ଓଡିଶାଜିଲ୍ଲାବିଶେଷ

Pollution: ମତ୍ସ୍ୟଜୀବୀଙ୍କ ଜୀବିକା ଛଡ଼ାଉଛି ପ୍ରଦୂଷଣ

ହୀରାକୁଦ ଜଳଭଣ୍ଡାର ସହ ସଂଲଗ୍ନ ଝାରସୁଗୁଡ଼ା ଜିଲ୍ଲାରେ ପୂର୍ବରୁ ଭଲ ପରିମାଣର ଓ ଅନେକ ପ୍ରଜାତିର ସୁସ୍ବାଦୁ ମାଛ ଧରା ହେଉଥିଲା। କିନ୍ତୁ ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ତଥା....

ଝାରସୁଗୁଡ଼ା: ହୀରାକୁଦ ଜଳଭଣ୍ଡାର ସହ ସଂଲଗ୍ନ ଝାରସୁଗୁଡ଼ା ଜିଲ୍ଲାରେ ପୂର୍ବରୁ ଭଲ ପରିମାଣର ଓ ଅନେକ ପ୍ରଜାତିର ସୁସ୍ବାଦୁ ମାଛ ଧରା ହେଉଥିଲା। କିନ୍ତୁ ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ତଥା ମହାନଦୀ କୂଳରେ ଅବସ୍ଥିତ ଲଖନପୁର ବ୍ଲକ୍‌ରେ ମତ୍ସ୍ୟ ଉତ୍ପାଦନ ଓ ମତ୍ସ୍ୟଜୀବୀଙ୍କ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏହି ବ୍ଲକ୍‌ର ରମ୍ପାଲୁଗା, ଉର୍ଦାଝରାପଡ଼ା ଭଳି ଅନେକ ଜଳଭଣ୍ଡାର କୂଳିଆ ଗାଁରେ ମାଛ ଉତ୍ପାଦନ କମୁ ନାହିଁ, ବରଂ ମାଛ ରୋଗିଣା ହେଉଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି। ହୀରାକୁଦ ବିସ୍ଥାପିତଙ୍କ ଗାଁ ସୁନାରି ପଞ୍ଚାୟତ ଅନ୍ତର୍ଗତ ରମ୍ପାଲୁଗା। ଏଠାରେ ରହୁଥିବା ୧୧୫ ପରିବାରଠାରୁ ହୀରାକୁଦ ଜଳଭଣ୍ଡାର କୌଳିକ ବୃତ୍ତି ଚାଷଜମି ଛଡ଼ାଇ ନେଇ ସେମାନଙ୍କୁ ମତ୍ସ୍ୟଜୀବୀରେ ପରିଣତ କରିଛି। ସ୍ଥାନୀୟ ଅଧିବାସୀ ଉପେନ୍ଦ୍ର ତିହୁରିଆ (୪୨) କହନ୍ତି, ୨୫ ବର୍ଷ ପୂର୍ବରୁ ବାପାଙ୍କ ସହିତ ହୀରାକୁଦ ଜଳଭଣ୍ଡାରକୁ ମାଛ ଧରିବା ପାଇଁ ଗଲାବେଳକୁ ଦୈନିକ ୧୦ କେଜି ଯାଏଁ ମାଛ ଜାଲରେ ପଡ଼ୁଥିଲେ। ବର୍ତ୍ତମାନ କିନ୍ତୁ ୮୦ରୁ ୯୦ କେଜିର ଜାଲ ପକାଇ ପ୍ରାୟ ୧୦ କିଲୋମିଟର ଭିତରକୁ ଗଲେ ଯାଇ ସର୍ବାଧିକ ୩ରୁ ୫ କେଜି ପର୍ଯ୍ୟନ୍ତ ମାଛ ଧରିପାରୁଛନ୍ତି। ସେଥିରେ ପୁଣି ଚୂନା ମାଛ ଅଧିକ। ୪୦ କେଜି ପର୍ଯ୍ୟନ୍ତ ମାଛ ଧରିପାରୁଥିବା ଉର୍ଦା ଝରାପଡ଼ାର ସାଧୁରାମ ବେହେରା (୫୪) ବର୍ତ୍ତମାନ ଦିନକୁ ୨ କେଜି ମାଛ ଧରିଲେ ଖୁସି ହେଉଛନ୍ତି। ସେହି ଗାଁର ୩୦ ବର୍ଷୀୟ ସନ୍ତୋଷ ବେହେରା କହନ୍ତି, ବର୍ତ୍ତମାନ ତାଙ୍କ ଅଞ୍ଚଳରେ ପାଣି ଏତେ ଗୋଳିଆ ହୋଇପଡ଼ିଛି ଯେ ମାଛ ପାଇଁ ୧ କ୍ବିଣ୍ଟାଲ୍‌ ଓଜନର ଜାଲ ଧରି ୮୦ କିଲୋମିଟର ଭିତରକୁ ବାରପାହାଡ଼ ପର୍ଯ୍ୟନ୍ତ ଯିବାକୁ ପଡ଼ୁଛି। ସେଥିରୁ ପୁଣି ଅନେକ ଦୁର୍ବଳ ରୋଗଗ୍ରସ୍ତ ମାଛ ବାହାରୁଛି। ମାଛ ଶରୀରରେ ଚକା ଘା’ ହେବା, କାତି ଛାଡ଼ିଯିବା ଏବଂ ଲାଲ ଅଂଶ ପରିଲକ୍ଷିତ ହେଉଛି। ଅନେକ ସ୍ଥାନରେ ମଇଳା ପାଣି ଯୋଗୁଁ ମଲା ମାଛ ମିଳୁଛନ୍ତି। ମହାନଦୀ ପାଣିସ୍ତର କମିବା ଯୋଗୁଁ ପ୍ରଦୂଷଣ ପ୍ରଭାବ ଅଧିକ ରହୁଛି। ସାମାଜିକ କର୍ମକର୍ତ୍ତା ଦ୍ବାରିକା ପ୍ରସାଦ ସା’ କହନ୍ତି, ହୀରାକୁଦ ନଦୀବନ୍ଧ ନିର୍ମାଣ ପରେ ଏଠାରେ ପ୍ରାୟ ୩୫୭ ପ୍ରଜାତିର ମାଛ ଥିଲେ। ବର୍ତ୍ତମାନ କିନ୍ତୁ ୧୪୯ ପ୍ରକାର ଅଛନ୍ତି।

Show More

Leave a Reply

Your email address will not be published. Required fields are marked *

Back to top button