Breaking News

ମୌଳିକ ସୁବିଧାରୁ ବଞ୍ଚିତ କନ୍ତିଆ ପଞ୍ଚାୟତବାସୀ: ଜମି ବିବାଦ ପାଇଁ ପହଞ୍ଚିପାରୁନି ସରକାରୀ ‌ଯୋଜନା

ଜଟଣୀ ବ୍ଲକ୍ କନ୍ତିଆ ପଞ୍ଚାୟତବାସୀ ଏବେବି ଅନେକ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଶ୍ମଶାନ, ପାନୀୟ ଜଳ, ଆଲୋକୀକରଣ ଭଳି ମୌଳିକ ସୁବିଧାଠାରୁ ଲୋକେ ବହୁ ଦୂରରେ ଅଛନ୍ତି। ତେବେ ପଞ୍ଚାୟତବାସୀଙ୍କ ସବୁଠୁ ବଡ଼ ସମସ୍ୟା ହେଉଛି କୃଷି।

ଜଟଣୀ: ଜଟଣୀ ବ୍ଲକ୍ କନ୍ତିଆ ପଞ୍ଚାୟତବାସୀ ଏବେବି ଅନେକ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି। ଶ୍ମଶାନ, ପାନୀୟ ଜଳ, ଆଲୋକୀକରଣ ଭଳି ମୌଳିକ ସୁବିଧାଠାରୁ ଲୋକେ ବହୁ ଦୂରରେ ଅଛନ୍ତି। ତେବେ ପଞ୍ଚାୟତବାସୀଙ୍କ ସବୁଠୁ ବଡ଼ ସମସ୍ୟା ହେଉଛି କୃଷି। ଏଠାରେ ଚାଷୀଙ୍କ ହାତରେ ଚାଷ ଜମିର ମାଲିକାନା ନାହିଁ କି ଜମିକୁ ଜଳସେଚନର ସୁବିଧା ନାହିଁ। ତେଣୁ ଗତ କିଛି ବର୍ଷ ହେଲା ଚାଷୀମାନେ ଚାଷରୁ ମୁହଁ ଫେରାଉଛନ୍ତି। ବହୁ ଜମିରୁ ଚାଷୀଙ୍କ ନାଁ କଟି ଜଗନ୍ନାଥଙ୍କ ମାଲିକାନାକୁ ଚାଲିଯାଇ ଥିବାରୁ ଚାଷୀମାନେ ୧୦ବର୍ଷରୁ ଅଧିକ ସମୟ ହେଲା ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି।

ପୂର୍ବରୁ ୨୦୧୩ ମସିହାରେ ଏହି ପଞ୍ଚାୟତବାସୀମାନେ ଚାଷ ଜମି ଉପରୁ ମାଲିକାନା ହରାଇଥିଲେ। ବାପ-ଅଜା ଅମଳରୁ ସ୍ଥିତିବାନ ପ୍ରଜାମାନେ ଭୋଗଦଖଲ କରୁଥିବା ଚାଷ ଜମିଗୁଡ଼ିକ ହଠାତ୍ ଜଗନ୍ନାଥଙ୍କ ମାଲିକାନାକୁ ଚାଲିଗଲା। ଅମୃତମଣୋହୀ ଜମି ଦର୍ଶାଇ ଚାଷୀମାନଙ୍କ ମାଲିକାନାକୁ ସମ୍ପୂର୍ଣ୍ଣ ବାତିଲ କରାଗଲା। ଫଳରେ ଚାଷୀମାନେ କେବଳ ଚାଷ କଲେ ସିନା କିଣାବିକା କରିବା କ୍ଷମତା ହରାଇଲେ। ଝିଅ ବାହାଘର, ପିଲାଙ୍କ ଉଚ୍ଚଶିକ୍ଷା, ରୋଗ ଚିକିତ୍ସା ଭଳି ଅସମୟରେ ଆଉ ଜମି ବିକି ପାରିଲେ ନାହିଁ। ଏନେଇ ୧୧ବର୍ଷ ହେଲା ଚାଷୀମାନେ ସଂଗ୍ରାମ କରି ଚାଲିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ବି କଥା ଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଜମି ରେକର୍ଡ ସଂଶୋଧନ ହୋଇ ପାରିନାହିଁ। ଯାହାକୁ ନେଇ ପଞ୍ଚାୟତବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବୁଡ଼ିଗଲାଣି ରବି ଫସଲ
ଲୁଟ୍‌ ହେଉଛି ଲଘୁ ଖଣିଜ ପଦାର୍ଥ

