Breaking News

ରଣଜୀ ଟ୍ରଫି: ଶେଷ ଦିନ ୱିକେଟ୍‌ଶୂନ୍ୟ, ଓଡ଼ିଶା ଶୂନ, ଲଜ୍ଜାଜନକ ପରାଜୟ ସହ ଓଡ଼ିଶାର ଅଭିଯାନ ଷଷ୍ଠରେ ଶେଷ

ଏକ ଲଜ୍ଜାଜନକ ପରାଜୟ ସହ ଓଡ଼ିଶା‌ ନିଜ ୨୦୨୪-୨୫ ରଣଜୀ ଋତୁକୁ ଶେଷ କରିଛି। ସର୍ଭିସେସ୍ ସମ୍ମୁଖରେ ୩୭୬ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ଭ୍ରମଣକାରୀ ଦଳ ଆଶ୍ଚର୍ଯ୍ୟଜନକ ଭାବେ କୌଣସି ୱିକେଟ୍‌ ନହରାଇ ଏହି ଲକ୍ଷ୍ୟରେ ପହଞ୍ଚିଯାଇଛି।

ଭୁବନେଶ୍ବର: ଏକ ଲଜ୍ଜାଜନକ ପରାଜୟ ସହ ଓଡ଼ିଶା‌ ନିଜ ୨୦୨୪-୨୫ ରଣଜୀ ଋତୁକୁ ଶେଷ କରିଛି। ସର୍ଭିସେସ୍ ସମ୍ମୁଖରେ ୩୭୬ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ଭ୍ରମଣକାରୀ ଦଳ ଆଶ୍ଚର୍ଯ୍ୟଜନକ ଭାବେ କୌଣସି ୱିକେଟ୍‌ ନହରାଇ ଏହି ଲକ୍ଷ୍ୟରେ ପହଞ୍ଚିଯାଇଛି। କେବଳ ଶେଷ ଦିନରେ ଦଳକୁ ୩୩୦ ରନ୍ ଆବଶ୍ୟକ ଥିବାବେଳେ ପ୍ରାରମ୍ଭିକ ଯୋଡ଼ି ଶୁଭମ୍‌ ରୋହିଲା (୨୦୯* ରନ୍‌, ୨୭୦ ବଲ୍‌, ୩୦ ଚୌକା) ଏବଂ ସୂରଜ ବଶିଷ୍ଠ (୧୫୪* ରନ୍‌, ୨୪୬ ବଲ୍‌, ୧୫ ଚୌକା, ୧ ଛକା) ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଏଥି ସହିତ ଓଡ଼ିଶା ଏକ ଆଲୋଡ଼ା ରେକର୍ଡ ବରଣ କରିଛି। ଗତ ମ୍ୟାଚ୍‌ ହିରୋ ଦ୍ରୁତ ବୋଲର ତାପସ ଦାସ ଆହତ (ହାର୍ମଷ୍ଟ୍ରିଙ୍ଗ୍‌) କାରଣରୁ ‌ପଡ଼ିଆକୁ ଆଦୌ ଆସି ନପାରିବା ଓଡ଼ିଶାକୁ ଅଧିକ ଅଡ଼ୁଆରେ ପକାଇଥିଲା। ଡ୍ରିମ୍ସ ପିଚ୍ କ୍ରମେ ପଟ୍ଟା ହୋଇଯିବାରୁ ସର୍ଭିସେସ୍ ପ୍ରାରମ୍ଭି‌କ ଯୋଡ଼ିକୁ ଓଡ଼ିଶାର‌ କୌଣସି ବୋଲର ଅସୁବିଧାରେ ପକାଇପାରି ନଥିଲେ। ଫଳରେ ପ୍ରଥମ ପାଳି ପଛରେ ପଡ଼ିଥିବାରୁ ଅନ୍ୟୂନ ଗୋଟିଏ ପଏଣ୍ଟ୍‌ ପକେଟସ୍ଥ କରିବା ବି ଓଡ଼ିଶା ପାଇଁ ସମ୍ଭବ ହୋଇ ନଥିଲା। ଅନ୍ୟପକ୍ଷରେ ସର୍ଭିସେସ୍‌ ସମ୍ପୂର୍ଣ୍ଣ ୭ ପଏଣ୍ଟ ସହ ପଏଣ୍ଟ୍ ଟେବୁଲ୍‌ର ଚତୁର୍ଥକୁ ଉଠି ଅଭିଯାନ ଶେ‌ଷ କରିଛନ୍ତି। ଓଡ଼ିଶା ବିପକ୍ଷରେ ଏହା ସର୍ଭିସେସ୍‌ର ପଞ୍ଚମ ମୁକାବିଲାରେ ପ୍ରଥମ ବିଜୟ। ନିଜ ପଞ୍ଚମ ଶତକକୁ ଶ୍ରେଷ୍ଠ ପାଳିରେ ପରିଣତ କରିଥିବା ଶୁଭମ ରୋହିଲା ମ୍ୟାଚ୍‌ର ଶ୍ରେଷ୍ଠ ପୁରସ୍କାର ମଧ୍ୟ ପାଇଥିଲେ। ଓଡ଼ିଶା ୭ ମ୍ୟାଚ୍‌ରୁ ୨ ବିଜୟ ସହ ୧୭ ପଏଣ୍ଟ୍‌ ପାଇ ଏଲିଟ୍‌ ଗ୍ରୁପ୍‌-ଏ’ରେ ଷଷ୍ଠରେ ରହି ଅଭିଯାନ ଶେ‌ଷ କରିଛି।

