Breaking News

ମୌଳିକତା ଓ ଦକ୍ଷତା ପରୀକ୍ଷାରେ ଫେଲ୍‌ ଲଭୟାପା

ଅଭିନେତା ଆମିର ଖାଁଙ୍କ ପୁଅ ଜୁନୈଦ ଖାଁ ଓ ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ପୂର୍ବରୁ ଗୋଟିଏ ଲେଖାଏଁ ଓଟିଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଥିବା ବେଳେ ‘ଲଭୟାପା’ ହେଉଛି ଉଭୟଙ୍କର ପ୍ରଥମ ବଡ଼ ପରଦା ସିନେମା।

ଅଭିନେତା ଆମିର ଖାଁଙ୍କ ପୁଅ ଜୁନୈଦ ଖାଁ ଓ ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ପୂର୍ବରୁ ଗୋଟିଏ ଲେଖାଏଁ ଓଟିଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଥିବା ବେଳେ ‘ଲଭୟାପା’ ହେଉଛି ଉଭୟଙ୍କର ପ୍ରଥମ ବଡ଼ ପରଦା ସିନେମା। ଦୁଇ ନବାଗତଙ୍କ ଜରିଆରେ ଆଧୁନିକ ପିଢ଼ିର ଏକ ଅଭିନବ ପ୍ରେମ କାହାଣୀ ଉପଭୋଗ କରିବାର କୌତୂହଳ ନେଇ ଯାଇଥିବା ଦର୍ଶକ ଏକାଧିକ କାରଣରୁ ନିରାଶ ହେବେ। କାରଣ ଗତ ସପ୍ତାହରେ ମୁକ୍ତିଲାଭ କରିଥିବା ଶାହିଦ କପୁରଙ୍କ ‘ଦେବା’ ପରି ‘ଲଭୟାପା’ ମଧ୍ୟ ଗୋଟିଏ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ରିମେକ୍‌। ସତ କହିଲେ ଏହା ଗୋଟିଏ ରିମେକ୍‌ର ରିମେକ୍‌! ୨୦୨୦ରେ ୟୁଟ୍ୟୁବ୍‌ରେ ମୁକ୍ତିଲାଭ କରିଥିବା ପ୍ରଦୀପ ରଙ୍ଗନାଥନଙ୍କ ତାମିଲ କ୍ଷୁଦ୍ର ଚଳଚ୍ଚିତ୍ର ‘ଆପ୍ପା ଲକ୍‌’ ୨୦୨୨ରେ ଏକ ଫିଚର୍‌ ଚଳଚ୍ଚିତ୍ର (‘ଲଭ୍ ଟୁଡେ’) ଭାବେ ନିର୍ମିତ ହୋଇ ରାତାରାତି ଚହଳ ସୃଷ୍ଟି କରିଥିଲା। ତିନି ବର୍ଷ ପରେ ସେହି କାହାଣୀକୁ ପୁଞ୍ଜି କରି ଦୁଇଜଣ ତାରକା ସନ୍ତାନଙ୍କୁ ବଡ଼ ପରଦାରେ ପଦାର୍ପଣ କରାଇବାର ଉଦ୍ୟମ ଦର୍ଶାଉଛି ଯେ ବଲିଉଡ୍‌ ଶିଳ୍ପରୁ ଲୋକମାନେ ମୁହଁ ମୋଡ଼ିନେବା ଲାଗି ଏଭଳି ସିନେମା ହିଁ ଖୋରାକ ଯୋଗାଉଛନ୍ତି।

