Breaking News

ଯୁବ ବାହିନୀର ଜବରଦସ୍ତ ବିଜୟ

ଭାରତ ସହ ଜଡ଼ିତ ଦୁଇ ଦୁଇଟି ବିଶ୍ବକପ୍‌ ତିକ୍ତତାକୁ ନେଇ କୋଲକାତାରେ ପହଞ୍ଚିଥିବା ଇଂଲଣ୍ଡ କ୍ରିକେଟ୍ ଦଳ ଏହାକୁ ମାନସପଟରୁ ଦୂର କରିବାରେ ସଫଳ ହୋଇନାହିଁ। ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ବିଶ୍ବ ବିଜେତା...

ଇଡେନ୍ ଗାର୍ଡେନ୍ସରୁ ସୁରେଶ ସ୍ବାଇଁଙ୍କ ରିପୋର୍ଟ

କୋଲକାତା: ଭାରତ ସହ ଜଡ଼ିତ ଦୁଇ ଦୁଇଟି ବିଶ୍ବକପ୍‌ ତିକ୍ତତାକୁ ନେଇ କୋଲକାତାରେ ପହଞ୍ଚିଥିବା ଇଂଲଣ୍ଡ କ୍ରିକେଟ୍ ଦଳ ଏହାକୁ ମାନସପଟରୁ ଦୂର କରିବାରେ ସଫଳ ହୋଇନାହିଁ। ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ବିଶ୍ବ ବିଜେତା ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତି ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଅର୍ଶଦୀପଙ୍କ ପ୍ରାରମ୍ଭିକ ଅସିଚାଳନା ପରେ ବରୁଣଙ୍କ ଚକ୍ରରେ ଇଂଲଣ୍ଡ ସମ୍ପୂର୍ଣ୍ଣ ଫସିଯାଇଛି। ଅଭିଷେକ ଶର୍ମାଙ୍କ ନୂଆ ଅଭିଷେକ ବି ଭାରତକୁ ସହଜ ବିଜୟ ଦେଇଛି। ଇଡେନ୍ ଗାର୍ଡେନ୍ସରେ ପୂର୍ବରୁ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ କାର୍ଲୋସ ବ୍ରାଥୱେଟ୍‌ଙ୍କ ଶେଷ ଓଭର ୪ ଛକା କାରଣରୁ ପରାଜୟ ବରଣ କରିଥିବା ଇଂଲଣ୍ଡ ଗତ ବର୍ଷ ଭାରତଠାରୁ ମଧ୍ୟ ସେହି ଫର୍ମାଟ୍‌ର ବିଶ୍ବକପ୍‌ ସେମିଫାଇନାଲ୍‌ରେ ହାରିଥିଲା। ବର୍ଡର-ଗାଭାସ୍କର ଟ୍ରଫି ହାତଛଡ଼ା କରିବା ପରେ ଗୌତମ ଗମ୍ଭୀରଙ୍କ ଭାରତୀୟ ଦଳ ଏବେ ସୀମିତ ଓଭରରେ ଆଶ୍ବସ୍ତିରୁ ଅଭିଯାନ ଆରମ୍ଭ କରିଛି। ୧୩୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ବୁଧବାର ପ୍ରଥମ ଓଭରରୁ ୧ ରନ୍ ଆଦାୟ କରିଥିଲେ ମଧ୍ୟ ଦ୍ବିତୀୟ ଓଭରରେ ସଂଜୁ ସାମସନ ୨୨ ରନ୍ ଯୋଡ଼ିଥିଲେ। ସଂଜୁ (୨୦ ବଲ୍‌ରୁ ୨୬ ରନ୍) ଓ ସୂର୍ଯ୍ୟକୁମାର (୦) କିନ୍ତୁ ଜୋଫ୍ରା ଆର୍ଚରଙ୍କ ଗୋଟିଏ ଓଭରରେ ବିଦାୟ ନେବା କିଛିଟା ଆଶଙ୍କା ଭରିଥିଲା। ଅନ୍ୟତମ ଯୁବ ତାରକା ଅଭିଷେକ କିନ୍ତୁ ୨୦ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରି ଇଡେନ୍‌ରେ କାକର ଭିଜା ପ୍ରଶଂସକଙ୍କୁ ନିରାଶ କରି ନଥିଲେ। ୩୪ ବଲ୍‌ରୁ ୭୯ ରନ୍ ସଂଗ୍ରହ କରି ଆଦିଲ୍ ରସିଦଙ୍କ ଶିକାର ହୋଇଥିଲେ। ଏହା ମଧ୍ୟରେ ମାତ୍ର ୫ ଚୌକା ଓ ୮ ବିଶାଳ ଛକା ସାମିଲ ଥିଲା। ଶେଷକୁ ତିଳକ ବର୍ମା (୧୬ ବଲ୍‌ରୁ ୧୯* ରନ୍) ମାର୍କ ଉଡ୍‌ଙ୍କୁ ଚୌକା ମାରି ଭାରତକୁ ୪୩ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ସୂର୍ଯ୍ୟକୁମାରଙ୍କ ଦଳ ୧୨.୫ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୧୩୩ ରନ୍ ସଂଗ୍ରହ କରି ନେଇଥିଲା। ଇଂଲଣ୍ଡ ବିପକ୍ଷରେ ୪୩ ରନ୍ ପୂର୍ବରୁ ବିଜୟୀ ହେବା ମଧ୍ୟ ଭାରତ ପାଇଁ ଏକ ରେକର୍ଡ। ଦ୍ବିତୀୟ ମ୍ୟାଚ୍‌ ଶନିବାର ଚେନ୍ନାଇରେ ଖେଳାଯିବ।

