଇଛନ୍ତି।
‘ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ’ (‘ଆଇସିଏମ୍ଆର୍’) ଦ୍ବାରା ପ୍ରଦତ୍ତ ସୂଚନା ଅନୁସାରେ ଭାରତରେ ପ୍ରାୟ ‌୧୦ କୋଟି ସଂଖ୍ୟକ ମଧୁମେହ ପୀଡ଼ିତ ରୋଗୀ ରହିଛନ୍ତି। ପୁଣି ଘୋର ଚିନ୍ତାର କଥା ହେଲା, ପୃଥିବୀର ଦେଶମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ଅପ୍ରାପ୍ତବୟସ୍କ ମଧୁମେହ ରୋଗୀ ରହିଛନ୍ତି ଭାରତରେ। ବିଶେଷ କରି ୧୦-୧୪ ବର୍ଷ ବୟସର ପିଲାଙ୍କ ଠାରେ ଯେଉଁ ମଧୁମେହର ଆବିର୍ଭାବ ଘଟିବା ଦେଖାଯାଇଥାଏ, ତାହା ପ୍ରାୟ ମେଦବହୁଳତା ସହିତ ସହାବସ୍ଥାନ କରିଥାଏ, ଯାହା ଏକ କାର୍ଯ୍ୟ-କାରଣ ସଂପର୍କ ପ୍ରତିପାଦିତ କରିଥାଏ। ଅର୍ଥନୈତିକ ଅଭିବୃଦ୍ଧି, ସହରୀକରଣ ଓ ଶ୍ରମକାତର ଜୀବନଶୈଳୀର ମିଳିତ ପ୍ରଭାବ ଭାରତୀୟମାନଙ୍କ ପାଇଁ ବପୁବର୍ଦ୍ଧକ ସାବ୍ୟସ୍ତ ହେବା ଦେଖାଯାଉଛି।
ବିଶେଷ କରି ସହରମାନଙ୍କରେ ପରିବାରର ଖାଦ୍ୟ ତାଲିକାରେ ବିଭିନ୍ନ ଅତି-ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥମାନଙ୍କର ପ୍ରବେଶ ପିଲାମାନଙ୍କୁ ଅସ୍ବାଭାବିକ ଭାବରେ ଅକାଳରେ ମୋଟା କରିଦେବା ଦେଖାଯାଇଥାଏ। ବୟସ୍କ ବ୍ୟକ୍ତିମାନେ ମଧ୍ୟ ଏହାର ପ୍ରଭାବରୁ ମୁକ୍ତ ନୁହନ୍ତି। ଏଭଳି ଅତି-ପ୍ରକ୍ରିୟାକୃତ ଖାଦ୍ୟ (ଅଲ୍‌ଟ୍ରା-ପ୍ରସେସ୍‌ଡ ଫୁଡ୍) ଖାଇ ମେଦ ବୋଝ ବହନ କରୁଥିବା ଲୋକମାନଙ୍କୁ ଲକ୍ଷ୍ୟ କରି ‘ୟୁନିଭର୍ସିଟି କଲେଜ ଲଣ୍ଡନ୍’ର ସଂକ୍ରାମକ ବ୍ୟାଧି ବିଶେଷଜ୍ଞ କ୍ରିସ୍ ଭାନ୍ ଟୁଲେକେନ୍‌ ଏକ ପୁସ୍ତକ ରଚନା କରିଛନ୍ତି, ଯାହାର ବ୍ୟଙ୍ଗାତ୍ମକ ଶୀର୍ଷକ ହେଉଛି: ‘ଅଲ୍‌ଟ୍ରା-ପ୍ରସେସ୍‌ଡ ପିପୁଲ୍’ (‘ଅତି-ପ୍ରକ୍ରିୟାକୃତ ଲୋକ’)। ଏହି ପୁସ୍ତକରେ ସେ ଆଧୁନିକ ଖାଦ୍ୟ ଓ ମେଦ ବୃଦ୍ଧି ସଂକଟ ତଥା ତଜ୍ଜନିତ ବ୍ୟାଧିମାନଙ୍କ ମଧ୍ୟରେ ଥିବା କାର୍ଯ୍ୟ-କାରଣ ସଂପର୍କକୁ ବିଜ୍ଞାନସମ୍ମତ ଭାବରେ ଅନାବୃତ କରିଛନ୍ତି। ଆଜିର ସହରୀ ପିଲାମାନେ ପୂର୍ବ ଭଳି ଆଉ ପ୍ରାୟ ଖେଳକୁଦରେ ମାତି ଯାଉ ନ ଥିବାରୁ ସେମାନେ ଏହି ଅଳିଆ ଖାଦ୍ୟରୁ ସଂଗ୍ରହ କରୁଥିବା କ୍ୟାଲୋରି ଓ ଚର୍ବିର ଦହନ ଘଟୁନାହିଁ। ପଡ଼ିଆରେ ଖେଳକୁଦର ସ୍ଥାନ ବର୍ତ୍ତମାନ ନେଇଛି କମ୍ପ୍ୟୁଟର୍ କିମ୍ବା ସ୍ମାର୍ଟ ଫୋନ୍‌ର ସ୍କ୍ରିନ୍‌ରେ ଛବିର ଖେଳ, ଯେଉଁଥ‌ିରେ ପିଲାଟି ସ୍ଥାଣୁ ଭାବରେ ନିମଜ୍ଜିତ ହୋଇଥାଏ।