‘ଲଭୟାପା’ର କାହାଣୀ ଆରମ୍ଭ ହୁଏ ଏକ ଯୁବ ପ୍ରେମୀଯୁଗଳଙ୍କ ନିଷ୍ପତ୍ତିରୁ ଯେ ସେମାେନ ପରସ୍ପରଙ୍କୁ ଭଲଭାବେ ଜାଣିସାରିଥିବାରୁ ଉଭୟ ବିବାହ କରିବାକୁ ପ୍ରସ୍ତୁତ। ଗୌରବ (ଜୁନୈଦ ଖାନ) ଓ ବାନୀ (ଖୁସି କପୁର)ଙ୍କ ପ୍ରେମ ସମ୍ପର୍କ ବିଷୟରେ ବାନୀଙ୍କ ପିତା ଅତୁଲ (ଆଶୁତୋଷ ରାଣା) ଜାଣିବା ପରେ ସେ ବିବାହ ପାଇଁ ଅନୁମତି ଦେବା ପୂର୍ବରୁ ସେମାନଙ୍କୁ ଏକ ଚ୍ୟାଲେଞ୍ଜ ପୂରା କରିବାକୁ କହୁଛନ୍ତି। ତାହା ଅନୁସାରେ ଉଭୟ ମୋବାଇଲ୍‌ ​ଫୋନ୍ ଅଦଳବଦଳ କରି ୨୪ ଘଣ୍ଟା କାଟିବେ। ଏହା ପରେ ଆରମ୍ଭ ହେଉଛି ତାଙ୍କ ସମ୍ପର୍କରେ ଭରସା, ପ୍ରତାରଣା, ବୁଝାମଣା ଓ କ୍ଷମା ଭଳି ବିଭିନ୍ନ ମଜାଳିଆ ଘଟଣାକ୍ରମର ଉନ୍ମୋଚନ। ଆଧୁନିକ ପ୍ରେମ ସମ୍ପର୍କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌ର ନିର୍ଣ୍ଣାୟକ ଭୂମିକା ରହୁଥିବାରୁ ଏଭଳି ଏକ ଚ୍ୟାଲେଞ୍ଜ ଅଗ୍ନିପରୀକ୍ଷାରୁ କମ୍ ନୁହେଁ। ପ୍ରଥମାର୍ଦ୍ଧରେ ବାନୀଙ୍କ ଫୋନ୍‌ରୁ ଗୌରବ ଜାଣିବାକୁ ପାଆନ୍ତି ଯେ ସେ ମିଛ କହି ପୂର୍ବ ପ୍ରେମିକମାନଙ୍କ ସହିତ କଥାବାର୍ତ୍ତାରୁ ଆରମ୍ଭ କରି ମିଳାମିଶା କରୁଛନ୍ତି। ତେବେ ଦ୍ବିତୀୟାର୍ଦ୍ଧରେ ବାନୀ ମଧ୍ୟ ଗୌରବଙ୍କ ଚରିତ୍ରର ଅନ୍ଧାରୁଆ ଦିଗ ସମ୍ପର୍କରେ ଅବଗତ ହୁଅନ୍ତି। ଏହି ଦୁଇ ଚରିତ୍ରଙ୍କ ପ୍ରେମର ପରୀକ୍ଷା ସମାନ୍ତରାଳରେ  ଗୌରବଙ୍କ ଭଉଣୀ କିରଣ (ତାନ୍ବିକା ପାରଲିକର) ଓ ଅନୁପମ (କିକୁ ସର୍ଦାର)ଙ୍କ ଯୋଗାଡ଼ ବିବାହ ମଧ୍ୟ ଏକ ବିଶ୍ବାସ ସଂକଟ ଦେଇ ଗତି କରୁଛି। କାହାଣୀଟି ସରଳ ଭାବେ ଆରମ୍ଭ ହୋଇଥିଲେ ହେଁ ଦ୍ବିତୀୟାର୍ଦ୍ଧରେ ଏହା ରୂପଜନିତ ଅସୁରକ୍ଷାବୋଧ, ଅନ୍‌ଲାଇନ୍‌ ଟ୍ରୋଲିଂ, ଡିପ୍‌ଫେକ୍‌ ପର୍ନ, ଠକେଇ ଆଦି ସମ୍ପର୍କରେ ଶିକ୍ଷଣୀୟ ବାର୍ତ୍ତା ଦେବାକୁ ଯାଇ ଅଧିକ ଜଟିଳ ହୋଇଯାଇଛି।

ଏହି ଚଳଚ୍ଚିତ୍ରର ସବୁଠାରୁ ପ୍ରଶଂସନୀୟ ଦିଗ ହେଉଛି ପରଦାରେ ଚାଟିଂର ଦୃଶ୍ୟ ଦେଖାଇବା ଲାଗି ଉପଯୋଗ ହୋଇଥିବା ସୃଜନଶୀଳ କୌଶଳ। ସେଭଳି ଗୋଟିଏ ଦୃଶ୍ୟରେ ଗୌରବ ବାନୀଙ୍କ ଫୋନ୍‌ରେ ସେ ଜଣେ ପୁରୁଷ ବନ୍ଧୁ ସହ କରିଥିବା ଚାଟିଂ  ପଢୁଛନ୍ତି। ତାକୁ ମଜାଳିଆ ଭାବେ ଦୃଶ୍ୟାୟିତ କରିବା ଲାଗି ଦୁଇଜଣ ପରଦାର ଦୁଇ ପାର୍ଶ୍ବରେ ବସି ଚାଟିଂର ଲେଖାଗୁଡ଼ିକୁ ସଂଳାପ ପରି ପଢୁଛନ୍ତି। ହାତଗଣତି ଦୃଶ୍ୟକୁ ଛାଡ଼ିଦେଲେ ମୁଖ୍ୟ ଚରିତ୍ରରେ ଜୁନୈଦ ଖାଁଙ୍କ ଅଭିନୟ କୃତ୍ରିମ ମନେ ହୋଇଥାଏ। ସେହିପରି ଖୁସି କପୁରଙ୍କ ଅଭିନୟ ଅତି ବେଶିରେ ଚଳନୀୟ ବୋଲି କୁହାଯାଇପାରେ। ସେମାନଙ୍କ ତୁଳନାରେ ଆଶୁତୋଷ ରାଣା ଓ କିକୁ ସର୍ଦାରଙ୍କ ସାମୟିକ ଉପସ୍ଥିତି ଦୃଶ୍ୟକୁ ଅଧିକ ଆକର୍ଷଣୀୟ କରିଦେଇଥାଏ। ‘ସିକ୍ରେଟ୍ ସୁପରଷ୍ଟାର’ ଓ ‘ଲାଲ ସିଂହ ଚଡ୍‌ଢ଼ା’ ପରି ସିନେମାର ନିର୍ଦେଶକ ଅଦ୍ବୈତ ଚନ୍ଦନ ନୂଆ ଅଭିନେତା ଓ ତୁଳନାତ୍ମକ ଭାବେ ଏକ ହାଲୁକା କାହାଣୀ ସହ କାମ କରୁଥିବାରୁ ‘ଲଭୟାପା’ ଶୀର୍ଷକର ‘ଲଭ’ (ପ୍ରେମ) ଅଥବା ‘ସିୟାପା’ (ଗୋଳମାଳ)ର ଯଥାର୍ଥତା ପ୍ରତିପାଦନ କରିପାରିନାହାନ୍ତି। ‘ହ୍ୟାପି ଏଣ୍ଡିଙ୍ଗ୍‌’ ବା ସୁଖଦ ଉପସଂହାର ପସନ୍ଦ କରୁଥିବା ଦର୍ଶକଙ୍କୁ ଏହା କିଛିଟା ପସନ୍ଦ ଆସିପାରେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.