Breaking News

ମୋବାଇଲ୍ ଗ୍ରାହକ ୩୩୧୪୦ ବଢ଼ିଲେ: ବିଏସ୍‌ଏନ୍ଏଲ୍‌, ଏୟାରଟେଲ୍‌ ଯୋଡ଼ିଲେ

ଚଳିତ ବର୍ଷ ଅକ୍ଟୋବର ମାସ‌ରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ୩୩,୧୪୦ ବଢ଼ିଛନ୍ତି। ଫଳରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୧ ଲକ୍ଷ ୧୩ ହଜାର ୭୬୬କୁ ବୃଦ୍ଧି ପାଇଛି।

ଭୁବନେଶ୍ବର: ଚଳିତ ବର୍ଷ ଅକ୍ଟୋବର ମାସ‌ରେ ରାଜ୍ୟରେ ମୋବାଇଲ୍ ଗ୍ରାହକ ୩୩,୧୪୦ ବଢ଼ିଛନ୍ତି। ଫଳରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୪୧ ଲକ୍ଷ ୧୩ ହଜାର ୭୬୬କୁ ବୃଦ୍ଧି ପାଇଛି। ମୋବାଇଲ୍ ସେବା ପ୍ରଦାନ କରୁଥିବା ଚାରି ସଂସ୍ଥା ମଧ୍ୟରୁ ଦୁଇଟି ସଂସ୍ଥା ନୂଆ ଗ୍ରାହକ ପାଇଥିବା ବେଳେ ଅନ୍ୟ ଦୁଇଟି ସଂସ୍ଥା ପୁରୁଣା ଗ୍ରାହକ ହରାଇଛନ୍ତି। ଭାରତୀ ଏୟାରଟେଲ୍ ଓ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍ଏଲ୍‌) ନୂଆ ଗ୍ରାହକ ସୃଷ୍ଟି କରିଛନ୍ତି। ରିଲାଏନ୍ସ ଜିଓ ଓ ଭୋଡାଫୋନ୍ ଆଇଡିଆ ପୁରୁଣା ଗ୍ରାହକ ହରାଇଥିବା ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ଟ୍ରାଇ ତଥ୍ୟ ଅନୁସାରେ ୨୦୨୪ ଅକ୍ଟୋବରରେ ରିଲାଏନ୍ସ ଜିଓ ୧୫,୭୭୬ ଗ୍ରାହକଙ୍କୁ ହରାଇବାରୁ ଏହାର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୧,୫୪,୩୧,୦୧୧କୁ ହ୍ରାସ ପାଇଛି। ସେହି ସମୟ‌ରେ ଭାରତୀ ଏୟ‌ାରଟେଲ୍‌ ୩୧,୯୫୧ ନୂଆ ଗ୍ରାହକ ଯୋଡ଼ିବାରୁ କମ୍ପାନିର ମୋଟ୍‌ ମୋବାଇଲ୍‌ ଗ୍ରାହକ ୧,୧୭,୪୫,୪୬୨କୁ ବୃଦ୍ଧି ପାଇଛି। ବିଏସ୍‌ଏନ୍‌ଏଲ୍‌ ୩୩,୨୮୯ ନୂଆ ଗ୍ରାହକ ଯୋଡ଼ିଛି। ଫଳରେ କମ୍ପାନିର ଓଡ଼ିଶାରେ ଗ୍ରାହକ ସଂଖ୍ୟା ୫୫,୪୮,୨୭୬କୁ ବୃଦ୍ଧି ପାଇଛି। ଭୋଡାଫୋନ୍ ଆଇଡିଆ ୧୬,୩୨୫ ଗ୍ରାହକଙ୍କୁ ହରାଇବାରୁ ଏହାର ଗ୍ରାହକ ସଂଖ୍ୟା ୧୩,୮୯,୦୧୭କୁ ହ୍ରାସ ପାଇଛି। ସର୍ବଭାରତୀୟ ସ୍ତରରେ ଓଡ଼ିଶା ସମେତ ମାତ୍ର ପାଞ୍ଚଟି ରାଜ୍ୟରେ ମୋବାଇଲ୍‌ ଗ୍ରାହକ ବଢ଼ିଥିବା ବେଳେ ଅନ୍ୟ ସବୁ ରାଜ୍ୟରେ ହ୍ରାସ ପାଇଛି। ଗ୍ରାହକ ବଢ଼ାଇଥିବା ଟେଲିକମ୍ ସର୍କଲ୍‌ଗୁଡ଼ିକ ହେଉଛି ମୁମ୍ବାଇ, କର୍ଣ୍ଣାଟକ, ଆସାମ, ଗୁଜରାଟ ଓ ଓଡ଼ିଶା। ଦେଶରେ ଏୟାରଟେଲ୍ ୧୯.୨୮ଲକ୍ଷ ନୂଆ ଗ୍ରାହକ ଯୋଡ଼ିଛି। ଜିଓ ୩୭.୬୦ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୧୯.୭୭ ଲକ୍ଷ ଗ୍ରାହକ ହରାଇଛି। ବିଏସ୍‌ଏନ୍‌ଏଲ୍‌ ୫ ଲକ୍ଷ ନୂଆ ଗ୍ରାହକ ହାସଲ କରିଛି।

