Breaking News

ରାଜଧାନୀରେ ଛୁଟିଲା ମଦ ବନ୍ୟା

ନୂଆବର୍ଷକୁ ସ୍ବାଗତ କରିବା ପାଇଁ କିଏ କେତେ ପ୍ରକାର ପନ୍ଥା ଆପଣାଉଛି। କିଏ ପରିବାର ସହ ଛୁଟି କଟାଇବ‌ାକୁ ବାହାରକୁ ଯାଉଛି ତ କିଏ ପୁଣି ଘରେ ଭୋଜିଭାତ କରି ସମ୍ପର୍କୀୟଙ୍କୁ ଆପ୍ୟାୟିତ କରୁଛନ୍ତି, ଆଉ କିଏ ଘରେ ବସି ସିନେମା ଦେଖୁଛି।

ଖଣ୍ଡଗିରି: ନୂଆବର୍ଷକୁ ସ୍ବାଗତ କରିବା ପାଇଁ କିଏ କେତେ ପ୍ରକାର ପନ୍ଥା ଆପଣାଉଛି। କିଏ ପରିବାର ସହ ଛୁଟି କଟାଇବ‌ାକୁ ବାହାରକୁ ଯାଉଛି ତ କିଏ ପୁଣି ଘରେ ଭୋଜିଭାତ କରି ସମ୍ପର୍କୀୟଙ୍କୁ ଆପ୍ୟାୟିତ କରୁଛନ୍ତି, ଆଉ କିଏ ଘରେ ବସି ସିନେମା ଦେଖୁଛି। ତେବେ ବର୍ତ୍ତମାନ ନୂଆବର୍ଷ ପାଳନ ପାଇଁ ଏକ ନୂଆ ତରିକା ଦେଖିବାକୁ ମିଳିଛି। ନୂଆବର୍ଷ ପାଳନ ପାଇଁ କିଛି ଲୋକ ଏବେ ମଦର ସାହାରା ନେଉଛନ୍ତି। ଜିରୋନାଇଟ୍‌ ପାଳନ ପାଇଁ କେବଳ ଡିସେମ୍ବର ୩୧ ତାରିଖ ଦିନ ପ୍ରାୟ ୧୮କୋଟି ଟଙ୍କାର ମଦ ବେପାର ହୋଇଥିବା ଜଣାପଡ଼ିଛି। ଯାହାକି ସାଧାରଣ ଦିନମାନଙ୍କରେ ହେଉଥିବା ବ୍ୟବସାୟର ଦେଢ଼ଗୁଣା। ଏତେ ପରିମାଣର ମଦ ବିକ୍ରି ଦେଖି ଅବକାରୀ ବିଭାଗ ତାଜୁବ। ରାଜଧାନୀରେ ମଦବିକ୍ରି ହୁ ହୁ ହୋଇ ବଢ଼ିଚାଲିଥିବା ଏଥିରୁ ସ୍ପଷ୍ଟ ହେଉଛି।

ସୂଚନାଯୋଗ୍ୟ, ଭୁବନେଶ୍ବର ଅବକାରୀ ଜିଲ୍ଲା ଅଧୀନରେ ଲାଇସେନ୍ସପ୍ରାପ୍ତ ୫୭ଟି ଠିପିବନ୍ଦ ଓ ୫୫ଟି ଠିପିଖୋଲା ମଦଦୋକାନ ସହିତ ୬ଟି ବିୟର୍‌ ପାର୍ଲର୍‌ ରହିଛି। ଏହାବାଦ୍‌ ୭୯ଟି ରେସ୍ତୋରାଁକୁ ମଦବିକ୍ରି ପାଇଁ ଲାଇସେନ୍ସ ମିଳିଛି। ଗତକାଲି ଓ ଆଜି ର‌ାଜଧାନୀର ସମସ୍ତ ମଦଦୋକାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଅନ୍ୟଦିନ ଅପେକ୍ଷା ବର୍ଷ ଶେଷ ଦିନରେ ଅଧିକ ମଦ ବିକ୍ରି ହୋଇଥାଏ। ବେଳେବେଳେ ଗୋଟିଏ ଦିନରେ ବିକ୍ରି ହେଉଥିବା ମଦର ପରିମାଣଠାରୁ ଦୁଇଗୁଣା ଅଧିକ ବ୍ୟବସାୟ ହୋଇଥାଏ। ଏଥିପାଇଁ ପୂର୍ବରୁ ଷ୍ଟକ୍‌ ରଖିବାକୁ ପଡ଼େ ବୋଲି ସମ୍ପୃକ୍ତ ବ୍ୟବସାୟୀ କହିଛନ୍ତି। ଜିରୋନାଇଟ୍‌ ଦିନ ଗୋଟିଏ ଠିପିବନ୍ଦ ମଦଦୋକାନ ଅନ୍ୟୂନ ୩୦ଲକ୍ଷ ଟଙ୍କାର ବେପାର କରିଥାଏ ବୋଲି ସେ କହିଛନ୍ତି। ଯଦି ଦୋକାନ ପିଛା ଅତିକମ୍‌ରେ ୨୦ଲକ୍ଷ ଟଙ୍କାର ବେପାର ହୁଏ ତେବେ କେବଳ ଠିପିବନ୍ଦ ମଦ ଦୋକନଗୁଡ଼ିକ ପାଖାପାଖି ୧୧କୋଟି ଟଙ୍କାର ବ୍ୟବସାୟ କରିଛନ୍ତି। ସେହିପରି ଠିପିଖୋଲା ମଦଦୋକାନ, ବିୟର୍‌ ପାର୍ଲର୍‌ରେ ମଧ୍ୟ ଅନ୍ୟଦିନ ତୁଳନାରେ ଯଥେଷ୍ଟ ମଦ ବିକ୍ରି ହୋଇଛି। ଅନୁରୂପ ଅବସ୍ଥା ରାଜଧାନୀରେ ଥିବା ରେସ୍ତୋରାଁରେ ମଧ୍ୟ ଦେଖିବାକୁ ମିଳିଛି। ବନ୍ଧୁ ଓ ସାଙ୍ଗସାଥୀ ମିଶି ପାର୍ଟି କରିବା ସହିତ ମଦ ବିକ୍ରି ମଧ୍ୟ ବଢ଼ିଛି। ନୂଆବର୍ଷ ପୂର୍ବରୁ କେବଳ ମଦ ଦୋକାନ ନୁହେଁ, ଦୋକାନ ବାହାରେ ଥିବା ଚାଖଣା ବ୍ୟବସାୟୀ ବି ଭଲ ଦୁଇପଇସା ରୋଜଗାର କରିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.