Breaking News

ରଣଜୀ ଟ୍ରଫି: ଗୋବିନ୍ଦଙ୍କ ଶତକ, ଓଡ଼ିଶା ୫୨୩/୭, ଗୋଟିଏ ଦିନରେ ୪୫୩ ରନ୍

ଶିଲଂରେ ଚାଲିଥିବା ମେଘାଳୟ ବିପକ୍ଷ ରଣଜୀ ଟ୍ରଫି ଷଷ୍ଠ ରାଉଣ୍ଡ ମୁକାବିଲାରେ ଓଡ଼ିଶା ଚମତ୍କାର ବ୍ୟାଟିଂ କରିଛି। ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ବଳରେ ଦ୍ବିତୀୟ ଦିନର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ୫୨୩/୭ କରି ଦୃଢ଼ ସ୍ଥିତିରେ ରହିଛି।

ଭୁବନେଶ୍ବର: ଶିଲଂରେ ଚାଲିଥିବା ମେଘାଳୟ ବିପକ୍ଷ ରଣଜୀ ଟ୍ରଫି ଷଷ୍ଠ ରାଉଣ୍ଡ ମୁକାବିଲାରେ ଓଡ଼ିଶା ଚମତ୍କାର ବ୍ୟାଟିଂ କରିଛି। ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ବଳରେ ଦ୍ବିତୀୟ ଦିନର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ୫୨୩/୭ କରି ଦୃଢ଼ ସ୍ଥିତିରେ ରହିଛି। ଷ୍ଟମ୍ପ୍‌ସ ବେଳକୁ ରାଜେଶ ଧୂପର (୮୦*) ଓ ସୁନୀଲ ରାଉଳ (୪*) ବ୍ୟାଟିଂ କରୁଥିଲେ। ସଂପ୍ରତି ଓଡ଼ିଶା ୩୨୫ ରନ୍‌ରେ ଆଗୁଆ ରହିଛି। ଗୋଟିଏ ଦିନରେ ଓଡ଼ିଶା ୪୫୩ ରନ୍ ଯୋଡ଼ିବା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ହୋଇଛି।

