Breaking News

ଯେଉଁଠିକୁ ଯିବା ପାଇଁ ଲୋକେ ଭୟ କରୁଥିଲେ, ସେଠାରେ ଶ୍ରଦ୍ଧାଳୁଙ୍କ ଭିଡ଼

‘ରାଧାବଲ୍ଲଭ ମଠ’ର ମହାରାଜ ସନତ କୁମାର ଦାସ କହିଛନ୍ତି, ବରିଷ୍ଠ ସାଧୁସନ୍ଥମାନେ କଥା ହେଉଥିଲେ ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରହିଛି ଶୃଙ୍ଗଦର ମଠ। ଏହି ମନୋରମ ସ୍ଥାନରେ ଅପୂର୍ବ ଶାନ୍ତି ମଳିଥାଏ।

ଭୁବନେଶ୍ବର: (ମହେନ୍ଦ୍ର ସାହୁ): ସୁରୁମ୍ ଦର୍‌ହ। ଏହି ନାମ ଶୁଣିଲେ ଏକଦା ମନରେ ଭୟ ଜାତ ହେଉଥିଲା। ବାଘ, ଭାଲୁ, ହାତୀ, ବିଲୁଆମାନେ ଏଠାରେ ଆଡ୍ଡା ଜମାଇ ଥିବେ ବୋଲି ଲୋକଙ୍କର ଭାବନା ଥିଲା। ଗ୍ରୀଷ୍ମଋତୁରେ ଜଙ୍ଗଲରେ ଯେତେେବେଳେ ପାଣିର ଘୋର ଅଭାବ ଥାଏ, ସେହି ସମୟରେ ଏଠାକାର ବିଶାଳ ଜଳାଶୟରେ କାଚକେନ୍ଦୁ ଭଳି ଥାଏ ପାଣି। ଅତୀତରେ ଜଙ୍ଗଲର ଜୀବଜନ୍ତୁମାନେ ଏଠାରେ ମେଳି ବାନ୍ଧୁଥିଲେ। ଶୋଷ ମେଣ୍ଟାଇବା ସହ ଜଳକ୍ରୀଡ଼ା କରୁଥିଲେ।

ସୁରୁମ୍ ଦର୍‌ହକୁ ଭୂତ-ପ୍ରେତ, ଦେବୀ-ଦେବତାଙ୍କର ସ୍ଥାନ ବୋଲି ମଧ୍ୟ କୁହାଯାଉଥିଲା। ଏହି ସ୍ଥାନଟି ଯେଉଁଭଳି ଦୁର୍ଗମ ଥିଲା, ଏଭଳି କୁହାଯିବାର ମଧ୍ୟ ଯଥାର୍ଥତା ଥିଲା। କିନ୍ତୁ ସମୟ ବଦଳିବା ସହିତ ଏଠାକାର ଭୌଗଳିକ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି। ସୁରୁମ୍ ଦର୍‌ଡ ସମୟ କ୍ରମେ ‘ଶୃଙ୍ଗଦର’ ନାମରେ ଅଧିକ ପରିଚିତ ହୋଇଯାଇଛି। ରାସ୍ତାଘାଟର ମାନଚିତ୍ର ପୂର୍ବାପେକ୍ଷା ବଦଳିଛି। ବିଦ୍ୟୁତ୍ ସଂଯୋଗୀକରଣ କରାଯାଇ ପାରିଛି। ଅନ୍ୟ ଭିତ୍ତିଭୂମିର ମଧ୍ୟ ବିକାଶ ହେଉଛି। ଏଠାରେ ପ୍ରତିଷ୍ଠିତ ‘ରାଧାବଲ୍ଲଭ ମଠ’ ଶ୍ରଦ୍ଧା, ଭକ୍ତି, ପ୍ରେମର ବାର୍ତ୍ତା ବାଣ୍ଟୁଛି। ପ୍ରତିଦିନ ଏଠାକୁ ଶ୍ରଦ୍ଧାଳୁମାନେ ଆସୁଛନ୍ତି। ପ୍ରାକୃତିକ ପରିବେଶରେ କିଛି ସମୟ ଅତିବାହିତ କରୁଛନ୍ତି। ହରିନାମ ନେଉଛନ୍ତି।

