Breaking News

ମେଳା ‌ବେଳେ ମନେପଡ଼େ ଯୋଗ ନଦୀ

ଖଣ୍ଡଗିରି ‌ମେଳା ଆସିଲେ ସାଧୁସନ୍ଥ ଯୋଗ ନଦୀକୁ ମନେପକାନ୍ତି। ଯୋଗୀମୁନିଙ୍କର ସ୍ନାନପୀଠ ଭାବେ ଏହି ଚିରସ୍ରୋତା କ୍ଷୁଦ୍ର ଝରଣା ମେଳା ସମୟରେ ସାଧୁସନ୍ଥଙ୍କ କାମରେ ଆସୁଥିଲା। ଖଣ୍ଡଗିରି ଉଦୟଗିରିରେ ଯୋଗ ସାଧନ କରିବାକୁ ଆସୁଥିବା ଯୋଗ...

ଖଣ୍ଡଗିରି: ଖଣ୍ଡଗିରି ‌ମେଳା ଆସିଲେ ସାଧୁସନ୍ଥ ଯୋଗ ନଦୀକୁ ମନେପକାନ୍ତି। ଯୋଗୀମୁନିଙ୍କର ସ୍ନାନପୀଠ ଭାବେ ଏହି ଚିରସ୍ରୋତା କ୍ଷୁଦ୍ର ଝରଣା ମେଳା ସମୟରେ ସାଧୁସନ୍ଥଙ୍କ କାମରେ ଆସୁଥିଲା। ଖଣ୍ଡଗିରି ଉଦୟଗିରିରେ ଯୋଗ ସାଧନ କରିବାକୁ ଆସୁଥିବା ଯୋଗ ପୁରୁଷମାନଙ୍କ ସ୍ନାନ ଓ ଶୌଚ ପାଇଁ ଏହା ଥିଲା ସବୁଠାରୁ ପ୍ରିୟ ସ୍ଥାନ। ଯୋଗୀ ଋଷିଙ୍କ ବ୍ୟବହାର ପାଇଁ ଏହା ଥିବାରୁ ଲୋକେ ଏହି ଝରଣାକୁ ଏକ ପବିତ୍ର ନଦୀ ଭାବି ପୂଜା କରୁଥିଲେ। ଉଦୟଗିରି ତଳେ ବରମୁଣ୍ଡା ଦେଇ ବହି ଯାଉଥିବା ଏହି ଝରଣାକୁ ଲୋକେ ଯୋଗ ନଦୀ ବୋଲି କହୁଥିଲେ। କିନ୍ତୁ ଏହି ପବିତ୍ର ନିର୍ଝରିଣୀ ଏବେ ନର୍ଦ୍ଦମାରେ ପରିଣତ ହୋଇଛି। କଂକ୍ରିଟ୍‌ ସହରରେ ନଦୀର ଅସ୍ତିତ୍ବ ହଜି ଯାଇଛି। ଯୋଗ ନଦୀ ଲୋକଙ୍କ ମୁଖରେ ‘ଯୋକ ଲଣ୍ଡି’ ହୋଇଯାଇଛି। କାଗଜ ପତ୍ରରେ ବି ଯୋଗ ନଦୀ ବଦଳରେ ଏହି ନଦୀ ଓ ଏହାର ଆଖ ପାଖ ଅଞ୍ଚଳରେ ଯୋକ ଲଣ୍ଡି ବୋଲି ‌ଲେଖାଯାଇଛି।

ସ୍ଥାନୀୟ ବରମୁଣ୍ଡା, ଜାଗମରା, ଘାଟିକିଆ, ନୂଆପଲ୍ଲୀ ଓ ଗଣ୍ଡମୁଣ୍ଡା ଗ୍ରାମବାସୀଙ୍କ ସୂଚନାନୁସାରେ, ଏକ ଅର୍ଜୁନ ଗଛ ମୂଳରୁ ଏହି ଝରଣା ଉତ୍ପତ୍ତି ଲାଭ କରିଥିଲା। ଏବେ ବି ସେହି ଅର୍ଜୁନ ଗଛ ରହିଛି ଓ ତା’ ମୂଳର ଝରଣା ବି ରହିଛି। କିନ୍ତୁ ନଦୀ ପାଲଟିଛି ନର୍ଦ୍ଦମା। ଚନ୍ଦକା ଜଙ୍ଗଲର ଉପତ୍ୟକାରୁ ସୃଷ୍ଟି ଏହି ଝରଣାରେ ପାହାଡ଼‌ରେ ଯୋଗ ସାଧନ କରୁଥିବା ମୁନିଋଷିମାନେ ତିଳତର୍ପଣ ଓ ସ୍ନାନଶୌଚ କରୁଥିଲେ। ତେଣୁ ଏହାକୁ ଯୋଗ ନଦୀ ବୋଲି କୁହାଯାଉଥିଲା। ଗ୍ରୀଷ୍ମକାଳରେ ବି ଏହା ଶୁଖୁ ନଥିଲା। କୂଳରେ ଥିବା ବରମୁଣ୍ଡା, ଜାଗମରା, ଗଣ୍ଡମୁଣ୍ଡା ଗାଁର ଲୋକେ ବର୍ଷ ସାରା ଚାଷ କରୁଥିଲେ। ଏହି ନଦୀ ସ୍ଥାନୀୟ ଲୋକଙ୍କ ଜୀବନଧାରା ପାଲଟିଥିଲା। କିନ୍ତୁ ଗତ ୪ ଦଶନ୍ଧିରେ ଖଣ୍ଡଗିରି ପାହାଡ଼ ତା’ର ଆଧ୍ୟାତ୍ମିକ ସତ୍ତା ହରାଇ ବସିଛି। ପୂର୍ବ ଭଳି ତପ ଭୂମି ହୋଇ ଆଉ ନାହିଁ। ଏହି ନଦୀ କୂଳକୁ ଲାଗି ରହିଥିବା ୧୬୦୦ ମସିହାର ଯୋଗ ନଦୀ ସିଦ୍ଧି ଆଶ୍ରମ ଆଜି ବି ରହିଛି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ବାବା ମାନଙ୍କର କହିବା କଥା, ନଦୀର ସତ୍ତାକୁ ଏବେବି ଅନୁଭବ କରିହେଉଛି। ଶୀତ ଦିନେ ଏହି ଅଞ୍ଚଳରେ ଅଧିକ ଥଣ୍ଡା ଅନୁଭୂତ ହୁଏ। ଏମିତିକି ପ୍ରଚଣ୍ଡ ଖରା ବେଳେ ଏଠାରେ ବହୁଥିବା ପବନ ବେଶ୍ ଶୀତଳ ଲାଗେ। ଏହି ପବିତ୍ର ନଦୀ ବାବଦରେ ଜାଣିଥିବା ଲୋକେ ହିଁ କେବଳ ଅନୁଭବ କରିପାରିବେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.