Breaking News

ମ୍ୟୁଜିକ ଭିଡିଓରୁ ସିନେ ନିର୍ଦ୍ଦେଶନା

ଭୁବନେଶ୍ବରର ଏକ ବେସରକାରୀ ଇଞ୍ଜିନିୟରିଂ କଲେଜରୁ ଡିଗ୍ରି ହାସଲ କରିବା ପରେ ଚାକିରି କଲେ। କିନ୍ତୁ ମନ ମାନିଲା ନାହିଁ। କିଛି ନବାଗତ/ନବାଗତାଙ୍କୁ ନେଇ ‘ଖ୍ବାହିସେଁ’ ଶୀର୍ଷକରେ ଏକ ହିନ୍ଦୀ ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଲେ।

ଭୁବନେଶ୍ବରର ଏକ ବେସରକାରୀ ଇଞ୍ଜିନିୟରିଂ କଲେଜରୁ ଡିଗ୍ରି ହାସଲ କରିବା ପରେ ଚାକିରି କଲେ। କିନ୍ତୁ ମନ ମାନିଲା ନାହିଁ। କିଛି ନବାଗତ/ନବାଗତାଙ୍କୁ ନେଇ ‘ଖ୍ବାହିସେଁ’ ଶୀର୍ଷକରେ ଏକ ହିନ୍ଦୀ ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଲେ। ଏହାପରେ ଇଂଜିନିୟରିଂ ବୃତ୍ତିକୁ ପଛରେ ପକାଇ ଗ୍ଲାମର ଦୁନିଆର ମୋହରେ ପଡ଼ିଗଲେ ସ୍ମୃତି ଆର୍।

କୋଭିଡ୍ ସମୟରେ ଚାକିରି ଛାଡ଼ି କେବଳ ମ୍ୟୁଜିକ ଭିଡିଓ ନିର୍ଦ୍ଦେଶନାରେ ସକ୍ରିୟ ହେଲେ ସ୍ମୃତିରଞ୍ଜନ ମହାନ୍ତି। ଇତିମଧ୍ୟରେ ସେ ୨୭୦ରୁ ଅଧିକ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିସାରିଲେଣି। ତାଙ୍କ ନିର୍ଦ୍ଦେଶିତ କେତେକ ଭିଡିଓ ୧୦ରୁ ୪୦ ମିଲିଅନ୍ ଥର ଦେଖା ଯାଇସାରିଲାଣି। ତାଙ୍କର କେତେକ ଲୋକପ୍ରିୟ ମ୍ୟୁଜିକ ଭିଡିଓ ମଧ୍ୟରେ ରହିଛି ‘ଏଥର ଫଗୁଣେ…’, ‘ହେଲା କି ପ୍ରେମ…’, ‘କାଣା ହେଇଗଲା (ସମ୍ବଲପୁରୀ)’, ‘ତେଲୁଗୁ ସୁନ୍ଦରୀ..’, ‘ହେ ଜଗା..’, ‘ଗରିବ ପିଲା..’, ‘ମୁଁ ଫେରିଲେ ତୁମର..’, ‘ବୁଲେଇ ନବୁ କି ସମ୍ବଲପୁର..’, ‘ମନେ ତୁ ପଡୁଛୁ ଆଲୋ ତୁ ପାଗେଳି..’। ନିଜକୁ କେବଳ ମ୍ୟୁଜିକ ଭିଡିଓ ନିର୍ଦ୍ଦେଶନାରେ ସୀମିତ ନରଖି ନୃତ୍ୟ ନିର୍ଦ୍ଦେଶନା କ୍ଷେତ୍ରକୁ ପ୍ରବେଶ କରିଛନ୍ତି ସ୍ମୃତି। ସମ୍ବିତ-ତମନ୍ନାଙ୍କ ଅଭିନୀତ ‘ପ୍ରୀତିବନ୍ଧନ’ରୁ ନୃତ୍ୟ ନିର୍ଦ୍ଦେଶନା ଆରମ୍ଭ କରିଥିବା ସ୍ମୃତିଙ୍କର ସଦ୍ୟତମ ଛବି ହେଉଛି ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଟିକେ ଟିକେ ଅଚିହ୍ନା‌ ତୁ’। ସ୍ବରାଜ, ଭୂମିକା, ଶୁଭମ୍ ଓ ସୂର୍ଯ୍ୟମୟୀଙ୍କ ଉପରେ ଚିତ୍ରାୟିତ ‘ଯୋଉଦିନ ତୁ ହଉଲୋ ସଜ, ସେଇଦିନ ହୁଏ ପହିଲି ରଜ…’ଗୀତର ଛନ୍ଦ ସଜାଇଛନ୍ତି ସେ।

୨୭୦ରୁ ଅଧିକ ମ୍ୟୁଜିକ ଭିଡିଓ, ୨ଟି ଓଡ଼ିଆ ଛବିରେ ନୃତ୍ୟ ନିର୍ଦ୍ଦେଶନା ଓ ୨ଟି ୱେବ୍ ସିରିଜ୍ ପରେ ଏବେ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି ଯୁବ ନିର୍ଦ୍ଦେଶକ ସ୍ମୃତି ଆର୍

ଖାଲି ସେତିକି ନୁହେଁ, ସ୍ମୃତି ଆର୍ ଇତିମଧ୍ୟରେ ତରଙ୍ଗ ପ୍ଲସ୍‌ରେ ପ୍ରସାରିତ ‘ଶାଶୂ-ବୋହୂ ଫୁଡ୍ ଏକ୍‌ସପ୍ରେସ୍’ ଏବଂ ‘ବାଲିଯାତ୍ରା’ ଆଦି ଦୁଇଟି ୱେବ୍ ସିରିଜ୍‌ର ନିର୍ଦ୍ଦେଶନା ଦେଇସାରିଛନ୍ତି। ଏବେ ଓଲିଉଡ୍‌ର ଜଣାଶୁଣା ପ୍ରଯୋଜକ ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ‘ଚୋରାବାଲି’ର ନିର୍ଦ୍ଦେଶନା ଦେଉଛନ୍ତି ସେ। ମାନସ ପଢ଼ିଆରୀ ଏହା କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି। ଏଥିରେ ନାୟକ ଭୂମିକାରେ ସମ୍ବିତ ଅଭିନୟ କରିବେ ଏବଂ ଅନ୍ୟାନ୍ୟ ଭୂମିକା ଲାଗି କଳାକାର ଚୟନ ପରେ ‘ଚୋରାବାଲି’ର ସୁଟିଂ ଆରମ୍ଭ ହେବ। ‘‘ଯେହେତୁ ମ୍ୟୁଜିକ ଭିଡିଓ ମୋତେ ପରିଚୟ ଓ ରୋଜଗାର ଦେଇଛି, ତେଣୁ ସିନେମା କଲେ ବି ମୁଁ କେବେହେଲେ ତାକୁ ଛାଡ଼ିବିନି’’ ବୋଲି କହନ୍ତି ସ୍ମୃତି ଆର୍।
-ଶିବଶଙ୍କର ଓଝା

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.