Breaking News

ରାଜଧାନୀରେ ମାଟ୍ରିକ୍‌ ପରୀକ୍ଷା‌: ଅନୁପସ୍ଥିତ ରହିଲେ ୪୫

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ଆଜି ଥିଲା ପ୍ରଥମ ଦିନ। ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ମନରେ ଟିକିଏ ଭୟ ରହିଥିଲେ ମଧ୍ୟ ଉତ୍ସାହ ମଧ୍ୟରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ।

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାର ଆଜି ଥିଲା ପ୍ରଥମ ଦିନ। ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ମନରେ ଟିକିଏ ଭୟ ରହିଥିଲେ ମଧ୍ୟ ଉତ୍ସାହ ମଧ୍ୟରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ବର ବ୍ଲକ୍‌ ଅଞ୍ଚଳରେ ହୋଇଥିବା ୪୬ଟି ପରୀକ୍ଷା କେନ୍ଦ୍ରରେ ୧୧ ହଜାର ୨୦୯ ଜଣ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୫ଜଣ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ୟୁନିଟ୍‌-୮ ବାଳକ ଉଚ୍ଚବିଦ୍ୟାଳୟ ଅଧୀନ ୧୬ଟି ପରୀକ୍ଷା କେନ୍ଦ୍ରରେ ୧୯ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ବେଳେ ୟୁନିଟ୍‌-୧ ବାଳକ ଉଚ୍ଚବିଦ୍ୟାଳୟରେ ୧୫ ଓ କ୍ୟାପିଟାଲ ହାଇସ୍କୁଲ ଅଧୀନରେ ଥିବା ୧୧ଜଣ ପରୀକ୍ଷାର୍ଥୀ ହଲ୍‌କୁ ଆସି ନାହାନ୍ତି।

ମିଳିଥିବା ସୂଚନା ଅନୁଯାୟୀ କ୍ୟାପିଟାଲ୍‌ ହାଇସ୍କୁଲ ନୋଡାଲ ସେଣ୍ଟର ଅଧୀନ ପଟିଆ ଏସ୍‌ଏନ୍‌ ନୋଡାଲ ହାଇସ୍କୁଲରେ ୩ଜଣ, ୟୁନିଟ୍‌-୯ ସରକାରୀ ବାଳିକା ହାଇସ୍କୁଲରେ ୨, ଭିଏସ୍‌ଏସ୍‌ନଗର ହାଇସ୍କୁଲ, ଚନ୍ଦ୍ରଶେଖରପୁର ଫେଜ୍‌-୧ ହାଇସ୍କୁଲ, ସହିଦନଗର ହାଇସ୍କୁଲ, ୟୁନିଭରସିଟି ହାଇସ୍କୁଲ, ଚନ୍ଦ୍ରଶେଖରପୁର ଫେଜ୍‌-୨ ହାଇସ୍କୁଲ, ନୀଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜଣେ ଲେଖାଏ ଅନୁପସ୍ଥିତ ରହିଛନ୍ତି। ଅନୁରୂପ ଭାବେ ୟୁନିଟ୍‌-୮ ସରକାରୀ ହାଇସ୍କୁଲ ଅଧୀନ ପାତ୍ରପଡ଼ା ଭଗବାନପୁର ନୋଡାଲ ହାଇସ୍କୁଲରେ ସର୍ବାଧିକ ୬ଜଣ ଅନୁପସ୍ଥିତ ଥିବା‌ ବେଳେ ସହିଦ୍‌ ମମ୍‌ତାଜ୍‌ ଅଲ୍ଲୀ ହାଇସ୍କୁଲ ଓ ଆଇଆରସି ଭିଲେଜ୍‌ସ୍ଥିତ ଏସ୍‌ବିଜି ବିଦ୍ୟାମନ୍ଦିରରେ ୩ ଜଣ ଲେଖାଏ ଅନୁପସ୍ଥିତ ଥିଲେ। ୟୁନିଟ୍‌-୧ ସରକାରୀ ହାଇସ୍କୁଲ ଅଧୀନରେ ହୋଇଥିବା ୧୩ଟି ସେଣ୍ଟରରେ ପରୀକ୍ଷା ଦେବାକୁ ୩୦୦୮ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେଥିରୁ ୧୫ ଜଣ ଅନୁପସ୍ଥିତ ଥିବା ବେଳେ ଏସ୍‌ଓଏସ୍‌ସି ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିବା ୧୦୦ଜଣଙ୍କ ମଧ୍ୟରୁ ଜଣେ ଅନୁପସ୍ଥିତ ଥିଲେ। ପ୍ରଥମ ଦିନର ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କପି କରି କେହି ଧରାପଡ଼ି ନାହାନ୍ତି।