ସଂକ୍ଷିପ୍ତ‌ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୮୦ (ରାଜେଶ ମହାନ୍ତି-୬୦, ଆଶୀର୍ବାଦ ସ୍ବାଇଁ-୨୮, ପୁନମ ପୁନିଆ-୪/୩୩, ଜୟନ୍ତ ଗୋୟତ-୩/୩୩)। ସର୍ଭିସେସ୍ ପ୍ରଥମ ପାଳି: ୫୪.୪ ଓଭରରେ ୧୯୯ (ରବି ଚୌହାନ-୧୨୦, ସୂରଜ ବଶିଷ୍ଟ-୨୪, ରାଜେଶ ମହାନ୍ତି-୫/୬୮, ତାପସ ଦାସ-୩/୫୭, ସୁନିଲ ରାଉଳ-୨/୫୭)। ଓଡ଼ିଶା ଦ୍ବିତୀୟ ପାଳି: ୧୧୮.୩ ଓଭରରେ ୩୯୪/୧୦ (ଅନିଲ ପରିଡ଼ା-୯୯*, ଆଶୀର୍ବାଦ ସ୍ବାଇଁ-୭୭, ରାଜେଶ ଧୂପର-୬୬, ରାଜେଶ ମହାନ୍ତି-୪୦, ଅମିତ ଶୁକ୍ଳା-୩/୬୦, ଜୟନ୍ତ ଗୋୟତ-୨/୭୬, ପୁଲକିତ ନାରଙ୍ଗ-୨/୧୦୫, ଅର୍ଜୁନ ଶର୍ମା-୧/୩୧, ବରୁଣ ଚୌଧୁରୀ-୧/୭୩)। ସର୍ଭିସେସ୍ ଦ୍ବିତୀୟ ପାଳି (ଲକ୍ଷ୍ୟ ୩୭୬): ୮୫.୪ ଓଭରରେ ୩୭୬/୦ (ଶୁଭମ ରୋହିଲା-୨୦୯*, ସୂରଜ ବଶିଷ୍ଠ-୧୫୪*)।

ଦ୍ବିତୀୟ ସର୍ବୋଚ୍ଚ ପଶ୍ଚାତଧାବନ
ଓଡ଼ିଶା ବିପକ୍ଷରେ ୩୭୬ ରନ୍ ବିଜୟ ଲକ୍ଷ୍ୟକୁ ସଫଳତାର ସହ ପଶ୍ଚାତଧାବନ କରି ସର୍ଭିସେସ୍‌ ଭାରତୀୟ କ୍ରିକେଟ୍‌ ଇତିହାସରେ ନିଜ ନାମକୁ ଲିପିବଦ୍ଧ କରିଛି। ଏହା ରଣଜୀ ଟ୍ରଫି ଇତିହାସର ସଫଳ ପଶ୍ଚାତଧାବନରେ ଦ୍ବିତୀୟ ସର୍ବୋଚ୍ଚ ହୋଇଛି। ସଂଯୋଗବଶତଃ ଗତବର୍ଷ ଅନ୍ୟତମ ଶେଷ ଲିଗ୍‌ ମ୍ୟାଚ୍‌ରେ ତ୍ରିପୁରା ବିପକ୍ଷରେ ରେଳବାଇ ୩୭୮/୫ ସ୍କୋର୍ ସହ ବିଜୟୀ ହୋଇଥିଲା। ଅଗରତାଲାର ଏମ୍‌ବିବି ଷ୍ଟାଡିୟମ୍‌ରେ ଏହା ଖେଳାଯାଇଥିଲା। ଉଭୟ ଥର ଘରୋଇ ଦଳ ପରାଜିତ ହେବା ଏବଂ ବୃତ୍ତିଗତ ସଂସ୍ଥା ଦଳ ବିଜୟୀ ହେବା ମଧ୍ୟ ଆଉ ଦୁଇଟି ସଂଯୋଗ ହୋଇଛି। ଓଡ଼ିଶା ବିପକ୍ଷରେ ମଧ୍ୟ ଏହା ସର୍ବୋଚ୍ଚ ଚତୁର୍ଥ ପାଳି ସ୍କୋର୍‌ ହୋଇଛି। ପୂର୍ବରୁ ବାରବାଟୀରେ ୨୦୦୩-୦୪ରେ ମଧ୍ୟପ୍ରଦେଶ ଚତୁର୍ଥ ପାଳିରେ ୩୧୫/୫ ଏବଂ ଅମତାର୍‌ର ଅଟଳ ବିହା‌ରୀ ବାଜପେୟୀ ଷ୍ଟାଡିୟମ୍‌ରେ ହିମାଚଳପ୍ରଦେଶ ୩୧୦/୭ ସ୍କୋର୍ କରି ଶୀର୍ଷ ଦୁଇ ସ୍ଥାନରେ ଥିଲେ। ଏବେ ସର୍ଭିସେସ୍‌ (୩୭୬/୦, ଡ୍ରିମ୍ସ, ଟାଙ୍ଗୀ) ଶୀର୍ଷକୁ ଉଠିଯାଇଛି।

