Breaking News

ରାଜଧାନୀରେ ବିହାରୀ ଅପରାଧୀକୁ ଏନ୍‌କାଉଣ୍ଟର୍‌: ଏଟିଏମ୍‌ ଲୁଟୁଥିଲା, ଗୁଳି ଖାଇଲା

ଫେବ୍ରୁଆରି ୧୬ ତାରିଖ ରାତିରେ କମିସନରେଟ୍‌ ପୁଲିସ ମଧ୍ୟପ୍ରଦେଶ ‘ଧର୍‌ ଗ୍ୟାଙ୍ଗ୍‌’ର ମୁଖ୍ୟ ଅର୍ଜୁନ ଅନାରେକୁ ଏନ୍‌କାଉଣ୍ଟର୍‌ କରିଥିଲା। ମାତ୍ର ୩ ସପ୍ତାହ ପରେ ରାଜଧାନୀରେ ପୁଣି ଗର୍ଜିଛି ପୁଲିସ ବନ୍ଧୁକ।

ଭୁବନେଶ୍ବର: ଫେବ୍ରୁଆରି ୧୬ ତାରିଖ ରାତିରେ କମିସନରେଟ୍‌ ପୁଲିସ ମଧ୍ୟପ୍ରଦେଶ ‘ଧର୍‌ ଗ୍ୟାଙ୍ଗ୍‌’ର ମୁଖ୍ୟ ଅର୍ଜୁନ ଅନାରେକୁ ଏନ୍‌କାଉଣ୍ଟର୍‌ କରିଥିଲା। ମାତ୍ର ୩ ସପ୍ତାହ ପରେ ରାଜଧାନୀରେ ପୁଣି ଗର୍ଜିଛି ପୁଲିସ ବନ୍ଧୁକ। ଗତକାଲି ବିଳମ୍ବିତ ରାତିରେ ଏଟିଏମ୍‌ ଲୁଟ୍‌ପାଟ୍‌ କରୁଥିବା ଏକ ଅନ୍ତଃରାଜ୍ୟ ବିହାରୀ ଗ୍ୟାଙ୍ଗ୍‌ର ମୁଖ୍ୟ ଦୀପକ କୁମାର (୨୫) ପୁଲିସ ଗୁଳିରେ ଘାଇଲା ହୋଇଛି। ବଡ଼ଗଡ଼ ଥାନା ଅଞ୍ଚଳର ଏକ ଏଟିଏମ୍‌ରୁ ଲୁଟ୍‌ପାଟ୍‌ କରୁଥିବା ବେଳେ ପୁଲିସ ସହ ଦୀପକ ଗ୍ୟାଙ୍ଗ୍‌ର ମୁହାଁମୁହିଁ ହୋଇଥିଲା। ପୁଲିସ ଉପରକୁ ଗୁଳିମାଡ଼ କରି ଏହି ବିହାରୀ ଗ୍ୟାଙ୍ଗ୍‌ ଖସିଯିବାକୁ ଉଦ୍ୟମ କରିଥିଲା। ମାତ୍ର ପୁଲିସର ପାଲଟା ଗୁଳିମାଡ଼ରେ ଗ୍ୟାଙ୍ଗ୍‌ ଲିଡର୍‌ ଦୀପକ ଆହତ ହୋଇଥିଲା ଏବଂ ତା’ର ଦୁଇ ସହଯୋଗୀ ଦୀପକ ପାଣ୍ଡେ ଓ ଅଭିଷେକ ସିଂ ଧରାପଡ଼ିଯାଇଥିଲେ। ଦୀପକର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି, ଏକ ଟାଟା ହାରିଅର୍‌ ଗାଡ଼ି ଓ ୧୨ ହଜାର ଟଙ୍କା ଜବତ କରାଯାଇଛି। ରାଜ୍ୟ ବାହାରୁ ଆସି ଓଡ଼ିଶାରେ ଡେରା ପକାଇଥିବା ଅନ୍ତଃରାଜ୍ୟ କୁଖ୍ୟାତ ଗ୍ୟାଙ୍ଗ୍‌ଗୁଡ଼ିକୁ ସାବାଡ଼ କରିବାକୁ ଏଣିକି କମିସନରେଟ୍‌ ପୁଲିସ ଏମିତି କଠୋର ହେବ ବୋଲି ସତର୍କ କରାଇଛି। ଲଗାତାର ପୁଲିସ ଏନ୍‌କାଉଣ୍ଟର୍‌ ଏହି ସୂଚନା ଦେଉଛି ବୋଲି ଚର୍ଚ୍ଚା ହେଉଛି।