ପରୀକ୍ଷା କେନ୍ଦ୍ରରେ ଯାଞ୍ଚ କଡ଼ାକଡ଼ି
ସକାଳ ୯ଟାରେ ପରୀକ୍ଷା ଥିବାରୁ ଭୋର ୬ଟାରୁ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପଠାଯାଇଥିଲା। ସକାଳ ୮ଟାରେ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା। ପରୀକ୍ଷାର୍ଥୀ ଯେପରି କପି ନେଇ ହଲ୍‌ ଭିତରକୁ ପ୍ରବେଶ ନ କରନ୍ତି ସେଥିପାଇଁ ପରୀକ୍ଷା କେନ୍ଦ୍ରରେ ସ୍ବତନ୍ତ୍ର ଟିମ୍‌ ଯାଞ୍ଚ କରିଥିଲେ। ପରୀକ୍ଷାର୍ଥୀ ଯେପରି ହଟହଟା ନ ହେବେ ସେଥିପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା ହୋଇଥିଲା। କେଉଁ ପରୀକ୍ଷାର୍ଥୀଙ୍କ ସିଟ୍‌ କେଉଁଠି ତାହା ନୋଟିସ୍‌ ବୋର୍ଡରେ ଲାଗିଥିଲା। ଏଥିସହ କ୍ୟାମ୍ପସରେ ନୋଟିସ୍‌ ଲଗାଯାଇ ଓଡ଼ିଶା ପରୀକ୍ଷା ପରିଚାଳନା ନିୟମ ୧୯୮୮ ଅନୁଯାୟୀ ପରୀକ୍ଷାର୍ଥୀ, ଅଭିଭାବକ ଓ ସାଧାରଣ ଜନତାଙ୍କୁ ଅସାଧୁ ଆଚରଣରେ ଲିପ୍ତ ନ ରହିବାକୁ ଚେତାବନୀ ଦିଆଯାଇଥିଲା। ‌କେହି କପି ଭଳି କାମକୁ ପ୍ରୋତ୍ସାହିତ କଲେ, ଆଇନ ଅନୁସାରେ ଗିରଫ ହେବେ ବୋଲି ନୋଟିସ୍‌ ଲଗାଯାଇଥିଲା।

ବାଲିପାଟଣାରେ ପରୀକ୍ଷା ଦେଲେ ୧୪୧୭
ବାଲିପାଟଣା: ବାଲିପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଅଧୀନ ୮ଟି କେନ୍ଦ୍ରରେ ପ୍ରଥମ ଦିନ ୧୪୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ୧୦ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ବ୍ଲକର ୨୧ଟି ହାଇସ୍କୁଲ ଏବଂ ବାଲିଅନ୍ତା ବ୍ଲକର ୪ଟି ହାଇସ୍କୁଲରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବାଲିପାଟଣାର ଶ୍ରୀ ବୁଦ୍ଧନାଥ ସରକାରୀ ଉଚ୍ଚବିଦ୍ୟାଳୟ, ପିପୁଲ୍ସ ସରକାରୀ ଉଚ୍ଚବିଦ୍ୟାଳୟ ଚଣାହଟ୍ଟା, ସରକାରୀ ଉଚ୍ଚବିଦ୍ୟାଳୟ ବନମାଳୀପୁର, ଭାକରସାହିସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟ କୁଶଭଦ୍ରା, ପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳୟ ନରିଶୋ, ବରାହୀ ସରକାରୀ ଉଚ୍ଚବିଦ୍ୟାଳୟ, ଅଭୟମୁଖୀ, ବିପିନ ବିହାରୀ ସରକାରୀ ଉଚ୍ଚବିଦ୍ୟାଳୟ ବାଗଲପୁର, ଗୋପବନ୍ଧୁ ସରକାରୀ ଉଚ୍ଚବିଦ୍ୟାଳୟ ରାଜସରେ ପରୀକ୍ଷା କେନ୍ଦ୍ର ହୋଇଛି। ମାଗଦର୍ଶିକା ଅନୁସାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ପୁଲିସ୍‌ ମୁତୟନ ହୋଇଛନ୍ତି। ପରୀକ୍ଷାର୍ଥୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରାଯାଇଥିବା ବିଇଓ ବିଜୟ କୁମାର ବେହେରା ଓ ନୋଡାଲ ଅଧିକାରୀ ସୁଷମାରାଣୀ ମହାପାତ୍ର ସୂଚନା ଦେଇଛନ୍ତି।

