Breaking News

ଯୁବତୀଙ୍କ ଉପରେ ‘ମୋ ବସ୍‌’ ଚଢ଼ିଯିବା ଘଟଣା: ହାତ ଯନ୍ତ୍ରଣାଠୁ ବଳିଗଲାଣି ଆର୍ଥିକ କଷ୍ଟ

ନଭେମ୍ବର ୨ ତାରିଖରେ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ ଛକରେ ରାସ୍ତା‌ ପାର୍‌ ହେଉଥିବା ବେଳେ ସମ୍ବଲପୁର ଜିଲ୍ଲାର ଝିଲ୍ଲୀ ସୋହଲା ‘ମୋ ବସ୍‌’ ଧକ୍କାରେ ଗୁରୁତର ଆହତ ହେଲେ। ୪ ତାରିଖରେ ବସ୍‌ ଚାଳକ ଗିରଫ ହେଲେ।

ଖଣ୍ଡଗିରି: ନଭେମ୍ବର ୨ ତାରିଖରେ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ ଛକରେ ରାସ୍ତା‌ ପାର୍‌ ହେଉଥିବା ବେଳେ ସମ୍ବଲପୁର ଜିଲ୍ଲାର ଝିଲ୍ଲୀ ସୋହଲା ‘ମୋ ବସ୍‌’ ଧକ୍କାରେ ଗୁରୁତର ଆହତ ହେଲେ। ୪ ତାରିଖରେ ବସ୍‌ ଚାଳକ ଗିରଫ ହେଲେ। ଘଟଣା ପରେ କ୍ରୁଟ୍‌ କର୍ତ୍ତୃପକ୍ଷ ତତ୍ପର ହେଲେ। ୬ ତାରିଖରେ ଚାଳକଙ୍କ ପାଇଁ କଟକଣା ଜାରି ହେଲା। ଗାଡ଼ିର ବେଗ ଉପରେ ରୋକ ଲାଗିଲା। ଲଗାତାର ଧରପଗଡ଼ ଚାଲିଲା। ସଂସ୍ଥାର ଏମ୍‌ଡି ବୁଲି ବୁଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। କିଛି ଅମାନିଆ ଚାକିରିରୁ ବିଦା ହେଲେ, କେତେକଙ୍କୁ ନିଲମ୍ବିତ କରାଗଲା। ‌ହେଲେ ଯିଏ ପଙ୍ଗୁ ହୋଇଯିବାରୁ ଏ ସବୁ ତଦନ୍ତ, କାର୍ଯ୍ୟାନୁଷ୍ଠାନ, କଟକଣା, ଜାରି କରାଗଲା ତାଙ୍କୁ ସମସ୍ତେ ଭୁଲିଗଲେ। ଆର୍ଥିକ ସାହାଯ୍ୟ ତ ଦୂରର କଥା, ତାଙ୍କୁ ଦେଖା ବି କଲେନି କର୍ତ୍ତୃପକ୍ଷ। କେବଳ ଭିଡ଼ ହଟାଇବା ପାଇଁ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଘଟଣାଦିନ ପ୍ରତିଶ୍ରୁତି ଦେଇଥିଲେ। ଏବେ ଝିଲ୍ଲୀଙ୍କ ଏଭଳି ସ୍ଥିତି ଯେ, ଡାକ୍ତରଖାନାରୁ ଘର ପର୍ଯ୍ୟନ୍ତ ଯିବାକୁ ଅଟୋ ଭଡ଼ା ନାହିଁ। ପ୍ରତ୍ୟେକ ଦିନ ହେବାକୁ ଥିବା ଡ୍ରେସିଂ ପାଇଁ ମଧ୍ୟ ପଇସା ନାହିଁ। ବାମ ହାତ ସମ୍ପୂର୍ଣ୍ଣ ଠିକ୍‌ ହେଇଯିବନି ଯେ, ମେଡିକାଲ୍‌ରୁ ଯାଉ ଯାଉ ରୋଜଗାର କରିବେ। ଭାବିବା ବେଳକୁ ଚତୁର୍ଦ୍ଦିଗ ଅନ୍ଧାର ଦେଖା ଯାଉଥିବା କହିଛନ୍ତି ଝିଲ୍ଲୀ।

ଦୁର୍ଘଟଣା ହେବା ଦିନ ଠାରୁ ଅର୍ଥାତ୍‌ ମାସେରୁ ଅଧିକ ଦିନ ହେବ ସେ ମେଡିକାଲ୍‌ରେ ଥିଲେ। ସୋମବା‌ର (୯ ତାରିଖରେ)ସେ ଡିସଚାର୍ଜ ହେବେ। ଡିସ୍‌ଚାର୍ଜ ପରେ ତାଙ୍କୁ ଦିନେ ଛାଡ଼ି ଦିନେ ଡ୍ରେସିଂ କରିବାକୁ ହେବ। ୧୫ ଦିନରେ ଥରେ ଆସି ଡାକ୍ତରଙ୍କୁ ଦେଖାଇବାକୁ ହେବ। ହେଲେ ଘରୁ ଡାକ୍ତରଖାନା ପର୍ଯ୍ୟନ୍ତ ଆସିବାକୁ ତାଙ୍କ ପାଖରେ ଅର୍ଥ ନାହିଁ। କେଉଁଠି ରହିବେ ତାହାର ମଧ୍ୟ ଠିକ୍‌ ଠିକଣା ନାହିଁ। ଗାଁକୁ ଫେରିଯିବା ପାଇଁ ଟଙ୍କା ନାହିଁ। ଟଙ୍କା ଯୋଗାଡ଼କରି ଫେରିଗଲେ ବି ଗାଁରେ ଚିକିତ୍ସା ସେବା ମିଳିବନି। ଯାହା ସଞ୍ଚୟ କରିଥିଲେ ତାହା ସରି ହାତ ଉଧାରୀ ଦେବାକୁ ଲୋକ ନାହାନ୍ତି। ଝିଲ୍ଲୀଙ୍କୁ ସାହା ହେବାକୁ ତାଙ୍କ ପରିବାର ପାଖରେ ବି ସମ୍ବଳ ନାହିଁ। ବାପା ଦିନ ମଜୁରିଆ। ‌ରୋଗ‌‌ାକ୍ରାନ୍ତ ଥିବାରୁ ମଜୁରୀ ଲାଗି ପାରୁ ନାହାନ୍ତି। ମା’ଙ୍କ ୨ଟି ଯାକ କିଡ୍‌ନି ଖରାପ। ସେ ବି ଝିଲ୍ଲୀଙ୍କୁ କାମରେ ସାହାଯ୍ୟ କରିବାରେ ସକ୍ଷମ ନୁହନ୍ତି।