‘ଶୃଙ୍ଗଦର’କୁ ବାବା ମଠ ମଧ୍ୟ କୁହାଯାଇଥାଏ। ଏହାର ଅନ୍ୟ ନାମ ‘ରାଧାବଲ୍ଲଭ ମଠ।’ ଏହି ମଠର ଇତିହାସରେ ଏବେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଏଠାରେ ନବନିର୍ମିତ ‘ରାଧାକୃଷ୍ଣ ମନ୍ଦିର’ ଆସନ୍ତା ୧୭ ତାରିଖ ଦିନ ପ୍ରତିଷ୍ଠା ହେବ। ଏହି ସମାରୋହରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହେବେ। ଏଥି ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ‘ରାଧାବଲ୍ଲଭ ମଠ’ର ମହାରାଜଙ୍କ ଉଦ୍ୟମ ଯୋଗୁଁ ଏଠାରେ ୨୦୨୫ ଫେବ୍ରୁଆରି ୧୪ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗୁଡ଼ିକର ଆୟୋଜନ କରାଯାଉଛି। ଏଥିରେ କଳସ ଯାତ୍ରା, ଚବିଶ ପ୍ରହର ନାମଯଜ୍ଞ, ମନ୍ଦିର ପ୍ରତିଷ୍ଠା ଓ ସାଧୁସେବା ସାମିଲ ରହିଛି।

୧୨ ବର୍ଷ ପୂର୍ବରୁ ‘ଶୃଙ୍ଗଦର’ର ନାମ ଶୁଣିଥିଲି: ମହାରାଜ ସନତ ଦାସ

‘ରାଧାବଲ୍ଲଭ ମଠ’ର ମହାରାଜ ସନତ କୁମାର ଦାସ (୩୮) କହିଛନ୍ତି, ଏଠାରୁ ୧୦କିମି ଦୂରରେ ‘ମଝୁରକଟା ମଠ’ ରହିଛି। ପ୍ରାୟ ୧୨ ବର୍ଷ ପୂର୍ବରୁ ସେଠାରେ ଆୟୋଜିତ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସୁଯୋଗ ମିଳିଥିଲା। ସାଧୁସନ୍ଥମାନଙ୍କ ଗହଣରେ ଆଲୋଚନା ବେଳେ ପ୍ରଥମେ ‘ଶୃଙ୍ଗଦର ମଠ’ର ନାମ ଶୁଣିଥିଲି। ବରିଷ୍ଠ ସାଧୁସନ୍ଥମାନେ କଥା ହେଉଥିଲେ ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରହିଛି ଶୃଙ୍ଗଦର ମଠ।  ଏହି ମନୋରମ ସ୍ଥାନରେ ଅପୂର୍ବ ଶାନ୍ତି ମଳିଥାଏ। ସାଧୁସନ୍ଥମାନେ କଥା ହେଉଥିଲେ ଯେ, ସେଠାରେ ଏକାଧିକ ସାଧୁସନ୍ଥ ସାମୟିକ ସମୟ ପାଇଁ ରହିଛନ୍ତି। କିନ୍ତୁ କୌଣସି ସାଧୁ ବେଶୀ ଦିନ ପର୍ଯ୍ୟନ୍ତ ରହିପାରି ନାହାନ୍ତି। ଗାଁ ଠାରୁ ଦୁଇ କିମି ଦୂରରେ ଏହି ସ୍ଥାନ ଥିଲେ ମଧ୍ୟ ସେଠାକୁ ଯିବା ପାଇଁ ଏକ ଭଲ ରାସ୍ତା ନାହିଁ। ଜଙ୍ଗଲ ଭିତରେ ଥିବା ଏହି ସ୍ଥାନଟି ବାଘ, ଭାଲୁ, ହାତୀ ଓ ଅନ୍ୟ ହିଂସ୍ର ଜନ୍ତୁମାନଙ୍କର ଆଡ୍ଡାସ୍ଥଳୀ। କେବଳ ଏତିକି ନୁହେଁ, ଭୂତ-ପ୍ରେତମାନେ ମଧ୍ୟ ରାତ୍ରୀରେ ବିଚରଣ କରୁଥାନ୍ତି। ଜଙ୍ଗଲର ହିଂସ୍ର ଜନ୍ତୁ ଓ ଭୂତ-ପ୍ରେତମାନେ କାହାରିକୁ ଏଠାରେ ଶୋଇବାକୁ ଦେବେ ନାହିଁ।