ଆଡମିଟ୍‌ କାର୍ଡ ଫିଙ୍ଗି ପଳାଇଲେ ଛାତ୍ରୀ
ବାଲିଅନ୍ତା: ବାଲିଅନ୍ତା ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ୧୩୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ତେବେ ଶାରୀରିକ ଅସୁସ୍ଥତା ତଥା ଅନ୍ୟାନ୍ୟ କାରଣ ପାଇଁ ୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇପାରି ନାହାନ୍ତି। ତେବେ ଏହି ବ୍ଲକର ସରକଣା ଭଗବତୀ ନୋଡ଼ାଲ ଉଚ୍ଚବିଦ୍ୟାଳୟ ପରୀକ୍ଷା କେନ୍ଦ୍ରର ରୁମ ନମ୍ବର-୬ରେ ପରୀକ୍ଷା ଆରମ୍ଭ ପୂର୍ବରୁ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଏଠାରେ ଜଟେଶ୍ବର, ଗାଦିବ୍ରହ୍ମ ବାଳିକା ଓ ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ୧୨୮ ଜଣ ପରୀକ୍ଷା ଦେଉଛନ୍ତି। ହେଲେ ପରୀକ୍ଷା ଆରମ୍ଭ ପୂର୍ବରୁ ଜଟେଶ୍ବର ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ହଠାତ୍‌ ଆଡ୍‌ମିଟ୍‌ କାର୍ଡ ମୋଡ଼ି ମକଚି ଫିଙ୍ଗି ବାପା ପାଖକୁ ଯିବି… ବାପା ପାଖକୁ ଯିବି… କହି କେନ୍ଦ୍ରରୁ ଗେଟ୍‌ ଆଡ଼କୁ ଦୌଡ଼ିଥିଲେ। ଛାତ୍ରୀଙ୍କ ପଛେ ପଛେ କେନ୍ଦ୍ର ପରୀକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଦୌଡ଼ିଥିଲେ। ଛାତ୍ରୀ ଜଣକ ଗେଟ୍‌ ନିକଟରେ ତାଙ୍କ ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଥିଲେ ଏବଂ ଘରକୁ ପଳାଇଯିବା ପାଇଁ କହିଥିଲେ। ବାପାବି ଝିଅକୁ ପରୀକ୍ଷା ଦେବ ନାହିଁ କହି ସାଙ୍ଗରେ ନେଇଯିବାକୁ କହିଥିଲେ। ହେଲେ ପରକ୍ଷାକେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ମାମାଲିକୁ ସେମିତି ଛାଡ଼ିଲେ ନାହିଁ। ଖବର ପାଇ ବାଳକାଟି ଫାଣ୍ଡି ପୁଲିସ କେନ୍ଦ୍ରରେ ପହଞ୍ଚିଥିଲା। ଛାତ୍ରୀଜଣକ ମାନସିକ ବିକାରଗ୍ରସ୍ତ ବୋଲି ଲେଖାଇ ବାପା ନେଇଯାଇଥିବା ଜଣାପଡ଼ିଛି। ଝିଣ୍ଟିଶାସନ ପଞ୍ଚାୟତ ହାଇସ୍କୁଲ ପାଣିକଟା ପରୀକ୍ଷା କେନ୍ଦ୍ରରେ ୬ ଜଣ, ଭିଙ୍ଗାରପୁର ବକ୍ରେଶ୍ବର ଉଚ୍ଚ ବିଦ୍ୟାଳୟରେ ୩ ଓ ପ୍ରତାପଶାସନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଛାତ୍ର ପରୀକ୍ଷା ଦେଇନାହାନ୍ତି।

