Breaking News

ରାଜକୋଟରେ ରନ୍‌ ବର୍ଷା: ଭାରତୀୟ ମହିଳା କ୍ରିକେଟ୍ ଦଳର ସର୍ବୋଚ୍ଚ ଦିନିକିଆ ସ୍କୋର୍

ରାଜକୋଟରେ ଭାରତୀୟ ମହିଳା କ୍ରିକେଟ୍ ଦଳ ରେକର୍ଡ ବର୍ଷା କରିଛି। ଦିନିକିଆ କ୍ରିକେଟ୍‌ର ଏକାଧିକ କୀର୍ତ୍ତିମାନକୁ ଭାଙ୍ଗି ଚୂରମାର୍ କରିଦେଇଛି ଟିମ୍ ଇଣ୍ଡିଆ। ସ୍ମୃତି ମନ୍ଧାନାଙ୍କ ଦଳ ଦିନିକିଆ ମହିଳା କ୍ରିକେଟ୍‌ରେ ନିଜର...

ରାଜକୋଟ: ରାଜକୋଟରେ ଭାରତୀୟ ମହିଳା କ୍ରିକେଟ୍ ଦଳ ରେକର୍ଡ ବର୍ଷା କରିଛି। ଦିନିକିଆ କ୍ରିକେଟ୍‌ର ଏକାଧିକ କୀର୍ତ୍ତିମାନକୁ ଭାଙ୍ଗି ଚୂରମାର୍ କରିଦେଇଛି ଟିମ୍ ଇଣ୍ଡିଆ। ସ୍ମୃତି ମନ୍ଧାନାଙ୍କ ଦଳ ଦିନିକିଆ ମହିଳା କ୍ରିକେଟ୍‌ରେ ନିଜର ସର୍ବୋଚ୍ଚ ଦଳଗତ ସ୍କୋର୍ କରିଥିଲା ବେଳେ ରନ୍ ବ୍ୟବଧାନରେ ନିଜର ସର୍ବବୃହତ୍ ବିଜୟ ହାସଲ କରିଛି। ସେହିଭଳି ଅଧିନାୟିକା ମନ୍ଧାନା ମହିଳା ଏକଦିବସୀୟ କ୍ରିକେଟ୍‌ରେ ଦ୍ରୁତତମ ଭାରତୀୟ ଶତକର କୀର୍ତ୍ତିମାନ କରିଛନ୍ତି। ନବାଗତ ପ୍ରତୀକା ରାୱଲ ମଧ୍ୟ କମାଲ କରି ନିଜ ପ୍ରଥମ ଶତକ ହାସଲ କରିଛନ୍ତି। ଏହି ଦୁଇ ଜଣଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ଆୟର୍ଲାଣ୍ଡକୁ ଭାରତ ୩୦୪ ରନ୍‌ର ବଡ଼ ବ୍ୟବଧାନରେ ହରାଇଛି। ଏହା କରି ଦଳ ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଛି। ଏହା ପୂର୍ବରୁ ୨୦୧୭ ମସିହାରେ ପୋଚେଫଷ୍ଟର୍ମଠାରେ ଭାରତ ସେହି ଆୟର୍ଲାଣ୍ଡକୁ ୨୪୯ ରନ୍‌ରେ ହରାଇଥିଲା। ଯାହା ଆଜିର ମ୍ୟାଚ୍ ପୂର୍ବରୁ ରନ୍ ବ୍ୟବଧାନରେ ଭାରତର ସର୍ବବୃହତ୍ ବିଜୟ ହୋଇ ରହିଥିଲା। ଆଜି ଭାରତ ୫ ୱିକେଟ୍ ବିନିମୟରେ ୪୩୫ ରନ୍‌ର ବିଶାଳ ସ୍କୋର୍ କରିଥିଲା। ଏହାର ଜବାବରେ ଆୟର୍ଲାଣ୍ଡ ଆରମ୍ଭରୁ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୧.୪ ଓଭରରେ ମାତ୍ର ୧୩୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ଭାରତୀୟ ମହିଳା କ୍ରିକେଟ୍ ଦଳର ସର୍ବୋଚ୍ଚ ଦିନିକିଆ ସ୍କୋର୍  
ରନ୍ ବ୍ୟବଧାନରେ ସର୍ବବୃହତ୍  ବିଜୟ, ମନ୍ଧାନାଙ୍କ ଦ୍ରୁତତମ ଭାରତୀୟ ଶତକ
ପ୍ରତୀକାଙ୍କ ପ୍ରଥମ ଶତକ, ୩-୦ରେ ଆୟର୍ଲାଣ୍ଡ ମୂଳପୋଛ