କୋଭିଡ-୧୯କୁ ମନେ ପକାଇଲେ ମହାରାଜ

ମଠର ମହାରାଜ ସନତ କୁମାର କହିଛନ୍ତି, ବିଭିନ୍ନ ପ୍ରକାର ଭୟ ଓ ଅସୁବିଧା ଥିଲେ ମଧ୍ୟ ପ୍ରଭୁଙ୍କ ଇଚ୍ଛା ଥିଲା ଏଠାକୁ ଆସିବା ପାଇଁ। ବର୍ଷ ୨୦୨୦ ମସିହା ବୈଶାଖ ମାସରେ ପ୍ରବଳ ଖରା ସମୟରେ ପ୍ରଭୁଙ୍କ ଆଶୀର୍ବାଦ ହେଲା। ଭଗବାନ ମୋତେ ଏଠାକୁ ପଠାଇଲେ। ଯେଉଁ ସମୟରେ ମୋତେ ଏଠାକୁ ଆସିବାକୁ ପଡ଼ିଥିଲା, ସେହି ସମୟରେ କୋଭିଡ-୧୯ ପୂରା ବିଶ୍ବକୁ ଡରାଇ ରଖିଥିଲା। ଲୋକେ ପୋକମାଛି ପରି ଜୀବନ ହରାଉଥିଲେ। ବହୁ ଦୂର ପର୍ଯ୍ୟନ୍ତ ପାଦରେ ଚାଲିବାକୁ ପଡୁଥିଲା। ଭୟରେ ଲୋକେ ଲିଫ୍ଟ ମଧ୍ୟ ଦେଉ ନଥିଲେ। କିନ୍ତୁ ଭାଲୁଡୁଙ୍ଗୁରୀ ଗାଁର ଲୋକଙ୍କର ଅଜସ୍ର ଶ୍ରଦ୍ଧା ଓ ସମର୍ଥନ ଏଠାରେ ରହିବାକୁ ମନୋବଳ ଦୃଢ଼ କରିଥିଲା। ପୁରୁଣା ଦିନକୁ ମନେ ପକାଇ ମହାରାଜ କହିଛନ୍ତି, ଏକଦା ସୁବର୍ଣ୍ଣପୁର ଜିଲ୍ଲା ବିନିକାରୁ ମୋତେ ମଠକୁ ଚାଲିଚାଲି ୩୦କିମି ଦୂର ଆସିବାକୁ ପଡ଼ିଥିଲା। ତାଙ୍କ ନିର୍ଦ୍ଦେଶରେ ବିଗତ ୫ ବର୍ଷ ମଧ୍ୟରେ ଏଠାରେ ଅନେକଗୁଡ଼ିଏ କାର୍ଯ୍ୟ ହୋଇଛି। ସବୁ ସେହି ରାଧାକୃଷ୍ଣଙ୍କର ଆଶୀର୍ବାଦରେ ହୋଇପାରିଛି। ଆଗାମୀ ଦିନରେ ଏଠାରେ ଯାହା କିଛି ହେବ, ସବୁ ସେହି ଲୀଳାମୟଙ୍କର ଅପାର କରୁଣାରୁ ହେବ ବୋଲି ଆଶା ରଖିଛୁ।

ରାଧାବଲ୍ଲଭ ମଠରେ ପର୍ବପର୍ବାଣୀ: ସଂକ୍ରାନ୍ତି, ଶୁକ୍ଲପକ୍ଷ ଦ୍ବାଦଶୀ, ଦୈନିକ ଭାଗବତ ପାଠ, ଅଁଳା ନବମୀ, ପଞ୍ଚୁକ, ମହାଶିବରାତ୍ରୀ ଓ ଚନ୍ଦନଯାତ୍ରା

