Breaking News

ମେଳି କରିଥିବା ନେତାଙ୍କ ପତ୍ତା କଟିବ! ପ୍ରଭାତଙ୍କ ରାଗ ଦେବୀଙ୍କ ଉପରେ ସୁଝାଇବେ

ୱକଫ୍‌ ବିଲ୍‌ ପ୍ରସଙ୍ଗରେ ବିଜେଡିରେ ଆରମ୍ଭ ହୋଇଥିବା ମହାଭାରତ ଏବେ ଭିନ୍ନ ମୋଡ଼ ନେବାକୁ ଯାଉଛି। ବିଜେଡିର ସାଂଗଠନିକ ନିର୍ବାଚନରେ ତାହାର ପ୍ରତିଫଳନ ଆରମ୍ଭ ହୋଇଗଲାଣି।

ଭୁବନେଶ୍ବର: ୱକଫ୍‌ ବିଲ୍‌ ପ୍ରସଙ୍ଗରେ ବିଜେଡିରେ ଆରମ୍ଭ ହୋଇଥିବା ମହାଭାରତ ଏବେ ଭିନ୍ନ ମୋଡ଼ ନେବାକୁ ଯାଉଛି। ବିଜେଡିର ସାଂଗଠନିକ ନିର୍ବାଚନରେ ତାହାର ପ୍ରତିଫଳନ ଆରମ୍ଭ ହୋଇଗଲାଣି। ଭିକେ ପାଣ୍ଡିଆନଙ୍କ ମାମଲତି ଉପରକୁ ପ୍ରଶ୍ନ ଉଠାଇଥିବା ନେତାମାନଙ୍କ ପତ୍ତା କାଟିବାକୁ ବଡ଼ ଷଡ଼୍‌ଯନ୍ତ୍ର କରାଯାଇଛି। ନବୀନ ନିବାସରେ ହିଁ ଏହି ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ସରିଛି। ଏହା ଜଣାପଡ଼ିବା ପରେ ବିଜେଡି ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି। ସାଂଗଠନିକ ନିର୍ବାଚନ ପରେ ଏହା ଗୃହଯୁଦ୍ଧର ରୂପ ନେଇପାରେ। ବର୍ତ୍ତମାନ ବିଜେଡିର ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦ ସଦସ୍ୟ ଚୟନ ଚାଲିଛି। ରାଜ୍ୟ ପରିଷଦରେ ୩୭୦ ସଦସ୍ୟ ରହିବେ। ଏମାନଙ୍କ ମଧ୍ୟରୁ ୮୧ ଜଣ ରାଜ୍ୟ କାର୍ଯ୍ୟକାରିଣୀରେ ରହିବେ। ୧୭ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ସରିବ। ୧୯ ତାରିଖରେ ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ରାଜ୍ୟ ସଭାପତି କରିବା ପାଇଁ ଆପାତତଃ ନିଷ୍ପତ୍ତି ହୋଇଛି। ୧୬ଟି ଜିଲ୍ଲାର ଜିଲ୍ଲା ସଭାପତି ପଦବି ପାଇଁ ନାଁ ଚୂଡ଼ାନ୍ତ ହୋଇଛି।