ପ୍ରଶ୍ନ ସହଜ ପଡ଼ିଥିଲା
ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି କରିଥିଲେ। ପରୀକ୍ଷା ଭଲ ହୋଇଥିବ। ପ୍ରଥମ ଦିନ ମାତୃଭାଷା ଥିବାରୁ ମନରେ ଛାତ୍ରଛାତ୍ରୀଙ୍କର ଭୟ କମ୍‌ ଥିଲା। ପ୍ରଶ୍ନପତ୍ର ମଧ୍ୟ ସହଜ ରହିଛି। ଆଗାମି ପରୀକ୍ଷା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା।
ରତ୍ନାକର ପୃଷ୍ଟି
କଳିଙ୍ଗବିହାର ସରସ୍ବତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ
ବହୁତ ଭଲ ହୋଇଛି
ସାହିତ୍ୟ ପରୀକ୍ଷା ବହୁତ ଭଲ ହୋଇଛି। ସରଳାର୍ଥ, ଦୀର୍ଘ ଉତ୍ତରମୂଳକ ଓ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ସହଜ ପଡ଼ିଥିଲା। ରଚନା କଷ୍ଟ ପଡ଼ିଥିବାରୁ ଭଲରେ ଲେଖିବାକୁ ସମୟ ମିଳିଲା ନାହିଁ। ୯୦ରୁ ୯୨ ମାର୍କ ରହିବ ବୋଲି ଆଶା କରୁଛି।
-ଶୁଭରଞ୍ଜନ ବାରିକ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ମଧୁସୂଦନନଗର
ରଚନା କଷ୍ଟ ପଡ଼ିଥିଲା
ପ୍ରଥମ ଦିନ ଓଡ଼ିଆ ବିଷୟର ପରୀକ୍ଷା ଥିବାରୁ ବହୁତ ଭଲ ହୋଇଛି। ସବୁ ପ୍ରଶ୍ନ ପ୍ରାୟ ସହଜ ପଡ଼ିଥିଲା। ରଚନା ଟିକେ କଷ୍ଟ ପଡ଼ିଥିବାରୁ ସେଥିରେ ଭଲ ମାର୍କ ମିଳିବା ନେଇ ଟିକେ ଆଶଙ୍କା ରହିଛି। ତଥାପି ୮୫ରୁ ୯୦ ମାର୍କ ମଧ୍ୟରେ ରହିବ ବୋଲି ଭାବୁଛି।
-ନନ୍ଦିନୀ ରଥ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ମଧୁସୂଦନନଗର
୯୦%ରୁ ଅଧିକ ନମ୍ବର ରହିବ‌
ପ୍ରଥମ ଦିନ ସାହିତ୍ୟ ପରୀକ୍ଷାର ପ୍ରଶ୍ନ ସହଜ ଆସିଥିଲା। ସବୁବେଳେ ନିଜ ‌ସ୍କୁଲରେ ପରୀକ୍ଷା ଦେଉଥିବା ବେଳେ ଆଜି ଅନ୍ୟ ସ୍କୁଲରେ ପରୀକ୍ଷା ଦେଉଥିବାରୁ ଟିକିଏ ଡର ଲାଗୁଥିଲା। ତଥାପି ପରୀକ୍ଷା ଭଲ ହୋଇଛି। ୯୦%ରୁ ଅଧିକ ନମ୍ବର ରହିବ‌।
-ବିନୋଦିନୀ ଦ‌ାସ
ସରସ୍ବତୀ ଶିଶୁ ମନ୍ଦିର, କଳିଙ୍ଗବିହାର
ପରୀକ୍ଷା ପ‌ାଇଁ ସବୁ ବିଷୟ ପଢ଼ିଛି
ମାତୃଭାଷା ପରୀକ୍ଷା ଭଲ ହୋଇଛି। ସମସ୍ତ ବିଷୟର ପରୀକ୍ଷା ପାଇଁ ଭଲ ପ୍ରସ୍ତୁତି କରିଥିବାରୁ ଚିନ୍ତା ନାହିଁ। ପ୍ରଥମ ଦିନ ପରୀକ୍ଷା ଦେବା ପରେ ଭୟ ଛାଡ଼ି ଯାଇଛି। ଇଂରାଜୀ ବିଷୟରେ ଭଲ ହେବ। ସବୁଥିରେ ୮୦%ରୁ ଅଧିକ ନମ୍ବର ରହିବ।
-ଶ୍ରାବଣୀ ବେହେରା
ସରସ୍ବତୀ ଶିଶୁ ମନ୍ଦିର, କଳିଙ୍ଗବିହାର
ପ୍ରଶ୍ନପତ୍ର ସହଜ ଥିଲା
ପରୀକ୍ଷା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି। ଭଲ ଭାବେ ପଢ଼ିଥିବାରୁ ପ୍ରଥମ ଦିନର ପରୀକ୍ଷାରେ ପଡ଼ିଥିବା ପ୍ରଶ୍ନପତ୍ରଗୁଡ଼ିକ ସହଜ ଲାଗିଥିଲା। ଆଶା ଭଲ ନମ୍ବର ରହିବ। ଆଗକୁ ଥିବା ବିଷୟଗୁଡ଼ିକ ଭଲ ହେବ।
-ସହ୍ନିତା ସାହୁ
ସରସ୍ବତୀ ଶିଶୁ ମନ୍ଦିର, କଳିଙ୍ଗବିହାର
ପରୀକ୍ଷା ବହୁତ ଭଲ ହୋଇଛି
ଆଜି ମାତୃଭାଷା ପରୀକ୍ଷା ବହୁତ ଭଲ ହୋଇଛି। ଆଶା କରୁଛି ଅଗକୁ ସବୁ ପରୀକ୍ଷା ଭଲ ହେବ। ପରୀକ୍ଷା କେନ୍ଦ୍ର ଭିତରେ ଶୃଙ୍ଖଳିତ ସ୍ଥିତି ପାଇଁ କୌଣସି ପିଲା ବିଚଳିତ ହୋଇନାହାନ୍ତି। ତେଣୁ ସବୁ ଉତ୍ତର ଠିକ୍‌ ସମୟରେ ଲେଖି ଖାତା ଦେଇପାରିଲି।
ଆରୂଷି ହେମ୍ବ୍ରମ, କିସ୍‌

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.