ଅର୍ଶଦୀପ ଅଗ୍ରଣୀ ଭାରତୀୟ ବୋଲର
ସୂର୍ଯ୍ୟକୁମାର ୟାଦବ ଆଜି ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସ୍ଥାନୀୟ ଖେଳାଳି ମହମ୍ମଦ ସାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳି ନଥିଲା। ଫଳରେ ନାନା ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ଭାରତ କିନ୍ତୁ ଭଲ ଆରମ୍ଭ କରି ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲା। ଫିଲ୍ ସଲ୍ଟ (୦)ଙ୍କୁ ଦୁଇଟି ଡଟ୍ ଖେଳାଇବା ପରେ ଅର୍ଶଦୀପ ସିଂହ ତାଙ୍କୁ ସାମସନ୍‌ଙ୍କ ଗ୍ଲୋଭ୍ସରେ ଧରାଇ ନେଇଥିଲେ। ନିଜ ଦ୍ବିତୀୟ ଓଭରରେ ହିଁ ଅର୍ଶଦୀପ ଅନ୍ୟତମ ଓପନର୍‌ ବେନ୍‌ ଡକେଟ୍‌ (୪)ଙ୍କୁ ଦ୍ବିତୀୟ ଶିକାର କରିବା ସହ ଏହି ଫର୍ମାଟ୍‌ରେ ଭାରତର ଅଗ୍ରଣୀ ବୋଲର ହୋଇଥିଲେ। ୬୧ତମ ମ୍ୟାଚ୍‌ରୁ ୯୭ ୱିକେଟ୍ ନେଇ ୟୁଝବେନ୍ଦ୍ର ଚହଲ (୮୦ ମ୍ୟାଚ୍‌ରୁ ୯୬ ୱିକେଟ୍‌)ଙ୍କୁ ପଛରେ ପକାଇଥିଲେ ସେ। ଇଂଲଣ୍ଡ ପାଳିରେ ଅଙ୍କୁଶ ଲାଗିଯିବା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ଦ୍ବିତୀୟ ଓଭରରେ ପ୍ରତିପକ୍ଷ ଅଧିନାୟକ ଜୋସ୍ ବଟଲର୍‌ ୪ ଚୌକା ମାରି ୧୮ ରନ୍ ଆଦାୟ କରିବା ଭ୍ରମଣକାରୀ ଦଳ ଗତି ବଢ଼ାଇଥିଲା। ପୁଣି ଅକ୍ଷର ପଟେଲଙ୍କୁ ଦୁଇଟି ଛକା ମାରି ଏକଦା ୧୫ ରନ୍ ଆଦାୟ କରିଥିଲା ଇଂଲଣ୍ଡ। କିନ୍ତୁ ଏହି ଖୁସି ବଟଲର୍‌ଙ୍କ ଦଳ ପାଇଁ ଅଧିକ ସମୟ ରହି ନଥିଲା। ଠିକ୍ ପରବର୍ତ୍ତୀ ଓଭରରେ ବରୁଣ ଚକ୍ରବର୍ତ୍ତୀ ଦୁଇ ଅଭିଜ୍ଞ ବ୍ୟାଟର୍ ହ୍ୟାରି ବ୍ରୁକ୍‌ ଓ ଲିଆମ୍ ଲିଭିଙ୍ଗଷ୍ଟୋନ୍‌ଙ୍କୁ ବୋଲ୍ଡ କରି ଦେଇଥିଲେ।

