Breaking News

ରାଜଧାନୀରେ ବାଟବଣା ମହିଳା ସୁରକ୍ଷା ଯୋଜନା: ‘ହର୍‌ ଟିମ୍‌’ ଗାଏବ

ରାଜଧାନୀରେ କୌଣସି ସ୍ଥାନରେ କେହି ମହିଳାଙ୍କୁ କମେଣ୍ଟ ବା ଅଶ୍ଳୀଳ ଇଂଗିତ କଲେ କି ଗାଳି କଲେ, ଦୃଢ଼ କାର୍ଯ୍ୟାନୁ‌ଷ୍ଠାନ ନିଆଯିବ। କୌଣସି ପରିସ୍ଥିତିରେ ବି ମହିଳାଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ବରଦାସ୍ତ କରାଯିବ ନାହିଁ।

 ରାଜଧାନୀରେ ବାଟବଣା ମହିଳା ସୁରକ୍ଷା ଯୋଜନା: ‘ହର୍‌ ଟିମ୍‌’ ଗାଏବ

ଭୁବନେଶ୍ବର: ରାଜଧାନୀରେ କୌଣସି ସ୍ଥାନରେ କେହି ମହିଳାଙ୍କୁ କମେଣ୍ଟ ବା ଅଶ୍ଳୀଳ ଇଂଗିତ କଲେ କି ଗାଳି କଲେ, ଦୃଢ଼ କାର୍ଯ୍ୟାନୁ‌ଷ୍ଠାନ ନିଆଯିବ। କୌଣସି ପରିସ୍ଥିତିରେ ବି ମହିଳାଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ବରଦାସ୍ତ କରାଯିବ ନାହିଁ। ଏଥିପାଇଁ ୨୦୨୪ ଏପ୍ରିଲ୍‌ରେ ମହିଳା ସୁରକ୍ଷା ପାଇଁ ହାଇ ଏଫିସିଏନ୍‌ସି ରେସ୍‌ପନ୍ସ ବା  ‘ହର୍‌’ ଟିମ୍‌ ଗଠନ କରାଯାଇଥିଲା। ମାତ୍ର ଉଦ୍‌ବେଗର ବିଷୟ ଏବେ ସେହି ଟିମ୍‌ କୋମାରେ। ଏବେ ରାଜଧାନୀର ରାସ୍ତାଘାଟରେ ମହିଳାଙ୍କ ସୁରକ୍ଷା ବିପଜ୍ଜନକ ସ୍ଥିତିରେ ପହଞ୍ଚିଥିଲେ ହେଁ ହର୍‌ ଟିମ୍‌କୁ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ଏହି ଟିମ୍‌ ଏକପ୍ରକାର ନିଷ୍କ୍ରିୟ ‌ହୋଇଯାଇଛି। ଆଗ ଭଳି ଆଉ ହର୍‌ ଟିମ୍‌ର ଧରପଗଡ଼ ନାହିଁ। ଆରମ୍ଭରୁ ରାଜଧାନୀରେ ରୋଡ୍‌ ରୋମିଓଙ୍କୁ ସାବାଡ଼ କରି ହଇଚଇ ସୃଷ୍ଟି କରିଥିବା ‘ହର୍‌ ଟିମ୍‌’ ଏବେ ଯେମିତି ଗାଏବ ହୋଇଯାଇଛି।