ବଗିଚା ଆରମ୍ଭ କରିଥିଲେ ଧୃବଚରଣ ନନ୍ଦ 

‘ଶୃଙ୍ଗଦର ମଠ’ରେ ଏକ ବଗିଚା ରହିଛି। ସ୍ବର୍ଗତ ଧୃବଚରଣ ନନ୍ଦଙ୍କ ପ୍ରଚେଷ୍ଟାରେ ଏହା ଆରମ୍ଭ ହୋଇଥିଲା। ସେ ଏଠାରେ ଆମ୍ବ, ଲେମ୍ବୁ ବିଭିନ୍ନ ପ୍ରକାରର ଫୁଲଗଛ ଲଗାଇଥିଲେ। ପୂଜା ଓ ପର୍ବପର୍ବାଣୀରେ ଗାଁରେ ଫୁଲ ସରିଗଲେ, ଲୋକେ ଶୃଙ୍ଗଦରରୁ ଫୁଲ ଆଣିବାକୁ ଯାଉଥିଲେ। ଗ୍ରୀଷ୍ମଦିନରେ ଏଠାରେ ଥିବା ଗଭୀର ହ୍ରଦକୁ ଗାଧୋଇବାକୁ ଆସୁଥିବା ଲୋକେ ଛାଇରେ ବସନ୍ତି ଓ ଆମ୍ବ ଖାଇବାର ସୁଯୋଗ ପାଇଥାନ୍ତି। ସେହିପରି ଚୈତ୍ରମାସରେ ଯେତେବେଳେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ, ଦଣ୍ଡୁଆମାନେ ଏଠାରେ ଅପରାହ୍ଣରେ ରହିବାକୁ ଭଲ ପାଆନ୍ତି।

ଡରୁଥିଲେ ଛୋଟ ପିଲା

ଭାଲୁଡୁଙ୍ଗୁରୀ ଗାଁର ୫୮ ବର୍ଷୀୟ ରେଞ୍ଜା ସାହୁ କୁହନ୍ତି, ପିଲାଟି ଦିନରୁ ମୁଁ ‘ଶୃଙ୍ଗଦର’ର ନାମ ଶୁଣିଛି। ଅତୀତରେ ଏହି ସ୍ଥାନଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ବନ୍ୟପ୍ରାଣୀଙ୍କ ସମେତ ହ୍ରିଂସ ଜନ୍ତୁ ଚଳପ୍ରଚଳ କରୁଥିଲେ। ଭୂତପ୍ରେତର ଭୟ ଥିଲା। ଗାଁର ମୃତବ୍ୟକ୍ତିଙ୍କର ଏଠାରେ ଅନ୍ତିମ ସଂସ୍କାର କରାଯାଉଥିଲା। ଲୋକେ ଏଠାକୁ ଆସିବାକୁ ସାହସ ଜୁଟାଇ ପାରୁ ନଥିଲେ। କାନ୍ଦୁଥିବା ଛୁଆଙ୍କୁ ଶୃଙ୍ଗଦର ନାମ କହି ତାଙ୍କର ବାପା-ମା’ ଓ ଅଜା-ଆଈ ପାଟି ବନ୍ଦ କରାଉଥିଲେ। ମୋର ଅଭିଜ୍ଞତାର ୪୦ ବର୍ଷ ମଧ୍ୟରେ ଏଠାକୁ ଏକାଧିକ ସାଧୁସନ୍ଥ ଆସିଛନ୍ତି। କିନ୍ତୁ କୌଣସି ସାଧୁସନ୍ଥ ବେଶୀ ଦିନ ପର୍ଯ୍ୟନ୍ତ ରହିପାରି ନାହାନ୍ତି। ଏଠାରେ ମଠର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମହାରାଜ ସନତ କୁମାର ଦାସ ଉଦ୍ୟମ ଜାରି ରଖିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.