ଆଜି ପୁଲିସ ସେବାଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିସନର୍‌ ଏସ୍‌. ଦେବଦତ୍ତ ସିଂ, ଅତିରିକ୍ତ ସିପି ନରସିଂହ ଭୋଳ, ଡିସିପି ଜଗମୋହନ ମିନା, ଏଡିସିପି ଅଙ୍କିତ୍‌ କୁମାର ବର୍ମା ଓ ଅମ୍ରିତ୍‌ ପାଲ୍‌ କଅଁର ପ୍ରମୁଖ ଉପସ୍ଥିତ ରହି ଏହି ଗ୍ୟାଙ୍ଗ୍‌ ସମ୍ପର୍କରେ ସୂଚନା ଦେଇଥିଲେ। ସିପି ଶ୍ରୀ ସିଂଙ୍କ ସୂଚନାନୁସାରେ ଏହି ଗ୍ୟାଙ୍ଗ୍‌ ବିହାର ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ଥିଲା। ଗତ ୩ଦିନ ହେଲା ଏହି ଗ୍ୟାଙ୍ଗ୍‌ର ୩ ଲୁଟେରା ଓଡ଼ିଶାରେ ଡେରା ପକାଇଥିଲେ। ସେମାନେ ପୁରୀରେ ରହି ଏଟିଏମ୍‌ରୁ ଲୁଟ୍‌ କରିବା ପାଇଁ ଯୋଜନା କରିଥିଲେ। ଶନିବାର ସକାଳେ ପୁରୀର ଏକ ଏଟିଏମ୍‌ରୁ ଲୁଟ୍‌ କରି ସେଠାରୁ ପାର୍‌ ହୋଇ ଯାଇଥିଲେ। ଚିଲିକାରେ ବୁଲାବୁଲି କରିଥିଲେ। ବିଳମ୍ବିତ ରାତିରେ ଚିଲିକାରୁ ସିଧା ରାଜଧାନୀ ଆସିଥିଲେ। ଗ୍ୟାଙ୍ଗ୍‌ ସମ୍ପର୍କରେ ସ୍ପେସାଲ୍‌ ସ୍କ୍ବାଡ୍‌ ଖବର ପାଇବା ମାତ୍ରେ ପିଛା କରିଥିଲା। ସେମାନେ ବଡ଼ଗଡ଼ ଥାନା ଆଡ଼କୁ ଯାଉଥିବାରୁ ସ୍ପେସାଲ୍‌ ସ୍କ୍ବାଡ୍‌ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲା। ପୁଲିସ ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ଛକି ରହିଥିଲା। ଏହି ଗ୍ୟାଙ୍ଗ୍‌ ବ୍ରହ୍ମେଶ୍ବରପାଟଣା ଗ୍ରାଣ୍ଡ କନ୍‌ଭେନ୍‌ସନ୍‌ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ ନିକଟରେ ଅଟକି ଥିଲେ। ସେମାନଙ୍କ ହାରିଅର୍‌ ଗାଡ଼ିରେ ନମ୍ବର ନଥିଲା। ଏହି ସମୟରେ ପିଛା କରୁଥିବା ପୁଲିସ ଟିମ୍‌ ଏଟିଏମ୍‌ ନିକଟରେ ଉକ୍ତ ନମ୍ବରବିହୀନ ଗାଡ଼ିକୁ ଦେଖିଥିଲା। ପୁଲିସ ଗାଡ଼ି ହାରିଅର୍‌ ପାଖକୁ ଯିବା ଦେଖି ଏଟିଏମ୍‌ରୁ ଦୁଇଜଣ ବାହାରି ଗାଡ଼ି ବସିଯାଇଥିଲେ ଏବଂ ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ। ପୁଲିସ ଗାଡ଼ି ସେମାନଙ୍କୁ ପିଛା କରିଥିଲା। ଲୁଟେରାମାନେ ଭୁଲ୍‌ବଶତଃ ଏକ ଗଳିରାସ୍ତାରେ ପଶିଯାଇ ବାଟ ପାଇ ନଥିଲେ। ଆଗରେ ଏକ ପାଚେରି ଥିବାରୁ ଅଟକିବାକୁ ବାଧ୍ୟ ହୋଇଥିଲେ। ଏଣେ ପଛରେ ପୁଲିସ ଗାଡ଼ି ଲାଗିଯାଇଥିଲା। ତୁରନ୍ତ ଦୀପକ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି କରିଥିଲା। ମାତ୍ର ଏଥିପାଇଁ ପ୍ରସ୍ତୁତ ଥିବା ପୁଲିସ ଟିମ୍‌ ଗାଡ଼ି ଆଢ଼ୁଆଳରେ ରହି ପାଲଟା ଗୁଳିଚାଳନା କରିଥିଲା। ଦୀପକ ଗୋଡ଼ରେ ପୁଲିସ ଗୁଳି ବାଜିବା ପରେ ସେ ପଡ଼ିଯାଇଥିଲା। ଏତିକିବେଳେ ତା’ର ସହଯୋଗୀ ଦୀପକ ପାଣ୍ଡେ ଓ ଅଭିଷେକ ଗାଡ଼ିରୁ ବାହାରି ପାଚେରି ଡେଇଁବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ଗୁଳି କରିବାକୁ ଧମକ ଦେବା ପରେ ସେମାନେ ହାତ ଟେକି ଦେଇଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.