Breaking News

ରାଜଧାନୀରେ ମଶା ଆତଙ୍କ: କାମ କଲାନି ଡ୍ରୋନ୍‌ରେ ଔଷଧ ସିଞ୍ଚନ, କୋଲ୍ଡ ଫଗିଙ୍ଗ୍‌ ବଂଶ ନିପାତ କରିବ ବିଏମ୍‌ସି

ଭୁବନେଶ୍ୱର,୦୭/୦୧:  ମଶା କଲବଲ କଲାଣି । ସନ୍ଧ୍ୟା  ହେଲେ ଭଣଭଣ ହୋଇ ବୁଲୁଛନ୍ତି ।  ବସ୍ତିରୁ ଆପାର୍ଟମେଣ୍ଟ ସବୁଠି ସ୍ଥିତି  ଖରାପ । ସାନ୍ଦ୍ରତା ୭୦  ପାର କଲାଣି । ଏପରି  ପରିସ୍ଥିତିରେ ପ୍ରବାସୀ  ଭାରତୀୟ ସମ୍ମିଳନୀକୁ  ଏବେ ମଶା ଭୟ ଘାରିଲାଣି । ବୁଧବାର ପ୍ରବାସୀ ଭାରତୀୟ ସମ୍ମିଳନୀର ମହାକୁମ୍ଭ ଆରମ୍ଭ  ହେବ । ଦେଶ ବିଦେଶରୁ  ଛୁଟି ଆସିବେ ପ୍ରବାସୀ ।  ହେଲେ ତା ପୂର୍ବରୁ  ଏବେ ବିଏମ୍‌ସିର  ଚିନ୍ତା ପଶିଲାଣି । ସହରର ମଶାର ସାନ୍ଦ୍ରତା ଯେଉଁ  ହାରରେ ବଢିଚାଲିଛି, ପ୍ରବାସୀ ମଶା କାମୁଡ଼ା ଖାଇବା  ଥୟ । ଜନତା ମଇଦାନ ଓ ଏହାର ଆଖପାଖ ଅଞ୍ଚଳରେ  ମଶା ସାନ୍ଦ୍ରତା ଅଧିକ ରହିଛି ।

ଖାଲି ଏହି ୨ ଜାଗା ନୁହେଁ, ପୂରା ସହରରେ ଏବେ ମଶାଙ୍କ ଆତଙ୍କ । ସନ୍ଧ୍ୟା ହେବା କ୍ଷଣି ଘର ଭିତରକୁ ପଶୁଛନ୍ତି । ୟୁନିଟ୍‌-୧ ହାଟ ଅଞ୍ଚଳରେ ଠିକ୍‌  ଭାବରେ ସଫେଇ ହେଉନଥିବାରୁ ମଶା ସାନ୍ଦ୍ରତା ଉଚ୍ଚା  ରହୁଛି । ସେହିପରି ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି, ପୋଖରୀପୁଟରେ ସାଂଘାତିକ ସ୍ଥିତି । ନ୍ୟୁସେନ୍ସ ମଶା  ସଂଖ୍ୟା ୨ଗୁଣା ବୃଦ୍ଧି ପାଇଛି । ଏହି ପ୍ରଜାତିର ମଶା  କାମୁଡ଼ିବା ଦ୍ୱାରା ଦେହରେ ନାଲି ଚିହ୍ନ ପଡୁଛି ।

ମଶା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଠିକ୍‌  ଭାବରେ ଧୂଆଁ ଗାଡ଼ି ବୁଲୁନି । ରାଜରାସ୍ତା ମଶା ଗାଡ଼ି  ଧୂଆଁ ଛାଡ଼ୁଥିବା ବେଳେ ମଶା ଗଳିକନ୍ଦିରେ ଲୁଚୁଛନ୍ତି ।  ୬୭ଟି ୱାର୍ଡ ପାଇଁ ମାତ୍ର ୨୦ଟି ଗାଡ଼ି ରହିଛି । ଫଳରେ  ସବୁ ୱାର୍ଡରେ ଧୂଆଁ ଦେଇ ହେଉନି । ଗୋଟିଏ ୱାର୍ଡରେ ଗାଡ଼ି ବୁଲିଲେ ୨ ଦିନ ଅପେକ୍ଷା କରିବାକୁ ପଡୁଛି ।  ଫଳରେ ମଶା ସଂଖ୍ୟା ବୃଦ୍ଧି ପାଉଛି । ବିଏମ୍‌ସି ଓ ସ୍ୱାସ୍ଥ୍ୟ  ବିଭାଗ ପକ୍ଷରୁ ଠିକ ଭାବରେ ସଫେଇ କରାଯାଉନି ।

ମଶା ଦମନ ପାଇଁ ପୂର୍ବରୁ ବିଭିନ୍ନ ୱାର୍ଡରେ  ଡ୍ରୋନ୍‌ ବୁଲିଲା । ଉପରୁ ଔଷଧ ସିଞ୍ଚିଲା । ହେଲେ  ମଶା ମଲେ ନାହିଁ । ଅଯଥାରେ ଲକ୍ଷ ଲକ୍ଷ ଟଙ୍କା  ବରବାଦ ହେଲା । ଏବେ ପୁଣି ନୂଆ ଭେଳିକି  ଆରମ୍ଭ କରିଛନ୍ତି ବିଏମସି । ମଶା ମାରିବା ପାଇଁ  ପାଣି ବାଷ୍ପ ଦେବ ବିଏମ୍‌ସି । ଏହାକୁ କୋଲ୍ଡ ଫଗିଙ୍ଗ୍‌  କୁହାଯାଉଛି । ପରୀକ୍ଷାମୂଳକ ଭାବେ ସତ୍ୟନଗର  ଅଞ୍ଚଳରେ ଏହି ବାଷ୍ପ ମରା ହୋଇଛି । ହେଲେ ଏହା  କେତେ ଦୂର ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠିଛି ।

 

 

 

 

 

ସୌଜନ୍ୟ -ପ୍ରମେୟ

Comments are closed.