ହାଇସିକ୍ୟୁରିଟି ଜୋନ୍‌ରେ ବି ମହିଳା ଅସୁରକ୍ଷିତ

ମଙ୍ଗଳବାର ରାତି ପାଖାପାଖି ସାଢ଼େ ୮ଟା ବେଳେ ଜଣେ ଲୁଟେରା ଏଜି ଛକ ନିକଟରେ ଜଣେ ଯୁବତୀଙ୍କୁ ଟଣାଓଟରା କରି ମୋବାଇଲ୍‌ ଛଡ଼ାଉଥିଲେ। ରାଜଧାନୀର ଏଜି ଛକ, ଯାହାକି ହାଇସିକ୍ୟୁରିଟି ଜୋନ୍‌ ଭାବେ ଜଣାଶୁଣା। କୌଣସି ଉପାନ୍ତ କି ଅପହଞ୍ଚ ଅଞ୍ଚଳ ନ ଥିଲା। ରାଜଧାନୀର ଏହି ହାଇସିକ୍ୟୁରିଟି ଜୋନ୍‌, ଯେଉଁଠି ଲୋକସେବାଭବନକୁ ପାହୁଣ୍ଡେ ବାଟ, ପୁଣି ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ଆବାସଠାରୁ ଆରମ୍ଭ କରି ଅନେକ ମନ୍ତ୍ରୀଙ୍କ ଘର ରହିଛି, ସେଇଠି ଘଟିଲା ଅଘଟଣ। କଡ଼ା ସୁରକ୍ଷା‌ କଥା କୁହାଯାଉଥିବା ଭିଭିଆଇପି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଲୁଟେରା ଟଣାଓଟରା କଲା ଏବଂ ମୋବାଇଲ୍‌ ଛଡ଼ାଇ ଫେରାର ହୋଇଯାଉଥିଲା। ସୌଭାଗ୍ୟକୁ ଲୋକେ ଲୁଟେରାକୁ କାବୁ କଲେ। ହେଲେ ଏଠି କୌଣସି ମହିଳା ପୁଲିସ କି ହର୍‌ ଟିମ୍‌ ସଦସ୍ୟଙ୍କୁ ଦେଖିବାକୁ ମିଳି ନଥିଲା।

ଯଦି ଏଭଳି ସମ୍ବେଦନଶୀଳ ଜାଗାରେ ହର୍‌ ଟିମ୍‌ ନି‌ଷ୍କ୍ରିୟ, ତେବେ ଟିମ୍‌ କରୁଛି କଣ, କେଉଁ କାମରେ ଲାଗୁଛି,  ଟିମ୍‌ ଅଛି କି ଭାଙ୍ଗିଦିଆଯାଇଛି, ଏମିତି ମାଳମାଳ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମହିଳା ଓ ଯୁବତୀମାନେ କର୍ମକ୍ଷେତ୍ରରୁ ବା ଶିକ୍ଷାନୁଷ୍ଠାନରୁ ଫେରିବା ସମୟରେ ଅସାମାଜିକତତ୍ତ୍ବମାନେ ରାସ୍ତାରେ ସେମାନଙ୍କୁ କମେଣ୍ଟ କରିବା, ଅଶ୍ଳୀଳ ଇଂଗିତ କରିବା ଭଳି ଘଟଣା ରାଜଧାନୀରେ ଏକ ସାଧାରଣ ଘଟଣା ଥିଲା। ସେମିତି ମନ୍ଦିର ବା ପୂଜାପର୍ବ ସମୟରେ ଗହଳିର ସୁଯୋଗ ନେଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ମଧ୍ୟ ସାଧାରଣ ଘଟଣା ଥିଲା। ତେଣୁ ମହିଳାଙ୍କ ସୁରକ୍ଷା ନେଇ ବାରମ୍ବାର ଏଭଳି  ଅଭିଯୋଗ ଆସିବା ପରେ ତତ୍‌କାଳୀନ କମିସନର ସଂଜୀବ ପଣ୍ଡା ଏହି ଯୋଜନା ଆରମ୍ଭ କରିଥିଲେ। ଟିମ୍‌ରେ ଜଣେ ଏସିପି ରୢାଙ୍କର ଅଧିକାରୀ ଥିବା ବେଳେ ଜଣେ ଆଇଆଇସି, ୨ଜଣ ଏସ୍‌ଆଇଙ୍କୁ ମିଶାଇ ମୋଟ୍‌ ୧୪ଜଣିଆ ମହିଳା ପୁଲିସ ଟିମ୍‌ ଗଠନ କରାଯାଇଥିଲା। ବିଶେଷକରି ବଜାର, ଗହଳି ଅଞ୍ଚଳ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ଧର୍ମାନୁଷ୍ଠାନ ଆଦି ଅଞ୍ଚଳ ଉପରେ ନଜର ରଖିବାକୁ ଏହି ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏବେ ଲାଗୁଛି, ଯେମିତି କମିସନର ବଦଳିବା ପରେ ଯୋଜନା ବଦଳିଯାଇଛି।

 

 

ସୌଜନ୍ୟ – ସମ୍ବାଦ

Comments are closed.