Breaking News

ରାଜଧାନୀରେ ବିଜେଡିର ବିକଳ ସ୍ଥିତି: ଦୁଇ ବିଧାୟକଙ୍କ ରହସ୍ୟଜନକ ନିରବତା

ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ମେୟର ବିଜେଡିର। ୪୮ଜଣ କର୍ପୋରେଟର ସାଙ୍ଗରେ ରହିଛନ୍ତି। ୭ ଜଣ ସ୍ବାଧୀନ କର୍ପୋରେଟର ନିର୍ବାଚନ ପରବର୍ତ୍ତୀ ସମୟରେ ଦଳକୁ ସମର୍ଥନ ଦେଇ ଆସୁଛନ୍ତି। ବିଏମ୍‌ସି ଅଞ୍ଚଳ ଆସୁଥିବା ୩ଟି ବିଧାନସଭା....

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ମେୟର ବିଜେଡିର। ୪୮ଜଣ କର୍ପୋରେଟର ସାଙ୍ଗରେ ରହିଛନ୍ତି। ୭ ଜଣ ସ୍ବାଧୀନ କର୍ପୋରେଟର ନିର୍ବାଚନ ପରବର୍ତ୍ତୀ ସମୟରେ ଦଳକୁ ସମର୍ଥନ ଦେଇ ଆସୁଛନ୍ତି। ବିଏମ୍‌ସି ଅଞ୍ଚଳ ଆସୁଥିବା ୩ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଦୁଇଟିରେ ବିଜେଡିର ବିଧାୟକ। ତା’ସତ୍ତ୍ବେ ମଧ୍ୟ ସହରରେ ବିଜେଡି ନିଜର ପତିଆରା ଜାହିର କରିପାରୁ ନାହିଁ। ସରକାରୀ ହେଉ ଅଥବା ବେସରକାରୀ କାର୍ଯ୍ୟକ୍ରମରେ ବିଜେଡି ନେତାମାନଙ୍କୁ କାଁ ଭାଁ ଦେଖିବାକୁ ମିଳୁଛି। ସରକାରୀ କାର୍ଯ୍ୟକ୍ରମକୁ ବିଧାୟକମାନେ ଏକପ୍ରକାର ବଏକଟ୍‌ କରିଥିବା ବେଳେ କର୍ପୋ‌ରେଟରଙ୍କ କଥା ନ କହିବା ଭଲ। ବିଏମ୍‌ସି ମେୟରଙ୍କ ସମେତ ଅଧିକାଂଶ କର୍ପୋରେଟର ବିଜେଡିର ହୋଇଥିଲେ ମଧ୍ୟ ବିଏମ୍‌ସିର କାର୍ଯ୍ୟକ୍ରମରେ ସେମାନେ ଭାଗ ନେଉନାହାନ୍ତି। ଲୋକଙ୍କ ସହ ଯୋଡ଼ି ହେବା ପାଇଁ ସରକାରୀ ସ୍ତରରେ ହେଉଥିବା କାର୍ଯ୍ୟକ୍ରମକୁ ଆସୁନାହାନ୍ତି। ଯଦି କୌଣସି ବି କର୍ପୋରେଟର ଯାଉଛନ୍ତି ଅଳ୍ପ ସମୟ ରହି ଫେରି ଯାଉଛନ୍ତି।

ମାର୍ଚ୍ଚ ୮ରେ ବିଏମ୍‌ସି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ମହିଳା ଦିବସରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଜନପଥରେ ଅନୁଷ୍ଠିତ ହସ୍ତତନ୍ତ ପଦଯାତ୍ରାରେ ବାଚସ୍ପତି ସୁରମା ପାଢୀଙ୍କ ସମେତ ମେୟର ସୁଲୋଚନା ଦାସ, ଏକାମ୍ର ବିଧାୟକ ବାବୁ ସିଂ, ଓଡିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି, ଅଲମ୍ପିଆନ ଅନୁରାଧା ବିଶ୍ୱାଳ, ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲ ଅତିଥି ଭାବେ ଯୋଗଦେଇଥିଲେ। ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଅଧ୍ୟକ୍ଷା ଓ କର୍ପୋରେଟରମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଅଧିକାଂଶ ଅନୁପସ୍ଥିତ ରହିଥିଲେ। ଶତାଧିକ ମହିଳା ସାମିଲ ହୋଇଥିଲେ ମଧ୍ୟ ମାତ୍ର ୮ଜଣ ବିଜେଡି କର୍ପୋରେଟର ସାମିଲ ହୋଇଥିଲେ। କେବଳ ସେତିକି ନୁହେଁ, ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା ‘ସମ୍ପୂର୍ଣ୍ଣା’ କାର୍ଯ୍ୟକ୍ରମ। ଏଥିରେ ମଧ୍ୟ ମେୟର, ଡେପୁଟି ମେୟରଙ୍କ ସମେତ ହାତଗଣତି ବିଜେଡି କର୍ପୋରେଟର ରହିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲେ ମଧ୍ୟ ବିଜେଡି ବିଧାୟକ ଓ କର୍ପୋରେଟରଙ୍କ ଅନୁପସ୍ଥିତି ଉତ୍ସବରେ ସ୍ପଷ୍ଟ ବାରି ହୋଇପଡ଼ୁଥିଲା।

ଦୁଇ ବିଧାୟକଙ୍କ ରହସ୍ୟଜନକ ନିରବତା
ବିଏମ୍‌ସି କାର୍ଯ୍ୟକ୍ରମରେ ବି ବିଜେଡି କର୍ପୋରେଟରଙ୍କ ଅନାଗ୍ରହ
ତଳ ସ୍ତରରେ ନେତା, କର୍ମୀ ଅସହାୟ

