Breaking News

ଯନ୍ତ୍ରଣା ଉପଶମ ଔଷଧ ଉତ୍ପାଦନ, ରପ୍ତାନି ବନ୍ଦ ପାଇଁ ଡିସିଜିଆଇ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪।୨(ପି.ଟି.): ପଶ୍ଚିମ ଆଫ୍ରିକୀୟ ଦେଶଗୁଡ଼ିକୁ ରପ୍ତାନି ହେଉଥିବା ଯନ୍ତ୍ରଣା ଉପଶମକାରୀ ଔଷଧରେ ଅଣଅନୁମୋଦିତ କମ୍ବିିନେଶନ (ମିଶ୍ରଣ) ଯୋଗୁ ସେଠାରେ ଓପିଓଇଡ୍‌ ସଙ୍କଟ ବଢ଼ାଉଥିବା ଖବର ପ୍ରକାଶ ପାଇଥିଲା। ଫଳରେ ଟାପେଣ୍ଟାଡୋଲ୍‌ ଏବଂ କାରିସୋପ୍ରୋଡୋଲ୍‌ ଔଷଧର ସମସ୍ତ କମ୍ବିନେଶନର ଉତ୍ପାଦନ ଓ ରପ୍ତାନିକୁ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ବନ୍ଦ କରିଛନ୍ତି। ସମସ୍ତ ରପ୍ତାନି ଫେରାଇଆଣିବା ସହ ୨ ଔଷଧର ମିଳିତ ଉତ୍ପାଦନ ପାଇଁ ଅନୁମତି ପ୍ରତ୍ୟାହାର କରିନେବାକୁ ଡିସିଜିଆଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଔଷଧ ନିୟନ୍ତ୍ରକ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଟାପେଣ୍ଟାଡୋଲ ହେଉଛି ଏକ ଓପିଓଇଡ୍‌ ଔଷଧ, ଯାହା ସାଧାରଣରୁ ଅତ୍ୟଧିକ ଯନ୍ତ୍ରଣା ଉପଶମ ପାଇଁ ବ୍ୟବହାର କରାଯାଇଥାଏ। ସେହିପରି ମାଂସପେଶୀ ବିନ୍ଧାର ଉପଶମ ପାଇଁ କାରିସୋପ୍ରୋଡୋଲ ବ୍ୟବହୃତ ହୁଏ। ଉଭୟ ଔଷଧକୁ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ କର୍ତ୍ତୃପକ୍ଷ (ସିଡିଏସ୍‌ସିଓ) ଅଲଗା ଅଲଗା ଅନୁମୋଦନ ଦେଇଛନ୍ତି। ଦେଶରେ ଏହାର କମ୍ବିନେଶନକୁ ଅନୁମୋଦନ କରାଯାଇ ନାହିଁ। ଏଗୁଡ଼ିକ ଭାରତର ଏନ୍‌ଡିପିଏସ୍‌ ଔଷଧ ତାଲିକାରେ ମଧ୍ୟ ନାହିଁ। ତେବେ ଭାରତରୁ ପଶ୍ଚିମ ଆଫ୍ରିକୀୟ ଦେଶଗୁଡ଼ିକୁ ରପ୍ତାନି ହେଉଥିବା ଟାପେଣ୍ଟାଡୋଲ୍‌ ଏବଂ କାରିସୋପ୍ରୋଡୋଲ୍‌ର କମ୍ବିନେଶନରେ ଯଥେଷ୍ଟ ତ୍ରୁଟି ସମ୍ଭାବନା ଥିବା ଏକ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଔଷଧ ଲୋକଙ୍କ ଉପରେ କ୍ଷତିକାରକ ପ୍ରଭାବ ପକାଇବା ସମ୍ଭାବନା ଥିବାରୁ ସେଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିଆଣିବା ପାଇଁ ଡିସିଜିଆଇ କହିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.