Breaking News

ଯୋଜନାର ୨୦ ବର୍ଷ ପରେ ବି ସରିଲାନି ‘କଳାମଣ୍ଡଳ’ ନିର୍ମାଣ: ଠିକାସଂସ୍ଥାକୁ ଫରକ ପଡ଼ୁନି ମନ୍ତ୍ରୀଙ୍କ ନିର୍ଦ୍ଦେଶ

‘କଳାମଣ୍ଡଳ’ ନିର୍ମାଣ ୫ ମାସରେ ସରିବ। ଗତ ମାସ ବିଧାନସଭା‌ ଅଧିବେଶନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଡେଡ୍‌ଲାଇନ୍‌ ଶୁଣାଇଥିଲେ।

ଭୁବନେଶ୍ବର: ‘କଳାମଣ୍ଡଳ’ ନିର୍ମାଣ ୫ ମାସରେ ସରିବ। ଗତ ମାସ ବିଧାନସଭା‌ ଅଧିବେଶନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଡେଡ୍‌ଲାଇନ୍‌ ଶୁଣାଇଥିଲେ। ଏହାପରେ କାମ ଜୋର୍‌ଦାର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ମନ୍ତ୍ରୀଙ୍କ ନି‌ର୍ଦ୍ଦେଶ ପରେ ବି ଠିକା ସଂସ୍ଥା ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ମନ୍ତ୍ରୀଙ୍କ ୫ ମାସିଆ କଣ୍ଟ ପୂରଣ ହେବାକୁ ଆଉ କମ୍‌ ସମୟ ଥିବା ବେଳେ ଠିକାସଂସ୍ଥାବେଫିକର। ଏବେବି ମନ୍ଥର ଗତିରେ ନିର୍ମାଣ ଚାଲିଛି। ଏଭଳି କାମ ଚାଲିଲେ ୫ ମାସ କ’ଣ, ଆଉ ୫ ବର୍ଷ ବିତି ଗଲେ ବି କାମ ସରିବ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହେଉଛି।

ରାଜଧାନୀରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ପ୍ରେକ୍ଷାଳୟର ଅଭାବ ପରିଲକ୍ଷିତ ହେଉଛି। ଏହି ଅଭାବ ଦୂର କରିବାକୁ ୨୦୦୩ ମସିହାରେ ‘କଳାମଣ୍ଡଳ’ର ପରିକଳ୍ପନା କରାଯାଇଥିଲା। କେନ୍ଦ୍ର ସରକାର ଏଥିପାଇଁ ୨ କୋଟି ୩୦ଲକ୍ଷ ଟଙ୍କା ଦେଇଥିଲେ। ଏହି ପ୍ରକଳ୍ପ ପାଇଁ ୨୦୦୬ ମସିହାରେ ସୈନିକ ସ୍କୁଲ୍‌ ନିକଟ ଗଜପତି ନଗରରେ ସରକାର ୧୦ ଏକର ଜମି ଯୋଗାଇଦେଲେ। ମାତ୍ର ପରେ ଜମି ମାଲିକାନାକୁ ନେଇ ବିବାଦ ଉପୁଜିବାରୁ କୋର୍ଟରେ ମାମଲା ଗଡ଼ିଲା। ସଂସ୍କୃତି ବିଭାଗ ମାମଲା ଜିତିବା ପରେ ୨୦୧୭-୧୮ ମସିହାରୁ କଳାମଣ୍ଡଳ କାମ ଚାଲୁ ରହିଛି। ପ୍ରାୟ ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ଏହି କାମକୁ ୨ ବର୍ଷ ଭିତରେ ସାରିବାକୁ ସର୍ତ୍ତ ରହିଥିଲା। ଏହା ଭିତରେ ପ୍ରାୟ ୫ ଥର ଅବଧି ବଢ଼ି ସାରିଲାଣି। ୭ ବର୍ଷ ବିତିଥିଲେ ବି ‌ପ୍ରକଳ୍ପ କାମ ସରୁନାହିଁ।

ଭୁବନେଶ୍ବର ଛାତି ଉପରେ ୨ ହଜାର ସିଟ୍‌ ବିଶିଷ୍ଟ ଏହି ବୃହତ୍‌ ପ୍ରେକ୍ଷାଳୟର ବାଃ ବାଃ ନେବାକୁ ପୂର୍ବ ସରକାର ଚାହିଥିଲେ। ହେଲେ ଦୁର୍ଭାଗ୍ୟ, ଠିକା ସଂସ୍ଥା ପାଇଁ ବିଜେଡି ସରକାରର ଗୋଟି ଚାଳନା ସଫଳ ହେଲାନି। ପୂର୍ବ ସରକାରରେ ମଧ୍ୟ ବାରମ୍ବାର ଇଡ୍‌କୋ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ, ସଚିବଙ୍କ ସହ ବିଭାଗୀୟ ମନ୍ତ୍ରୀ କଳାମଣ୍ଡଳ ସ୍ଥିତି ସମୀକ୍ଷା କରି ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। କାମ ଶେଷ କରିବାର ଶେଷ ତାରିଖ ବି ବାରମ୍ବାର ଦେଇଥିଲେ। ହେଲେ ଠିକା ସଂସ୍ଥା ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ବି‌ଜେଡି ସରକାରରେ ପ୍ରଭାବଶାଳୀ କୁହାଯାଉଥିବା ଭି.କେ ପାଣ୍ଡିଆନ୍‌ ଗତ ଜାନୁଆରିରେ ଶେଷ ଥର ପାଇଁ କଳାମଣ୍ଡଳ ସ୍ଥିତି ସମୀକ୍ଷା କରିଥିଲେ। ବାକି ଥିବା କାମ ୪ ମାସରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥି‌ଲେ। ହେଲେ ଫଳ ଶୂନ। ନୂଆ ସରକାର ଆସିବା ପରେ ସଂସ୍କୃତି ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଅଧିକାରୀ ଓ ଠିକା ସଂସ୍ଥାକୁ ଡାକି ଲଗାତାର ସମୀକ୍ଷା କରୁଛନ୍ତି। ତଥାପି ଡିକେ ଇଞ୍ଜିନିୟରିଂ ଆଣ୍ଡ୍‌ କନ୍‌ଷ୍ଟ୍ରକ୍ସନ୍‌ ବେଫିକର। ଏବେ ବାହାର ପାଖ ପଲସ୍ତରା ସହ କିଛି ଅଂଶ ରଙ୍ଗ ବୋଳା ହୋଇଛି। କିନ୍ତୁ ଭିତରେ କେବଳ କୋଠା ସହ କିଛି କାମ ହୋଇ ନଥିବା କହିଲେ ଚଳେ। ତେବେ ୨୦୨୫ ମାର୍ଚ୍ଚ ମାସରେ ପ୍ରକଳ୍ପ କାମ ନସରିଲେ ମନ୍ତ୍ରୀ କ’ଣ ପଦକ୍ଷେପ ନେଉଛନ୍ତି ତା’ଉପରେ ଜନତାଙ୍କ ନଜର।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.