ସେହିଭଳି ଏଠାରେ ଚାଷ ଜମିକୁ କେନାଲ ସୁବିଧା ନାହିଁ। ରଥୀପୁର ଗହୀରକୁ ଦୟାୱେଷ୍ଟ କେନାଲରୁ ପାଣି ମିଳୁଥିଲା। କିନ୍ତୁ ଗତ ପ୍ରାୟ ୧୦ବର୍ଷରୁ ଅଧିକ କାଳ ହେଲାଣି ଦୟାୱେଷ୍ଟ କେନାଲ ପାଣି ମିଳିବାରେ ନିୟମିତତା ନାହିଁ। ତେଣୁ ରବି ଫସଲ ଏହି ଅଞ୍ଚଳରୁ ପୂରା ବୁଡ଼ିଯାଇଛି। ପଞ୍ଚାୟତର ପ୍ରାୟ ସବୁ ଗାଁରେ ରହିଛି ମୋରମ୍ ଓ ମାଙ୍କଡ଼ା ପଥର ଭଳି ଲଘୁ ଖଣିଜ ପଦାର୍ଥ। ବର୍ଷ ବର୍ଷ ଧରି ଖଣି ମାଫିଆମାନେ ଚୋରାରେ ମାଙ୍କଡ଼ା ପଥର ଓ ମୋରମ୍ ଲୁଟି ଚାଲିଛନ୍ତି। ଫଳରେ ବହୁ ପଡ଼ିଆରେ ଗଭୀର ଗାତ ସୃଷ୍ଟି ହୋଇଛି। ଗୋ ସମ୍ପଦ ପ୍ରତି ବେଆଇନ ଖଣିଖନନ ବିପଦ ବଢ଼ାଇଛି। ସେହିପରି ବହୁ ୱାର୍ଡକୁ ପାଇପ୍ ଜଳଯୋଗାଣ ମଧ୍ୟ ହୋଇପାରିନାହିଁ। କିଛି ୱାର୍ଡକୁ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲେ ହେଁ ଆବଶ୍ୟକ ପରିମାଣର ପାଣି ଆସୁନାହିଁ ବୋଲି ଅଭିଯୋଗ ହେଉଛି।

ଏଠାରେ ଥିବା ଉପସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର, କର୍ମଚାରୀ ନିୟମିତ ଆସନ୍ତି ନାହିଁ। ତେଣୁ ଲୋକମାନଙ୍କୁ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଛି। ଅନ୍ୟପଟେ ପଞ୍ଚାୟତରେ କୌଣସି ଶ୍ମଶାନର ଉନ୍ନତୀକରଣ ହୋଇପାରି ନଥିବା ଅଭିଯୋଗ ହୋଇଛି। ଏନେଇ ସରପଞ୍ଚ ମନୋଜ ବେହେରା କହିଛନ୍ତି ଯେ, ପଞ୍ଚାୟତର ଉନ୍ନତୀକରଣ ପାଇଁ ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଯୋଜନା ଜଗନ୍ନାଥଙ୍କ ଜମି ବିବାଦ ପାଇଁ ଅଟକି ଯାଉଛି। ଜମି ବିବାଦ ପାଇଁ ଶ୍ମଶାନଗୁଡ଼ିକର ଉନ୍ନତୀକରଣ କାମ ହୋଇପାରୁନାହିଁ। ଗତ ୩ବର୍ଷ ମଧ୍ୟରେ ୫୦ ପ୍ରତିଶତ ଅଞ୍ଚଳକୁ ପାଇପ୍ ଜଳ ଯୋଗାଣ ହୋଇପାରିଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.