ସୋମବାର ଡିସ୍‌ଚାର୍ଜ ହେବେ ଝିଲ୍ଲୀ
ମା‌ସକ ପରେ ବି କ୍ରୁଟ୍‌ କର୍ତ୍ତୃପକ୍ଷଙ୍କ ‌ଦେଖାନାହିଁ
ବାପା ରୋଗାକ୍ରାନ୍ତ, ମା’ଙ୍କ କିଡ୍‌ନି ନଷ୍ଟ
ସାନ ଭଉଣୀଙ୍କ ପାଠପଢ଼ାରେ ଡୋରି

ଝିଲ୍ଲୀ ଭୁବନେଶ୍ବର ଆସି ସ୍ବଳ୍ପ ଦରମାରେ ପା‌ର୍ଲରରେ କାମ କରୁଥିଲେ। ‌ପେଟକୁ କାଟି ଘରକୁ ପଠାଉଥିବା ଅର୍ଥରେ ଘର ଚଳୁଥିଲା, ବାପା ମା’ଙ୍କ ଚିକିତ୍ସା ଖର୍ଚ୍ଚ ଉଠୁଥିଲା। ଅର୍ଥାଭାବରୁ ୧୭ ବର୍ଷର ସାନ ଭଉଣୀର ପାଠରେ ଡୋରି ବନ୍ଧା ହୋଇ ଯାଇଥିଲା। ଦୁର୍ଘଟଣା ପରେ ପରେ, ମାସକ ଭିତରେ ଝିଲ୍ଲୀଙ୍କ ପରିବାରର ସ୍ଥିତି ସମ୍ପୂର୍ଣ୍ଣ ଦୋହଲି ଯାଇଥିଲା। ଏହି ଅବଧିରେ ତାଙ୍କର ୬ଥର ଅସ୍ତ୍ରୋପଚାର ହେଲାଣି। ସେଥିରେ ବି ତାଙ୍କ ବାମ ହାତ ଆଉ କାମ କରିବ କି ନାହିଁ, ନିଶ୍ଚିତତା ନାହିଁ। ଡାକ୍ତରଖାନାରେ ଚିକିତ୍ସାଧୀନ ଝିଲ୍ଲଙ୍କ ଯତ୍ନ ନେବାପାଇଁ ମା’ ଓ ଭଉଣୀ ଆସି ରହିଛନ୍ତି। ହେଲେ ମା’ ନିଜେ ହିଁ ନିଜ କାମ କରିପାରୁନାହାନ୍ତି। ମା’ ପୂର୍ଣ୍ଣବାସୀ ସୋହଲାଙ୍କ କହିବା କଥା, ବଡ଼ ଝିଅ ରୋଜଗାର ନିଶାରେ ଗାଁ ଛାଡ଼ିଥିଲା। କିନ୍ତୁ ସରକାରୀ ବସ ଆମ ପରିବାରର ଭାଗ୍ୟ ଛଡ଼ାଇ ନେଲା। ରୋଗୀଣା ବାପ ଏକୁଟିଆ ଘରେ। ଆମେ କାହାର ଯତ୍ନ ନେବୁ? ଏବେ ପରିବାରର ଭଲ ମନ୍ଦ ବୁଝିବାକୁ କେହି ନାହିଁ। ପଇସା କୋଉଠୁ ଆସିବ? କେମିତି ବଞ୍ଚିବୁ? କିଛି ବୁଦ୍ଧିବାଟ ଦିଶୁନି। ଝିଅଟାକୁ ପଙ୍ଗୁ କରିଦେଲେ। ସରକାର ସବୁ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ କହିଥିଲେ। ଏ ନେଇ କ୍ରୁଟ୍‌ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ଉତ୍ତର ମିଳିନାହିଁ। ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିସ୍ଥିତ ଏକ ପାର୍ଲର୍‌ରେ ବିଉଟିସିଆନ୍‌ ତାଲିମ ନେଉଥିଲେ। ରାସ୍ତା ପାର ହେବା ବେଳେ ମୋ ବସ୍‌ ଚାଳକଙ୍କ ବେପରୁଆ ଚାଳନା ପାଇଁ ତାଙ୍କ ବାମ କଟିବା ପରେ ସେ ଏମ୍‌ସ୍‌ର ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗରେ ଚିକିତ୍ସାଧୀନ ଅଛନ୍ତି।
ସୌଜନ୍ୟ-ସମ୍ୱାଦ

Comments are closed.