ପୃଥକ ‘କଲ୍‌-ଏସ୍‌ଏମ୍ଏସ୍‌’ ରିଚାର୍ଜ ପ୍ଲାନ୍ ବାଧ୍ୟତାମୂଳକ, ଫିଚର୍ ଫୋନ୍ ଗ୍ରାହକ ଉପକୃତ ହେବେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଉପଲବ୍ଧ ଥିବା ମୋବାଇଲ୍‌ ରିଚାର୍ଜ ପ୍ଲାନ୍‌ଗୁଡ଼ିକରେ କଲ୍‌, ଏସ୍‌ଏମ୍ଏସ୍‌ ସହିତ ଡାଟା ରହୁଛି। ଆଗାମୀ ଦିନରେ କେବଳ କଲ୍ ଓ ଏସ୍‌ଏମ୍ଏସ୍‌ ସୁବିଧା ଥିବା ପ୍ଲାନ୍ ଯୋଗାଇ ଦେବାକୁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କମ୍ପାନିଗୁଡ଼ିକୁ କହିଛି। ଦେଶରେ ଅନେକ ବୟସ୍କ ଲୋକ ଓ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ ଫିଚର୍ ‌ଫୋନ୍ ବ୍ୟବହାର କରୁଛନ୍ତି ଯେଉଁଥିପାଇଁ ଡାଟା ଦରକାର ନାହିଁ। ସେମାନେ କେବଳ କଲ୍‌ କରିବା ପାଇଁ କିମ୍ବା ଉଭୟ କଲ୍ ଓ ଏସ୍‌ଏମ୍ଏସ୍‌ ସୁବିଧା ଥିବା ରିଚାର୍ଜ ପ୍ଲାନ୍ ଚାହୁଛନ୍ତି। ବଜାରରେ କିନ୍ତୁ ସେମାନଙ୍କ ଲାଗି କୌଣସି ପ୍ଲାନ୍ ନ ଥିବା ଜାଣିବା ପରେ ସେଭଳି ସ୍ବତନ୍ତ୍ର ଟାରିଫ୍‌ ପ୍ଲାନ୍ ଆଣିବା ଲାଗି ଟେଲିକମ୍‌ କମ୍ପାନିଗୁଡ଼ିକ ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହା ଦ୍ବାରା ସ୍ମାର୍ଟଫୋନ୍ ବ୍ୟବହାର କରୁ ନ ଥିବା ଗ୍ରାହକମାନେ ଲାଭବାନ ହେବେ।

କମ୍ପାନିଙ୍କୁ ୧୨ କୋଟି ଜରିମାନା

ନୂଆଦିଲ୍ଲୀ: ଜାଲ୍ କଲ୍ ଓ ମେସେଜ୍ ରୋକିବାରେ ବିଫଳ ହୋଇଥିବାରୁ ଟେଲିକମ୍‌ କମ୍ପାନିଗୁଡ଼ିକ ଉପରେ ଟ୍ରାଇ ୧୨ କୋଟି ଟଙ୍କାର ଜରିମାନା ଲାଗୁ କରିଛି। ଏହାକୁ ମିଶାଇ କମ୍ପାନିଗୁଡ଼ିକ ଉପରେ ମୋଟ ଜରିମାନା ରାଶି ୧୪୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି। କମ୍ପାନିଗୁଡ଼ିକ ଜରିମାନା ଦେଉନଥିବାରୁ ସେମାନଙ୍କ ବ୍ୟାଙ୍କ ଗ୍ୟାରେଣ୍ଟି ଜବତ କରି ଅର୍ଥ ଅସୁଲ କରିବାକୁ ଟେଲିକମ୍ ବିଭାଗକୁ ଟ୍ରାଇ କହିଛି। କିନ୍ତୁ ସେ ସମ୍ପର୍କିତ ନିଷ୍ପତ୍ତି ଅଧା ବାଟରେ ଲଟକି ରହିଛି। ଟେଲିକମ୍ କମ୍ପାନିଗୁଡ଼ିକ ଯୁକ୍ତି କରୁଛନ୍ତି ଯେ ଜାଲ୍‌ କଲ୍ ଓ ମେସେଜ୍‌ ଲାଗି କେବଳ ସେମାନଙ୍କୁ ଦାୟୀ କରାଯିବା ଯୁକ୍ତିଯୁକ୍ତ ନୁହେଁ। ହ୍ବାଟସ୍‌ଆପ୍ ଭଳି ପ୍ଲାଟଫର୍ମ, ଓଟିଟି, ବ୍ୟାଙ୍କ ଓ ଅନ୍ୟ ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ମଧ୍ୟ ସେଥିପାଇଁ ଉତ୍ତରଦାୟୀ କରାଯିବାର ଆବଶ୍ୟକତା ରହିଛି। ଟେଲିକମ୍ କମ୍ପାନିଗୁଡ଼ିକ ଗ୍ରାହକ ଓ ସେଭଳି ସଂସ୍ଥା ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରୁଥିବା କହିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.