ଅନିଲଙ୍କ ରେକର୍ଡ ଓ ପ୍ରଶଂସା
ଓଡ଼ିଶାର ଯୁବ ବ୍ୟାଟର୍ ଅନିଲ ପରିଡ଼ାଙ୍କୁ ଏବେ ପ୍ରଶଂସାରେ ପୋତିଛନ୍ତି ସାଥୀ ଖେଳାଳି ଓ ପ୍ରଶିକ୍ଷକ। ମାତ୍ର ଗୋଟିଏ ରନ୍ ପାଇଁ ପଦାର୍ପଣ ରଣଜୀ ମ୍ୟାଚ୍‌ରେ ଶତକରୁ ବଞ୍ଚିତ ରହିଥିବା ଅନିଲ ଜଣେ ପରିପକ୍ବ ବ୍ୟାଟର୍ ଭଳି ଖେଳିଥିଲେ। କିନ୍ତୁ ଏହି ପାଳି ପୂର୍ବରୁ ତାଙ୍କୁ ଜଣେ ଚମତ୍କାର କ୍ଷେତ୍ରରକ୍ଷକ ଭାବେ ଉଚ୍ଚ ପ୍ରଶଂସା କରିଥ‌ିଲେ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ସହକାରୀ ପ୍ରଶିକ୍ଷକ ଅବକାଶ ଖଟୁଆ। ଅନିଲଙ୍କ ସମ୍ପର୍କରେ ପଚାରୁ ପଚାରୁ ଗୋବିନ୍ଦ କହିଥିଲେ ସେ ନିଶ୍ଚିତ ଭାବେ ଜଣେ ଭଲ ବ୍ୟାଟର୍‌ କିନ୍ତୁ ସାଧାରଣ ଫିଲ୍ଡର ନୁହେଁ ଉଲ୍ଲେଖନୀୟ ଫିଲ୍ଡର। ତାଙ୍କ ଫିଟ୍‌ନେସ୍ ବି ଭଲ, ଆଗକୁ ନିଶ୍ଚିତ ଭଲ କରିବ। ସମାନ କଥା ବି କହିଥିଲେ ଅବକାଶ। ଫିଟ୍‌ନେସ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଥିବା ବେଳେ ଅନିଲ ଏ‌ କ୍ଷେତ୍ରରେ ଅନ୍ୟମାନଙ୍କଠାରୁ ଢେର୍‌ ଆଗରେ ରହିବେ। ପଦାର୍ପଣ ମ୍ୟାଚ୍‌ରେ ତାଙ୍କ ବ୍ୟାଟିଂ ପୂର୍ବରୁ ଆମେ ପଡ଼ିଆରେ ତାଙ୍କ ଫୂର୍ତ୍ତିପଣ ଓ କ୍ଷେତ୍ରରକ୍ଷଣ ଦେଖିସାରିଛୁ ବୋଲି କହିଥିଲେ ଏହି ପୂର୍ବତନ ଖେଳାଳି। ସୂଚନାଯୋଗ୍ୟ, କୌଣସି ଅଲ୍ଆଉଟ୍‌ ଓଡ଼ିଶା ପାଳିରେ ଜଣେ ୯୯ ରନ୍‌ରେ ଅପରାଜିତ ରହିବାରେ ଅନିଲ ପ୍ରଥମ ହୋଇଛନ୍ତି। କେବଳ ସର୍ଭିସେସ୍ ବିପକ୍ଷ ମ୍ୟାଚ୍‌ ଦେଖିଲେ ଦେବାଶିଷ ମହାନ୍ତି (୯୭) ମାତ୍ର ୩ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ସେଥର ଦେବାଶିଷ ନିଜେ ରନ୍ ଆଉଟ୍ ହୋଇଯାଇଥିବା ବେଳେ ଏଥର ଅନିଲ ନିଜ ସାଥୀଙ୍କୁ ରନ୍‌ ଆଉଟ୍ ରୂପରେ ହରାଇଛନ୍ତି। ଓଡ଼ିଶା ବିପକ୍ଷରେ କିନ୍ତୁ ୩ ଜଣ ବ୍ୟାଟର୍‌ ଏଭଳି ପରିସ୍ଥିତିରେ ଅପରାଜିତ ରହିଥିଲେ। ସୌରାଷ୍ଟ୍ରର ଚିରାଗ ଜାନୀ (ବାରବାଟୀ ଷ୍ଟାଡିୟମ୍‌, ୨୦୧୪-୧୫), ହାଇଦ୍ରାବାଦର ଅଭିନବ କୁମାର (ବାରବାଟୀ ଷ୍ଟାଡିୟମ୍‌, ୨୦୦୮-୦୯) ଏବଂ ବେଙ୍ଗଲର ଶ୍ୟାମ ସୁନ୍ଦର ମିତ୍ର (ଇଡେନ୍ ଗାର୍ଡେନ୍ସ, ୧୯୭୦-୭୧) ମଧ୍ୟ ୯୯*ରେ ଅଟକିଯାଇଥିଲେ ଅଲ୍ଆଉଟ୍ ପାଳିରେ।