ଶୁକ୍ରବାରର ପ୍ରଥମ ଦିନ ସ୍କୋର୍‌ ୭୦/୦ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ଶନିବାର ଏଥିରେ ଆଉ ୫୦ ରନ୍‌ ଯୋଡ଼ି ଦୁଇ ଅପରାଜିତ ବ୍ୟାଟର୍‌ ସ୍ବସ୍ତିକ ସାମଲ (୮୦ ରନ୍‌,୧୦୭ ବଲ୍‌, ୧୬ ଚୌକା) ଓ ସାନ୍ତନୁ ମିଶ୍ର (୩୭ ରନ୍‌, ୮୮ ବଲ୍‌, ୪ ଚୌକା)ଙ୍କୁ ୩ ବଲ୍‌ ବ୍ୟବଧାନରେ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ଅଧିନାୟକ ସନ୍ଦୀପ ପଟ୍ଟନାୟକ ଓ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓଡ଼ିଶା ପାଳି ସମ୍ଭାଳି ନେଇଥିଲେ। ଉଭୟ ତୃତୀୟ ୱିକେଟ୍‌ରେ ୧୪୦ ରନ୍‌ ଯୋଡ଼ିଥିଲେ। ଦଳୀୟ‌ ସ୍କୋର୍‌ ୨୬୦ ଥିଲା ବେଳେ ସନ୍ଦୀପ (୭୮ ରନ୍‌, ୧୦୦ ବଲ୍‌, ୧୧ ଚୌକା) ପ୍ୟାଭିଲିୟନ୍‌ ଫେରିଥିଲେ। ଗୋବିନ୍ଦ ଓ କାର୍ତ୍ତିକ ବିଶ୍ବାଳ ଚତୁର୍ଥ ୱିକେଟ୍‌ରେ ଶତକୀୟ (୧୦୨ ରନ୍‌) ଭାଗୀଦାରି ଗଢ଼ିବାରୁ ଓଡ଼ିଶା ୪୦୦ ରନ୍‌ ନିକଟତର ହୋଇଥିଲା। ଗୋବିନ୍ଦ (୧୨୧ ରନ୍‌, ୧୫୭ ବଲ୍‌, ୧୭ ଚୌକା) ଶତକ ଅର୍ଜନ କରିବା ପରେ ଆଉଟ୍‌ ହୋଇଥିଲେ। ଏହା ଗୋବିନ୍ଦଙ୍କ ୯୦ ତମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ହୋଇଥିବା ବେଳେ ୧୫୫ତମ ପାଳିରୁ ଦଶମ ଶତକ ହାସଲ କରିଛନ୍ତି। ଏହା ପରେ କାର୍ତ୍ତିକ (୬୮ ରନ୍‌, ୮୫ ବଲ୍‌, ୮ ଚୌକା) ଓ ରାଜେଶ ପଞ୍ଚମ ୱିକେଟ୍‌ରେ ୭୯ ରନ୍‌ ଯୋଡ଼ିଥିଲେ। ବିସ୍ଫୋରକ ବ୍ୟାଟିଂ କରିଥିବା ରାଜେଶ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋର୍‌ ୫୦୦ ପାର୍‌ କରାଇଥିଲେ। ରା‌ଜେଶ ୮୧ ବଲ୍‌ରୁ ୮୦* ରନ୍ କରିଥିବା ବେଳେ ଏହା ମଧ୍ୟରେ ୭ ଚୌକା ଓ ୪ ଛକା ସାମିଲ ରହିଛି। ୱିକେଟ୍‌ରକ୍ଷକ ଆଶୀର୍ବାଦ ସ୍ବାଇଁ (୩୦ ବଲ୍‌ରୁ ୩୪ ରନ୍‌, ୫ ଚୌକା) ମଧ୍ୟ ଉପଯୋଗୀ ପାଳି ଖେଳିଥିଲେ। ମେଘାଳୟ ପକ୍ଷରୁ ନାଫେସ ସିଦ୍ଦିକ୍‌ ୩ ଓ ଆକାଶ ଚୌଧୁରୀ ୨ ୱିକେଟ୍‌ ନେଇଥିଲେ। ସୂଚନାଯୋଗ୍ୟ ଯେ ପ୍ରଥମେ ବ୍ୟାଟିଂ କରିଥିବା ମେଘାଳୟର ପ୍ରଥମ ପାଳି ୧୯୮ ରନ୍‌ରେ ଅଟକିଥିଲା। ପଦାର୍ପଣକାରୀ ତାପସ ଦାସ ୬/୬୭ ବୋଲିଂ ସଫଳତା ପାଇଥିଲେ।

ସଂକ୍ଷିପ୍ତ ସ୍କୋର୍: ମେଘାଳୟ ପ୍ରଥମ ପାଳି-୧୯୮ (ଯଶକ୍ରୀତ୍ ସିଂହ ସଚଦେବା-୪୩, ତାପସ ଦାସ-୬/୬୭, ସୁନୀଲ ରାଉଳ-୩/୩୧)। ଓଡ଼ିଶା ପ୍ରଥମ ପାଳି: ୧୦୮ ଓଭରରେ-୫୨୩/୭ (ଗୋବିନ୍ଦ ପୋଦ୍ଦାର-୧୨୧, ରାଜେଶ ଧୂପର-୮୦*, ସ୍ବସ୍ତିକ ସାମଲ-୮୦, ସନ୍ଦୀପ ପଟ୍ଟନାୟକ-୭୮, କାର୍ତ୍ତିକ ବିଶ୍ବାଳ-୬୮, ନାଫେସ ସିଦ୍ଦିକ୍‌-୩/୭୮, ଆକାଶ ଚୌଧୁରୀ-୨/୧୧୨)।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.