Breaking News

ଯାଜପୁରରୋଡ୍‌ରେ ଖୋଲିବ ଶ୍ରୀଶଙ୍କର-ବାଗ୍‌ଚୀ କ୍ୟାନ୍‌ସର ଗବେଷଣା କେନ୍ଦ୍ର: କର୍କଟ ପୀଡ଼ିତା ପତ୍ନୀଙ୍କ ପାଇଁ ଦେଲେ ୨କୋଟିର ସମ୍ପତ୍ତି

କର୍କଟ ପୀଡ଼ିତା ପତ୍ନୀଙ୍କୁ ଭୁବନେଶ୍ବର ଶ୍ରୀଶଙ୍କର-ବାଗ୍‌ଚୀ କ୍ୟାନ୍‌ସର ସେଣ୍ଟରରେ ଚିକିତ୍ସା କରାଇଥିଲେ। ସେଠାରେ ୪ମାସର ଚିକିତ୍ସା ପରେ ପତ୍ନୀ ସୁସ୍ଥ ଅଛନ୍ତି। ତେବେ କମ ମୂଲ୍ୟରେ କର୍କଟ ଭଳି ରୋଗର ଉତ୍ତମ ଚିକିତ୍ସା...

କୋରେଇ: କର୍କଟ ପୀଡ଼ିତା ପତ୍ନୀଙ୍କୁ ଭୁବନେଶ୍ବର ଶ୍ରୀଶଙ୍କର-ବାଗ୍‌ଚୀ କ୍ୟାନ୍‌ସର ସେଣ୍ଟରରେ ଚିକିତ୍ସା କରାଇଥିଲେ। ସେଠାରେ ୪ମାସର ଚିକିତ୍ସା ପରେ ପତ୍ନୀ ସୁସ୍ଥ ଅଛନ୍ତି। ତେବେ କମ ମୂଲ୍ୟରେ କର୍କଟ ଭଳି ରୋଗର ଉତ୍ତମ ଚିକିତ୍ସା ମିଳୁଥିବା ଦେଖି ତଥା ଏହାର ଭିତ୍ତିଭୂମିରେ ପ୍ରଭାବିତ ହୋଇ ଯାଜପୁରରୋଡ୍‌ର ଦଳା ଗାଁରେ ରହୁଥିବା ବ୍ୟବସାୟୀ ରବୀନ୍ଦ୍ର କୁମାର ନନ୍ଦ (୭୦) ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହିତ ଯାଜପୁର ଜିଲ୍ଲାରେ ଏହି ଡାକ୍ତରଖାନାର ଏକ ଶାଖା ଖୋଲିବାକୁ ନିବେଦନ କରିଥିଲେ। ଏଥିପାଇଁ ଗତ କିଛିଦିନ ତଳେ ଶ୍ରୀ ନନ୍ଦ ପ୍ରାୟ ୨କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି (୧.୬୧ ଏକର) ଦାନ କରି ଦେଇଛନ୍ତି। ଏବେ କୋରେଇ ବ୍ଲକ୍ ଛୋଟରାୟପୁର ମୌଜା ଦଳା-ଛୋଟରାୟପୁର ରାସ୍ତା ପାର୍ଶ୍ବରେ ଥିବା ଗୀତା ମଣ୍ତପରେ ଶ୍ରୀଶଙ୍କର-ବାଗ୍‌ଚୀ କ୍ୟାନ୍‌ସର ରିସର୍ଚ୍ଚ ସେଣ୍ଟରର ଶାଖା ଖୋଲିବାକୁ ଯାଉଛି। ଆସନ୍ତା ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବେ।

ରବୀନ୍ଦ୍ରଙ୍କ ପତ୍ନୀ ଗୀତାଞ୍ଜଳି ଦୁଇବର୍ଷ ହେଲା କର୍କଟରେ ପୀଡ଼ିତ ଅଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାର ବିଭିନ୍ନ ଡାକ୍ତରଖାନାରେ ପତ୍ନୀଙ୍କୁ ଚିକିତ୍ସା କରାଇବା ପରେ ବିଶେଷ କିଛି ସୁଫଳ ମିଳିନଥିଲା। ୨୦୨୪ ମସିହା ମାର୍ଚ୍ଚ ମାସରେ ରବୀନ୍ଦ୍ର ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କୁ ନେଇ ଭୁବନେଶ୍ବରସ୍ଥିତ ଶ୍ରୀଶଙ୍କର-ବାଗ୍‌ଚୀ କ୍ୟାନ୍‌ସର ସେଣ୍ଟରରେ ଚିକିତ୍ସା କରାଇଥିଲେ। ସେଠାରେ ଚିକିତ୍ସା ପରେ ଗୀତାଞ୍ଜଳି ପୂର୍ବାପେକ୍ଷା ସୁସ୍ଥ ଅଛନ୍ତି। ଏଥିପାଇଁ ରବୀନ୍ଦ୍ର ନିଜ ସମ୍ପତ୍ତି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ଅନୁରୋଧ ରକ୍ଷା କରି ବାଙ୍ଗାଲୋରସ୍ଥିତ ଶ୍ରୀଶଙ୍କର କ୍ୟାନ୍‌ସର ସେଣ୍ଟର ଉଚ୍ଚକର୍ତ୍ତୃପକ୍ଷ ଗତ ନଭେମ୍ବର ମାସରେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ଡାକ୍ତରଖାନା ନିର୍ମାଣ ପାଇଁ ସହମତି ପ୍ରକାଶ କରିଥିଲେ। ରବୀନ୍ଦ୍ରଙ୍କ ଅନୁରୋଧରେ ଡାକ୍ତରଖାନାର ନାମ ‘ଗୀତା-ରବିନ୍ଦ୍ର କ୍ୟାନ୍‌ସର ସେଣ୍ଟର’ ରଖାଯାଇଛି। ଗତ ଡିସେମ୍ବର ମାସରୁ ଡାକ୍ତରଖାନା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଡାକ୍ତରଖାନା କାର୍ଯ୍ୟକ୍ଷମ ହେଲେ ଯାଜପୁର ସମେତ ନିକଟସ୍ଥ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ରୋଗୀମାନେ ଉପକୃତ ହୋଇପାରିବେ ବୋଲି ରବୀନ୍ଦ୍ର କହିଛନ୍ତି। ରବୀନ୍ଦ୍ରଙ୍କ ପରିବାରରେ ୪ଝିଅ ଓ ପତ୍ନୀ ଗୀତାଞ୍ଜଳି। ଝିଅମାନଙ୍କ ବିବାହ ପରେ ନନ୍ଦ ଦମ୍ପତି ଏକା ରହୁଛନ୍ତି। ରବୀନ୍ଦ୍ରଙ୍କ ପୈତୃକ ଘର କୋରେଇ ବ୍ଲକ୍‌ର ରଣପୁର ପଞ୍ଚାୟତ ଚିଙ୍ଗୁଡ଼ିପୁର ଶାସନରେ। ସେ ପ୍ରାୟ ୫୦ ବର୍ଷ ହେଲା ବ୍ୟାସନଗରସ୍ଥିତ ଦଳା ଗ୍ରାମରେ ରହୁଛନ୍ତି। ୨୦୧୭ ମସିହାରୁ ଛୋଟରାୟପୁର ମୌଜାରେ ଗୀତା ମଣ୍ତପ ନାମରେ କଲ୍ୟାଣ ମଣ୍ତପ ନିର୍ମାଣ କରିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.