Breaking News

ରାଜକିଶୋର ନାୟକ ଥିଲେ ଦେଶପ୍ରେମୀ ସନ୍ଥ

ଏବେ ଆମ ସାମାଜିକ ବ୍ୟବସ୍ଥା ଖୁବ୍ ଦୂଷିତ ଓ କଳୁଷିତ। ସାଂସ୍କୃତିକ ଅବକ୍ଷୟ ସହିତ ମାନବିକ ମୂଲ୍ୟବୋଧ ଦୁଃସ୍ଥିତିରେ। ସେବା, ତ୍ୟାଗ, ପରୋପକାର ଏବେ ସବୁ ଲୋକ ଦେଖାଣିଆ ଓ ବ୍ୟବସାୟୀକରଣ ହୋଇପଡ଼ିଲାଣି।

ନିରାକାର ଦାସ

ଏବେ ଆମ ସାମାଜିକ ବ୍ୟବସ୍ଥା ଖୁବ୍ ଦୂଷିତ ଓ କଳୁଷିତ। ସାଂସ୍କୃତିକ ଅବକ୍ଷୟ ସହିତ ମାନବିକ ମୂଲ୍ୟବୋଧ ଦୁଃସ୍ଥିତିରେ। ସେବା, ତ୍ୟାଗ, ପରୋପକାର ଏବେ ସବୁ ଲୋକ ଦେଖାଣିଆ ଓ ବ୍ୟବସାୟୀକରଣ ହୋଇପଡ଼ିଲାଣି। ନୈତିକ ଅଧୋପତନ ଓ ଯାନ୍ତ୍ରିକତାର ଶିକାର ଏବେ ଯୁବ ସମାଜ। ଏଭଳି ଏକ ସଙ୍କଟମୟ ପରିସ୍ଥିତିରେ ପାଟକୁରାର ଗାନ୍ଧୀ ଭାବେ ସୁଖ୍ୟାତ ମହାନ ଦେଶସେବୀ ଓ ରାଜନୈତିକ ସନ୍ଥ ସ୍ୱର୍ଗତ ରାଜକିଶୋର ନାୟକଙ୍କ ସେବା, ତ୍ୟାଗ ଓ ପରୋପକାରର ଉତ୍ସର୍ଗୀକୃତ ଜୀବନଚର୍ଯ୍ୟା, ଧର୍ମାନ୍ଧତା ଓ କୁସଂସ୍କାରରେ ପତିତ ଆଜିର ଯୁବସମାଜକୁ ନିଶ୍ଚିତ ପ୍ରେରଣା ଯୋଗାଇବ। ଆଜୀବନ ସ୍ୱେଚ୍ଛାଗତ ଦାରିଦ୍ର୍ୟ ବରଣ କରିନେଇଥିବା ଏହି ଯୋଗୀ ପୁରୁଷ କେତେବେଳେ କେଉଁ ଗରିବ ମେଧାବୀ ଛାତ୍ରକୁ ପାଠ ପଢ଼ିବା ପାଇଁ ନିଜ ପତ୍ନୀଙ୍କ ଅଳଙ୍କାର ବିକ୍ରି କରିଦେବା ହେଉ କି ନିଜ ଅଂଚଳର ଦଳିତ ନିଷ୍ପେଷିତ ମଣିଷଙ୍କୁ ଆର୍ଥିକ, ମାନସିକ ସହାୟତା ହେଉ ନିଜକୁ ସମର୍ପିତ କରିଦେଇଥିଲେ ସାମାଜିକ କଲ୍ୟାଣ କାର୍ଯ୍ୟରେ। ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭୂଦାନ ଆନ୍ଦୋଳନର ସର୍ବମୟକର୍ତ୍ତା ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ରାଜକିଶୋର ରେଭେନ୍‌ସା କଲେଜରେ ପଢୁଥିବା ସମୟରୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଅଣ୍ଡରଗ୍ରାଉଣ୍ଡରେ ରହି ଓଡ଼ିଶାର ମହାମାନ୍ୟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ମା’ ରମାଦେବୀ ଇତ୍ୟାଦି ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ସହ କାର୍ଯ୍ୟ କରିଛନ୍ତି। ଗାନ୍ଧୀଜୀଙ୍କ ‘ଅପରିଗ୍ରହ’ ଚିନ୍ତା ଚେତନାକୁ ନିଜ ଜୀବନତମାମ ପାଳନ କରିଥିବା ଏହି ମହାପୁରୁଷ ଦେହରେ ଖଣ୍ଡେ ଖଦଡ଼ ଚାଦର ଓ ଖଣ୍ଡେ ଧୋତି ପିନ୍ଧି ଜୀବନର ସମସ୍ତ ବିଳାସବ୍ୟସନକୁ ତ୍ୟାଗ କରି ଏକ ସ୍ୱତନ୍ତ୍ର ଆଦର୍ଶ ପ୍ରତିଷ୍ଠା କରିଥିଲେ।

