Breaking News

ମୈତ୍ରୀବିହାରର ମା’ ହାତିଆଶୁଣୀ: ମାଙ୍ଗଳିକ କାର୍ଯ୍ୟରେ ଅଗ୍ରପୂଜ୍ୟା

ସାହା ହୋଇଥା’ଲୋ ମାଆ: ପାଇକରାପୁରରେ ପୂଜାପାଆନ୍ତି, ମା’ ବୁଲାଦେବୀ। ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି।

0

ସାହା ହୋଇଥା’ଲୋ ମାଆ: ପାଇକରାପୁରରେ ପୂଜାପାଆନ୍ତି, ମା’ ବୁଲାଦେବୀ। ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ ହୁଅନ୍ତି। ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗବୈରାଗ୍ୟଠୁ ଆରମ୍ଭକରି ସବୁ ପ୍ର‌ାକୃତିକ ବିପତ୍ତିଠାରୁ ରକ୍ଷା କରୁଛନ୍ତି। ଆସୁଥିବା ଅଦୃଶ୍ୟ ବିପତ୍ତି ଓ ଶତ୍ରୁମାନଙ୍କ ସହିତ ଲଢ଼େଇକରି ସେ ନିଜ ଗାଁକୁ ଘଣ୍ଟ ଘୋଡ଼େଇ ରଖନ୍ତି। ସବୁଠୁ ଉଲ୍ଲେଖନୀୟ, ଅଧିକାଂଶ ଗ୍ରାମଦେବତୀଙ୍କର ନାଁ ନିଚ୍ଛକ ଓଡ଼ିଆ ନାଁ- ଯେମିତିକି ସେ କାହିଁ କେ‌ତେ ପିଢ଼ି ଆଗରେ ପରିବାରର ଦାୟିତ୍ବ ନେଇଥିବା ଜଣେ ସାହସିନୀ, ଶକ୍ତିଶାଳୀ ଓଡ଼ିଆ ମା’! ଗ୍ରାମଦେବତୀଙ୍କ ପୂଜକ ବ୍ରାହ୍ମଣ ହେବା ନିହାତି ଆବଶ୍ୟକ ନୁହେଁ। ବିଧିବଦ୍ଧ ଗଢ଼ା ହୋଇଥିବା ଭାବେ ତାଙ୍କର ମୂର୍ତ୍ତି ବଦଳରେ କେବଳ କାଠ ବା ପଥର ରୂପରେ ସେ ବିଜେ କରିଥାଇ ପାରନ୍ତି। ପୁଣି ଗ୍ରାମବାସୀ ଖାଉଥିବା ଖାଦ୍ୟକୁ ସେ ଆନନ୍ଦର ସହ ଭୋଗଭାବେ ଗ୍ରହଣ କରନ୍ତି। ଏବେ ଏକ ଆଧୁନିକ ସହରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜିର ଚଉଡ଼ା ରାସ୍ତା, ଫ୍ଲାଏଓଭର୍‌, ମଲ୍‌ ଓ କୋଠା ଆଦି ଭିତରେ ସେ ଗାଁଗୁଡ଼ିକ ହଜି ଯାଇଛି। କିନ୍ତୁ ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ହଜିଯାଇଥିବା ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା
ରିପୋର୍ଟ: ହରପ୍ରିୟା ପୃଷ୍ଟି, ଫଟୋ: ନରସିଂହ ପରିଡ଼ା

ଖଣ୍ଡଗିରି: ମୈତ୍ରୀବିହାର ଅଞ୍ଚଳ‌ରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ହାତିଆଶୁଣୀ ପୂଜା ପାଉଛନ୍ତି। ସତ୍ୟଯୁଗ‌ରୁ ଏଠାରେ ମା’ ପୂଜା ପାଉଛନ୍ତି ବୋଲି ବିଶ୍ବାସ ରହିଛି। ଏବେ ମା’ ଯେଉଁଠି ପୂଜା ପାଉଛନ୍ତି ପୂର୍ବରୁ ଟିକେ ଦୂରରେ ଜଙ୍ଗଲ ଭିତରେ ଏକ ନିମ୍ବ ଗଛମୂଳେ ପୂଜା ପାଉଥିଲେ। ଚନ୍ଦକା ଜଙ୍ଗଲରୁ ହାତୀ ଆସିବା ସହିତ ବିଭିନ୍ନ ବନ୍ୟଜନ୍ତୁ ଏଠାରେ ଚଳପ୍ରଚଳ କରୁଥିଲେ। ମା’ଙ୍କ କୁନି କଳା ପଥର ମୂର୍ତ୍ତି ଏଠାରେ ପୂଜା କରାଯାଉଥିଲା। ସାହାଡ଼ା, ବର, ଓସ୍ତ, ଚାକୁଣ୍ଡା, ଜଙ୍ଗଲୀ ଫୁଲଗଛ, କଣ୍ଟେଇକୋଳି, ଖିରିକୋଳି ଗଛ ଠାକୁରାଣୀଙ୍କ ପୀଠ ଆଖପାଖରେ ଥିଲା। କ୍ରମେ ସହର ବଢ଼ିଲା। ମା’ଙ୍କ ସ୍ଥାନରେ ବ୍ୟାବସାୟିକ ପ୍ରତିଷ୍ଠାନ ନିର୍ମାଣ ହେବାରୁ ସେଠାରୁ ମା’ଙ୍କ ମୂର୍ତ୍ତିକୁ ସ୍ଥାନାନ୍ତରିତ କରାଗଲା। ପ୍ରଥମେ ୧୯୯୯ ମସିହାରେ ୨ଟି ଆଜବେଷ୍ଟସ୍‌ ଘର କରି ମା’ଙ୍କୁ ପୂଜା କଲେ। ପରେ ଛୋଟିଆ ମନ୍ଦିରଟିଏ କରାଗଲା। ଏବେ ଅଞ୍ଚଳର ମୂଳ ବାସିନ୍ଦାଙ୍କ ସହ ପାଖରେ ଗଢ଼ିଉଠିଥିବା ବିଭିନ୍ନ ଆପାର୍ଟମେଣ୍ଟ, କଲୋନି, ବସ୍ତି ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ବିବାହ, ବ୍ରତଘର ଭଳି ଯେ କୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ ପ୍ରଥମେ ମା’ଙ୍କ ପାଖରେ ପୂଜା କରାଯା‌ଏ। ବିବାହ ବେଳେ ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ପୂଜା ପାଇଁ ଯାଆନ୍ତି।

ଠାକୁରାଣୀଙ୍କ ପାଖରେ ଦଶହରା, ପଣା ସଂକ୍ରାନ୍ତିରେ ବଡ଼ ପୂଜା ‌ହୁଏ। ପ୍ରତିଦିନ ସକାଳେ ମାଜଣା ହୁଏ। ସଂଧ୍ୟାରେ ୭ ଗରା ପାଣିରେ ସ୍ନାନ କରାଯାଏ। ପୂର୍ବରୁ ମ‌‌‌ା’ଙ୍କୁ ବାବା ଲକ୍ଷ୍ମୀଧର ମହାପାତ୍ର ପୂଜା କରୁଥିଲେ। ୩୫ ବର୍ଷ ତଳେ ତାଙ୍କ ଶିଷ୍ୟ ଭାବେ ପ୍ର ମୋଦ ତ୍ରିପାଠୀ ମା’ଙ୍କ ନୀତିକାନ୍ତି ଶିଖିଲେ। ୪ ବର୍ଷ ତଳେ ବାବା ଲକ୍ଷ୍ମୀଧରଙ୍କ ଦେହାନ୍ତ ପରେ ଏବେ ପ୍ରମୋଦ ନନା ପୂଜା କରୁଛନ୍ତି। ସଂକ୍ରାନ୍ତି ଓ ଅମାବାସ୍ୟାରେ ଏଠାରେ ହଜାରେ ଭକ୍ତଙ୍କ ପାଇଁ ଭୋଗ କରାଯାଉଛି। ଦଶହରାରେ ଚାଉଳ ଖିରି ଓ ମାଟି ହାଣ୍ଡିରେ ପଣା ଭୋଗ ହୋଇ ଲୋକଙ୍କୁ ବଣ୍ଟାଯାଏ। ନୂଆପଲ୍ଲୀ, ଅନ୍ଧାରୁଆ, ଗାଡ଼କଣ, ଡମଣା, ସାଲିଆସ‌ାହିର ହଜାର ହଜାର ଭକ୍ତ ନିଜର ସବୁ ମଙ୍ଗଳ କାର୍ଯ୍ୟରେ ମା’ ହାତିଆଶୁଣୀଙ୍କୁ ପୂଜନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.