ଔପଚାରିକତା ଦୃଷ୍ଟିରୁ ସେମାନେ ସଭାପତି ପଦବି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯଦିଓ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇନାହିଁ, ତେବେ ଦଳୀୟ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ପୁରୀରୁ ଉମାକାନ୍ତ ସାମନ୍ତରାୟ, ଅନୁଗୁଳରୁ ବ୍ରଜ ପ୍ରଧାନ, ସୁନ୍ଦରଗଡ଼ରୁ ଯୋଗେଶ ସିଂହ, ଭଦ୍ରକରୁ ଜଗନ୍ନାଥ ସ୍ବାଇଁ, ଯାଜପୁରରୁ ସ‌ରୋଜ ମହାପାତ୍ର, ନୟାଗଡ଼ରୁ ରମେଶ ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୧୦ରୁ ଅଧିକ ସାଂଗଠନିକ ଜିଲ୍ଲାରେ ଭୀଷଣ ଅଡ଼ୁଆ ରହିଛି। ସେଠାରେ ସଭାପତି ଚୟନ ବହୁ ବିଳମ୍ବ ହୋଇପାରେ। ଏହି ଜିଲ୍ଲା ମଧ୍ୟରେ କେନ୍ଦୁଝରମୟୂରଭଞ୍ଜ(ଅଧା), ବାଲେଶ୍ବର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଇତ୍ୟାଦି ରହିଛି। ସେଠାରେ ଜିଲ୍ଲା ନେତାଙ୍କ ମଧ୍ୟରେ ଛକାପଞ୍ଝା ଜୋର୍‌ ରହିଥିବାରୁ ସଭାପତି ପଦବି ପାଇଁ ଏକପାଖିଆ ଚୟନ ସମ୍ଭବ ହେଉ ନାହିଁ। କୌଣସି ଗୋଟିଏ ନାମ ଉପରେ ସହମତି ଆଣିବା ଏତେ ସହଜ ହେଉ ନାହିଁ। ପୁଣି ଏହା ମଧ୍ୟରୁ କିଛି ଜିଲ୍ଲାରେ ପାଣ୍ଡିଆନ ମାର୍କା ନେତାଙ୍କୁ ଥଇଥାନ କରିବାକୁ ଯୋଜନା ଚାଲିଥିବାରୁ ଆହୁରି ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ପ୍ରଭାତଙ୍କ ରାଗ ଦେବୀଙ୍କ ଉପରେ ସୁଝାଇବେ
୧୦ରୁ ଅଧିକ ଜିଲ୍ଲାରେ ସଭାପତି ଚୟନ ବିବାଦ
ବବିଙ୍କ ମନ‌ମାନି ରୋକିବାକୁ ଛକିଛନ୍ତି ୬ ନେତା
ସଂଗଠନରେ ସଂରକ୍ଷଣ ଦାବି କଲେ ରଣେନ୍ଦ୍ର

ଅପର ପକ୍ଷରେ ପାଣ୍ଡିଆନଙ୍କୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ବଢ଼ିବାରେ ଲାଗିଛି। ନବୀନଙ୍କ ନାଲି ଆଖି ଏହି ଅସନ୍ତୋଷର ନିଆଁକୁ ତେଜିବାକୁ ଇନ୍ଧନ ଯୋଗାଇଛି। ଯଦିଓ ଖୋଲାଖୋଲି ଭାବେ ଦଳୀୟ ନେତୃତ୍ବ ବିରୋଧରେ କେହି ବିଦ୍ରୋହ କରିନାହାନ୍ତି, କିନ୍ତୁ ଭିତରେ ଭିତରେ ଏହାକୁ ବିରୋଧ କରୁଛନ୍ତି। ନେତାମାନେ ବିଭିନ୍ନ ଜାଗାରେ ଦଳ ଦଳ ହୋଇ ପରବର୍ତ୍ତୀ ଯୋଜନା ପ୍ରସ୍ତୁତ କରୁଛନ୍ତି। ଅନ୍ୟ ପଟେ ମେଳି କରୁଥିବା ନେତାଙ୍କ ପ୍ରଭାବ ସଂଗଠନରେ ହ୍ରାସ କରିବାକୁ ଷଡ଼୍‌ଯନ୍ତ୍ର ଚାଲିଛି। ଏଥି ପାଇଁ ନବୀନ ନିବାସରେ ବ୍ଲୁ ପ୍ରିଣ୍ଟ୍‌ କରାଯାଉଛି। କାରଣ ଜିଲ୍ଲା ସଭାପତି ଓ ସଂଗଠନ କର୍ମକର୍ତ୍ତା ଚୟନରେ କୌଣସି ଜଣେ ନେତାଙ୍କ ପ୍ରାଦୁର୍ଭାବ ଅଧିକ ହୋଇପାରୁ ନାହିଁ। ପୂର୍ବରୁ ବିଜେଡିର ଅଘୋଷିତ ତୃତୀୟ କ୍ଷମତାକେନ୍ଦ୍ର ଥିବା ପ୍ରଣବ ପ୍ରକାଶ ଦାସ କର୍ମକର୍ତ୍ତା ମନୋନୟନରେ ମନମାନି କରିବାକୁ ଚେଷ୍ଟା କରୁଥିଲେ ବି ସେଥିରେ ଶତ ପ୍ରତିଶତ ସଫଳ ହୋଇପାରୁ ନାହାନ୍ତି। ତାଙ୍କୁ ଛକିଛନ୍ତି ଆଉ ୬ ଜଣ ନେତା ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚ୍ଚୀ ନାୟକ। ଏହି ୬ ନେତା ଓ ପ୍ରଣବ ପ୍ରକାଶ ମିଳିତ ଭାବେ କର୍ମକର୍ତ୍ତା ଚୟନ କରୁଥିବା ଜଣାପଡ଼ିଛି। ଏମାନଙ୍କ ଭିତରେ ଛକାପଞ୍ଝା ଯୋଗୁ କର୍ମକର୍ତ୍ତା ଚୟନରେ ବି ଅଡ଼ୁଆ ସୃଷ୍ଟି ହେଉଛି।