ରଜତଙ୍କ ଶତକୀୟ ମ୍ୟାଚ୍‌
ସର୍ଭିସେସ୍ ଅଧିନାୟକ ରଜତ ପାଲିୱାଲ୍‌ଙ୍କ ପାଇଁ ଡ୍ରିମ୍ସ ଗ୍ରାଉଣ୍ଡ୍‌ ସ୍ମରଣୀୟ ରହିବ। ନିଜ ୧୦୦ତମ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ତାଙ୍କୁ ସାଥି ଖେଳାଳି ଏକ ଅପୂର୍ବ ବିଜୟ ଦେଇଛନ୍ତି। ୩୩ ବର୍ଷୀୟ ଏହି ସୋନେପତ ବ୍ୟାଟର୍‌ ନିଜ ଅଢ଼େଇ ଦଶନ୍ଧିର ଖେଳ ଜୀବନରେ ରଜତ ଓଡ଼ିଶା ବିପକ୍ଷ ମ୍ୟାଚ୍‌ ତାଙ୍କ ୧୦୦ତମ ହୋଇଛି। ଯେଉଁଥିରେ ୯୨ ରଣଜୀ ଟ୍ରଫି ମ୍ୟାଚ୍‌ ସାମିଲ ରହିଥିଲା। ପ୍ରଦର୍ଶନ ଦୃଷ୍ଟିରୁ କିନ୍ତୁ ରଜତଙ୍କୁ ପ୍ରଥମ ପାଳିରେ ସୁନିଲ ରାଉଳ ଶୂନରେ ଆଉଟ୍ କରିଥିବାରୁ ସେ ତିକ୍ତ ଅନୁଭୂତି ପାଇଛନ୍ତି। ୧୦୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ରଜତ ୨୦ ଶତକ ସହ ୬୬୪୯ ରନ୍ ସଂଗ୍ରହ କରିଛନ୍ତି। ସର୍ବୋଚ୍ଚ ପାଳି ରହିଛି ୨୦୩ ରନ୍। ସାମୟିକ ଅଫସ୍ପିନ୍ ବୋଲିଂ କରୁଥିବା ରଜତ ୨୩ ୱିକେଟ୍‌ ମଧ୍ୟ ନେଇଛନ୍ତି। ରଣଜୀ ଟ୍ରଫିରେ ସେ ହରିୟାଣା ଓ ସର୍ଭିସେସ୍‌ର ପ୍ରତିନିଧିତ୍ବ କରିଥିବାବେଳେ ଜୋନାଲ୍ ପ୍ରତିଯୋଗିତାରେ ଉତ୍ତରାଞ୍ଚଳ ପାଇଁ ଖେଳିଛନ୍ତି। ୨୦୧୧ରୁ ‌ଘରୋଇ କ୍ରିକେଟ୍‌ ଖେଳ ଜୀବନ ଆରମ୍ଭ କରିଥିବା ରଜତ ୮୪ଟି ଲିଷ୍ଟ୍-ଏ ଏବଂ ୬୬ଟି ଟ୍ବେଣ୍ଟି-୨୦ ବି ଖେଳିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.