Breaking News

ଯୌନ କର୍ମୀଙ୍କୁ ଅଧିକାର ଦେଇଥିବା ପ୍ରଥମ ଦେଶ: ମିଳିବ ମାତୃତ୍ୱ ଛୁଟି, ସ୍ୱାସ୍ଥ୍ୟ ବୀମା, ଭତ୍ତା

ନୂଆଦିଲ୍ଲୀ ୦୩/୧୨: ବିଶ୍ୱରେ ପ୍ରଥମ । ଯୌନ କର୍ମୀଙ୍କୁ ମାତୃତ୍ୱ ଛୁଟି, ଭତ୍ତା, ସ୍ୱାସ୍ଥ୍ୟ ବୀମା ଓ ଅସୁସ୍ଥତା ଜନିତ ଛୁଟି ସମେତ ଅନେକ ଅଧିକାର ପ୍ରଦାନ ଲାଗି ଘୋଷଣା କରିଛି ବେଲ୍‌ଜିୟମ୍‌ । ଏହି ନିୟମ ଜରିଆରେ ଯୌନ କର୍ମୀଙ୍କୁ ଅନ୍ୟ କର୍ମଚାରୀଙ୍କ ଭଳି ରୋଜଗାର ଓ ସୁରକ୍ଷା ପ୍ରଦାନ ପାଇଁ ଚେଷ୍ଟା କରାଯାଇଛି । ଗତ ୧ ତାରିଖ ଅର୍ଥାତ୍‌ ରବିବାରଠୁ ଦେଶରେ ଏହି ନିୟମ ଲାଗୁ ହୋଇଛି ।

୨୦୨୨ ମସିହାରେ ବେଲ୍‌ଜିୟମ୍‌ରେ ଯୌନ କାର୍ଯ୍ୟକୁ ଅପରାଧମୁକ୍ତ ଘୋଷଣା କରାଯାଇଥିଲା । ତା’ପରଠୁ ଦେଶରେ ଯୌନ କର୍ମୀଙ୍କୁ ସୁରକ୍ଷା, ରୋଜଗାର, ସ୍ୱାସ୍ଥ୍ୟ ସମେତ ଆହୁରି ଅନେକ ଅଧିକାର ପ୍ରଦାନର ଦାବି ଉଠିଲା । ସଦ୍ୟ ନିୟମ ଲାଗୁ ହେବା ପରେ ବେଲ୍‌ଜିୟମ୍‌ରେ ଏଣିକି ଯୌନକାର୍ଯ୍ୟକୁ ମନା କଲେ କିମ୍ବା ଛୁଟି ନେଲେ, ଯୌନ କର୍ମୀଙ୍କୁ ଚାକିରିରୁ ବାହାର କରାଯାଇ ପାରିବ ନାହିଁ । କୌଣସି ନୋଟିସ୍‌ ବିନା ସେମାନେ ଚାକିରିରୁ ଇସ୍ତଫା ମଧ୍ୟ ଦେଇପାରିବେ । ବେଲ୍‌ଜିୟମ ୟୁନିୟନ୍‌ ଅଫ୍‌ ସେକ୍ସ ୱର୍କର୍ସର ଅଧ୍ୟକ୍ଷ ଭିକ୍ଟୋରିଆ କହିଛନ୍ତି ‘ଯଦି କୌଣସି ନିୟମ ନାହିଁ ଏବଂ ଆପଣଙ୍କ ଚାକିରି ଅବୈଧ, ତେବେ ଆପଣଙ୍କ ସାହାଯ୍ୟ ପାଇଁ କୌଣସି ପ୍ରୋଟୋକଲ ନଥାଏ । ଏଣିକି ନୂଆ ନିୟମ ଦ୍ୱାରା ଯୌନ କର୍ମୀଙ୍କୁ ସୁରକ୍ଷା ମିଳିବ ।’ ମାନବାଧିକାର କାର୍ଯ୍ୟକର୍ତ୍ତା ଏହି ନିୟମକୁ ପ୍ରଶଂସା କରି ଯୁଗାନ୍ତକାରୀ ପ୍ରୟାସ ବୋଲି କହିଛନ୍ତି ।

ନୂଆ ନିୟମ ଅନୁସାରେ, ଯୌନ କର୍ମୀଙ୍କୁ ରୋଜଗାରର କଣ୍ଟ୍ରାକ୍ଟ ମିଳିବ । ଏଥିସହ କାମର ସମୟ ଓ କାର୍ଯ୍ୟସ୍ଥଳୀର ସୁରକ୍ଷା ସମ୍ବନ୍ଧୀୟ ନିୟମ ମଧ୍ୟ ପାଳନ କରାଯିବ । ଯୌନ କାର୍ଯ୍ୟ ହେଉଥିବା ପ୍ରତ୍ୟେକ ସ୍ଥାନ ପରିଷ୍କାର ରହିବା ଉଚିତ୍‌ । ସେଠାରେ ଏକ ଆଲାର୍ମ ଲଗାଇବାକୁ ପଡ଼ିବ, ଯାହା ଯୌନ କର୍ମୀଙ୍କୁ ପଠାଇଥିବା ବ୍ୟକ୍ତିଙ୍କ ସହ ସଂଶ୍ଳିଷ୍ଟ ହେବ ।

ନୂଆ ନିୟମରେ ଯୌନ ବ୍ୟବସାୟକୁ ନିୟନ୍ତ୍ରଣ କରୁଥିବା ଦଲାଲଙ୍କୁ ଆଇନ ଅନୁସାରେ କାମ କରିବାକୁ ଅନୁମତି ମିଳିବ । କିନ୍ତୁ ସେମାନଙ୍କୁ କଠୋର ନିୟମ ପାଳନ କରିବାକୁ ହେବ । ମାନବ ଚୋରା ଚାଲାଣ, ଯୌନ ଉତ୍ପୀଡ଼ନ, ଠକେଇ ଭଳି ମାମଲାରେ ଦୋଷୀ ପ୍ରମାଣିତ ହେଲେ ବ୍ୟକ୍ତିଙ୍କୁ ଯୌନ କର୍ମୀ ରଖିବାକୁ ଅନୁମତି ମିଳିବ ନାହିଁ ।
ସୌଜନ୍ୟ-ପ୍ରମେୟ

Comments are closed.