ଭୋଗବାଦୀ ସଂସ୍କୃତି ଓ ସାମନ୍ତବାଦୀ ବ୍ୟବସ୍ଥାର ଘୋର ବିରୋଧୀ ରାଜ କିଶୋର ବିବାହ କରିବାକୁ ପାଲିଙ୍କି ଛାଡ଼ି ଚାଲି ଚାଲି ଯିବା ସହ ବାଜା, ବାଣ, ରୋଶଣି, ଯାନିଯୌତୁକକୁ ପ୍ରତ୍ୟାଖ୍ୟାନ କରି ସମାଜ ସଂସ୍କାରର ନବଦିଗନ୍ତ ସୃଷ୍ଟି କରି ସାଧାରଣ ମଣିଷଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲେ। ପାଟକୁରା ହାଇସ୍କୁଲରେ ଜଣେ ନିଷ୍ଠାପର ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ ବହୁ ସୁନାମ ଅର୍ଜନ କରିଥିଲେ। ଏହି ନିଷ୍ଠାବାନ ଓ ଚରିତ୍ରବାନ ଯୁବକ ରାଜକିଶୋର ୧୯୬୬ ମସିହା ଅକ୍‌ଟୋବର ୧ ତାରିଖରେ ସରକାରୀ ଶିକ୍ଷକ ପଦରୁ ଇସ୍ତଫା ଦେଇ ନିଜକୁ ଦରିଦ୍ର ନାରାୟଣ ସେବା ଓ ରାଜନୀତିରେ ସମ୍ପୂର୍ଣ୍ଣ ନିୟୋଜିତ କଲେ। ପାଟକୁରା ଓ ପାଟକୁରାବାସୀଙ୍କ ସେବାରେ ସମସ୍ତ ସମୟ ପ୍ରଦାନ କଲେ। ୧୯୭୦ ମସିହାରେ ପାଟକୁରା ପଂଚାୟତ ସମିତି ଚେୟାରମ୍ୟାନ୍‌, ୧୯୭୧ ଓ ୭୪ ଦୁଇ ଦୁଇଥର ପାଟକୁରାର ବିଧାୟକ ଓ ଦୁଇଥର ଖଦି ବୋର୍ଡର ଅଧ୍ୟକ୍ଷ ପଦ ଅତି ନିଷ୍ଠା ଓ ସ୍ୱଚ୍ଛତାର ସହ ନିର୍ବାହ କରିଥିଲେ, ଯାହା ଏବେ ବି ଆମ ପାଇଁ ଉଦାହରଣ ହୋଇ ରହିଛି। ଏହି ରାଜନୈତିକ ପଦ ତାଙ୍କ ନିଷ୍ଠା, ନୈତିକତା ଓ ସ୍ୱଚ୍ଛତାରେ ତିଳେମାତ୍ର କାଳିମା ସ୍ପର୍ଶ କରିପାରି ନ ଥିଲା। ସେ ଥିଲେ ରାଜନୈତିକ ସନ୍ଥ। ବିଧାୟକ ଥାଇ ଜଣେ ସନ୍ନ୍ୟାସୀ ପରି ଜୀବନଯାପନ କରିବା ଏବେ ସ୍ୱପ୍ନ ପରି ଲାଗୁଥାଇପାରେ, ମାତ୍ର ତାହାକୁ ନିଜ ଜୀବନରେ ପାଳନ କରି ସେ ଦେଖାଇଥିଲେ। ବିଧାୟକ ଭାବେ ହାରିବା ଜିତିବା ତାଙ୍କୁ ଜମା ପ୍ରଭାବିତ କରୁ ନ ଥିଲା। ଅସୁରେଶ୍ୱର ଗୋରକ୍ଷଣୀ ହେଉଛି ତାଙ୍କ ଦୟା ଓ କରୁଣାର ପ୍ରତିବିମ୍ବ। ଗାଈ ଓ ବଳଦମାନେ ବୁଢ଼ା ଓ ହଡ଼ା ହୋଇଗଲା ପରେ ତାଙ୍କୁ ଆମ ସମାଜରେ ଅତି ଦୟନୀୟ ଅବସ୍ଥାରେ ମରିବାକୁ ଛାଡ଼ିଦେଇଥାନ୍ତି ଯାହାକୁ ପିଲାବେଳୁ ଦେଖି ଦେଖି ରାଜକିଶୋରଙ୍କ ହୃଦୟ ବିଗଳିତ ହୋଇ ଉଠୁଥିଲା, ମନ କରୁଣାରେ ଭରି ଯାଉଥିଲା। ତାଙ୍କର ସେହି ସ୍ୱପ୍ନକୁ ସାକାର କରିବାକୁ ଏହି ନିଃସହାୟ ଗୋରୁଗାଈଙ୍କୁ ଉଠେଇ ଆଣି ଗୋରକ୍ଷଣୀରେ ରଖି ତାଙ୍କର ସେବା ଶୁଶ୍ରୂଷା କରୁଥିଲେ ଏବଂ ଗଁା ଗଁା ବୁଲି ମୁଠିଚାଉଳ ସଂଗ୍ରହ କରି ସେମାନଙ୍କୁ ଖାଇବାର ବନ୍ଦୋବସ୍ତ କରୁଥିଲେ। ପଶୁପକ୍ଷୀମାନଙ୍କ ପ୍ରତି ତାଙ୍କର ସେବାଭାବ ଓ ସମାଜର ତଳସ୍ତରର ମଣିଷମାନଙ୍କ ପ୍ରତି ତାଙ୍କର ଦୟାଭାବ ତାଙ୍କୁ ଜଣେ ରାଜର୍ଷି ସ୍ତରକୁ ଉତ୍ତୀର୍ଣ୍ଣ କରିପାରିଥିଲା।

ଏହି ମହାନ ଜନସେବକ ସଂସ୍କାରୀ ସନ୍ଥ ୧୯୨୫ ମସିହା ନଭେମ୍ବର ମାସ କାର୍ତ୍ତିକ ପୂର୍ଣ୍ଣିମା ଦିନ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଅରିଲୋ ଗ୍ରାମରେ ବାଞ୍ଛାନିଧି ନାୟକ ଓ ସୁବାସୀ ଦେବୀଙ୍କ ତୃତୀୟ ସନ୍ତାନ ଭାବେ କୋଳମଣ୍ଡନ କରିଥିଲେ। ୨୦୧୦ ମସିହା ଜାନୁଆରି ୪ ତାରିଖ ଦିନ ପାଟକୁରାବାସୀଙ୍କ ସର୍ବପ୍ରିୟ ନେତା ଓ ମାଟିର ଗାନ୍ଧୀଙ୍କ ତିରୋଧାନ ହୋଇଥିଲା।
ରଘୁନାଥପୁର, ଭୁବନେଶ୍ୱର
ମୋ: ୯୪୩୭୦୧୩୧୩୯

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.