ପ୍ରଭାତ ତ୍ରିପାଠୀଙ୍କ ଉପରେ ରାଗ ସୁଝାଇବାକୁ ଏବେ ତାଙ୍କ ପୁଅ ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ସାଂଗଠନିକ ଦାୟିତ୍ବରୁ ଦୂରେଇ ରଖିବାକୁ ଷଡ଼୍‌ଯନ୍ତ୍ର ରଚନା କରାଯାଇଛି। ପୂର୍ବରୁ ଛାତ୍ର ଶାଖା ସଭାପତି ଥିବା ଦେବୀ ରଞ୍ଜନ ଏଥର ଯୁବ ଶାଖାର ସଭାପତି ହେବା ଦୌଡ଼ରେ ଆଗରେ ଥିଲେ। କିନ୍ତୁ ତାଙ୍କୁ ଆଉ ସଭାପତି କରାନଯିବାକୁ ଯୋଜନା ହୋଇଛି। ପୂର୍ବରୁ ଯୁବ ସଭାପତି ଥିବା ବ୍ୟୋମକେଶ ରାୟଙ୍କୁ ଆଉ ଥରେ ଯୁବ ସଭାପତି କରିବାକୁ ଲୋଭ ଦେଖାଇ ସାମାଜିକ ଗଣମାଧ୍ୟମରେ ରିଲ୍‌ସ୍‌ କରିବାକୁ ଯୁବ ନେତାମାନଙ୍କୁ କହିବା ପାଇଁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଏହି ରିଲ୍‌ସ୍‌ ପ୍ରଭାବୀ ସାବ୍ୟସ୍ତ ହେଲା ନାହିଁ। ବହୁ ଅନୁରୋଧ ପରେ ଖୁବ୍ କମ୍ ଯୁବନେତା ରିଲ୍‌ସ୍‌ କରିଥିବା ଦେଖିବାକୁ ମିଳିଥିଲା। ଶ୍ରୀ ରାୟ ସଫଳତାର ସହ ଏହା ଯୋଜନାକୁ କାର୍ଯ୍ୟକାରୀ କରାଇପାରି ନଥିବାରୁ ତାଙ୍କୁ କେତେଦୂର ଭରସା କରାଯିବ, ତାହାକୁ ନେଇ ଚର୍ଚ୍ଚା ଚାଲିଛି।

ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ବେଳେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ଚିଠି ଦଳୀୟ ମହଲରେ ଆଲୋଚନାର ବିଷୟ ହୋଇଛି। ସଂଗଠନରେ ସଂରକ୍ଷଣ କରିବାକୁ ସେ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିରେ ଶ୍ରୀ ସ୍ବାଇଁ ଦର୍ଶାଇଛନ୍ତି, ବିଜେଡି ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଓ ଆଞ୍ଚଳିକ ସନ୍ତୁଳନକୁ ନେଇ ଆଗକୁ ବଢ଼ିବା ଉଚିତ। ଏସ୍‌ସି, ଏସ୍‌ଟି, ଓବିସି, ସଂଖ୍ୟାଲଘୁ ଓ ମହିଳାଙ୍କୁ ସେମାନଙ୍କ ସଂଖ୍ୟା ଅନୁପାତରେ ବିଜେଡିର ରାଜ୍ୟ, ଜିଲ୍ଲା ଓ ବ୍ଲକ୍‌ କମିଟିରେ ସ୍ଥାନ ମିଳୁ। କିଛି ଲୋକଙ୍କୁ ଦଳର ସଂଗଠନକୁ ହାଇଜ୍ୟାକ୍‌ କରିବାକୁ ଦିଆ ନଯାଉ। ସେ ଏହା ବି ସତର୍କ କରାଇ ଦେଇଛନ୍ତି, ୱକଫ୍‌ ବିଲ୍‌ ବିବାଦ ଆମର ଧର୍ମନିରପେକ୍ଷତାରେ ପ୍ରଶ୍ନବାଚୀ ଲଗାଇ ଦେଇଛି। ତେଣୁ ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟ ଆଦର୍ଶକୁ ଉଜ୍ଜୀବିତ କରି ରଖିବାକୁ ଉଚିତ ପଦକ୍ଷେପ ନିଆଯାଉ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.