ଭାରତୀୟ ଖାଦ୍ୟରେ ଶ୍ବେତସାରର ପ୍ରାଧାନ୍ୟ ମଧ୍ୟ ସମସ୍ୟାକୁ ଗୁରୁତର କରିଥାଏ। ଆୟର ବିଷମ ବଣ୍ଟନ ଯୋଗୁଁ ନିମ୍ନ ଆୟବର୍ଗର ସଦସ୍ୟମାନେ ମୁଖ୍ୟତଃ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ଚାଉଳ ଓ ଗହମ ଭଳି ଖାଦ୍ୟଶସ୍ୟ ଉପରେ ନିର୍ଭର କରିଥାନ୍ତି। ଭାରତ ତେଣୁ ଏକ ଦ୍ବି-ମୁଖୀ ସମସ୍ୟାର ସମ୍ମୁଖୀନ ହୋଇଥାଏ। ସହରାଞ୍ଚଳର ସ୍ବଚ୍ଛଳ ବର୍ଗ ଅଳିଆ ଖାଦ୍ୟ ଭକ୍ଷଣ କରି ‌ଟୁଲେକେନ୍‌ଙ୍କ ଭାଷାରେ ‘ଅଲ୍‌ଟ୍ରା-ପ୍ରସେସ୍‌ଡ ପିପୁଲ୍’ରେ ପରିଣତ ହେବାରେ ଲାଗିଥିବାବେଳେ, ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଅସ୍ବଚ୍ଛଳ ବର୍ଗ କେବଳ ସରକାର ଦେଉଥିବା ଶ୍ବେତ ସାର ଆହାର ଉପରେ ନିର୍ଭର କରି ଅସୁସ୍ଥତାର ଶିକାର ହୋଇଥାନ୍ତି।
ଏଥି ପୂର୍ବରୁ ‘ସ୍ବଚ୍ଛ ଭାରତ’ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନ ଦେଶବ୍ୟାପୀ ଉତ୍ସାହ ସୃଷ୍ଟି କରି ଦେଶବାସୀଙ୍କୁ ସଚେତନ କରିବାରେ ସଫଳ ହେବା ଭଳି ଯଦି ବର୍ତ୍ତମାନର ଆହ୍ବାନ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରେ ତେବେ ଭାରତୀୟମାନେ ନିଜର ଖ୍ୟାଦ୍ୟାଭାସ ଓ ଜୀବନଶୈଳୀରେ ପରିବର୍ତ୍ତନ ଘଟାଇବା ପାଇଁ ହୁଏତ ଆଗେଇ ଆସିପାରନ୍ତି। ଏଥି ପୂର୍ବରୁ ମାଣ୍ଡିଆ ଖାଇବା ଅଭ୍ୟାସ କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ବାନ ଦେଇଥିଲେ, ତାହା ଯଦି ବ୍ୟାପକ ଭାବରେ ଅନୁସୃତ ହୁଅନ୍ତା, ତେବେ ଏହି ସମସ୍ୟା ଅନେକାଂଶରେ ନିୟନ୍ତ୍ରିତ ହୋଇପାରନ୍ତା। କିନ୍ତୁ ଜିହ୍ବା ଲାଳସା ଓ ଶାରୀରିକ ଆରାମ ମନୁଷ୍ୟର ଏପରି ଦୁଇଟି ପ୍ରଧାନ ଦୁର୍ବଳତା ଯେ ସେଥିରୁ ମୁକୁଳି ମେଦ ଯୁଦ୍ଧରେ ଜୟଲାଭ କରିବା ପାଇଁ ଏକ ଦୀର୍ଘ ତଥା ଆନ୍ତରିକ ଅଭିଯାନ ଲୋଡ଼ା।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.