ଏ ଗଲା ମହିଳା ଦିବସ କଥା। ଏହାର ଠିକ୍‌ ତିନି ଦିନ ପୂର୍ବରୁ ଖଣ୍ଡଗିରି ଛକରୁ ଜାଗମରା ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ଅନୁଷ୍ଠିତ ସହରସ୍ତରୀୟ ସୁଭଦ୍ରା ଶୋଭାଯାତ୍ରାରେ ମଧ୍ୟ ବିଜେଡି କର୍ପୋରେଟରଙ୍କୁ ଦେଖିବାକୁ ମିଳି ନଥିଲା। ସୁଭଦ୍ରା ଯୋଜନାରେ ସାମିଲ ହେବା ଓଡ଼ିଶା ସମୃଦ୍ଧିର ମଙ୍ଗ ଧରିବା ବାର୍ତ୍ତା ନେଇ ଶତାଧିକ ମହିଳା ପଦଯାତ୍ରା କରିଥିଲେ। ଏଥିରେ ଏକାମ୍ର ବିଧାୟକ ବାବୁ ସିଂ, ମେୟର ଶ୍ରୀମତୀ ଦାସ, ସ୍ଥାନୀୟ କର୍ପୋରେଟର ଗୀତାଞ୍ଜଳି ସାହୁ, ରାମଚନ୍ଦ୍ର ରଣସିଂହ, ସୁଜାତା ଛୋଟରାୟ, ଯଶୋଧାରା ପ୍ରଧାନ ସାମିଲ ହୋଇଥି‌ବା ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ବି‌ଏମ୍‌ସିର କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବିଜେଡି କର୍ପୋରେଟର କାହିଁକି ସେଥିରୁ ନିବୃତ୍ତ ରହୁଛନ୍ତି ସେନେଇ ଏବେ ପ୍ରଶ୍ନ ଉଠିଛି। ଭୁବନେଶ୍ବରର ଦୁଇ ବିଜେଡି ବିଧାୟକ ଅନୁପସ୍ଥିତ ରହୁଛନ୍ତି।

ଉତ୍ତର ଭୁବନେଶ୍ବର ଓ ମଧ୍ୟ ଭୁବନେଶ୍ବର ବିଧ‌ାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାୟକ। ଦୁଇ ଜଣ ଯାକ ବିଧାୟକ ଦ୍ବିତୀୟ ଥର ପାଇଁ ବିଧାନସଭାକୁ ଯାଇଛନ୍ତି। ଅଭିଜ୍ଞତା ଦୃଷ୍ଟି ଏକାମ୍ର ବିଧାୟକଙ୍କ ତୁଳନାରେ ବହୁ ଆଗରେ। ତା’ପରେ ମଧ୍ୟ ସେମାନେ ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ‌ଖୋଲୁ ନାହାନ୍ତି। ଏକାମ୍ର ବିଧାୟକ ଶ୍ରୀ ସିଂ ଯେକୌଣସି ପ୍ରସଙ୍ଗରେ ପୂର୍ବ ସରକାର ତଥା ବିଜେଡିକୁ ସମାଲୋଚନା କରୁଥିଲେ ମଧ୍ୟ ଏମାନଙ୍କ ନିରବତାକୁ ନେଇ ଏବେ ତଳ ସ୍ତରର କର୍ମୀ ହତୋତ୍ସାହିତ ହେବାରେ ଲାଗିଛନ୍ତି। ୱାର୍ଡ ସ୍ତରରେ କେଉଁଭଳି ଭାବେ ଶାସକ ଦଳର ନେତାମାନଙ୍କୁ ସମ୍ମୁଖୀନ ହେବେ ତାହା ମଧ୍ୟ ଜାଣିପାରୁ ନାହାନ୍ତି। ଏମିତିକି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପାଳିତ ହେଉଥିବା ପଞ୍ଚ‌ୟତିରାଜ ଦିବସକୁ ରାଜ୍ୟ ସରକାର ବାତିଲ୍‌ କରିବା ପ୍ରତିବାଦରେ ଯେତେବେଳେ ଭୁବନେଶ୍ବର ଜିଲ୍ଲା ବିଜେଡି ରାଜରାସ୍ତାକୁ ଓହ୍ଲାଇଥିଲା ସେତେବେଳେ ବିଏମ୍‌ସିର ସବୁ ବିଜେଡି କର୍ପୋରେଟର ସାମିଲ ହୋଇ ନ ଥିଲେ। ଆଚାର୍ଯ୍ୟ ବିହାରରେ ଅନୁଷ୍ଠିତ ଜାତୀୟ ରାଜପଥ ଅବରୋଧ ସମୟରେ ଅଧିକାଂଶ କର୍ପୋରେଟର ଏଥିରୁ ନିବୃତ୍ତ ରହିଥିଲେ। ‌ପ୍ରାୟ ୨୦ ଜଣ ବିଜେଡି କର୍ପୋରେଟର ଆନ୍ଦୋଳନ ସ୍ଥଳକୁ ହିଁ ଆସି ନ ଥିଲେ। ରାଜ୍ୟରେ କ୍ଷମତାରୁ ଯିବାର କିଛି ମାସ ଭିତରେ ବିଜେଡିର ଏପରି ବିକଳ ସ୍ଥିତି ସହରରେ ଚର୍ଚ୍ଚାର ବିଷୟ ହୋଇଛି। ସାଂଗଠନିକ ସ୍ତରରେ ଦଳ ଦୁର୍ବଳ ହେବାରେ ଲାଗିଛି। ତେଣୁ ଆଗାମୀ ଦିନରେ ବିଜେଡିର ନେତାମାନେ କେଉଁଭଳି ଭାବେ ଶାସକ ଦଳର ମୁକାବିଲା କରିବେ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.