ଏହି ଐତିହାସିକ ପ୍ରଦର୍ଶନ ପରେ ଭାରତୀୟ ଦଳକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଏହି ନିଷ୍ପତ୍ତିକୁ ସାର୍ଥକ କରି ମନ୍ଧାନା ଓ ପ୍ରତୀକା ପ୍ରଥମ ୱିକେଟ୍‌ରେ ମାତ୍ର ୨୬.୪ ଓଭରରୁ ଦ୍ରୁତ ୨୩୩ ରନ୍ ଅମଳ କରିଥିଲେ। ଏହା ହେଉଛି ଭାରତୀୟ କ୍ରିକେଟ୍ ଦଳର ତୃତୀୟ ସର୍ବବୃହତ୍ ଭାଗୀଦାରି। ୱିକେଟ୍‌କିପର୍‌ ରିଚା ଘୋଷ ମଧ୍ୟ ୫୯ ରନ୍‌ର ଉଲ୍ଲେଖନୀୟ ଅବଦାନ ରଖିଥିଲେ। ମନ୍ଧାନା ଚିରାଚରିତ ଭାବେ ଆୟର୍ଲାଣ୍ଡ  ବୋଲରଙ୍କୁ ନିର୍ଧୂମ ଧୂଲେଇ କରି ମାତ୍ର ୭୦ ବଲ୍‌ରୁ ୯ ଚୌକା, ୪ ଛକା ବଳରେ ଶତକ ଅର୍ଜନ କରିଥିଲେ। ଏହା କରି ସେ ହର୍ମନପ୍ରୀତ୍ କୌରଙ୍କ ଦ୍ରୁତତମ ଭାରତୀୟ ଶତକ (୮୭ ବଲ୍)କୁ ଟପିଥିଲେ। ଅନ୍ୟପକ୍ଷରେ ନିଜ ଷଷ୍ଠ ମୁକାବିଲା ଖେଳୁଥିବା ପ୍ରତୀକା ଅପେକ୍ଷ‌ାକୃତ ମନ୍ଥର ଖେଳି ୧୦୦ ବଲ୍‌ରୁ ଶତକ ଛୁଇଁଥି‌ଲେ। ତେବେ ପରେ ନିଜ ଷ୍ଟ୍ରାଇକ୍ ରେଟ୍‌କୁ ଯଥେଷ୍ଟ ବଢ଼ାଇ ୧୨୯ ବଲ୍‌ରୁ ୧୫୪ ରନ୍‌ର ସ୍ମରଣୀୟ ପାଳି ‌ଖେଳିଥିଲେ। ଯାହା ହେଉଛି ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍। ଏହା ମଧ୍ୟ ଭାରତୀୟ ମହିଳା କ୍ରିକେଟ୍‌ରେ ଦୀପ୍ତି ଶର୍ମା (୧୮୮) ଓ ହର୍ମନପ୍ରୀତ୍ (୧୭୧*)ଙ୍କ ପରେ ତୃତୀୟ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌। ନିଜ ଦଶମ ଶତକ ହାସଲ କରିଥିବା ମନ୍ଧାନା ୮୦ ବଲ୍‌ରୁ ୧୩୫ ରନ୍‌ର ଧମାକାଦାର ପାଳି ଖେଳିଥିଲେ। ତେବେ ପ୍ରତୀକା ତାଙ୍କ ଲମ୍ବା ପାଳି ସହ ପୂରା ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି (୩୧୦ ରନ୍) ବିବେଚିତ ‌ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍: ଭାରତ ୫୦ ଓଭରରେ-୪୩୫/୫ (ପ୍ରତୀକା ରାୱଲ ୧୫୪, ସ୍ମୃତି ମନ୍ଧାନା ୧୩୫, ରିଚା ଘୋଷ ୫୯, ଓର୍ଲା ପ୍ରେଣ୍ଡରଗାଷ୍ଟ ୨/୭୧)। ଆୟର୍ଲାଣ୍ଡ ୩୧.୪ ଓଭରରେ-୧୩୧ (ସାରା ଫୋର୍ବସ ୪୧, ଓର୍ଲା ପ୍ରେଣ୍ଡରଗାଷ୍ଟ ୩୬, ଦୀପ୍ତ ଶର୍ମା ୩/୨୭, ତନୁଜା କନୱର ୨/୩୧)।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.