ହାର୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ୍‌ ୱିକେଟ୍‌ ବାହାର କରିବା ସହ ଇଂଲଣ୍ଡକୁ ନିୟନ୍ତ୍ରଣରେ ରଖିଥିଲେ। ପ୍ରଥମ ଓଭରରୁ ଗୋଟିଏ ପଟୁ ଲ‌ଢ଼େଇ ଜାରି ରଖିଥିବା ବଟଲର୍‌ ପାଳିର ଏକମାତ୍ର ଅର୍ଦ୍ଧଶତକ ହାସଲ କରିବା ସହ ଇଂଲଣ୍ଡର ସମ୍ମାନ ରଖିଥିଲେ। ବରୁଣଙ୍କୁ ଛକା ମାରିବାର ପରବର୍ତ୍ତୀ ବଲ୍‌ରେ ଡିପ୍ ମିଡ୍‌ୱିକେଟ୍ ଅଞ୍ଚଳରେ ନୀତୀଶ କୁମାର ରେଡ୍ଡୀଙ୍କ ଚମତ୍କାର ଡାଇଭ୍ କ୍ୟାଚ୍‌ର ଶିକାର ହୋଇଥିଲେ ସେ। ମାତ୍ର ୩୪ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିବା ବଟଲର୍‌ କିନ୍ତୁ ୪୪ ବଲ୍‌ରୁ ୬୮ ରନ୍ କରିଥିଲେ। ଏହା ମଧ୍ୟରେ ୮ ଚୌକା ଓ ୨ ଛକା ସାମିଲ ଥିଲା। ଏହା ସତ୍ତ୍ବେ ଇଂଲଣ୍ଡ ୧୩୨ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ସ୍ଥାନୀୟ ଖେଳାଳି ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିବା ବେଳେ ଅର୍ଶଦୀପ, ଅକ୍ଷର, ହାର୍ଦିକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।
ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ୨୦ ଓଭରରେ-୧୩୨ (ଜୋସ୍‌ ବଟଲର୍‌ ୬୮, ହ୍ୟାରି ବ୍ରୁକ୍‌ ୧୭, ବରୁଣ ଚକ୍ରବର୍ତ୍ତୀ ୩/୨୩, ଅର୍ଶଦୀପ ସିଂହ ୨/୧୭, ଅକ୍ଷର ପଟେଲ ୨/୨୨, ହାର୍ଦିକ ପାଣ୍ଡ୍ୟା ୨/୪୨)। ଭାରତ ୧୨.୫ ଓଭରରେ-୧୩୩/୩ (ଅଭିଷେକ ଶର୍ମା ୭୯, ସଂଜୁ ସାମସନ୍‌ ୨୬, ତିଳକ ବର୍ମା ୧୯, ଜୋଫ୍ରା ଆର୍ଚର ୨/୨୧, ଆଦିଲ ରସିଦ ୧/୨୭)।

ଝୁଲଣଙ୍କ ନାମରେ ଷ୍ଟାଣ୍ଡ୍
ବିଶ୍ବ କ୍ରିକେଟ୍‌ରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଅନ୍ୟତମ କିଂବଦନ୍ତି କ୍ରିକେଟର୍ ଝୁଲଣ ଗୋସ୍ବାମୀଙ୍କ ନାମରେ ଏକ ଷ୍ଟାଣ୍ଡ୍‌ ଉନ୍ମୋଚିତ ହୋଇଛି। ଭାରତ-ଇଂଲଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ର ଦୁଇ ଦିନ ପୂର୍ବରୁ ଏକ ଛୋଟ ଉତ୍ସବରେ ଏହି ଷ୍ଟାଣ୍ଡ୍‌ ‌ଉନ୍ମୋଚିତ ହୋଇଥିବା ବେଳେ ଝୁଲଣ ନିଜେ ଉପସ୍ଥିତ ଥିଲେ। ୨୦୦୨ରୁ ୨୦୨୨ ମସିହା ମଧ୍ୟରେ ବିଶ୍ବ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ଖ୍ୟାତି ଅର୍ଜନ କରିଥିବା ଝୁଲଣ ୧୨ ଟେଷ୍ଟ୍‌, ୨୦୪ ଦିନିକିଆ, ୬୮ ଟ୍ବେଣ୍ଟି-୨୦ ଖେଳି ମିଳିତ ଭାବେ ୩୫୫ ଅନ୍ତର୍ଜାତୀୟ ୱିକେଟ୍ ଅକ୍ତିଆର କଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.